Unknown

 

 

 

 

 

 

 

 

 

ବିଦଗ୍ଧକବି ଅଭିମନ୍ୟୁ

ଡକ୍ଟର କାହ୍ନୁଚରଣ ମିଶ୍ର

 

ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ସାଧକମାନଙ୍କ ଜୀବନୀ ଓ ପ୍ରତିଭା ସଂମ୍ପର୍କରେ ଆଗାମୀ ପିଢ଼ିର ସାହିତ୍ୟିକ ତଥା ଓଡ଼ିଆ ଭାଷା ଓ ସାହିତ୍ୟରେ ରୁଚି ରଖିଥିବା ବିଦଗ୍ଧ ପାଠକମାନଙ୍କୁ ସାମଗ୍ରିକ ଧାରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ମନୋଗ୍ରାଫ୍‍ମାନ ପ୍ରକାଶ କରିଆସୁଅଛି । ଏହି କ୍ରମରେ ପ୍ରାୟ ଶତାଧିକ ବିଶିଷ୍ଟ ସାହିତ୍ୟିକ ଏବଂ ଓଡ଼ିଆ ଭାଷାର ବରପୁତ୍ରମାନଙ୍କର ଜୀବନୀ ଓ କୃତି ସମ୍ପର୍କରେ ସଂକ୍ଷେପରେ ଆକଳନ କରାଯାଇ ମନୋଗ୍ରାଫ୍‍ମାନ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଛି । ସେଗୁଡ଼ିକୁ ଅନ୍ୟାନ୍ୟ ପୁସ୍ତକମାନଙ୍କଠାରୁ ଅଶେଷ ପାଠକୀୟ ଆଦର ଲାଭ କରିପାରିଛି । ଗତ ୧୯୮୪ ମସିହାରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କାହ୍ନୁଚରଣ ମିଶ୍ର ଗୀତିଯୁଗର ପ୍ରଖ୍ୟାତ ସ୍ରଷ୍ଟାଙ୍କ ସାରସ୍ୱତ କୃତି ଉପରେ ଏକ ମନୋଗ୍ରାଫ୍‍ ରଚନା କରିଥିଲେ । ଏହି ମନୋଗ୍ରାଫ୍‍ଟି ସେତେବେଳେ ଏକାଡେମୀ ପକ୍ଷରୁ ପ୍ରକାଶ ପାଇ ଅଶେଷପାଠକୀୟ ଆଦୃତି ହାସଲ କରିପାରିଥିଲା । ଉକ୍ତ ପୁସ୍ତକରେ ଅଭିମନ୍ୟୁଙ୍କ ସୃଷ୍ଟିସମ୍ଭାର ଓ ତହିଁରେ ସ୍ଥାନିତ ରସ, ଅଳଙ୍କାର ଓ ଦର୍ଶନ ସମ୍ପର୍କରେ ବ୍ୟାପକ ଆଲୋକପାତ ହୋଇଥିବାରୁ ଏହା ଏକ ସ୍ୱୟଂସପନ୍ନ ଭାବରେ ଗବେଷକମାନଙ୍କ ନିକଟରେ ଆଦର ଲାଭ କରିଆସୁଛନ୍ତି । ଏହି ପୁସ୍ତକଟି ଏକାଡେମୀରୁ କିଛି ଦିନହେବ ଶେଷ ହୋଇ ଯାଇଥିବାରୁ ବିଭିନ୍ନ ସମୟରେ କବି, ଲେଖକ, ଆଲୋଚକ, ଗବେଷକ, ଛାତ୍ର ଓ ଅଧ୍ୟାପକମାନଙ୍କ ମହଲରୁ ଏହାର ପୁର୍ନମୁଦ୍ରଣ ପାଇଁ ଏକାଡେମୀ ନିକଟରେ ଦାବି ଉପସ୍ଥାପିତ ହୋଇଆସୁଥିଲା । ପାଠକମାନଙ୍କ ଆଗ୍ରହକୁ ସମ୍ମାନ ଜଣାଇ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉକ୍ତ ପୁସ୍ତକଟିର ଦ୍ୱିତୀୟ ମୁଦ୍ରଣ କରାଯାଉଅଛି ।

 

ଓଡ଼ିଆ ସାହିତ୍ୟ ଜଗତରେ ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଏକ ବିଶେଷ ସ୍ଥାନର ଅଧିକାରୀ । ଓଡ଼ିଆରେ ବହୁଳ ପ୍ରସାରିତ ତଥା ବହୁଚର୍ଚ୍ଚିତ ‘ବିଦଗ୍ଧଚିନ୍ତାମଣି’ କାବ୍ୟଗ୍ରନ୍ଥର ଅନନ୍ୟ ସ୍ରଷ୍ଟାଭାବରେ ଅଭିମନ୍ୟୁଙ୍କ କାବ୍ୟ ପ୍ରତିଭା ସୁବିଦିତ । ଅଭିମନ୍ୟୁ ଏକାଧାରରେ କବି, ପଣ୍ଡିତ ଓ ପରମ ଭକ୍ତ ଥିବା ହେତୁ ଏହି କାବ୍ୟରେ ତାଙ୍କର ଉତ୍ତୁଙ୍ଗ କବିତ୍ୱ, ଗଭୀର ପାଣ୍ଡିତ୍ୟ ଓ ଅସୀମ ଭକ୍ତିମତ୍ତା ପ୍ରକଟିତ । ଏଣୁ ଓଡ଼ିଆ ସାହିତ୍ୟର ଏହି ବରପୁତ୍ରଙ୍କ ଜୀବନାଦର୍ଶ, କୃତି ଓ କୀର୍ତ୍ତି ସମ୍ପର୍କରେ ଓଡ଼ିଆ ପାଠକମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏକାଡେମୀ ପକ୍ଷରୁ ପ୍ରକାଶିତ । ଏହି ପୁସ୍ତକଟି ୧୯୮୬ ମସିହାରେ ପ୍ରବନ୍ଧ ଓ ସଂକଳନ ବିଭାଗରେ ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ପୁସ୍ତକ ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିବାର ଗୌରବ ବର୍ଷିୟାନ୍‍ ଲେଖକ ପ୍ରଫେସର କାହ୍ନୁଚରଣ ମିଶ୍ରଙ୍କୁ ପ୍ରଦାନ କରିଥିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ପଚାଶବର୍ଷ ପୂର୍ତ୍ତୀ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବକାଶରେ ରୀତିଯୁଗର ଏହି ଅନନ୍ୟ ସ୍ରଷ୍ଟା ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସାମଗ୍ରିକ କୃତି ଓ ଜୀବନାଦର୍ଶ ସମ୍ପର୍କରେ ଏହି ମନୋଗ୍ରାଫଟି ପୁନଃ ପ୍ରକାଶ ପାଉଥିବା ଅତି ଆନନ୍ଦର ବିଷୟ-। ଏହା ପୂର୍ବଭଳି ପାଠକୀୟ ଆଦର ଲାଭ କଲେ ଏକାଡେମୀର ଶ୍ରମ ଲାଘବ ହେବ ବୋଲି ଆଶା କରୁଛି ।

 

ତା ୨୪/୧୨/୨୦୦୮

ଭୁବନେଶ୍ୱର

ଡକ୍‍ଟର ହରପ୍ରସାଦ ପରିଚ୍ଛା ପଟନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ପ୍ରାକ୍‍-କଥନ

 

ଓଡ଼ିଆ ବାଣୀ-ମନ୍ଦିରର ଯେଉଁମାନେ ବିଶିଷ୍ଟ ଶିଳ୍ପୀ ଓ ନିର୍ମାତା ସେମାନଙ୍କ ଜୀବନୀ ଓ ପ୍ରତିଭା ସମ୍ପର୍କରେ ଏକ ସାମଗ୍ରିକ ଧାରଣା ପ୍ରଦାନ କରିବା ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ପୂର୍ବରୁ କେତେକ ‘ମନୋଗ୍ରାଫ୍‍’ ପ୍ରକାଶ କରି ସାରିଛନ୍ତି ଏବଂ ସେହି ଅନୁକ୍ରମରେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ପ୍ରତିଭାଧର ସ୍ରଷ୍ଟା ବିଦଗ୍‍ଧ କବି ଅଭିମନ୍ୟୁଙ୍କ ଜୀବନୀ ଓ ପ୍ରତିଭାକୁ ଆଧାର କରି ଏହି ପୁସ୍ତକଟି ବର୍ତ୍ତମାନ ଆତ୍ମପ୍ରକାଶ କରିବାରୁ ଯାଉଛି । ଏହି ଗ୍ରନ୍ଥଟିର ରଚୟିତା ହେଉଛନ୍ତି ଓଡ଼ିଆ କାବ୍ୟସାହିତ୍ୟର ଅନ୍ୟତମ ରସଗ୍ରାହୀ ସମୀକ୍ଷକ ଡକ୍ଟର କାହ୍ନୁଚରଣ ମିଶ୍ର । ଡକ୍‍ଟର ମିଶ୍ର ଯେପରି ସୁନିପଣ ଭାବରେ ବିଭିନ୍ନ ଦୃଷ୍ଟିକୋଣରୁ ଅଭିମନ୍ୟୁଙ୍କ ଜୀବନୀ ଓ କାବ୍ୟାଦର୍ଶ ଏବଂ ତାଙ୍କର ସକଳ କୃତି ଓ କୃତିତ୍ୱ ସମ୍ପର୍କରେ ଏଥିରେ ଆଲୋଚନା କରିଛନ୍ତି, ତାହା ତାଙ୍କର ଗଭୀର ଅନୁଶୀଳନ, ସୂକ୍ଷ୍ମ ବିଚାରବୋଧ ଓ ଆତ୍ମିକ ରସଗ୍ରାହିତାର ପରିଚାୟକ । ଦୀନକୃଷ୍ଣଙ୍କ ‘‘ରସକଲ୍ଲୋଳ’’ ପରେ ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ବହୁ କାବ୍ୟ ସୃଷ୍ଟି ହୋଇଛି ସତ, କିନ୍ତୁ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ‘ବିଦଗ୍‍ଧ ଚିନ୍ତାମଣି’ ସେ ସମସ୍ତ କାବ୍ୟର ମଣିମାଳା ମଧ୍ୟରେ ମଧ୍ୟବର୍ତ୍ତୀ କୌସ୍ତୁଭମଣି ସଦୃଶ ଚିରକାଳ ଦେଦୀପ୍ୟମାନ ଏବଂ ସେହି କାବ୍ୟଟି ସମ୍ପର୍କରେ ଗବେଷକର ଶ୍ରମ ଓ ଜିଜ୍ଞାସା ଘେନି ଡକ୍ଟର ମିଶ୍ର ବିଚାର ଆଲୋଚନା ପୂର୍ବକ ତା’ର ରୂପ ଓ ରସସୌନ୍ଦର୍ଯ୍ୟ ପ୍ରକଟନ କରିବାକୁ ପ୍ରୟାସୀ ହୋଇଛନ୍ତି । ଏହି ପୁସ୍ତକଟିକୁ ତେଣୁ କେବଳ ଗୋଟିଏ ‘ମନୋଗ୍ରାଫ୍‍’ ବୋଲି ବଚାର କଲେ ଭୁଲ୍‍ ହେବ । ବରଂ ଅଭିମନ୍ୟୁଙ୍କ ପରି ଏକ ମହତ୍‍ ଓ ପ୍ରତିଭାଶାଳୀ ସ୍ରଷ୍ଟାଙ୍କ ସମ୍ପର୍କରେ ଏହା ଏକ ପୂର୍ଣ୍ଣାଙ୍ଗ ସମୀକ୍ଷା ଗ୍ରନ୍ଥ । ପୂର୍ବରୁ ଅଭିମନ୍ୟୁ-ସାହିତ୍ୟ ସମ୍ପର୍କରେ ଯେତେ ବିଚାର-ଅନୁଶୀଳନ ହୋଇଛି, ତାହାକୁ ସ୍ୱକୀୟ ଶୈଳୀରେ ଆପଣାର କରି ଡକ୍‍ଟର ମିଶ୍ର ସତେ ଯେପରି ପ୍ରସ୍ତୁତ କରିଛନ୍ତି ଏକ ଜ୍ଞାନଗର୍ଭ ସରସ ନିବନ୍ଧ ଏବଂ ଏକାଡେମୀ କର୍ତ୍ତୃପକ୍ଷଙ୍କର ବିଶ୍ୱାସ, ଅଭିମନ୍ୟୁ-ସାହିତ୍ୟର ଆଲୋଚନା କ୍ଷେତ୍ରରେ ଏହି ପୁସ୍ତକଟି ଏକ ଅଭିନବ ସଂଯୋଜନ ହେବା ସଙ୍ଗେ ସଙ୍ଗେ ଅଭିମନ୍ୟୁ ସାହିତ୍ୟପ୍ରେମୀ ତଥା ରୁଚିବନ୍ତ ଆଲୋଚକଙ୍କ ନିକଟରେ ରସସ୍ୱାଦନର ନୂତନ ଦିଗନ୍ତ ଉନ୍ମୋଚନ କରବ ।

 

 

ଚିନ୍ତାମଣି ବେହେରା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

***

 

ନିଜକଥା

 

ଓଡ଼ିଶା ସାହିତ୍ୟ ଏକାଡେମୀ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୀବନୀ ଓ ପ୍ରତିଭା ଉପରେ ଏକ ମନୋଗ୍ରାଫ୍‍ ପ୍ରସ୍ତୁତ କରିବାକୁ ମୋତେ ଦାୟିତ୍ୱ ଅର୍ପଣ କରିଥିଲେ । କିନ୍ତୁ ଅଭିମନ୍ୟୁ ଏବଂ ତଦୀୟ କୃତି ଉପରେ ଏଯାବତ୍‍ ଏକ ପ୍ରାମାଣିକ ଓ ସ୍ୱୟଂସମ୍ପୂର୍ଣ୍ଣ ସମାଲୋଚନା ଗ୍ରନ୍ଥର ଅଭାବ ଦେଖି ଆଲୋଚ୍ୟ କବି ଓ ତାଙ୍କ କାବ୍ୟକୃତି ଉପରେ ଅନୁଶୀଳନଧର୍ମୀ ଓ ରସସମ୍ୱଳୀ ସମୀକ୍ଷା-ଗ୍ରନ୍ଥ ଲେଖିବାକୁ ମନସ୍ଥ କଲି । ଆଲୋଚ୍ୟ ଗ୍ରନ୍ଥଟି ସେଇ ମନୋଭାବ ଓ ଅନୁଶୀଳନର ଏକ ଫଳଶ୍ରୁତି । ତେଣୁ ଏ ଗ୍ରନ୍ଥର ପ୍ରକାଶନ ବେଳେ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷ ତଥା ଏକାଡେମୀର ସୁଯୋଗ୍ୟ ସମ୍ପାଦକ ଅଧ୍ୟାପକ ଚିନ୍ତାମଣି ବେହେରାଙ୍କ ନିକଟରେ ଗଭୀର କୃତଜ୍ଞତା କରୁଅଛି ।

 

ଏ ଗ୍ରନ୍ଥରେ ଅଭିମନ୍ୟୁ ବିଭିନ୍ନ କୃତି ଉପରେ କେବଳ ଯେ ଆଲୋକପାତ କରାଯାଇଛି ତାହା ନୁହେଁ, ରସ, ଦର୍ଶନ ଓ ଅଳଙ୍କାର ଦୃଷ୍ଟିରୁ ଏକ ବ୍ୟାପକ ଆଲୋଚନା ଏଥିରେ ଗର୍ଭିତ । ବିଶେଷକରି କବିଙ୍କ ସ୍ମରଣୀୟ ଓ ଅପୂର୍ବ ସୃଷ୍ଟି ‘ବିଦଗ୍‍ଧ ଚିନ୍ତାମଣି’ର ବିଭିନ୍ନ ବୈଶିଷ୍ଟ ଉପରେ ଆଲୋଚନା କରାଯାଇ ସଂସ୍କୃତ ନାଟକ ‘ବିଦଗ୍‍ଧ ମାଧବ’ ସହିତ ଏହାର ଏକ ତୁଳନାତ୍ମକ ବିଚାର ମଧ୍ୟ ଏଥିରେ ପ୍ରଦତ୍ତ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମୀକ୍ଷା-ଶାସ୍ତ୍ରକୁ ଦୃଷ୍ଟିରେ ରଖି ଆଲୋଚନାର ଧାରା ଯେପରି ଅବ୍ୟାହତ ରଖିବାକୁ ମୁଁ ଯତ୍ନ କରିଛି, ସେହିପରି ଶ୍ରୀହର୍ଷ ଓ କାଳିଦାସଙ୍କ କାବ୍ୟରୁ ବହୁ ଉପାଦେୟ ଉଦାହରଣ ପ୍ରଦାନପୂର୍ବକ ଅଭିମନ୍ୟୁଙ୍କ କାବ୍ୟାଦର୍ଶ, ବର୍ଣ୍ଣନାଭଙ୍ଗୀ ଓ ଆଳଙ୍କାରିକତାର ଉତ୍କର୍ଷ ମଧ୍ୟ ପ୍ରତିପାଦନ କରିବାକୁ ଯତ୍ନଶୀଳ ହୋଇଅଛି ।

 

କାବ୍ୟରେ କିପରି ଅନ୍ୟାନ୍ୟ ବିଭବ ଅପେକ୍ଷା ରସୋତ୍କର୍ଷର ପ୍ରାଧାନ୍ୟ ପରିଲକ୍ଷିତ ତାହା ବିଚାର-ପରିଧି ମଧ୍ୟକୁ ଆନୟନ କରି ମୁଁ କବିଙ୍କ ବହୁଶାସ୍ତ୍ରଦର୍ଶିତା ଉପରେ ଆଲୋକପାତ କରିଛି ।

 

ଓଡ଼ିଆ ସାହିତ୍ୟରେ କାବ୍ୟଯୁଗର ମହାନ୍‍ ପ୍ରତଭାନ୍ତୟୀ ଯଥାକ୍ରମେ ଦୀନକୃଷ୍ଣ, ଉପେନ୍ଦ୍ର ଓ ଅଭିମନ୍ୟୁଙ୍କ ଏକ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଅଭିମନ୍ୟୁଙ୍କ କାବ୍ୟୋତ୍କର୍ଷ ସମ୍ପର୍କରେ ବହୁ ଉଦାହରଣ ପ୍ରଦତ୍ତ ହୋଇଅଛି ଓ କବିଙ୍କ ସ୍ୱକୀୟ ବୈଶିଷ୍ଟ ଉପରେ ସମ୍ୟକ ଆଲୋଚନା କରାଯାଇଛି ।

 

ବିଭିନ୍ନ ଆଳଙ୍କାରିକ ମତବାଦକୁ ଦୃଷ୍ଟିରେ ରଖି ଆଲୋଚନା କ୍ଷେତ୍ରରେ ମୁଁ ଅଗ୍ରସର ହୋଇଛି । ବିଶେଷତଃ ପ୍ରୀତି ବର୍ଣ୍ଣନାରେ ଅଭିମନ୍ୟୁ କିପରି ଉପଲବ୍‍ଧିର ଉତ୍କର୍ଷରେ ଉପନୀତ ହୋଇଛନ୍ତି ଉଦାହରଣ ମାଧ୍ୟମରେ ତାହା ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ନାୟକ ନାୟିକାଙ୍କ ରୂପ ବର୍ଣ୍ଣନା, ପ୍ରକୃତି ବର୍ଣ୍ଣନା, ବିରହ ବର୍ଣ୍ଣନା ଓ ଶାନ୍ତ-ହାସ୍ୟ-ବାତ୍ସଲ୍ୟାଦି ରସ ବର୍ଣ୍ଣନାରେ କବିଙ୍କ ଅପୂର୍ବ ଦକ୍ଷତା କିପରି ପରିସ୍ପୁଟ ହୋଇଅଛି ତାହା ମଧ୍ୟ ଆଲୋଚିତ ହୋଇଅଛି । କାବ୍ୟରେ ବର୍ଣ୍ଣିତ ତଥା ପ୍ରକଟିତ ଗୌଡ଼ୀୟ ବୈଷ୍ଣବ ଧର୍ମ ଓ ଦର୍ଶନ, ସମାଜଚିତ୍ର, ଧାମତତ୍ତ୍ୱ, ନାମତତ୍ତ୍ୱ, ନାଟକୀୟତା ଓ ଦୂତଦୂତୀ ପ୍ରସଙ୍ଗାଦିର ସମ୍ୟକ ଅନୁଶୀଳନ କେବଳ ଯେ କାବ୍ୟ-ସମୀକ୍ଷାର ପରିସରଭୁକ୍ତ ତାହା ନୁହେଁ, କବିଙ୍କର ବିଦଗ୍‍ଧତା ତଥା ମାଧୁର୍ଯ୍ୟ-ଭାବର ପରାକାଷ୍ଠା ମଧ୍ୟ ଏଥିରେ ପ୍ରମାଣିତ ।

 

କାବ୍ୟର ନାମକରଣ ଓ କବିଙ୍କ ପାଣ୍ଡିତ୍ୟ ଯେପରି ଆଲୋଚିତ, କାବ୍ୟର ଦୋଷଗୁଣ ମଧ୍ୟ ସେହିପରି ଅନୁଶୀଳିତ । ମୋଟ ଉପରେ ଏହା ଏକ ରସାତ୍ମକ, ଗୁଣାତ୍ମକ ଓ ସମୀକ୍ଷାତ୍ମକ ଗ୍ରନ୍ଥ ଭାବରେ ସୁଧୀ-ସମାଜରେ ଆଦୃତ ହେଲେ ମୋର ଶ୍ରମ ସାର୍ଥକ ହେବ ବୋଲି ବିଶ୍ୱାସ ।

 

 

ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର-୨

ଅଧ୍ୟାପକ ଡକ୍‍ଟର କାହ୍ନୁଚରଣ ମିଶ୍ର

 

***

 

ସୂଚୀ

 

 

ପ୍ରଥମ ଅଧ୍ୟାୟ-

(କ)

ଉପକ୍ରମ

(ଖ)

ବଂଶ ପରମ୍ପରା

(ଗ)

ଅଭିମନ୍ୟୁଙ୍କ କାଳକଳନା

(ଘ)

ଶିକ୍ଷା

(ଙ)

ପରିଣୟ

(ଚ)

ଜୀବନର ଅନ୍ତିମ ମୁହୂର୍ତ୍ତ

 

 

 

ଦ୍ୱିତୀୟ ଅଧ୍ୟାୟ-

(କ)

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା (ରାଜନୀତିକ)

(ଖ)

ରୀତିଯୁଗ ସାହିତ୍ୟର ପୃଷ୍ଠଭୂମି

 

 

 

ତୃତୀୟ ଅଧ୍ୟାୟ-

(କ)

କବିତ୍ୱର ଉଷାଲଗ୍ନ

 

 

 

ଚତୁର୍ଥ ଅଧ୍ୟାୟ-

(କ)

ବିଦଗ୍‌ଧ ଚିନ୍ତାମଣି ପ୍ରତିଭା ବିକାଶର ଦ୍ୱିତୀୟ ପର୍ବ

(ଖ)

କାବ୍ୟରେ ନାଟକୀୟତା

(ଗ)

ଧର୍ମ ଓ ଦର୍ଶନ

(ଘ)

କାବ୍ୟରେ ବର୍ଣ୍ଣିତ ଧାମତତ୍ତ୍ୱ

(ଲୀଳା, ସଖୀ, ଭଗବତ୍‌ ତତ୍ତ୍ୱ, ପ୍ରେମ ଓ କାମ, ନାମ ଓ ନାମୀ, ଭକ୍ତି ଓ ପ୍ରେମଭକ୍ତି, କାବ୍ୟରେ ସମାଜ ଚିତ୍ର)

(ଙ)

କଳ୍ପନା, ଚିନ୍ତାମୂଳକତା ଓ ସାଙ୍ଗୀତିକତା

(ଚ)

ଆଳଂକାରିକତା, ପାଣ୍ଡିତ୍ୟ ଓ କାବ୍ୟର ଦୋଷଗୁଣ ବିଚାର

 

 

 

ପଞ୍ଚମ ଅଧ୍ୟାୟ-

(କ)

କାବ୍ୟଯୁଗର ସ୍ୱର୍ଣ୍ଣ ତ୍ରିଭୂଜ

 

***

 

ପ୍ରଥମ ଅଧ୍ୟାୟ

ଉପକ୍ରମ :

ମର ସଂସାରରୁ ବିଦାୟ ନେବାର ଦୁଇଶହ ବର୍ଷ ସୁଦ୍ଧା ପୂର୍ଣ୍ଣ ହୋଇନାହିଁ; କିନ୍ତୁ ଭାବିଲେ ଜଣାଯାଏ, ଅଭିମନ୍ୟୁ ସତେ ଯେପରି କେଉଁ ସୁଦୂର ଶତାବ୍ଦୀର କବି । ଏକା ଅଭିମନ୍ୟୁ ନୁହନ୍ତି, ପ୍ରାଚୀନ ଓ ମଧ୍ୟଯୁଗର ବହୁ ପ୍ରସିଦ୍ଧ ଓ ଲୋକପ୍ରିୟ କବିଙ୍କର ଜୀବନୀ ଏବେ ସୁଦ୍ଧା କେଉଁ ରୂପକଥାର ରହସ୍ୟମୟ ଜଗତପରି ଅସ୍ପଷ୍ଟ ହୋଇ ରହିଛି ଅଥବା ଅସ୍ପଷ୍ଟ କରି ରଖାଯାଇଛି । ଏହାର କାରଣ ଅନୁସନ୍ଧାନ କରିବାକୁ ହେଲେ ଖୁବ୍‍ ଗୋଟାଏ ଭାବନା ବା ଚିନ୍ତାର ଆବଶ୍ୟକତା ନାହିଁ । ଓଡ଼ିଶାର ସାହିତ୍ୟିକ ଓ ସାଂସ୍କୃତିକ ଜୀବନ ପ୍ରବାହରେ ଆଲୋଚକମାନେ, ସତ୍ୟର ସନ୍ଧାନ ଅପେକ୍ଷା ବହୁ ଅବାନ୍ତର କାଳ୍ପନିକ କଥାର ଅବତାରଣା କରି ପାଠକ ମନରେ ଉତ୍ତେଜନା ବା ଚମକ ସୃଷ୍ଟି କରିବାକୁ ଏକ ସାହିତ୍ୟିକ ସାଫଲ୍ୟ ଭାବରେ ଗ୍ରହଣ କରିଥାନ୍ତି । ଦେଶର ପାଠକ ପାଠିକାମାନଙ୍କ ମଧ୍ୟରୁ ଅଧିକାଂଶ ଏହି ରୀତି ସହିତ ପରିଚିତ ତଥା ଅସ୍ତ ଥିବାରୁ ଓ ଏହି ଧରଣର ଉତ୍ତେଜନା ପ୍ରତି ଆଗ୍ରହୀ ଥିବାରୁ ଆଲୋଚକମାନଙ୍କର କପୋଳ କଳ୍ପିତ ଅବାସ୍ତବ କାଳ୍ପନିକ କାହାଣୀ ସୁଦ୍ଧା ଶାସ୍ତ୍ରୀୟ ଆଲୋଚନାର ମର୍ଯ୍ୟାଦା ଲାଭ କରିଥାଏ । ଫଳରେ ସାହିତ୍ୟ ଆଲୋଚନାର ନିର୍ଦ୍ଦୋଷ ଅବଗୁଣ୍ଠନ ତଳେ ମୁହଁ ଛପାଇ ଲୁଚି ବସେ ସତ୍ୟର ସ୍ୱରୂପ । ସାରଳା-ଜଗନ୍ନାଥ, ଉପେନ୍ଦ୍ର ଦୀନକୃଷ୍ଣ ପ୍ରଭୃତି କବିମାନଙ୍କର ଜୀବନରେ ଯଦି ଆଜି ଏହିପ୍ରକାର ଉତ୍ତେଜନା ସୃଷ୍ଟିକାରୀ କିଛି କଞ୍ଚାମାଲ ସୁଲଭ ହୋଇ ଉଠିଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର ବୋଧହୁଏ କିଛି ନାହିଁ । ପୁଣି ଏ ଦିଗରେ ଆଲୋଚକ ବା ଜୀବନୀ ଲେଖକମାନେ ଏତେ ବେଶୀ ଉତ୍ସାହିତ ହେବାର କାରଣ ମଧ୍ୟ ରହିଛି । ତାହାହେଲା- କାବ୍ୟ କବିତାର ପୃଷ୍ଠାରେ ଅଥବା ଅନ୍ୟ କୌଣସି ସମ୍ଭାବ୍ୟ ସ୍ଥଳରେ ପ୍ରାଚୀନ କବି ଓ ଲେଖକମାନେ ନିଜ ସମ୍ପର୍କରେ ସ୍ପଷ୍ଟ ଭାବରେ କଛି କହିଯାଇ ନାହାନ୍ତି । ଏପରିକି କୌଣସି କୌଣସି ଲେଖକ ସେମାନଙ୍କ କୃତିଗୁଡ଼ିକରେ ନିଜ ନାମ ସୁଦ୍ଧା ଲେଖିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଯଶ କିମ୍ବା ଆତ୍ମପ୍ରତିଷ୍ଠା ପ୍ରଜ୍ଞାପନ ଅପେକ୍ଷା ବିଶୁଦ୍ଧ କାବ୍ୟିକ ପ୍ରେରଣାହିଁ ଥିଲା ପ୍ରାଚୀନ କବିଙ୍କର ସୃଷ୍ଟିର ମୂଳ ଉତ୍ସ । ନିଜକୁ ନିର୍ମଳଭାବରେ ପ୍ରକାଶ କରିବାର ସନାତନ ସାହିତ୍ୟିକ ଆବେଗ ମଧ୍ୟରେ ଆତ୍ମଜୀବନୀ ପ୍ରକାଶର କୌଣସି ଅବକାଶ ସେତେବେଳେ ନ ଥିଲା । ଆଜି ଯେତେବେଳେ ସାହିତ୍ୟିକମାନେ କୌଣସି ସ୍ଵାର୍ଥ ବା ଲାଭ ଆଶାରେ ଅଥବା କୌଣସି କୌଣସି ଘଟନାରେ ରାଜନୀତିଜ୍ଞମାନଙ୍କୁ ସୁଦ୍ଧା ପ୍ରଚାର କୌଶଳରେ ଅତିକ୍ରମି ଯାଉଛନ୍ତି, ସେପରି ପରିସ୍ଥିତିରେ କାବ୍ୟରେ କବିର ଆତ୍ମନିର୍ବାସନ ବ୍ୟାପାରଟି ସ୍ୱାଗତଯୋଗ୍ୟ ପଦକ୍ଷେପ ନ ହୋଇପାରେ; ମାତ୍ର ତାହାହିଁ ଥିଲା ଯେପରି ମଧ୍ୟଯୁଗ ଓ ପ୍ରାଚୀନ ଯୁଗ କବିମାନଙ୍କର ସାରସ୍ଵତ ସାଧନାର ବିଦଗ୍ଧ ବିଳାସ । ଆଉ ତାହାରି ଫଳରେ ଏ ସବୁ ସାହିତ୍ୟର ଇତିହାସ ଲେଖକ ଓ ସମାଲୋଚକମାନେ ମନଇଚ୍ଛା କଳ୍ପନାର ଆକାଶରେ ଉଡ଼ିବାର ସୁଯୋଗ ଲାଭ କରିଛନ୍ତି । ତଥାପି ଯାହା ସତ୍ୟ, ତାହାହିଁ କାଳର କଷଟିରେ ପରୀକ୍ଷିତ ହୋଇ ଶୁଦ୍ଧ ସୁବର୍ଣ୍ଣର ଦୀପ୍ତି ଓ ଦ୍ୟୁତିରେ ଦୀପ୍ତିମନ୍ତ ହୋଇଉଠିଛି । ଅଭିମନ୍ୟୁଙ୍କର କବି ଜୀବନର ନେପଥ୍ୟରେ ଏହିପରି ଏକ କାହାଣୀର ଅବତାରଣା ଦେଖିବାକୁ ମିଳେ ।

 

ବିଦଗ୍‌ଧ ଚିନ୍ତାମଣି ରଚିତ ହେବା ସମ୍ବନ୍ଧରେ ଗୋଟିଏ କିମ୍ବଦନ୍ତୀ ଶୁଣାଯାଏ : ସାମନ୍ତସିଂହାରଙ୍କ ସ୍ତ୍ରୀ ସତୀ ସାଧ୍ଵୀ ପତିବ୍ରତା ଥିଲେ ଏବଂ ପତିସେବା ବ୍ୟତୀତ ଅନ୍ୟ କିଛି ଜାଣୁ ନ ଥିଲେ । ସ୍ଵହସ୍ତରେ ରନ୍ଧନ କରିବା ଏବଂ ସ୍ଵାମୀଙ୍କୁ ଆପେ ବସି ଭୋଜନ କରାଇ ସାରିଲେ ସେହି ଅଧରାମୃତ ପାନକରିବା ସାମନ୍ତଙ୍କ ସ୍ତ୍ରୀଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ସ୍ଵାମୀ ଭୋଜନ ନ କରିବା ପର୍ଯ୍ୟନ୍ତ ସେ ଜଳ ଗ୍ରହଣ କରୁ ନ ଥିଲେ । ସ୍ତ୍ରୀଙ୍କର ଏହିପରି ଗଭୀର ନିଷ୍ଠା ଓ ପତିଭକ୍ତି ଦେଖି ସାମନ୍ତସିଂହାର ଦିନେ କହିଲେ, ‘‘ଦେଖ ତୁମେ ମୋତେ ଦଣ୍ଡେ ନ ଦେଖିଲେ ବଣା ହେଉଛ, ମୁଁ ମରିଗଲେ କ’ଣ ତୁମ୍ଭେ ମରିଯିବ ?’’ ସ୍ତ୍ରୀ ଉତ୍ତର ଦେଲେ, ‘‘ମୁଁ ଯଦି ପ୍ରକୃତରେ ତୁମର ସ୍ତ୍ରୀ ହୋଇଥାଏ, ବଞ୍ଚିବି କିପରି ?’’ ସାମନ୍ତ ଏ କଥା ଶୁଣି ମନକଥା ମନରେ ରଖିଲେ । କେତେଦିନ ଚାଲିଗଲା । ଦିନେ ସ୍ତ୍ରୀଙ୍କ ଭକ୍ତି ପରୀକ୍ଷା କରିବାକୁ ମନସ୍ଥ କଲେ । ଭୋଜନ ସାରି ଆପଣା ଜମିଦାରି ବାଲିଆକୁ ସାମନ୍ତେ ଗଲେ । ସାଙ୍ଗରେ ଗୋଟିଏ ପୁରାତନ ବାରିକ ଚାକରକୁ ନେଲେ । × × × ବାଲିଆରୁ ଫେରି ଆସିବାବେଳେ ଆପଣା ହାତର ମୁଦି ଓ ଅଣ୍ଟାରୁ କଟାରି କାଢ଼ି ଭଣ୍ଡାରି ହାତରେ ଦେଇ କହିଲେ, ‘‘ତୁ ଯା, କାନ୍ଦିକରି ଯିବୁ ; ସା’ନ୍ତାଣୀକି କହିବୁ : ସା’ନ୍ତକୁ ବାଘ ଖାଇଗଲା-!’’ ଭଣ୍ଡାରି ସାମନ୍ତଙ୍କ ଆଜ୍ଞାକୁ ଅବଜ୍ଞା କରି ନ ପାରି ଅଭିନୟ ପ୍ରଦର୍ଶନ କରିବାକୁ ଗଲା । ଭଣ୍ଡାରି ଯାଇ ପହଞ୍ଚିଲା ବେଳକୁ ସାନ୍ତାଣୀ ଚାଳକୁ ଧରି ଠିଆ ହୋଇ ସାମନ୍ତଙ୍କ ଆଗମନକୁ ପ୍ରତୀକ୍ଷା କରିଥାନ୍ତି । ଭଣ୍ଡାରି ହାତରେ ମୁଦି ଓ କଟାରି ଏବଂ ଆଖିରେ ଲୁହ ଦେଖି ‘‘ଦେଖି କି ହେଲା, କି ହେଲା,” ପଚାରିବାରୁ ଅବିକଳ ନାଟକାଭିନୟ କରି ବାରିକ ସାମନ୍ତଙ୍କ ମୃତ୍ୟୁବାର୍ତ୍ତା ଜଣାଇଲା । ସାନ୍ତାଣୀ ସେହି ଚାଳକୁ ଧରି ଖବର ସତ କି ନା ବୋଲି ତିନିଥର ପଚାରିଲେ; ମାତ୍ର ଦୁଷ୍ଟ ଭଣ୍ଡାରି ତିନିଥର ଯାକ ଉତ୍ତର ଦେଲା ‘ସତ୍ୟ’ । ବେଶ୍‌, ଏତିକି କହି ସାନ୍ତାଣି ଠିଆ ହୋଇଛନ୍ତି, ଚାଳର ବତାକୁ ଧରିଛନ୍ତି । ଅଥଚ ଇତିମଧ୍ୟରେ ଜୀବାତ୍ମା ଶରୀର ପଞ୍ଜର ଛାଡ଼ି ଗଲାଣି (୧) । ଏହି ଘଟଣା ଅଥବା ଦୁର୍ଘଟଣା ଅଭିମନ୍ୟୁଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା । ଝିମିଟି ଖେଳରୁ ମହାଭାରତର ସୃଷ୍ଟି ହେଲାପରି, ଏଇ ଘଟଣା ଅଭିମନ୍ୟୁଙ୍କ ଜୀବନକୁ ଏତେ ବେଶୀ ଯନ୍ତ୍ରଣା-ଜର୍ଜର କରିଥିଲା, ଯାହା ଫଳରେ କବି ବିଷୟ ଲାଳସା ପ୍ରତି ଆଉ ଆସକ୍ତ ରହିପାରି ନ ଥଲେ । ସେହି ଶୂନ୍ୟ ସ୍ଥାନ ପୂରଣ ନିମିତ୍ତ ସେ ରାଧାଭାବରେ ନିମଜ୍ଜିତ ହୋଇ ଏକପ୍ରକାର ସନ୍ନ୍ୟାସଜୀବନ ବରଣ କରି ନେଇଥିଲେ । ଏକ ଦଗ୍‌ଧ ବସନ୍ତର ସ୍ମୃତିପରି ଏ ଜାତିର ସାରସ୍ଵତ ଉପବନରେ ଆମେ ଯେଉଁ ବିଦଗ୍‌ଧ ଚିନ୍ତାମଣି ସମ ବିକଚ କୁସୁମଟିକୁ ପ୍ରତ୍ୟକ୍ଷ କଲୁ, ତାହା ଥିଲା ମର୍ମାନ୍ତିକ ଦୁର୍ଘଟଣାର ପ୍ରତ୍ୟକ୍ଷ ପରିଣତି ।

 

କିନ୍ତୁ ଏପରି ଏକ କାହାଣୀକୁ ଡକ୍‌ଟର ଆର୍ତ୍ତବଲ୍ଲଭ ମହାନ୍ତି ଗ୍ରହଣ କରିପାରି ନାହାନ୍ତି । ସତ୍ୟର ଚିରନ୍ତନ ପୂଜାରୀ ଆର୍ତ୍ତବଲ୍ଲଭ ତେଣୁ ଏଇପରି ମତ ପ୍ରକାଶ କରିଛନ୍ତି :- ‘‘ଅଭିମନ୍ୟୁ ଜୀବନର ଶେଷ ଦଶାରେ ପତ୍ନୀଙ୍କଠାରୁ ବିଦାୟନେଇ ବୃନ୍ଦାବନ ଯାତ୍ରାକଲେ; ମାତ୍ର ଗୃହର ପ୍ରାୟ ଏକ କୋଶ ଦୂରବର୍ତ୍ତୀ ହରିପୁର ଗ୍ରାମଠାରେ ତାଙ୍କର ଶରୀର ଏକାନ୍ତ ଅବଶ ହୋଇପଡ଼ିବାରୁ ସେ ସନ୍ଦେଶ ଦେଇ ଇଷ୍ଟଦେବ ରାଧାମୋହନଙ୍କ ପ୍ରତିମା ସେଠାକୁ ଅଣାଇଲେ ଏବଂ ସେହି ମୂର୍ତ୍ତି ନିରୀକ୍ଷଣ କରୁ କରୁ ଜୀବଲୀଳା ସମ୍ବରଣ କରି ଅମରଧାମକୁ ପ୍ରତ୍ୟାବର୍ତ୍ତନ କଲେ । (୨)

 

(୧)

ଜଗବନ୍ଧୁ ସିଂହ; ପ୍ରାଚୀନ ଉତ୍କଳ

(୨)

ବିଦଗ୍‌ଧ ଚିନ୍ତାମଣି (ପ୍ରାଚୀ ମୁଖବନ୍ଧ); ବିଶୁଦ୍ଧ ସଂସ୍କରଣ; ୩ୟ ମୁଦ୍ରଣ, ୧୯୪୧ ପୃ ୪/୧

 

ଅବଶ୍ୟ ଏସବୁ କିମ୍ବଦନ୍ତୀ ସୃଷ୍ଟି ଓ ତା’ର ବିରୋଧ ମଧ୍ୟରେ ଅଭିମନ୍ୟୁଙ୍କ ପାଣ୍ଡିତ୍ୟ ଓ ପ୍ରତିଭାର ମୂଲ୍ୟାଙ୍କନର କୌଣସି ସମ୍ପର୍କ ନାହିଁ; ମାତ୍ର ପ୍ରାଚୀନ ଓ ମଧ୍ୟଯୁଗର କବିମାନଙ୍କ ସମ୍ପର୍କରେ ଏହିପରି ନାନା କାହାଣୀ ସବୁର ସୃଷ୍ଟି ହୋଇ ସରଳ ସାରସ୍ଵତ ସାଧନାର ପଥକୁ ଯେ ଅନେକ ପରିମାଣରେ ଦୁର୍ଗମ କରି ପକାଇଛି, ଏହା ଅସ୍ଵୀକାର କରାଯାଇ ନ ପାରେ । ପ୍ରାୟ ଏହିଭଳି ଅନେକ କପୋଳକଳ୍ପିତ କାହାଣୀ ଆମ ସାହିତ୍ୟରେ ବହୁ ବରେଣ୍ୟ ସାଧକ ଯଥା- ସାରଳାଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ରଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ପ୍ରଭୃତି ନାମରେ ସୃଷ୍ଟି ହୋଇ ଆଲୋଚନାର ଧାରାକୁ ଅଯଥା ଅସ୍ପଷ୍ଟ ଓ ରହସ୍ୟମୟ କରି ରଖିଅଛି ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଆଜି ଯେତେବେଳେ ସାହିତ୍ୟ ଆଲୋଚନାର ପରିସର ଅତ୍ୟନ୍ତ ବ୍ୟାପକ, ଗଭୀର ଓ ବୈଜ୍ଞାନିକ ହୋଇଉଠିଛି, ସେତେବେଳେ ଆମେ ସେହି ପାରଂପରିକ ଆଲୋଚନାର ଇନ୍ଦ୍ରଜାଲ ଭିତରେ ତଥାପି ସ୍ଵପ୍ନାବିଷ୍ଟ ହୋଇ ରହିଛୁ ।

 

ଗୋଟାଏ ଜାତି ବଞ୍ଚି ରହିବା ପାଇଁ ସ୍ଵପ୍ନ ଦେଖିବାରେ ଖୁବ୍‌ ବେଶୀ ଅସ୍ଵାଭାବିକ କିଛି ନାହିଁ-। ମାତ୍ର ସ୍ଵପ୍ନ ଭିତର ଦେଇ କୌଣସି ଜାତି କେବେ ହେଲେ ବଞ୍ଚି ପାରେ ନାହିଁ । ଜାତି ବଞ୍ଚେ ତା’ର ଐତିହ୍ୟ ଓ ତା’ର ସାମର୍ଥ୍ୟ ଭିତରେ । ସେଠାରେ ପ୍ରବଞ୍ଚନା ଆତ୍ମହତ୍ୟା ସହ ସମାନ । ବ୍ୟକ୍ତି ବିଶେଷର ତଥାକଥିତ ପାଣ୍ଡିତ୍ୟ ପ୍ରତିଷ୍ଠାରେ ନିର୍ଘାତ ପ୍ରବଞ୍ଚନାକୁ ଯେଉଁ ଜାତି ପ୍ରଶ୍ରୟ ଦିଏ, ଇତିହାସ ତାକୁ କ୍ଷମା କରେ ନାହିଁ । କାରଣ ସବୁକାଳର ଉର୍ଦ୍ଧ୍ୱରେ ଯେପରି ମହାକାଳ, ସେହିପରି ସବୁ ସତ୍ୟର ଉର୍ଦ୍ଧ୍ୱରେ ରହିଛି ଆଉ ଏକ ମହାସତ୍ୟ, ଆଉ ସେହି ମହାସତ୍ୟହି ହେଉଛି ଇତିହାସ । ସେହି ଇତିହାସର କଷଟିରେ ହିଁ ଧରା ପଡ଼ିଯାଏ, କେଉଁଟି ସତ୍ୟ ଆଉ କେଉଁଟି ମିଥ୍ୟା ସୁତରାଂ ସାହିତ୍ୟର ଆଲୋଚନାରେ ଆଲୋଚକ ଯେ ସତ୍ୟାଶ୍ରୟୀ ହେବା ସର୍ବାଦୌ ଆବଶ୍ୟକ ; ଏଥିରେ ସନ୍ଦେହ ନାହିଁ ।

 

ଏହି ପରିପ୍ରେକ୍ଷୀରେ କଳନା କରିବାକୁ ହେବ ଅଭିମନ୍ୟୁଙ୍କର ଜୀବନ, ସାହିତ୍ୟ ସୃଷ୍ଟି ଓ ଦାର୍ଶନିକ ଚିନ୍ତାର ବ୍ୟାପକତା । ଜୀବନର ସୁଦୀର୍ଘ ରାଜପଥରେ ଅଭିମନ୍ୟୁଙ୍କର ପଦଚିହ୍ନ ଖୁବ୍‌ ବେଶୀ ପ୍ରଲମ୍ବିତ ନୁହେଁ । ମାତ୍ର ତାହା ଏତେ ସ୍ପଷ୍ଟ ଓ ଗଭୀର ଯେ ଅନ୍ୟ ବହୁ ଭିତରେ ତାହା ସ୍ପଷ୍ଟ ବାରି ହୋଇପଡ଼େ । ଏହି ପୁସ୍ତକର ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଆମେ ଲକ୍ଷ୍ୟ କରିବା କବି ଅଭିମନ୍ୟୁଙ୍କ ସାହିତ୍ୟ, ଜୀବନ ଓ ଦର୍ଶନର ବ୍ୟାପ୍ତି ତଥା ତାଙ୍କ କାବା ସାଧନାର ପରିପୂର୍ଣ୍ଣ ସଫଳତା-

 

ବଂଶ ପରମ୍ପର। :

ଏ ଯାବତ ଅଭିମନ୍ୟୁଙ୍କର ଯେତେ ଜୀବନୀ ରଚିତ ହୋଇଅଛି, ତାହା ମଧ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ସ୍ଵର୍ଗତ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କର ଆଲୋତ ତଥ୍ୟ ଓ ସତ୍ୟ ଦୃଷ୍ଟିରୁ ବିଶେଷ ପ୍ରଣିଧାନଯୋଗ୍ୟ । ବସ୍ତୁତଃ ପରବର୍ତ୍ତୀ କାଳର ବହୁ ଆଲୋଚକ ପଶ୍ଚିତ ମୃତ୍ୟୁଞ୍ଜୟଙ୍କ ଲେଖା ଉପରେ ଯେ ଅନେକ ପରିମାଣରେ ନିର୍ଭରଶୀଳ ହୋଇଛି କହିବା ବାହୁଲ୍ୟ ମାତ୍ର । ମୃତ୍ୟୁଞ୍ଜୟଙ୍କ ମତରେ ଅଭିମନ୍ୟୁଙ୍କ ବଂଶଲତା ଏହି ପ୍ରକାର ।

 

Image

 

ନିଜର ଜନ୍ମସ୍ଥାନ ସଂପର୍କରେ କବି ଅଭିମନ୍ୟୁ ‘ବାଘଗୀତ’ରେ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଜଣାଯାଏ ଯେ-

 

ବାଲିଆ ବୋଲି ଯେ ଏକ ନବର,

ତହିଁ ନୃପତି ସାମନ୍ତସିଂହାର ।

ରସିକ ବିବେକୀ ବଡ଼ ଧାର୍ମିକ,

ପ୍ରଶଂସା କରନ୍ତି ବହୁତ ଲୋକ ।’’

 

‘ବାଘ ଗୀତ’ର ଏହି ଅଂଶଟି ଉପରେ ନିର୍ଭର କରି ପଣ୍ଡିତ ମୃତ୍ୟୁଞ୍ଜୟ ଅଭିମନ୍ୟୁଙ୍କ ଜନ୍ମସ୍ଥାନ ଯାଜପୁର ସବ୍‌ଡିଭିଜନସ୍ଥ ବାଲିଆନଗର ବୋଲି ନିରୂପଣ କରିଥିବା ସ୍ଥଳେ, ଜଗବନ୍ଧୁ ସିଂହ କିନ୍ତୁ ତାହା ଯାଜପୁର ନିକଟବର୍ତ୍ତୀ ଗୋଳକୁଣ୍ଡ ଗ୍ରାମ ବୋଲି ଚିହ୍ନଟ କରିଅଛନ୍ତି ।

 

‘‘ପ୍ରେମକଳା’’ ପୁସ୍ତକରେ ଅଭିମନ୍ୟୁ ନିଜର ଆତ୍ମପରିଚୟ ଏହିପରି ଦେଇଅଛନ୍ତି ।

 

‘‘ଜମ୍ବୁ ଦ୍ଵୀପେ ଭରତ ଖଣ୍ଡେ ସାର ମହୀ

ମହୋଦଧି ଯାଜନଗ୍ର ମଧ୍ୟରମ୍ୟ ତହିଁ ଯେ ।

 

ସୁବିହାର ସ୍ଥାନ ଏଣୁ ଥବାର ସେ ଦେଶ

ଗୋଳକୁଣ୍ଡ ନାମେ ଗ୍ରାମ ତହିଁ ପ୍ରକାଶ ଯେ ।

 

ବ୍ରାହ୍ମୀନହୀ ସେ ଗ୍ରାମର ସୀମା ଭେଦି ବହି

ବିରାଟ ଗୋଧନ ରହିବାର ସ୍ଥାନ ସେହି ଯେ ।

 

ଏ ରାଜ୍ୟରେ ସିନା ମିତ୍ରବଂଶୀ କ୍ଷତ୍ରୀବର

ଇନ୍ଦ୍ରଜିତ ସାମନ୍ତସିଂହର ନାମବର ହେ ।

 

ତାଙ୍କ ଜ୍ୟେଷ୍ଠ ସୁତ ଅଭିମନ୍ୟୁ ନାମ ମୋର

ଆଡ଼ମ୍ବର ରୀତିରେ ତ ସାମନ୍ତ ସିଂହାର ଯେ ।’’

 

ଭାରତବିଖ୍ୟାତ ଏସିଆଟିକ୍‌-ସୋସାଇଟି ପତ୍ରିକାରେ ଐତିହାସିକ ମନମୋହନ ଚକ୍ରବର୍ତ୍ତୀ ଅଭିମନ୍ୟୁଙ୍କ ଜନ୍ମସ୍ଥାନ ସମ୍ପର୍କରେ ଯେଉଁ ମତ ପ୍ରଦାନ କରିଛନ୍ତି, ତାହା ବସ୍ତୁତଃ ‘ପ୍ରେମକଳା’ରେ ପ୍ରକାଶିତ ମତର ପୋଷକତା କରିଥାଏ । ଶ୍ରୀ ଚକ୍ରବର୍ତ୍ତୀଙ୍କ ଭାଷାରେ ‘‘Of his father and his Zaminadari, Abhimanyu had a short description in his Premkala’. They lived at Golkunda which is now situated on the left bank of the Brahmin River, 20042’ lat, and 86o18 long. The Jajnagara referred to was the old name of morden Jajpur, The family quarters have now removed to Balia a few miles east’’, ପଣ୍ଡିତ ମୃତ୍ୟୁଞ୍ଜୟଙ୍କ ପରି ବିଜୟଚନ୍ଦ୍ର ମଜୁମଦାର ମଧ୍ୟ ତାଙ୍କର “Introduction to the study of literature ରେ ମତପ୍ରକାଶ କରିଅଛନ୍ତି ‘‘This poet who was born in the Fuslee year 1164, corresponding to 1756 A.D. at Balia in the Jajpur subdivision of the district of Cuttack’’. ମାତ୍ର ‘ପ୍ରେମକଳା’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିଚାର କଲେ ଅଭିମନ୍ୟୁଙ୍କ ଜନ୍ମସ୍ଥାନ ଯେ ଗୋଲକୁଣ୍ଡା ଗ୍ରାମରେ, ଏଥିରେ ସନ୍ଦେହ ନାହିଁ ।

 

ପ୍ରାଚୀନକାଳର ରାଜା ମହାରାଜଙ୍କ ପରି ଅଭିମନ୍ୟୁଙ୍କ ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଥିଲେ ବହୁପତ୍ନିକ; ଏଥିରେ କିନ୍ତୁ ଭୋଗଲିପ୍‌ସା ଅପେକ୍ଷା ସନ୍ତାନଟିଏ ଲାଭ କରିବାର ବ୍ୟାକୁଳତା ଥିଲା ବେଶୀ । ମାତ୍ର ତାଙ୍କର ଏ ବ୍ୟାକୁଳତାର ଅବସାନ ବହୁପତ୍ନୀ ଗ୍ରହଣରେ ସୁଦ୍ଧା ସମ୍ଭବ ନ ହେବାରୁ ଇନ୍ଦ୍ରଜିତ ଉଦୟପୁର ଗ୍ରାମରେ ବିଖ୍ୟାତ ପଟ୍ଟନାୟକ ବଂଶର କନ୍ୟା ତୁଳସୀ ଦେବୀଙ୍କୁ ଅଷ୍ଟମ ଥର ପାଇଁ ବିବାହ କରିଥିଲେ । ତୁଳସୀଦେବୀ ଥିଲେ ଯେପରି ସତୀ ସାଧ୍ୱୀ, ସେହିପରି ଧର୍ମପରାୟଣା । ନାନାପ୍ରକାର ଓଷାବ୍ରତ ଓ ପୂଜା ଆରାଧନାରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେଉଥିଲା । ତା’ର ପରିଣତି ସ୍ଵରୂପ ଏଇ ଭାଗ୍ୟବତୀ ତୁଳସୀ ଦେବୀଙ୍କ ଗର୍ଭରୁ କବି ଅଭିମନ୍ୟୁ ଜନ୍ମଗ୍ରହଣ କରିଥିଲେ । ବସ୍ତୁତଃ ଅଭିମନ୍ୟୁଙ୍କ ଜୀବନରେ କେବଳ ଐଶ୍ଵର୍ଯ୍ୟ, ପ୍ରାଚୁର୍ଯ୍ୟ ଓ ସୌଭାଗ୍ୟର ତ୍ରିବେଣୀ ସଙ୍ଗମ ଘଟି ନ ଥିଲା, ତାହା ମଧ୍ୟ ନିୟନ୍ତ୍ରିତ ହୋଇଥିଲା ଧର୍ମପରାୟଣା ଜନନୀଙ୍କର ଆଧ୍ୟାତ୍ମିକ ଆଦର୍ଶ ଓ ଧାର୍ମିକ ଜୀବନଚର୍ଯ୍ୟାରେ । ବାଲ୍ୟକାଳରୁ ବାଘ ଓ ଚଢ଼େଇ ଶିକାରୀ ଅଭିମନ୍ୟୁ ପରବର୍ତ୍ତୀ କାଳରେ ରାଧାକୃଷ୍ଣଙ୍କର ଯେ ପରମଭକ୍ତ ହୋଇ ଉଠିଥିଲେ, ତାହା ତାଙ୍କ ପରମାରାଧ୍ୟା ଜନନୀଙ୍କ ଚରିତ୍ରର ପ୍ରତ୍ୟକ୍ଷ ପ୍ରଭାବ ବ୍ୟତୀତ ଅନ୍ୟ କିଛି ନୁହେଁ ।

 

ଅଭିମନ୍ୟୁଙ୍କ କାଳକଳନା :

ନିଜର କାଳ କଳନାରେ କବି ନିଜେ ସ୍ପଷ୍ଟତଃ କିଛି ପ୍ରକାଶ କରି ନ ଥିବାରୁ ଆଲୋଚକମାନେ ବିଭିନ୍ନ ପୁସ୍ତକରେ ଅପ୍ରତ୍ୟକ୍ଷ ଭାବରେ ଗୁମ୍ଫିତ ହୋଇଥିବା ରଚନାରୁ ହିଁ ତାହା ଅନୁମାନ କରିଥାନ୍ତି । ଐତିହାସିକ ମନମୋହନ ଚକ୍ରବର୍ତ୍ତୀ ଅଭିମନ୍ୟୁଙ୍କର ସମୟ ନିରୂପଣ କରି କହିଛନ୍ତି - x x x he died in his 49th yr. The Bidagadha Chintamani has been printed and in its preface his death is said to have taken place on Jyestha Krushna Saptamani of Saka 1213 (8th June 1806 A.D.) (୧) କିନ୍ତୁ ୧୮୦୬ ମସିହାର ଜୁନ୍‌ମାସ ୮ ତାରିଖ ମଙ୍ଗଳବାର ଦିନ ନୁହେଁ, ମାତ୍ର ତାହା ରବିବାର ହୋଇଥିବାରୁ ମନମୋହନ ଚକ୍ରବର୍ତ୍ତୀଙ୍କ ଏଇ ମତଟି ଯେ ପ୍ରମାଦପୂର୍ଣ୍ଣ ତାହା ସ୍ପଷ୍ଟ ପ୍ରତିପାଦିତ ହୋଇଥାଏ । ବିଜୟଚନ୍ଦ୍ର ମଜୁମଦାର ମଧ୍ୟ ଏଇ ମତର ପୋଷକତା କରି କହିଅଛନ୍ତି - x x x he died in his 49th yr. on the 8th day of june 1806. ତାହାହେଲେ ଅଭିମନ୍ୟୁଙ୍କ ଜନ୍ମକାଳ ଯଥାର୍ଥରେ ହେଉଛି ୧୭୫୭ । ପଶ୍ଚିତ ମୃତ୍ୟୁଞ୍ଜୟ ରଥ ଉତ୍କଳ ସାହିତ୍ୟ ପତ୍ରିକାର ୧୮ଶ ଭାଗ ୧ ମ ସଂଖ୍ୟାଠାରୁ ୮ମ ସଂଖ୍ୟା ପର୍ଯ୍ୟନ୍ତ ଅଭିମନ୍ୟୁଙ୍କ ସମ୍ପର୍କରେ ଏହିପରି ମତ ପ୍ରଦାନ କରିଅଛନ୍ତି ‘‘ସମରକୁଶଳ ଇନ୍ଦ୍ରଜିତ ଅଷ୍ଟକନ୍ୟାଙ୍କର ପାଣି ଗ୍ରହଣ କରିଥିଲେ । ସେହି ଅଷ୍ଟସଖୀଙ୍କ ମଧ୍ୟରୁ କାହାରି ପୁତ୍ର ମୁଖ ନ ଦେଖି ପୁଂନରକ କଷ୍ଟରୁ ଉଦ୍ଧାର ହେବାର ଉପାୟ ଦେଖାଗଲା ନାହିଁ । ଏହି ମନସ୍ତାପରେ ସାମନ୍ତ ଅତ୍ୟନ୍ତ ଚିନ୍ତିତ ଓ ପୀଡ଼ିତ ଥାଇ ଦିନେ ସୌଭାଗ୍ୟବଶତଃ ଜଣେ ସାଧୁପୁରୁଷଙ୍କୁ ଭେଟିଲେ ଏବଂ ସାଧୁ ତାହାଙ୍କୁ ପୁତ୍ର ଲାଭ ଆଶ୍ରୟରେ ମନ୍ତ୍ରୌଷଧି ପ୍ରଦାନ କଲେ । ସାମନ୍ତ ସେହି ମନ୍ତ୍ରୌଷଧି ବଳରେ ଭାଗ୍ୟବାନ ପୁତ୍ର ଲାଭ କଲେ । କିନ୍ତୁ ତଦୀୟ ବଂଶଧରମାନେ କହନ୍ତି ଯେ ପୁତ୍ରୋତ୍ପତ୍ତିର କାଳ ଅତିକ୍ରାନ୍ତ ହେବାର ଦେଖି କବିସୂର୍ଯ୍ୟ ବ୍ରହ୍ମା ତାଙ୍କୁ ଯଜ୍ଞାନୁଷ୍ଠାନ ନିମିତ୍ତ ଉପଦେଶ ଦେଲେ । ଯଜ୍ଞାନ୍ତେ ସାମନ୍ତଙ୍କ ଅଷ୍ଟମା ପତ୍ନୀ ସ୍ଵପ୍ନରେ ଦେଖିଲେ ଯେ ଜଣେ ବିଷ୍ଣୁଭକ୍ତ ଦିବ୍ୟପୁରୁଷ ତାଙ୍କ ହସ୍ତରେ ତୁଳସୀ ମାଳା ଓ ଚନ୍ଦନ ଦେଇ ଅନ୍ତର୍ହିତ ହୋଇଗଲେ । ଏହି ସ୍ଵପ୍ନ ଦର୍ଶନ ପରେ ସେହି ତୁଳସୀମାଳାଧ୍ୟାୟିନୀ ଜନନୀ ଗର୍ଭଧାରଣ ପୂର୍ବକ ଯଥାକାଳରେ ବିଷ୍ଣୁଭକ୍ତ ପୁତ୍ର ପ୍ରସବ କଲେ । ଅର୍ଜୁନଧର୍ମୀ ଇନ୍ଦ୍ରଜିତ କୃଷ୍ଣଭକ୍ତିପରାୟଣା ସୁଭଦ୍ରା-ରୂପିଣୀ ସହଧର୍ମିଣୀଙ୍କ ଗର୍ଭରୁ ଅଭିମନ୍ୟୁଙ୍କୁ ଲାଭ କଲେ । ସନ ୧୧୨୪ ଅଥବା ୧୭୫୭ ଖ୍ରୀଷ୍ଟାବ୍ଦରେ ଏହି ଦିବସ ଗୋଟିଏ ପବିତ୍ର ଓ ସ୍ମରଣୀୟ ତିଥି । ଏହି ଦିନ ବାଲିଆ ନଗରଟି ଉତ୍ସବମୟ ହୋଇଥିଲା ।’’

 

(୧)

journal of the Asiatic of Bengal - Vol Nos 1-4 p.p.373 - 76

 

ସୁତରାଂ ପଶ୍ଚିତ ମୃତ୍ୟୁଞ୍ଜୟ ଅଭିମନ୍ୟୁଙ୍କ ଜନ୍ମକାଳ ୧୭୫୭ ବୋଲି ମତପ୍ରକାଶ କରିଅଛନ୍ତି ଓ ପରବର୍ତ୍ତୀ କାଳରେ ଜଗବନ୍ଧୁ ସିଂହ, ଡକ୍‌ଟର ଆର୍ତ୍ତବଲ୍ଲଭ ମହାନ୍ତି, ଡକ୍‌ଟର ହରେକୃଷ୍ଣ ମହତାବ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ, ଡକ୍ଟର ବଂଶୀଧର ମହାନ୍ତି ପ୍ରଭୃତି ସମାଲୋଚକଗଣ ଏହି ମତକୁ ହିଁ ବିନା ଦ୍ୱିଧାରେ ଗ୍ରହଣ କରି ନେଇଅଛନ୍ତି । ଡକ୍ଟର ଆଶୁତୋଷ ପଟ୍ଟନାୟକ ତାଙ୍କ ସମ୍ପାଦିତ ‘‘ପ୍ରେମ ଚିନ୍ତାମଣି’’ର ମୁଖବନ୍ଧରେ କବି ଅଭିମନ୍ୟୁଙ୍କ ଜନ୍ମ ସମୟ ନିରୂପଣ କରିବାକୁ ଯାଇ କହି ଅଛନ୍ତି - ‘‘ଅନ୍ୟାନ୍ୟ ପ୍ରାଚୀନ କବିଙ୍କ ଜନ୍ମ ସମୟ ନିରୂପଣ ଭଳି କବି ଅଭିମନ୍ୟୁଙ୍କର ଜନ୍ମ ସମୟ ନିରୂପଣ ଆଦୌ କଷ୍ଟସାଧ୍ୟ ବ୍ୟାପାର ନୁହେଁ । କବି ନିଜେ ତାଙ୍କ ଜନ୍ମକାଳ ବିଷୟରେ ସ୍ପଷ୍ଟ ସୂଚନା ଦେଇ ଯାଇଅଛନ୍ତି । କେବଳ ପ୍ରେମ ଚିନ୍ତାମଣି ଗ୍ରନ୍ଥରେ ଏହାର ସଙ୍କେତ ରହିଛି । ଏହି ଗ୍ରନ୍ଥଟି ଏ ପର୍ଯ୍ୟନ୍ତ ଅପ୍ରକାଶିତ ତଥା ଦୃଷ୍ଟିବହିର୍ଭୂତ ହୋଇ ରହିଥିବାରୁ ସମୟ ନିରୂପଣରେ ଏତେ ବାକ୍‌ବିତଣ୍ଡାର ସମ୍ଭାବନା ଉଠୁଛି । ପ୍ରେମ ଚିନ୍ତାମଣିର ଶେଷ ଛନ୍ଦରେ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି - ‘‘ମୁଁ ବୀରକିଶୋର ଦେବଙ୍କର ୬୫ ଅଙ୍କ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଏ ଗ୍ରନ୍ଥକୁ ଆରମ୍ଭ କଲି । ମୋର ବୟସ ସେତେବେଳକୁ ୨୯ ବର୍ଷ ଚାଲୁଥିଲା । ଏହାଠାରୁ ଅଧିକ ସୂଚନା ଆଉ କ’ଣ ସେ ଦେଇ ଥାଆନ୍ତେ ? ପ୍ରସଙ୍ଗକୁ ପରିପୁଷ୍ଟ କରିବା ପାଇଁ ଏଠାରେ ପ୍ରେମ ଚିନ୍ତାମଣିର ସେହି ପଦ୍ୟାଂଶକୁ ଉଦ୍ଧାର କରୁଛି-

 

‘ଉନନ୍ତ୍ରିଂଶ ସମ୍ବତ୍ସର

ଆଜକୁ ବୟସ ମୋର

।।୭୯

ଶ୍ରୀବୀର କେଶରୀ ଦେବ

ମହାରାଜଙ୍କ ବୈଭବ

।। ୮୦

ଶୁଭ ପଞ୍ଚଷଠି ଅଙ୍କ

କାର୍ତ୍ତିକ ମାସ ପଞ୍ଚକ

।। ୮୧

ପ୍ରେମେ ହୋଇ ଅନୁରାଗୀ

ସାଧୁମେଳେ ଆଜ୍ଞା ମାଗି

।। ୮୨

ଶ୍ରୀଦଧି ବାମନ ସ୍ଥାନେ

ଶୁଭେ ତ୍ରୟୋଦଶୀ ଦିନେ

।। ୮୩

କଲି ମୁହିଁ ଅଧ୍ୟାରମ୍ଭ

ଛାଡ଼ି ସର୍ବ ମାୟାଦମ୍ଭ

।। ୮୪

ଏହି ଅଙ୍କ ଆଷାଢ଼ରେ

ଶେଷ ମାସ ବିଂଶତିରେ

।। ୮୫

ଦାରା ଧନ ସୁତ ମହୀ

ମୋ ସର୍ବ ବିଭବ ଏହି

।। ୮୬

(୬୮ ଅଧ୍ୟାୟ)

 

ଇଣ୍ଡିଆନ ଏଫିମରିଜ୍‌ (ଓଡ଼ିଶା ମିଉଜିୟମ୍‌ରେ ସଂରକ୍ଷିତ)ର ଗଣନା ଅନୁଯାୟୀ ବୀରକିଶୋର ଦେବଙ୍କର ୬୫ ଅଙ୍କ ତା ୧୨-୯-୧୭୮୮ରୁ ଆରମ୍ଭ ହୋଇ ତା୧- ୯- ୮୯ରେ ଶେଷ ହୋଇଥଲା । (ଶ୍ରୀ କେଦାରନାଥ ମହାପାତ୍ରଙ୍କ ଖୁରୁଧା ଇତିହାସର ପୃ.୨୮୪- ୨୮୫ ଦ୍ରଷ୍ଟବ୍ୟ) । ପୁନଶ୍ଚ ଏଫିମରିଜ୍‌ ଅନୁଯାୟୀ କାବ୍ୟାରମ୍ଭର ସମୟ ହେଉଛି ତା ୧୦-୧୧- ୧୭୮୮ ଏବଂ କାବ୍ୟ ଶେଷ ହେବାର ଦିନ ହେଉଛି ତା୨୭-୭- ୧୭୮୯ । କାବ୍ୟାରମ୍ଭ ଦିନକୁ କବିଙ୍କର ବୟସ ୨୮ ବର୍ଷ ପୂରି ୨୯ ବର୍ଷ ଚାଲୁଥିଲା । କବିଙ୍କର ଜନ୍ମ ମାଘ ଶୁକ୍ଳ ସପ୍ତମୀ ହେତୁ ଖ୍ରୀ: ୧୭୮୮ର ମାଘ ଶୁକ୍ଳ ସପ୍ତମୀ ଦିନ କବିଙ୍କର ବୟସ ୨୮ବର୍ଷ ପୂରି ଯାଇଥଲା । ଅତଏବ ଏହା ନିଶ୍ଚିତ ଯେ ଖ୍ରୀ: ୧୭୮୮- ୨୮= ଖ୍ରୀ: ୧୭୬୦ ମାଘ ଶୁକ୍ଳ ସପ୍ତମୀ ଦିନ କବି ଜନ୍ମଲାଭ କଟିଥିଲେ । ଇଣ୍ଡିଆନ ଏଫିମେରିଜର ଗଣନା ଅନୁଯାୟୀ କବିଙ୍କର ଜନ୍ମ ତା ୨୩- ୨-୧୭୬୦ରେ ପଡ଼ୁଛି । ଏହି ଦିନଟି ମାଘ ଶୁକ୍ଳ ସପ୍ତମୀ ଓ ଶନିବାର । କିନ୍ତୁ ଆଲୋଚକ ଦୁଃଖୀଶ୍ୟାମ ପଟ୍ଟନାୟକ ଏହିସବୁ ମତକୁ ପ୍ରମାଦପୂର୍ଣ୍ଣ ବୋଲି ମନେକରି ଅଛନ୍ତି । ସେ କବିଙ୍କର ଅନ୍ୟ ଏକ କୃତି ‘‘ସୁଲକ୍ଷଣା’’ର ରଚନା କାଳକୁ ଅବଲମ୍ବନ କରି କବିଙ୍କର ଯେଉଁ ସମୟ ନିରୂପଣ କରିଅଛନ୍ତି, ତାହା ଏହିପରି- ‘‘ଷୋଳଛାନ୍ଦ ବିଶିଷ୍ଟ ‘ସ’ ଆଦ୍ୟାକ୍ଷର ନିୟମରେ ରଚିତ କବିଙ୍କର କ୍ଷୁଦ୍ର କାବ୍ୟଟି ମୁକୁର ପ୍ରେସରୁ ଆତ୍ମପ୍ରକାଶ କରିଥିଲା । × × ଏହାର ଶେଷରେ ସମୟ ନିର୍ଦ୍ଦେଶ କରି କହିଅଛନ୍ତି -

 

ଶ୍ରୀ ବୀରକିଶୋର ରାୟେ

ଶୁଭ ନ୍ତ୍ରିସପ୍ତାଙ୍କ ହୋୟେ

ଶ୍ରୀପଞ୍ଚମୀ ଦିନ ଶେଷ

ଶ୍ରୀବନ୍ତେ ରସିକ ରସ । (୧୩)

 

ଏଠାରେ ଉଲ୍ଲିଖିତ (ନ୍ତ୍ରିସପ୍ତାଙ୍କ)କୁ ପ୍ରଥମେ ତିନି ଓ ସାତ ଯୋଗୁଁ ୩୭ ଅଙ୍କ ବୋଲି ଗ୍ରହଣ କରି ପୁଷ୍ପଗିରି ‘‘ଅଭିମନ୍ୟୁ ବିଶେଷାଙ୍କ’’ରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଲେଖିଥିଲେ - ‘‘ଖୋର୍ଦ୍ଧା ରାଜା ବୀରକେଶରୀ ଦେବ ଖ୍ରୀ. ୧୭୩୬ରେ ସିଂହାସନ ଆରୋହଣ କରିଥଲେ । ତାଙ୍କର ନ୍ତ୍ରିସପ୍ତାଙ୍କ (୩୭ଅଙ୍କ) ବା ଖ୍ରୀ. ୧୭୭୩ରେ ‘ସୁଲକ୍ଷଣା’ର ରଚନା ଶେଷ ହୋଇଅଛି । ସେତେବେଳକୁ କବିଙ୍କୁ ୧୬ବର୍ଷ ବୟସ ହୋଇଥିଲା । ମାତ୍ର ପ୍ରକୃତରେ ବୀରକେଶରୀ ଦେବଙ୍କ ୩୭ ଅଂକ ତା ୨୭-୮-୧୭୬୫ରୁ ତା ୧୪-୯-୧୭୬୬ ପର୍ଯ୍ୟନ୍ତ ଚଳିଥିଲା । ତେଣୁ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ତାଙ୍କ ଗଣନାରେ ଭୁଲ କରି ୧୭୭୩ ଖ୍ରୀଷ୍ଟାବ୍ଦ ଆଣିଲା ପରେ ସେତେବେଳକୁ କବିଙ୍କୁ (୧୭୫୭ରେ ଜନ୍ମ ବୋଲି ଗ୍ରହଣ କରିଥିବାରୁ ) ୧୬ ବର୍ଷ ବୟସ ହୋଇଥିଲା ବୋଲି କହିଛନ୍ତି । ଅଧ୍ୟାପକ ଡକ୍‌ଟର ବଂଶୀଧର ମହାନ୍ତି ସ୍ଵୀକାର ନ କରି ଥିଲେ ହେଁ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ତାଙ୍କ ନିରୁପିତ ସମୟକୁ ହିଁ ଗ୍ରହଣ କରିଛନ୍ତି । କିନ୍ତୁ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ପରେ ନିଜର ଭୁଲ ବୁଝି ପାରିଛନ୍ତି ଏବଂ ୩୭ ଅଙ୍କ ବେଳକୁ କବିଙ୍କୁ ମାତ୍ର ୯ ବର୍ଷ ହୋଇଥିବା ଜାଣି ‘‘ଅଙ୍କାନାଂ ବାମତୋ ଗତିଃ’’ ସୂତ୍ରରେ ତ୍ରିସପ୍ତାଙ୍କକୁ ତାଙ୍କର ଓଡ଼ିଆ ସାହିତ୍ୟ ଇତିହାସରେ ୭୩ ଅଙ୍କ ବୋଲି ସଂଶୋଧନ କରିଛନ୍ତି । ତେଣୁ ସେ ଲେଖିଛନ୍ତି - ‘‘ଖୋର୍ଦ୍ଧାରାଜା ବୀରକେଶରୀ ଦେବ ଖ୍ରୀ, ୧୭୩୬ରେ ସିଂହାସନ ଆରୋହଣ କରିଥିଲେ ।’’ ତାଙ୍କର ତ୍ରିସପ୍ତାଙ୍କ (୭୩ଅଙ୍କ ବା ୫୯ ବର୍ଷ) ଅଥୀତ୍‌ ଖ୍ରୀ, ୧୭୯୫ରେ ‘ସୁଲକ୍ଷଣା’ ଶେଷ ହୋଇଅଛି । ସେତେବେଳକୁ କବିଙ୍କୁ ୩୮ ବର୍ଷ ବୟସ ହୋଇଥଲା ।

 

କିନ୍ତୁ ଇତିହାସରୁ ଜଣାଯାଏ ଯେ ବୀରକେଶରୀ ଦେବଙ୍କ ମୃତ୍ୟୁ ତାଙ୍କର ୭୧ ଅଙ୍କ (ଖ୍ରୀ. ୧୭୯୩-୧୭୯୪)ରେ ହୋଇଥିଲା । ତେଣୁ ୧୭୯୫ ବେଳକୁ ଦିବ୍ୟସିଂହ ଦେବଙ୍କ ଅଙ୍କ ଚଳୁଥିଲା । ଫଳରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଗୋଟିଏ ଭ୍ରମକୁ ସଂଶୋଧନ କରିବାକୁ ଯାଇ ଆଉ ଗୋଟିଏ ଭୁଲ୍‌ କରି ବସିଛନ୍ତି ।

 

ପ୍ରକୃତରେ ତ୍ରିସପ୍ତ କହିଲେ ୨୧ ଅଙ୍କ ବା ଖ୍ରୀ. ୧୭୫୩ ମାଘ / ଶୁକ୍ଲ ପଞ୍ଚମୀ ହିଁ ସୁଲକ୍ଷଣାର ରଚନାକାଳ ହେବ । ଅତଏବ ଅଭିମନ୍ୟୁଙ୍କ ଜନ୍ମ ନିଶ୍ଚିତ ଭାବରେ ଖ୍ରୀ, ୧୭୫୩ର ପୂର୍ବବର୍ତ୍ତୀ । ଅଭିମନ୍ୟୁ ତାଙ୍କର ନବମ ବର୍ଷ ବୟସବେଳେ ‘ହୋ ଗୀତ’ ପରି କ୍ଷୁଦ୍ର ରଚନା କରିପାରୁଥିବାର ଅନୁମିତ ହୁଏ । ଅଭିମନ୍ୟୁ ୧୪ ବର୍ଷ ବୟସରେ ବିବାହ କରିଥିବା ଲୋକମୁଖରୁ ଜଣାଯାଏ । ତେଣୁ ସେତେବେଳକୁ ଯଦି ରସିକ କବି ଲାବଣ୍ୟବତୀ ଓ ସୁଭଦ୍ରାପରିଣୟର ପ୍ରଭାବରେ ସୁଲକ୍ଷଣା ରଚନା କରିଥାଆନ୍ତି ଏବଂ ସୁଲକ୍ଷଣାର ରଚନା ଶେଷବେଳକୁ କବିଙ୍କୁ ଅନ୍ତତଃ ୧୬ବର୍ଷ ବୋଲି ଧରାଯାଏ, ତେବେ ତାଙ୍କର ଜନ୍ମ କାଳ ଖ୍ରୀ. ୧୭୩୭ରେ ହୋଇପାରେ । ଲାବଣ୍ୟବତୀର ରଚନାକାଳ ଖ୍ରୀ. ୧୭୩୦ବୋଲି ନିଶ୍ଚିତ ଭାବରେ ଜଣାଯାଇଥିବାରୁ ଏବଂ ଲାବଣ୍ୟବତୀ ରଚନାର ୧୫/୨୦ ବର୍ଷ ବେଳକୁ ତାହା ଉତ୍ତମ ପ୍ରସିଦ୍ଧି ଲାଭକରିଥିବା ସ୍ଵାଭାବିକ ହେତୁ କବି ତଦ୍ଦ୍ୱାରା ପ୍ରଭାବିତ ହୋଇଥିବେ ।

 

ଏହି ଦୃଷ୍ଟିରୁ ଅଭିମନ୍ୟୁଙ୍କ ଜନ୍ମକାଳ ୧୭୩୭-୩୮ ଖ୍ରୀଷ୍ଟାଦ୍ଦ ବୋଲି ଗ୍ରହଣ କରିବା ଅଧକ ଯୁକ୍ତିଯୁକ୍ତ ହେବ ।

 

ଶିକ୍ଷ। :

ଅଭିମନ୍ୟୁ ଏକ ଜମିଦାର ପରିବାରର ଆଦରର ସନ୍ତାନ ହୋଇଥିବାରୁ ତାଙ୍କର ଶିକ୍ଷା ଦୀକ୍ଷା ପ୍ରତି ଯେ ଯଥୋଚିତ ଧ୍ୟାନ ଦିଆଯାଇଥିଲା, ଏଥିରେ ସନ୍ଦେହ ନାହିଁ । ବସ୍ତୁତଃ ସେ କାଳରେ ରାଜା ଜମିଦାରମାନେ ହିଁ ଓଡ଼ିଶାର ସାହିତ୍ୟ ସଂଗୀତ ଓ ନୃତ୍ୟକଳାର ଥଲେ ପ୍ରଧାନ ପୃଷ୍ଠପୋଷକ-। ସେମାନଙ୍କର ସାହାଯ୍ୟ ଓ ପ୍ରେରଣାରେ ଏହିସବୁ କଳା ଉନ୍ନତିର ଚରମ ସୀମାରେ ଉପନୀତ ହୋଇଥିଲା । ସେତେବେଳର ପରମ୍ପରାନୁସାରେ ରାଜା- ଜମିଦାରମାନଙ୍କର ପଣ୍ଡିତ ସଭାକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଶିଷ୍ଟ ଜ୍ଞାନୀ, ସାଧକ, ପଣ୍ତିତ, ଲେଖକ, ଦୈବଜ୍ଞ, କବି, ସଙ୍ଗୀତଜ୍ଞମାନେ ଆସୁଥିଲେ ଓ ସେମାନଙ୍କର ପ୍ରତିଭା, ଜ୍ଞାନଗାରିମା ତଥା ପାଣ୍ଡିତ୍ୟର ପରିଚୟ ଦେଇ ନାନା ଉପଢ଼ୌକନ ଓ ପଦପଦବୀ ସହକାରେ ବିଦାୟ ନେଉଥିଲେ । ସେତେବେଳେ ସଂସ୍କୃତ ଭାଷାର ପ୍ରାଧାନ୍ୟ ଓ ପ୍ରତିଷ୍ଠା ଥିଲା ଖୁବ୍‍ ବେଶୀ । ପ୍ରକୃତରେ ସଂସ୍କୃତ ଭାଷା ସେତେବେଳେ ଥିଲା ଦେବଭାଷା ଓ ସାହିତ୍ୟ ଥିଲା ବିଦଗ୍‌ଧ ସାହିତ୍ୟ । ଅଭିଜାତମଣ୍ଡଳୀରେ ଏହାର ସମାଦର ଓ ତଥା ଚର୍ଚ୍ଚା ଥିଲା ପ୍ରଚୁର । କବି ଅଭିମନ୍ୟୁ ଥିଲେ ଏହି ପରମ୍ପରାର ଯଥାର୍ଥ ଉତ୍ତର ସୁରି । ସେଥିପାଇଁ ତାଙ୍କ ଆଚାର, ଶିକ୍ଷା ଦୀକ୍ଷା ଥିଲା ଯେପରି ସୁସଂହତ, ସେହିପରି ଥିଲା ସଂଯତ ଓ ସୁଷମାମଣ୍ଡିତ । ସେ କାଳର ପ୍ରସିଦ୍ଧ ସଂସ୍କୃତ ଶାସ୍ତ୍ର ଷଟ୍‌କାବ୍ୟ । ଅଳଂକାର, ବ୍ୟାକରଣ, କୋଷାଦି ଗ୍ରନ୍ଥ, ଜ୍ୟୋତିଷଶାସ୍ତ୍ର, ଏପରିକି ଗଣିତ ଶାସ୍ତ୍ରରେ ଅଭିମନ୍ୟୁ ଯେ କେବଳ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ ତାହା ନୁହେଁ, ଓଡ଼ିଆ ଭାଷାର ଶ୍ରେଷ୍ଠ କୃତିସମୂହ ପାଠ କରିବାର ଅପୂର୍ବ ସୁଯୋଗ ମଧ୍ୟ ସେ ଲାଭ କରିଥିଲେ । ବୈଷ୍ଣବ ଧର୍ମଗ୍ରନ୍ଥ ତଥା ପୁରାଣ ସାହିତ୍ୟ ଓ ତାପନୀ ଗ୍ରନ୍ଥାଦି ମଧ୍ୟ ସେ ଅତି ଉତ୍ତମ ରୂପେ ଅଧ୍ୟୟନ କରିଥିଲେ । ଏହିସବୁ ଗ୍ରନ୍ଥ ଅଭିମନ୍ୟୁଙ୍କ ଆତ୍ମିକ ଜୀବନ ଉପରେ ମଧ୍ୟ ପକାଇଥିଲା ସୁଦୂରପ୍ରସାରୀ ପ୍ରଭାବ । ସେ କାଳରେ ସମଗ୍ର ଭାରତବର୍ଷରେ ଜୟଦେବଙ୍କ ‘ଗୀତଗୋବିନ୍ଦ’ ଥିଲା ବିଦ୍ୱାନ ତଥା ରସିକ ମଣ୍ଡଳୀର ଅତି ପ୍ରିୟ ଗ୍ରନ୍ଥ । ବୈଷ୍ଣବ କବି ବିଦ୍ୟାପତି ଓ ଚଣ୍ଡୀଦାସଙ୍କ ସୁଲଳିତ ଗୀତିସମୂହ ଯଥେଷ୍ଟ ଆଦର ଲାଭ କରିଥିଲା । ଅଭିମନ୍ୟୁ ଏଗୁଡ଼ିକ ପଢ଼ିବାର ସୁଯୋଗ ପାଇଥିଲେ । ଅନୁକୂଳ ପରିବେଶରେ ଅଭିମନ୍ୟୁଙ୍କ ବାଲ୍ୟକାଳ ପରିପୁଷ୍ଟି ଲାଭ କରିଥିବାରୁ ଯାହା ସେତେବେଳେ ଥିଲା ସତ୍‌ଶିକ୍ଷା, ଅଭିମନ୍ୟୁ ତାହା ଲାଭ କରିଥିଲେ । ଏହା ସାଙ୍ଗକୁ ତାଙ୍କୁ ମଧ୍ୟ ମିଳିଥିଲା ଉପଯୁକ୍ତ ଗୁରୁଙ୍କର ସାନିଧ୍ୟ । ଏକ ପ୍ରତିଷ୍ଠାସଂପନ୍ନ ଅଭିଜାତ ପରିବାରର ଅତି ଆଦରର ଧନ ଅଭିମନ୍ୟୁ ଯେଉଁ ଗୁରୁଙ୍କର ଦୀକ୍ଷା ଓ ସାନିଧ୍ୟ ଫଳରେ ପରବର୍ତ୍ତୀ କାଳରେ ଜଣେ ରସିକ କବି ଭାବରେ ପ୍ରତିଷ୍ଠା ଅର୍ଜନ କଲେ, ସେ ହେଉଛନ୍ତି ବିଶିଷ୍ଟ କବି ଓ ସିଦ୍ଧ ସାଧକ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା । ବ୍ୟକ୍ତି ଜୀବନରେ ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଶିକ୍ଷାର ଯେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏଥିରେ ସନ୍ଦେହ ନାହିଁ ।

 

ଅଧ୍ୟାପକ ବୃନ୍ଦାବନ ଆଚାର୍ଯ୍ୟ ଯଥାର୍ଥରେ କହିଛନ୍ତି - ‘‘ଯଥାକାଳରେ ଉପଯୁକ୍ତ ଗୁରୁ ନ ମିଳିଲେ ଶିକ୍ଷା ହୁଏତ ହୁଏ, କିନ୍ତୁ ବାଳକପ୍ରାଣ ଜ୍ଞାନ ଚର୍ଚ୍ଚା କ୍ଷେତ୍ରରେ ଦୀକ୍ଷିତ ହୋଇପାରେନା । କଳାକାରମାନଙ୍କ ଜୀବନରେ ‘ଦୀକ୍ଷା’ଟା ହିଁ ବଡ଼ କଥା । ତାହା ଜୀବନପ୍ରବାହକୁ ଶୃଙ୍ଖଳିତ, ସୁନ୍ଦର ଓ ଲକ୍ଷ୍ୟମୁଖୀ କରାଏ । ଯେଉଁ ବରଣୀୟ ମହତ୍‌ ଦାର୍ଶନିକ, କବି, ତାର୍କିକ ଓ ବୈଜ୍ଞାନିକଗଣ ଆଜି ଆମର ନମସ୍ୟ ତଥା ସ୍ମରଣୀୟ, ସେମାନଙ୍କ ସାଧନାମୟ ଜୀବନର ଇତିହାସ ଆଲୋଚନା କଲେ ଦୀକ୍ଷାଦାତାମାନଙ୍କର ଗୌରବମୟ ଭୂମିକା କଥା ସହଜରେ ବୁଝାପଡ଼େ । ସେହିମାନେହିଁ ଜୀବନପୁଷ୍ପର ଯଥାର୍ଥ ପ୍ରସ୍ଫୁଟନରେ ସାହାଯ୍ୟ କରିଥାନ୍ତି । ସେହିମାନଙ୍କ ଜାଗରଣ ବାଣୀ ନିଦ୍ରିତ ପ୍ରାଣକୁ ଜାଗ୍ରତ କରାଏ । ମୃଣ୍ମୟ ଶରୀରରେ ଆକାଶର ଆବାହନୀ ତୋଳେ, ଇନ୍ଦ୍ରିୟ ଗହଣରେ ବଜାଏ ଅତୀନ୍ଦ୍ରିୟତାର ବଂଶୀ । ସତେଯେମିତି ଦୀକ୍ଷାଦାତାହିଁ ‘‘ଦୀକ୍ଷିତ’’ ପାଇଁ ମହାର୍ହ ଜୀବନର ଦ୍ଵାର ଉଦ୍‌ଘାଟନ କରିଦିଅନ୍ତି (୧) । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ପ୍ରେମ ତରଙ୍ଗିଣୀରେ ପ୍ରଦତ୍ତ ବିବରଣୀ ଅନୁସାରେ ଅଭିମନ୍ୟୁଙ୍କ ଗୁରୁ ପରମ୍ପରା ଥିଲା ଏହିପରି ।

 

ଶ୍ରୀ ଚୈତନ୍ୟ ମହାପ୍ରଭୁ

 

ଶ୍ରୀ ଗଦାଧର ପଣ୍ଡିତ ଗୋସ୍ଵାମୀ

 

ଶ୍ରୀ ଅନନ୍ତ ଆଚାର୍ଯ୍ୟ ଗୋସ୍ଵାମୀ

 

ଶ୍ରୀ ରଘୁଗୋପାଳ ଗୋସ୍ଵାମୀ

 

ଲକ୍ଷ୍ମୀପ୍ରିୟା ଠାକୁରାଣୀ

 

ରଙ୍ଗନାମାତା ଠାକୁରାଣୀ

 

ଶ୍ରୀ ବନମାଳୀ ଦାସ

 

ଶ୍ରୀ କିଶୋର ଦାସ

 

ଶ୍ରୀ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

 

ଅଭିମନ୍ୟୁ ସାମନ୍ତ ସିଂହାର ’’

 

(୧) ରସିକଭକ୍ତ ଅଭିମନ୍ୟୁ ; ପୃ -୬

 

ପୂର୍ବରୁ କୁହାଯାଇଛି ଯେ ଅଭିମନ୍ୟୁ ଥିଲେ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ପ୍ରିୟ ଶିଷ୍ୟ । ସଦାନନ୍ଦ ବା ସାଧୁଦାସ କେବଳ ଜଣେ ଗୁରୁ ନ ଥିଲେ, ସେ ମଧ୍ୟ ଥିଲେ ଜଣେ ବିଶିଷ୍ଟ କବି ଓ ରାଧାକୃଷ୍ଣଙ୍କର ପରମଭକ୍ତ । ରାଧାକୃଷ୍ଣ ଲୀଳାକୁ ଆଶ୍ରୟ କରି ସଦାନନ୍ଦ କବିସୂର୍ଯ୍ୟ ଯେଉଁ କେତୋଟି କାବ୍ୟଗ୍ରନ୍ଥ ରଚନା କରିଛନ୍ତି ସେଥିମଧ୍ୟରୁ ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ଚୌର-ଚିନ୍ତାମଣି ଓ ନିଷ୍ଠାନୀଳମଣି ପ୍ରଭୃତି ପ୍ରଧାନ ହେଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ରଚନା ସମ୍ଭାର ଯଥା-ପ୍ରେମ କଳ୍ପଲତା, ପ୍ରେମ ଲହରୀ, ପ୍ରେମ ତରଙ୍ଗିଣୀ ପ୍ରଭୃତି ମଧ୍ୟ କମ୍‌ ଖ୍ୟାତି ଅର୍ଜନ କରିନାହାନ୍ତି । ପଣ୍ଡିତ ମୃତ୍ୟୁଞ୍ଜୟଙ୍କ ଭାଷାରେ “ସେ ସମୟରେ ଏହି ବୈଷ୍ଣବ ସଦାନନ୍ଦଙ୍କର ସମାଜରେ ବିଶେଷ ପ୍ରତିପତ୍ତି ଥିଲା-ଅନେକ ସ୍ତ୍ରୀ ପୁରୁଷ ତାଙ୍କଠାରୁ ବୈଷ୍ଣବ ଦୀକ୍ଷା ଗ୍ରହଣ କରି କୃତାର୍ଥ ହେଉଥିଲେ । ଅସୁରେଶ୍ଵର ଗ୍ରାମର ସନ୍ନିହିତ ପବିତ୍ର ଗଡ଼ାରେ ଏହାଙ୍କର ସମାଧି ଅଦ୍ୟାପି ପ୍ରତିଷ୍ଠିତ ହୋଇ ରହିଅଛି । ( ୧)

 

(୧) ମୃତ୍ୟୁଞ୍ଜୟ ରଥ - ଅଭିମନ୍ୟୁ ସାମନ୍ତ ସିଂହାର ସୃଷ୍ଟି ଓ ସମୀକ୍ଷା

 

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଯେଉଁ ରାଧାକୃଷ୍ଣଙ୍କର ଥିଲେ ପରମଭକ୍ତ, ଯାହାଙ୍କର ତତ୍ତ୍ୱ ଜିଜ୍ଞାସା ତାଙ୍କର ତନୁ ମନରେ ଜଗାଇଥିଲା ଶତ ରୋମାଞ୍ଚର କଦମ୍ବ, ସେହି ରାଧାକୃଷ୍ଣ ଚେତନାରେ ଅଭିମନ୍ୟୁଙ୍କ ମନକୁ ସେ ଧୀରେ ଧୀରେ ନିମଜ୍ଜିତ କଲେ । ଅଧ୍ୟାପକ ଆଚାର୍ଯ୍ୟ ଯଥାର୍ଥରେ କହିଛନ୍ତି- ‘‘ଯେଉଁ ବୈଷ୍ଣବୀୟ ଅନୁରାଗରେ ସେ ନିଜେ ରଞ୍ଜିତ ଥିଲେ, ଯେଉଁ ଦର୍ଶନରେ ସେ ନିଜେ ଅନୁପ୍ରାଣିତ ଥିଲେ, ଯେଉଁ ତତ୍ତ୍ଵ ଓ ଶାସ୍ତ୍ର ସକଳରେ ସେ ବ୍ୟକ୍ତି ଜୀବନର ଶ୍ରେଷ୍ଠତା ଓ ଜୀବନରେ ବଞ୍ଚିବାର ସାର୍ଥକତା ଲକ୍ଷ୍ୟ କରିଥିଲେ, ଓ ଯେଉଁ ମଧୁର ଅଧ୍ୟାତ୍ମବାଦର ବଂଶୀଧ୍ଵନି ତାଙ୍କ ନିଜ ଶ୍ରୂତିରେ ଅହରହ ଅନୁରଣିତ ହେଉଥିଲା-ପ୍ରିୟ ଶିଷ୍ୟ ଅଭିମନ୍ୟୁଙ୍କ ଅଙ୍ଗରେ ସେ ଲେପି ଦେଇଗଲେ ସେହି ରଙ୍ଗ, ଚିତ୍ତରେ ଅନୁବର୍ତ୍ତନ କଲେ ସେହି ଦର୍ଶନ, ଶୁଣାଇଲେ ସେହି ତତ୍ତ୍ଵ ଓ ପଢ଼ାଇଲେ ସେହି ଶାସ୍ତ୍ର ଏବଂ ସେହି ବଂଶୀଧ୍ଵନି ଶୁଣିବା ପାଇଁ ଅଭିମନ୍ୟୁଙ୍କ ଶ୍ରୁତିକୁ ଧ୍ୟାନସ୍ଥ ଓ ଆକୁଳ କରିଦେଲେ । ଦୀକ୍ଷିତ, ଜାଗ୍ରତ, ଶାସ୍ତ୍ରଦର୍ଶୀ, ତତ୍ତ୍ୱାନୁସନ୍ଧିତ୍ସୁ ଅଭିମନ୍ୟୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେହି ସୁଦୂର ବଂଶୀଧ୍ଵନି ଶୁଣି ଯାଇଛନ୍ତି ! ( ୨)

 

ଅଭିମନ୍ୟୁଙ୍କ ଜୀବନରେ ଏହି ଧାରା ତାଙ୍କୁ ଯଥାର୍ଥରେ ଏକ ସାଧକ କବିରେ ରୁପାନ୍ତରିତ କରି ଦେଇଥିଲା । ସେଇ ବାଲ୍ୟକାଳରୁ ସଦାନନ୍ଦ କବିସୂର୍ଯ୍ୟ ଅଭିମନ୍ୟୁଙ୍କ ଜୀବନକୁ ନିୟନ୍ତ୍ରଣର ଯେଉଁ ରାଜପଥ ଉପରେ ହାତ ଧରି ଚଳାଇ ନେଇଥିଲେ, ଅଭିମନ୍ୟୁ ପରବର୍ତ୍ତୀ କାଳରେ ତାକୁ ନାନା ଭାବରେ ସୁଶୋଭନ କରି ଯାଇଅଛନ୍ତି । ସାଂସାରିକ ଜଞ୍ଜାଳ ତାଙ୍କୁ ସ୍ପର୍ଶ କରିଥଲା ସତ, ମାତ୍ର ସେ ସେଥିରେ ସଂପୂର୍ଣ୍ଣ ଲିପ୍ତ ହୋଇଯାଇ ନ ଥିଲେ । ପଦ୍ମପତ୍ରରେ ଜଳବିନ୍ଦୁ ପରି ଅଭିମନ୍ୟୁଙ୍କ ଜୀବନ ଥିଲା ଲିପ୍ତ- ନିର୍ଲିପ୍ତ । ସୀମା ଭିତରେ ରହି ସେ ତେଣୁ କରିପାରିଥିଲେ ଅସୀମର ସନ୍ଧାନ ।

 

ଅଭିମନ୍ୟୁ ସଂସ୍କୃତ ଓ ଓଡ଼ିଆ ଭାଷାର ପ୍ରସିଦ୍ଧ ଗ୍ରନ୍ଥସମୂହ କେବଳ ଅଧ୍ୟୟନ କରି ନଥିଲେ, ସେ ବଙ୍ଗଳା ଓ ମହାରାଷ୍ଟ୍ରୀ ଭାଷାରେ ମଧ୍ୟ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ଏତଦ୍‌ବ୍ୟତୀତ ନ୍ୟାୟଶାସ୍ତ୍ର, ପୁରାଣ, ବେଦ, ଆଗମ ଓ କାବ୍ୟମାନଙ୍କରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା । କେବଳ ପ୍ରତିଭା ବା ପାଣ୍ଡିତ୍ୟ ନୁହେଁ, ଅଭିମନ୍ୟୁଙ୍କର ମଧ୍ୟ ଥିଲା ଏକ ବିଦଗ୍‌ଧ କବି ମନ । ସବୁ ଥାଇ ମଧ୍ୟ ଏହି ବିଦଗ୍‌ଧତା ଅଭାବରେ ବହୁ ପ୍ରତିଭାଶାଳୀ କବି ଜନମାନସରୁ ଦୂରେଇ ରହି ଥିବାର ଉଦାହରଣ ସାହିତ୍ୟ-ଇତିହାସରେ ଯଥେଷ୍ଟ ରହିଛି । କିନ୍ତୁ ଅଭିମନ୍ୟୁଙ୍କ ଜୀବନରେ ପ୍ରତିଭା, ପାଣ୍ଡିତ୍ୟ ଓ ବିଦଗ୍‌ଧତାର ଯେଉଁ ତ୍ରିବେଣୀ ସଂଗମ ସଂଘଟିତ ହୋଇଛି ତାହାହିଁ ତାଙ୍କୁ ପରବର୍ତ୍ତୀ କାଳରେ ରାଧାକୃଷ୍ଣ ପ୍ରଣୟ-ବ୍ୟଞ୍ଜନ କାବ୍ୟ ସୃଷ୍ଟି ପାଇଁ ଦେଇଛି କାବ୍ୟିକ ପ୍ରେରଣା । ଉପଯୁକ୍ତ ଶିକ୍ଷା-ଦୀକ୍ଷା ଓ ପରିବେଶର ସହାୟତାରେ ଅଭିମନ୍ୟୁଙ୍କ କବି ମନରେ କାବ୍ୟସୃଷ୍ଟିର ପିପାସା ଯେ ପ୍ରଚଣ୍ଡ ଭାବରେ ପ୍ରକାଶ ପାଇବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଏହି ପରିପ୍ରେକ୍ଷୀରେ ଅଭିମନ୍ୟୁଙ୍କ ଜୀବନରେ ବନ୍ଧୁତ୍ଵର ପ୍ରଭାବକୁ ସଂପୂର୍ଣ୍ଣ ଅବହେଳା କରିହେବ ନାହିଁ । ଯଥାର୍ଥରେ ଅଭିମନ୍ୟୁଙ୍କ କବି ଜୀବନର ମୂଳରେ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଟଙ୍କଧର ନାୟକଙ୍କର ଥିଲା ଅପୂର୍ବ ପ୍ରେରଣା । ‘‘ଅଭିମନ୍ୟୁ ସାମନ୍ତ ସିଂହାର’’ ପ୍ରବନ୍ଧରେ ଲେଖକ ସ୍ଵର୍ଗତ ରଥ ମହାଶୟ ତେଣୁ କହିଛନ୍ତି- ମାତୁଳାଳୟରେ ଅବସ୍ଥାନ କରୁଥିବା କାଳରେ ତନ୍ତ୍ରତ୍ୟ ଟଙ୍କଧର ନାୟକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା ।

 

ସେହିଦିନଠାରୁ ଟଙ୍କଧର ଆମରଣ ତାଙ୍କର ଜଣେ ପରମ ବନ୍ଧୁ ଥିଲେ । ପରେ ଏହାଙ୍କ ହସ୍ତରେ ସେ ପ୍ରାଣାଧିକ ପୁତ୍ରର ଶିକ୍ଷା ଲାଭ ଭାର ଅର୍ପଣ କରିଥିଲେ । ଟଙ୍କଧର ଯେ କେବଳ ଜଣେ ସଂସ୍କୃତ ପଣ୍ଡିତ ଥିଲେ ତାହା ନୁହେଁ, ଅନେକ ଶାସ୍ତ୍ରରେ ତାଙ୍କର ପ୍ରବେଶ ଥିବାରୁ ସେ ଅଭିମନୁଙ୍କଠାରୁ ସମାଦର ଲାଭ କରିଥିଲେ । ଟଙ୍କଧରଙ୍କ ପରି ବୟସ୍ୟ ପାଇଥିବାରୁ ଅଭିମନୁଙ୍କର ନାନାଗ୍ରନ୍ଥ ଆଲୋଚନା କରିବାର ଅଧିକ ସୁବିଧା ହୋଇଥିଲା (୧)

 

(୧) ସୃଷ୍ଟି ଓ ସମୀକ୍ଷା; ପୃ. ୯-୧୦

 

ପରିଣୟ :

ସେ କାଳର ପ୍ରଥା ଅନୁସାରେ, ଅଭିମନ୍ୟୁ ମାତ୍ର ଚଉଦ ବର୍ଷ ବୟସରେ କେନ୍ଦ୍ରାପଡ଼ା ଜମିଦାରଙ୍କ କନ୍ୟା ସଦାଶିବ ଜେନାଙ୍କ ଭଉଣୀ ବିମଳା ଦେବୀଙ୍କୁ ବିବାହ କରିଥିଲେ । ଅଭିମନ୍ୟୁଙ୍କ ଦାମ୍ପତ୍ୟ ଜୀବନ ସଂପର୍କରେ ବେଶୀ କିଛି ଜାଣିବାର ଉପାୟ ନାହିଁ । ମାତ୍ର ବିମଳାଦେବୀ ଯେ ନାନା ଭାବରେ ଅଭିମନ୍ୟୁଙ୍କ ଜୀବନକୁ ପ୍ରଭାବିତ କରିଥିଲେ, ଏହା ଆଶା କଲେ ବୋଧହୁଏ ଅନ୍ୟାୟ ହେବ ନାହିଁ । ଅଭିମନ୍ୟୁ ପ୍ରାୟ କୈଶୋର ଅବସ୍ଥାରୁ କବିତାକୁଞ୍ଜରେ ଭ୍ରମଣବିଳାସୀ ଥିବାରୁ ବୈଷୟିକ ଜୀବନ ପ୍ରତି ଥିଲେ ଏକପ୍ରକାର ଉଦାସୀନ । ତେଣୁ ଏତେ ବଡ଼ ଜମିଦାରୀର ସବୁକିଛି ଦାୟିତ୍ଵ ବସ୍ତୁତଃ ବିମଳାଦେବୀଙ୍କୁ ହିଁ ମଥାପାତି ଗ୍ରହଣ କରିବାକୁ ପଡ଼ିଥିଲା । ସେ ମଧ୍ୟ ଥିଲେ ଜମିଦାର ବଂଶର କନ୍ୟା । ସେଥିପାଇଁ ଏ ସବୁ ବୈଷୟିକ ଦିଗପ୍ରତି ସତର୍କ ନଜର ରଖି, ନିଜର ଚିର- ଆତ୍ମଭୋଳା କବି- ସ୍ୱାମୀଙ୍କୁ ସେ ଦେଇଥିଲେ ଯେଉଁ କାବ୍ୟିକ ସ୍ଵାଧୀନତା, ତାହାହିଁ ଅଭିମନ୍ୟୁଙ୍କୁ କାବ୍ୟ-ସଂସାରରେ ନିରନ୍ତର ଭ୍ରମଣ ପାଇଁ ଦେଇଥିଲା ଅପୂର୍ବ ସୁଯୋଗ । “ଅଭିମନ୍ୟୁ ସାମନ୍ତ ସିଂହାର” ପ୍ରବନ୍ଧରେ ପଣ୍ଡିତ ମୃତ୍ୟୁଞ୍ଜୟୀ ରଥ ଯଥାର୍ଥରେ ଲେଖିଛନ୍ତି - ‘‘ତାହାଙ୍କର ପତ୍ନୀ ବିମଳାଦେବୀ ଜଣେ ଗୁଣବତୀ, ବିଦୁଷୀ ଏବଂ କୃଷ୍ଣଭକ୍ତିପରାୟଣା ରମଣୀ ଥିଲେ । ତାହାଙ୍କୁ ସହଧର୍ମିଣୀ ପଦରେ ଲାଭ କରି ଅଭିମନ୍ୟୁଙ୍କ ଧର୍ମଜୀବନ ପୂର୍ଣ୍ଣ ଓ ଉଜ୍ଜଳତର ହୋଇଥଲା (୨) ଅଭିମନ୍ୟୁଙ୍କ ପତ୍ନୀ ବିୟୋଗ ସଂପର୍କରେ ଯେଉଁ କିମ୍ବଦନ୍ତୀଟି ପ୍ରଚଳିତ ଅଛି, ତାହାକୁ ଏକ ସତ୍ୟ ଘଟଣା ଭାବରେ ଗ୍ରହଣ କରିନେବା ସମୀଚୀନ ହେବନାହିଁ । ଏ ସଂପର୍କରେ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ ଯେଉଁ ମତ ପ୍ରକାଶ କରିଅଛନ୍ତି, ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ । ଅଧ୍ୟାପକ ଆଚାର୍ଯ୍ୟଙ୍କ ଭାଷାରେ - ‘‘କିନ୍ତୁ ପତ୍ନୀ ବିୟୋଗ ଦୁଃଖର ବାର୍ତ୍ତା ବା ସେପରି କୌଣସି ଅନୁଭବର ଆଲେଖ୍ୟ ଅଭିମନ୍ୟୁଙ୍କର କେଉଁ ରଚନାରେ ଅଛି ? ପତ୍ନୀ ବିୟୋଗ କବିଙ୍କ ହୃଦୟର କେଉଁ ସ୍ଥାନଟିକୁ ଅଶ୍ରୁଳ କରିଛି ବୁଝା ପଡ଼େ- ନାହିଁ । ବାଘଗୀତ, ଚଢ଼େଇଗୀତ ଲେଖିପାରୁଥିବା କବି ହୁଏତ ସେଇ ଦୁଃଖରେ କ୍ଷୁଦ୍ର କବିତା ମଧ୍ୟ ଲେଖିପାରିଥାନ୍ତେ । ବାସ୍ତବିକ, ଉପରୋକ୍ତ କିମ୍ବଦନ୍ତୀଟିର ସତ୍ୟତା ସଂପର୍କରେ ଅବିଶ୍ଵାସ ଆସେ ।’’ (୧)

 

(୧)

ସୃଷ୍ଟି ଓ ସମୀକ୍ଷା; ପୃ. ୧୪-୧୫

(୨)

ରସିକ ଭକ୍ତ ଅଭିମନ୍ୟୁ; ପୃ. ୮-୯

 

ତଥାପି ସ୍ଵୀକାର କରିବାକୁ ହେବ ଯେ, ବିମଳା ଦେବୀ ଥିଲେ ଅଭିମନ୍ୟୁଙ୍କ ପ୍ରେରଣାର ଉତ୍ସ । ପରିବାରର ସକଳ ଦାୟିତ୍ଵକୁ ମୁଣ୍ଡରେ ଲଦି ବିମଳାଦେବୀ ଅଭିମନ୍ୟୁଙ୍କୁ ଯଦି ଦେଇ ନ ଥାନ୍ତେ କାବ୍ୟ ସୃଷ୍ଟି ପାଇଁ ଅଖଣ୍ଡ- ଅବସର, ତାହେଲେ ଓଡ଼ିଆ ସାହିତ୍ୟରେ ‘‘ବିଦଗ୍‌ଧ ଚିନ୍ତାମଣି’’ ପରି କାବ୍ୟ ଲେଖା ହେବା ବୋଧହୁଏ ଅସମ୍ଭବ ହୋଇଥାଆନ୍ତା ।

 

ଜୀବନର ଅନ୍ତିମ ମୁହୂର୍ତ୍ତ :

ଅଭିମନ୍ୟୁଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତ ବାସ୍ତବିକ ଯେପରି ରୋମାଞ୍ଚକର, ସେହିପରି ଉଲ୍ଲେଖଯୋଗ୍ୟ ମଧ୍ୟ । ଜୀବନର ଉତ୍ତର କାଳରେ ଅଭିମନ୍ୟୁ ସାଂସାରିକ ଜୀବନପ୍ରତି ଥିଲେ ସଂପୂର୍ଣ୍ଣ ଉଦାସୀନ । ରାଧା-କୃଷ୍ଣ ପ୍ରେମରସରେ ନିମଜିତ ବିଦଗ୍‌ଧ କବି ଅଭିମନ୍ୟୁ, ନିଜର କାବ୍ୟ ସଂସାରରେ ଭ୍ରମଣ କରି ଯେଉଁ ଦିବ୍ୟାନନ୍ଦ ଲାଭ କରିଥିଲେ, ତାହା ତୁଳନାରେ ତାଙ୍କର ପାର୍ଥିବ ସୁଖ ଥିଲା ନିହାତି ଅକିଞ୍ଚିତ୍‌କର । ଶେଷ ମୁହୂର୍ତ୍ତ ପାଖେଇ ଆସିବାର ଜାଣି ଅଭିମନ୍ୟୁ ନିଜର ଚିର ଆରାଧ୍ୟ ଦେବତାଙ୍କର ନିତ୍ୟ ରାସସ୍ଥଳୀ ବୃନ୍ଦାବନରେ ଅନ୍ତିମ ନିଶ୍ଵାସ ନେବାପାଇଁ ଯାତ୍ରା ଆରମ୍ଭ କଲେ । ମାତ୍ର ତାଙ୍କର ସେ ଆଶା ସଫଳ ହୋଇପାରି ନ ଥିଲା । ବନ୍ଧୁ, ବାନ୍ଧବ, ଆତ୍ମୀୟ ସ୍ଵଜନଙ୍କଠାରୁ ବିଦାୟ ନେଇ ସେ ବୃନ୍ଦାବନ ଯାତ୍ରା କଲାବେଳେ, ବାଲିଆଠାରୁ ମାତ୍ର ଏକକୋଶ ଦୂରରେ ସେ ଅସୁସ୍ଥତା ଅନୁଭବ କଲେ । ଏପରିକି ନିଃଶ୍ୱାସ ପ୍ରଶ୍ଵାସ ନେବାରେ ସୁଦ୍ଧା ତାଙ୍କୁ କଷ୍ଟ ଅନୁଭବ ହେଲା । ସେ ସେଇଠାରେ ନିଜର ଗୃହଦେବତାଙ୍କୁ ଅଣାଇ, ତାଙ୍କରି ଆଡ଼କୁ ଚାହିଁ ଚାହିଁ ଶେଷ ନିଃଶ୍ଵାସ ତ୍ୟାଗକଲେ । ତାଙ୍କର ଅନୁଗତ ଭକ୍ତ ଅଭିମନ୍ୟୁ, ଜୀବନର ଏ ଅନ୍ତିମ ମୁହୂର୍ତ୍ତରେ ଯାହା ପାଇଲେ ହୁଏତ ସାଧାରଣ ମଣିଷ ପକ୍ଷରେ ତାହା ଲାଭ କରିବା ସମ୍ଭବ ନୁହେଁ । ଅଭିମନ୍ୟୁଙ୍କ ଜୀବନ ଥଲା ଭକ୍ତି ଓ ପ୍ରୀତିର ଜାହ୍ନବୀ । ସେ ଜାହ୍ନବୀଧାରାର କୁଳୁକୁଳୁ ଧ୍ଵନି, ତାଙ୍କ ରଚନାରେ ଛନ୍ଦାୟିତ ହୋଇ ଉଠିଛି, ସେଥିରୁ ପ୍ରମାଣିତ ହୁଏ ଯେ ଜୀବନ ସାହିତ୍ୟ ଏକ ତଥା ଅଭିନ୍ନ ।

 

***

 

ଦ୍ୱିତୀୟ ଅଧ୍ୟାୟ

 

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା (ରାଜନୀତିକ) :

 

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା, ଯଥାର୍ଥରେ ଏକ ଦୁଃଖିନୀ ଓଡ଼ିଶା । ତାର ଇତିହାସର ପ୍ରତ୍ୟେକ ପୃଷ୍ଠା ଅତ୍ୟାଚାରର ନିର୍ଦ୍ଦୟ-ନିର୍ମମ କଷାଘାତରେ ଜର୍ଜରିତ । ଲୁଟତରାଜର ଭୟାବହ ଲୋମହର୍ଷଣ ଘଟଣା ସବୁ ଏହି ସମୟର ଓଡ଼ିଶାକୁ ଯେପରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ କରାଇଥିଲା, ତା’ର ଚିତ୍ର ଡକ୍‌ଟର ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ରୁ ମିଳିଥାଏ । ତାଙ୍କ ଭାଷାରେ- ‘‘ମରହଟ୍ଟା ଶାସନ କହିଲେ ଓଡ଼ିଶାରେ ଅତ୍ୟାଚାରର ଏକ ପ୍ରତିଶବ୍ଦ ବୋଲି ବ୍ୟବହୃତ ହୁଏ । ଆଜିସୁଦ୍ଧା ସେ ଶାସନର ଭୟ ଜନଶ୍ରୁତିରେ ଜୀବିତ ଅଛି । ଅର୍ଥ ଆହରଣ ପାଇଁ ଯେ ନିଷ୍ଠୁର ଅତ୍ୟାଚାର କରାଯାଉଥିଲା, ତାହା ଆଜିସୁଦ୍ଧା ଲୋକମୁଖରୁ ଶୁଣାଯାଏ ।’’

 

ଓଡ଼ିଶାରେ ମରହଟ୍ଟା ଶାସନର ସମୟ ୧୭୫୧ ରୁ ୧୮୦୩ ବୋଲି ଐତିହାସିକମାନେ ଗ୍ରହଣ କରିଅଛନ୍ତି । ୧୭୫୧ ସାଲରେ ବଙ୍ଗଳାର ଶାସକ ଆଲିବର୍ଦ୍ଦି ଖାଁଙ୍କୁ ପରାସ୍ତକରି ମରହଟ୍ଟା ଶାସକ ଓଡ଼ିଶାକୁ ନିଜ ଅକ୍ତିଆରକୁ ଆଣିଲେ । ସେହିଠାରୁ ୧୮୦୩, ଅର୍ଥାତ୍‌ ଇଂରେଜମାନେ ଓଡ଼ିଶା ଦଖଲ କରିବା ସମୟ ପର୍ଯ୍ୟନ୍ତ ହେଉଛି ଓଡ଼ିଶାରେ ମରହଟ୍ଟା ରାଜତ୍ଵ । କିନ୍ତୁ ଓଡ଼ିଶା ଅଧିକାର କରି ମଧ୍ୟ ମରହଟ୍ଟାମାନେ ଓଡ଼ିଶାରେ ଏକ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିପାରି ନ ଥିଲେ । ପ୍ରତିଷ୍ଠିତ ତଥା ଶୃଙ୍ଖଳିତ ଶାସନ ବ୍ୟବସ୍ଥା ଯଥାର୍ଥରେ ଶାସକର ବ୍ୟକ୍ତିତ୍ୱ ଓ ସଂଗଠନ ନିପୁଣତା ଉପରେ ହିଁ ନିର୍ଭର କରିଥାଏ । ମାତ୍ର ମରହଟ୍ଟା ଶାସକଙ୍କର ସେପରି ବ୍ୟକ୍ତିତ୍ଵ ନ ଥିଲା । ଅନ୍ତର୍ବିବାଦ ଯୋଗୁଁ ମରହଟ୍ଟା ଶାସନର କେନ୍ଦ୍ରଶକ୍ତି ହୋଇପଡ଼ିଥିଲା ଅତ୍ୟନ୍ତ ଦୁର୍ବଳ । କ୍ଷମତା-ଲାଭର ଉତ୍କଟ ନିଶା ଓ ବ୍ୟକ୍ତିଗତ ସ୍ଵାର୍ଥଲିପ୍‌ସା କାଳେ କାଳେ ଶାସନର ଶୃଙ୍ଖଳିତ ପଥକୁ ବିଶୃଙ୍ଖଳିତ କରିଥାଏ । ବସ୍ତୁତଃ ମରହଟ୍ଟା ଶାସକଙ୍କର ଅବସ୍ଥା ତାହାହିଁ ହୋଇଥିଲା । ସେଥିପାଇଁ ଦୃଢ଼ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରି ନ ଥିଲା । ମରହଟ୍ଟା ଅଧିକୃତ ଓଡ଼ିଶାର କରୁଣ ଚିତ୍ର ଉପସ୍ଥାପିତ କରି ଇଂରେଜ ଐତିହାସିକ W.W.Hunter, History of Orissa, Vol II ରେ ଲେଖିଛନ୍ତି ‘‘I have most carefully examined this records of this period but I can detect absolutely no trace of anything like a civil administration. The Marahatta cavalry herried the country at stated periods each year and departed with the spoil. The village Communes alone stand out above the stormy waste of water and their internal organisation formed the only sort of civil Government during the forty years which preceded our succession in 1803.

 

ମରହଟ୍ଟା ଓଡ଼ିଶା ଅଧିକାର କରି ସୁଦ୍ଧା ବାରମ୍ବାର ଓଡ଼ିଶାର ଜମିଦାର ଓ ଦୁର୍ଗପତିମାନଙ୍କର ପ୍ରତିରୋଧର ସମ୍ମୁଖୀନ ହେଉଥିଲା । ସେମାନଙ୍କର କେନ୍ଦ୍ରଶାସନ ଅବ୍ୟବସ୍ଥିତ ଓ ବିଶୃଙ୍ଖଳିତ ଥିବାରୁ, ସେମାନଙ୍କୁ ବେଶୀ ଭାବରେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଫଳରେ ମରହଟ୍ଟାମାନେ ଓଡ଼ିଶାରେ, ଶାସନ ନାମରେ ଯେପରି ଅରାଜକତାର ସୃଷ୍ଟି କରିଥିଲେ ଓ ଲୁଟତରାଜ କରି ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲେ, ଇତିହାସରେ ଯଥାର୍ଥରେ ତାର ପଟାନ୍ତର ନାହିଁ । ପୁଣି ଓଡ଼ିଶାରେ ମଧ୍ୟ ସାମନ୍ତ ଜମିଦାର ଓ ଦୁର୍ଗପତିମାନଙ୍କ ମଧ୍ୟରେ ସମନ୍ଵୟ ତଥା ସୁସମ୍ପର୍କ ନ ଥିଲା । କ୍ଷୁଦ୍ର କ୍ଷୁଦ୍ର ସ୍ଵାର୍ଥ ନେଇ, ସେମାନେ ନିଜ ନିଜ ମଧ୍ୟରେ ଘୋର ଶତ୍ରୁତା ଆଚରଣ କରିବାକୁ ସୁଦ୍ଧା କୁଣ୍ଠିତ ହେଉ ନ ଥିଲେ । ଫଳରେ, ନିଜ ଦେଶ ବା ଜାତିର ସ୍ୱାର୍ଥକୁ ଜଗିବା ଅପେକ୍ଷା ନିଜର ବ୍ୟକ୍ତିଗତ ସ୍ଵାର୍ଥ ଲିପ୍‌ସାର ଚରିତୀର୍ଥତା ହୋଇଉଠିଥିଲା ସେମାନଙ୍କର ପରମ ଧର୍ମ । ତେଣୁ ଦେଶର ସ୍ଵାଧୀନତାର କଥା କାହାରି ମନରେ ନଥିଲା କିମ୍ବା ସେଥିପାଇଁ ଦେଶରେ ସାମାନ୍ୟତମ ଉଦ୍ୟମ ସୁଦ୍ଧା ପରିଲକ୍ଷିତ ହୋଇ ନ ଥିଲା । ବିନାପ୍ରତିବାଦରେ ଓଡ଼ିଆମାନେ ଯେପରି ସହିଥିଲେ ମୋଗଲ ଅତ୍ୟାଚାର, ବିନାଭୂମିକାରେ ସେହିପରି ଅନୁଭବ କଲେ ବର୍ଗୀମାନଙ୍କର ନୃଶଂସ ନିର୍ଯ୍ୟାତନା । ସେଦିନ ମୋଗଲମାନଙ୍କର ଅତ୍ୟାଚାରରେ ଗାଁ ଗାଁ ରେ ଖେଳି ବୁଲିଥିଲା ଅଗ୍ନିର ପ୍ରଳୟଙ୍କରୀ ଲାଲ ଶିଖା । ମନ୍ଦିର, ଦେବାନୁଷ୍ଠାନମାନ ମୋଗଲ ଅତ୍ୟାଚାରରେ ଭୂଲୁଣ୍ଠିତ ହୋଇଥିଲା । ଆଉ ତାହାରି ଉପରେ ତିଆରି ହୋଇଥିଲା ନୂଆ ନୂଆ ମସ୍‌ଜିଦ୍‌ମାନ । ‘ହରେକୃଷ୍ଣ ହରେରାମ’ର ଧ୍ୱନି ଛପାଇ, ଗଗନ ପବନ ମୁଖରିତ କରି ଉଠିଥିଲା ‘ଆଲ୍ଲା ହୋ ଆକବର’ର ଧ୍ଵନି । ସେତେବେଳେ ଯେପରି ସାମନ୍ତ ଦୁର୍ଗପତିମାନେ ମୋଗଲ ବିରୁଦ୍ଧରେ ଟିପ ସୁଦ୍ଧା ଉଠେଇ ପାରି ନ ଥିଲେ, ମରହଟ୍ଟା ଶାସନରେ ମଧ୍ୟ ସେହିପରି ସେମାନେ ଥିଲେ ନୀରବ...ନିସ୍ପନ୍ଦ । ଫଳରେ ଓଡ଼ିଶାର ଇତିହାସ, ମରହଟ୍ଟା ବର୍ଗୀ ଅତ୍ୟାଚାରରେ ରକ୍ତାକୁ ହୋଇ ଉଠିଥିଲା ।

 

ଏହି ଦୁଃସହ ରାଜନୀତିକ ପରିସ୍ଥିତିର ଶରବ୍ୟ ପଲ୍ଲୀ ଓଡ଼ିଶାର ସେ କରୁଣ ଚିତ୍ର ବାସ୍ତବିକ ଅତ୍ୟନ୍ତ ହୃଦୟସ୍ପର୍ଶୀ । ଓଡ଼ିଶାର ସାମାଜିକ ଜୀବନ ସେତେବେଳେ ଯେଉଁ ଭୟ, ଆଶଙ୍କା ଓ ଅନିଶ୍ଚିତତାର ସମ୍ମୁଖୀନ ହୋଇଥିଲା, ସେଥିରୁ ଗୋଟାଏ ଜାତି ଯେ ଶେଷ ପର୍ଯ୍ୟନ୍ତ ବଞ୍ଚି ରହିପାରିଲା, ତାହା କେବଳ ତାର କଳା, ସାହିତ୍ୟ ଓ ସଂସ୍କୃତି ଯୋଗୁହିଁ ସମ୍ଭବ ହୋଇଥିଲା । ‘‘ଅତ୍ୟନ୍ତ ଦୃଢ଼ତାର ସହିତ ପଲ୍ଲୀର ସାମାଜିକ ସଙ୍ଗଠନ, ନିଜ ନିଜ ସ୍ତରରେ ଜାତୀୟ ସଂସ୍କୃତି, ସାହିତ୍ୟ ଓ କଳାକୁ ରକ୍ଷା କରିବାପାଇଁ ଉଦ୍ୟମ କରି ଆସିଥିଲା । ଦେଶର ବିଭିନ୍ନ ପ୍ରାନ୍ତରେ ଖଣ୍ଡାୟତ ଦଳପତିଗଣ ସମୟେ ସମୟେ ଅତ୍ୟାଚାରୀ ମରହଟ୍ଟା ଶାସକ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବାକୁ ପଶ୍ଚାତ୍‌ପଦ ହେଉ ନ ଥିଲେ । ତେବେ ରାଜନୈତିକ ଅନିଶ୍ଚିତତା ଏବଂ ଅର୍ଥନୈତିକ ଦୁର୍ଗତି ସତ୍ତ୍ୱେ ସାହିତ୍ୟ ଓ କଳାର ପୃଷ୍ଠପୋଷକତା ପାଇଁ ରାଜା, ଜମିଦାରଗଣ ଅତ୍ୟନ୍ତ ଆଗ୍ରହୀ ଥିଲେ । ତେଣୁ ଦେଶର ଏଇ ସଙ୍କଟ- କାଳରେ ସୁଦ୍ଧା ଓଡ଼ିଆ ରୀତି ସାହିତ୍ୟର ନିରବଚ୍ଛିନ୍ନ ଅଥଚ ସମୃଦ୍ଧ ପ୍ରବାହ ଦେଖିବାକୁ ମିଳିଥାଏ।’’ (୧) କବି ଅଭିମନ୍ୟୁ ଥିଲେ ଏଇ ପରମ୍ପରାର ଜଣେ ସୁଯୋଗ୍ୟ ଦାୟାଦ । ମରହଟ୍ଟାମାନେ ଓଡ଼ିଶାର ଅର୍ଥନୀତିକ ଓ ରାଜନୀତିକ ଜୀବନକୁ ବିପର୍ଯ୍ୟସ୍ତ କରିଥିଲେ ମଧ୍ୟ ମୋଗଲମାନଙ୍କ ପରି ଓଡ଼ିଶାର ଧର୍ମୀୟ ଅନୁଷ୍ଠାନମାନଙ୍କରେ କୌଣସି ହସ୍ତକ୍ଷେପ କରିନଥିଲେ । ଫଳରେ ଓଡ଼ିଶାର ଆଧ୍ୟାତ୍ମିକ ତଥା ଧର୍ମୀୟ ଜୀବନ, ମରହଟ୍ଟା ଶାସନ କାଳରେ ଥିଲା ଶାସନ- ଶୋଷଣ ମୁକ୍ତ । ଏହି କାରଣରୁ ସେତେବେଳେ ଓଡ଼ିଶାରେ ଆଧ୍ୟାତ୍ମିକ ସାହିତ୍ୟ- ସର୍ଜନାରେ ସାମାନ୍ୟତମ ଶିଥିଳତା ସୁଦ୍ଧା ଦେଖା ଦେଇ ନଥିଲା । ଏହି ସମୟ ମଧ୍ୟରେ ରଚିତ ହୋଇଥିବା ବହୁ ପୁରାଣ ଓ କାବ୍ୟମାନ, ଓଡ଼ିଶାର ଧର୍ମୀୟ ଚେତନା ତଥା ଆଧ୍ୟାତ୍ମିକ ପରି- ବେଶର ଫଳଶ୍ରୁତି ମାତ୍ର ।

 

(୧) ଅଧ୍ୟାପକ ପଠାଣି ପଟ୍ଟନାୟକ - ବିଦଗ୍‌ଧ ଚିନ୍ତାମଣି ( ନାଳନ୍ଦା) - ପୃ ୧୧

 

ରୀତିଯୁଗ ସାହିତ୍ୟର ପୃଷ୍ଠଭୁମି :

ରୀତିଯୁଗର ବିଶିଷ୍ଟ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ସାହିତ୍ୟାଦର୍ଶ ତଥା କାବ୍ୟଚେତନାର ସମ୍ୟକ୍‌ ପରିଚୟ ପାଇବାକୁ ହେଲେ ରୀତିଯୁଗ ସାହିତ୍ୟର ପୃଷ୍ଠଭୂମି ଜାଣିବା ଯେ ସର୍ବାଦୌ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ । କାରଣ ପ୍ରତ୍ୟେକ କବି ଯେପରି ଯୁଗର ସୃଷ୍ଟି ସେହିପରି ନିଜର ଅନନ୍ୟସାଧାରଣ କବିପ୍ରତିଭା ପାଇଁ କେହି କେହି ଯୁଗର ସ୍ରଷ୍ଟା ମଧ୍ୟ ହୋଇଥାନ୍ତି । ଅଭିମନ୍ୟୁଙ୍କୁ ଅବଶ୍ୟ ରୀତିଯୁଗ ସାହିତ୍ୟର ସ୍ରଷ୍ଟା ବୋଲି ଗ୍ରହଣ କରାଯାଇ ନ ପାରେ । ମାତ୍ର ଉପେନ୍ଦ୍ରସୃଷ୍ଟ ଏଇ ଯୁଗରେ ଅଭିମନ୍ୟୁଙ୍କ କାବ୍ୟସୃଷ୍ଟି କଳା ଚେତନାର ଯେଉଁ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଇଛି, ସେଥିରେ ଉପେନ୍ଦ୍ର କବିସମ୍ରାଟ ହୋଇପାରନ୍ତି; ମାତ୍ର ଅଭିମନ୍ୟୁ ଯଥାର୍ଥରେ ରସର ସମ୍ରାଟ ଓ ସଂଗୀତ ସମ୍ରାଟ ଭାବରେ ପରିଚିତ ହେବେ ।

 

ରୀତିଯୁଗ ସାହିତ୍ୟର ମୌଳିକ ଆଦର୍ଶ ଥଲା ସଂସ୍ଫୃତ ଅଳଙ୍କାର ଶାସ୍ତ୍ରର ପଦାଙ୍କ ଅନୁସରଣ କରିବା । ବସ୍ତୁତଃ ସେତେବେଳେ ଭାରତବର୍ଷର ଜାତୀୟ ସାହିତ୍ୟ ଥିଲା ସଂସ୍କୃତ ସାହିତ୍ୟ ଓ ଏହି ସାହିତ୍ୟରୁ ଆଞ୍ଚଳିକ ଭାଷାର ସାହିତ୍ୟ ସବୁ ଉପାଦାନ ସଂଗ୍ରହ କରି ପୁଷ୍ଟ ହୋଇଥଲା । ତେଣୁ ରୀତି ସାହିତ୍ୟ ଯେ କେବଳ ଓଡ଼ିଶାରେ ସୃଷ୍ଟି ହୋଇଥଲା, ତାହା ନୁହେଁ, ଭାରତବର୍ଷର ବହୁ ପ୍ରାଦେଶିକ ସାହିତ୍ୟରେ ଏହାର ପ୍ରଭାବ ଅନସ୍ଵୀକାର୍ଯ୍ୟ । ‘‘ଭାରତୀୟ ସାହିତ୍ୟର ପରଂପରାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ବହୁ ପ୍ରାଚୀନ କାଳରୁ ସାହିତ୍ୟରେ ଏପରି ଏକ ରୀତି ଗଡ଼ି ଆସୁଛି !’ ‘Indian inscription and antiquity of Indian artificial poetry’ ରେ ବ୍ୟୁଲର୍‌ କହିଛନ୍ତି ଯେ, ରୁଦ୍ରଦମନଙ୍କ ଗୀର୍ନାର ଶିଳାଲେଖରେ ଅଳଙ୍କାର ଶାସ୍ତ୍ରର ସୂଚନା ମିଳେ । ଜୈନ ଧର୍ମର ପ୍ରସାର କାଳରେ ଯେଉଁ ଜୈନ ‘ଚରିଓ କହା’ ବା ଚରିତକଥା ରଚନା କରାଯାଇଥିଲା, ଏଥିରୁ ମଧ୍ୟ ଏହି କାବ୍ୟ-ରୀତିର କେତେକ ସନ୍ଧାନ ମିଳେ । ଏତଦବ୍ୟତୀତ କବି ଅଶ୍ଵଘୋଷ, ମହାକବି କାଳିଦାସ, ବାଣଭଟ୍ଟ, ଶ୍ରୀହର୍ଷ ଭବଭୁତି, ମାଘ, ଭଟ୍ଟୀ, ଉମାପତିଧର, ମୁରାରି ଓ ଭାରବୀ ପ୍ରଭୃତି କବିମାନେ ଆଳଙ୍କାରିକ କାବ୍ୟମାନ ରଚନାକରି ଯାଇଅଛନ୍ତି । ଏପରିକି ଚତୁର୍ଦ୍ଦଶ ଶତାବ୍ଦୀରେ ଆମ ଉତ୍କଳର ତୃତୀୟ ନରସିଂହ ଦେବଙ୍କ ସମୟର ବିଦ୍ୟାଧରଙ୍କ ‘ଏକାବଳୀ’ ଓ ଖ୍ରୀ ୧୫ ଶତାବ୍ଦୀ ପ୍ରାରମ୍ଭରେ ବିଶ୍ଵନାଥ କବିରାଜଙ୍କର ‘ସାହିତ୍ୟ ଦର୍ପଣ’ ପରି ଅଳଙ୍କାର ଶାସ୍ତ୍ର ରଚିତ ହୋଇଥିଲା।’’ (୧)

 

(୧) ଅଧ୍ୟାପକ ପୀତାମ୍ବର ସ୍ୱାଇଁ-ବିଦଗ୍‌ଧ କବି ଅଭିମନ୍ୟୁ ଓ ବିଦଗ୍‌ଧ ଚିନ୍ତାମଣି

 

ରୀତିଯୁଗ ବା ଆଳଙ୍କାରିକ ଯୁଗ ସାହିତ୍ୟର ନାମକରଣରୁ ଏହା ବେଶ୍‌ ସ୍ପଷ୍ଟ ଯେ, ଏହି ଯୁଗରେ କାବ୍ୟର ଆତ୍ମା ଅପେକ୍ଷା, କାବ୍ୟର ଶରୀର ନିର୍ମାଣ ଉପରେ ଅଧିକ ଗୁରୁତ୍ଵ ଆରୋପିତ ହୋଇଅଛି । ବସ୍ତୁତଃ, କାବ୍ୟପୁରୁଷ ମଣିଷର ଶରୀର ଓ ଆତ୍ମାପରି, ଦୁଇଟି ବିଭାବକୁ ନେଇ ପରିପୁଷ୍ଟ ହୋଇଥାଏ । କୌଣସି କୌଣସି ସମୟରେ କାବ୍ୟର ଆତ୍ମିକ ଉତ୍କର୍ଷ ପ୍ରତି କବିମାନେ ସଚେତନ ହୋଇଥାଆନ୍ତି ତ ଅନ୍ୟ କୌଣସି ସମୟରେ କାବ୍ୟର ଶରୀର ପ୍ରତି ଆଗ୍ରହୀ ହୋଇ ଉଠିଥାଆନ୍ତି । ଅଳଙ୍କାର ଯେପରି ସୁନ୍ଦରୀ ନାୟିକାର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ, ସୁନ୍ଦରୀ ନାରୀ ତୁଲ୍ୟ କାବ୍ୟର ମଧ୍ୟ ସେହିପରି ଉତ୍କର୍ଷ ବୃଦ୍ଧି କରିଥାଏ । ସୁତରାଂ ରୀତି ସାହିତ୍ୟ ସୃଷ୍ଟି ମୂଳରେ କାବ୍ୟର ଦୈହିକ ସୌନ୍ଦର୍ଯ୍ୟ-ବୃଦ୍ଧି ପିପାସା ଯେ ବେଶୀ, ଏଥରେ ସନ୍ଦେହ ନାହିଁ । ଆତ୍ମପକ୍ଷ ଅପେକ୍ଷା ଶରୀର ପକ୍ଷର ପରିଚର୍ଯ୍ୟା ଥିଲା ଏଯୁଗର କାବ୍ୟସାଧନାର ଚରମ ଉଦ୍ଦେଶ୍ୟ ।

 

ରୀତିଯୁଗ ସାହିତ୍ୟ-ସୃଷ୍ଟିର ପ୍ରାକ୍‌ କାଳରେ ଓଡ଼ିଆ ସାହିତ୍ୟରେ ଯେଉଁ କାବ୍ୟ-ମହାକାବ୍ୟମାନ ଆମର ଦୃଷ୍ଟିପଥାରୂଢ଼ ହୁଅନ୍ତି, ସେସବୁ ମୁଖ୍ୟତଃ ଅଲୌକିକ ଚରିତ୍ର ଓ କାହାଣୀକୁ ନେଇ ହିଁ ଗଢ଼ି ଉଠିଥିଲା । ପ୍ରାକ୍‌ ପଞ୍ଚସଖା ଓ ପଞ୍ଚସଖା ଯୁଗରେ କାବ୍ୟ-ମହାକାବ୍ୟମାନଙ୍କରେ ଚିତ୍ରିତ ଚରିତ୍ରମାନେ କେବେହେଲେ ସାଧାରଣ ମଣିଷ ତ ଦୂରର କଥା, ଏପରିକି ମଣିଷ ବି ନୁହଁନ୍ତି-। ସେହି ରାଧା-କୃଷ୍ଣ, ରାମସୀତା ପ୍ରଭୃତି ଚରିତ୍ରଙ୍କୁ ନେଇ କାବ୍ୟ-କବିତା ରଚନା କରିବାର ଧାରା, ରୀତିଯୁଗରେ ପ୍ରଥମ ଥର ପାଇଁ ପରିବର୍ତ୍ତିତ ହେଲା । ଏହି କାଳରେ ପରିଦୃଶ୍ୟମାନ କବିମାନେ ପୌରାଣିକ ଚରିତ୍ରମାନଙ୍କୁ ନେଇ ରୀତିକାବ୍ୟ ରଚନା କରିବା ସଙ୍ଗେ ସଙ୍ଗେ ଏପରି ଅନେକ କାବ୍ୟ ନୂତନ କରି ସୃଷ୍ଟି କଲେ, ଯେଉଁଥିରେ ଆମେ ପ୍ରଥମେ ‘ମଣିଷ’କୁ ହଁ କାବ୍ୟ-ସଂସାରରେ ବିଚରଣ କରିବାର ଦେଖିଲୁ । ରୀତିଯୁଗର ଏଇସବୁ କାଳ୍ପନିକ କାବ୍ୟମାନଙ୍କରେ ରାଜପୁତ୍ର, ରାଜକୁମାରୀ ଓ ସେମାନଙ୍କର ପ୍ରଣୟକାହାଣୀ ଯେପରି ଆଳଙ୍କାରିକ ରୀତିରେ ପ୍ରକାଶ ପାଇଲା, ସେଥିରୁ ଅନୁମିତ ହୁଏ ଯେ, ପୌରାଣିକତା ଅପେକ୍ଷା ଲୌକିକତାର ସ୍ଵାଦ କୌଣସି ଗୁଣରେ କମ୍‌ ନୁହେଁ । ଫଳରେ ଓଡ଼ିଆ କାବ୍ୟସାହିତ୍ୟରେ ରାଧା-କୃଷ୍ଣ ରାମ-ସୀତାଙ୍କ ସହିତ ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡସୁନ୍ଦରୀ ବା ପ୍ରେମସୁଧାନିଧିମାନେ ମଧ୍ୟ ବିଚରଣ କରିବାକୁ ଲାଗିଲେ । ରାଜକୁମାର ଓ ରାଜକୁମାରୀମାନଙ୍କ ପ୍ରଣୟ ବର୍ଣ୍ଣନାରେ କୌଣସି ଆଧ୍ୟାତ୍ମିକ ଅନୁଭୂତି ନୁହେଁ ବରଂ ଲୌକିକ ପ୍ରେମର ଅନୁଭବହିଁ ପ୍ରକଟିତ ହେଲା ବେଶୀ । ଶ୍ରୀଧର ଦାସଙ୍କ କାଞ୍ଚନଲତା, ରଘୁନାଥ ହରିଚନ୍ଦନଙ୍କ ଲୀଳାବତୀ, ନରସିଂହଙ୍କର ପରିମଳା, ଲୋକନାଥଙ୍କର ସର୍ବାଙ୍ଗସୁନ୍ଦରୀ, ଚିତ୍ରକଳା, ଧନଞ୍ଜୟ ଭଞ୍ଜଙ୍କର ତ୍ରିପୁର ସୁନ୍ଦରୀ, ଅନଙ୍ଗରେଖା, ଉପେନ୍ଦ୍ରଭଞ୍ଜଙ୍କ ଉପରଲିଖିତ କାବ୍ୟମାନଙ୍କ ସହ ରସିକ ହାରାବଳୀ, ରସଲେଖା, କଳାବତୀ, ତ୍ରୈଲୋକ୍ୟ ମୋହିନୀ, ଶଶିରେଖା, ପ୍ରଭୃତି କାଳ୍ପନିକ କାବ୍ୟମାନଙ୍କରେ ଅଳଙ୍କାର ତଥା ରୀତିକାବ୍ୟର ଯେଉଁ ସୁଷମ ବିକାଶ ଘଟିଛି, ତାର ପଟାନ୍ତର ନାହିଁ ।

 

ରୀତିବାଦର ସ୍ରଷ୍ଟା ବାମନ ରୀତିସାହିତ୍ୟର ଯେଉଁ ଲକ୍ଷଣ ନିର୍ଦ୍ଦେଶ କରିଅଛନ୍ତି, ସେଥିରୁ ଜଣାଯାଏ ଯେ, ବିଶିଷ୍ଟ ପଦରଚନା ପ୍ରଣାଳୀକୁ ରୀତି କୁହାଗଲେ ମଧ୍ୟ ତାହା ପୂର୍ଣ୍ଣତଃ ଗୁଣବର୍ଜିତ ନୁହେଁ । ଶୈଳୀ ଓ ଗୁଣ- ଏହି ଉଭୟର ମିଶ୍ରଣରେ ଯେଉଁ କାବ୍ୟ ରଚନା କରାଯାଏ, ତାହାହିଁ ରୀତିକାବ୍ୟ । କିନ୍ତୁ ଏହି ରୀତି ଓ ଗୁଣ ଯେ ଏକ ଓ ଅଭିନ୍ନ ତାହା କେବଳ ଆକଙ୍କାରିକ ବାମନ ନୁହଁନ୍ତି, ଦଣ୍ଡୀ ପ୍ରମୁଖ ଆଳଙ୍କାରିକମାନେ ସୁଦ୍ଧା ଅନୁଭବ କରିନାହାନ୍ତି । କିନ୍ତୁ ଭମହ ଏହି ଉଭୟ ମଧ୍ୟରେ ଏକ ସୁଷମ ସମନ୍ଵୟ ଘଟାଇଅଛନ୍ତି ଓ ତାହାକୁ ସ୍ପଷ୍ଟ ଭାବରେ ଅନୁଭବ କରିବା ପାଇଁ ଏକ ଚମତ୍କାର ରୂପକ ମଧ୍ୟରେ ବୁଝାଇ କହିଅଛନ୍ତି - “ସୁନ୍ଦରୀର ମୁଖଛବି ଯେତେ କମନୀୟ ହେଉପଛେ, ଭୁଷାହୀନ ହେଲେ କିନ୍ତୁ ତାହା ଆଦୌ ଶୋଭା ପାଏ ନାହିଁ ।’’ ଏହି ଅଳଙ୍କରଣ, ଅଳଙ୍କାରବାଦୀମାନଙ୍କଦ୍ଵାରା କାବ୍ୟର ଆତ୍ମାରୂପେ ବିବେଚିତ ହୋଇଅଛି । ଗୁଣର ପ୍ରସାଦ ପରିବର୍ତ୍ତେ ଅଳଙ୍କରଣର ଚମତ୍କାରିତା ଏଥରେ ପ୍ରଧାନ ଆଭିମୁଖ୍ୟ ରୂପେ ବିବେଚିତ ହୋଇଥାଏ । (୧) ରୀତିଯୁଗର କବିମାନଙ୍କ କାବ୍ୟରେ ଏହି ଲକ୍ଷଣ ଯେ ସୁପରିପୁଷ୍ଟ କହିବା ବାହୁଲ୍ୟମାତ୍ର ।

 

(୧) ସୁରେନ୍ଦ୍ର ମହାନ୍ତି; ଓଡ଼ିଆ ସାହିତ୍ୟର କ୍ରମବିକାଶ; ପୃ ୬୬

 

ଓଡ଼ିଆ ରୀତିକାବ୍ୟ ସୃଷ୍ଟିର ପ୍ରାକ୍‌କାଳରେ, ଓଡ଼ିଶାରେ ସଂସ୍କୃତ କାବ୍ୟ ସୃଷ୍ଟିର ଏକ ସୁଦୃଢ଼ ପରମ୍ପରା ପ୍ରତିଷ୍ଠିତ ହୋଇସାରିଥିଲା । ଅଷ୍ଟାଦଶ ଶତାବ୍ଦୀର ବହୁ ପୂର୍ବରୁ ଉଦୟନ, ଗୋବର୍ଦ୍ଧନାଚାର୍ଯ୍ୟ, ଜୟଦେବ, କବି ଭାସ୍କର, ବିଶ୍ଵନାଥ କବିରାଜ ଓ ରାୟରାମାନନ୍ଦ ପ୍ରଭୃତି ସଂସ୍କୃତରେ କାବ୍ୟ, ନାଟକ ଓ ଅଳଙ୍କାର ଶାସ୍ତ୍ର ପ୍ରଣୟନ କରି ଆଳଙ୍କାରିକ କାବ୍ୟ ସୃଷ୍ଟିର ଯେଉଁ ଭିତ୍ତି ସ୍ଥାପନ କରିଥିଲେ, ପରବର୍ତ୍ତୀ କାଳରେ ଓଡ଼ିଆ ରୀତି କବିମାନେ, ଓଡ଼ିଆ ଭାଷାରେ କାବ୍ୟ ରଚନା କରି ତାହାର ହିଁ ପୁଷ୍ଠି ସାଧନ କରିଅଛନ୍ତି । ସଂସ୍କୃତ ସାହିତ୍ୟର ସମକକ୍ଷ ହେବାପାଇଁ ଓଡ଼ିଆ କାବ୍ୟର ଏଇ ଯେଉଁ ‘ପ୍ରତିସ୍ପର୍ଦ୍ଧା’ ତାହାର ମଧ୍ୟ ଐତିହାସିକ କାରଣ ବିଦ୍ୟମାନ । ବସ୍ତୁତଃ ସେ କାଳରେ ରାଜ ଦରବାର ଓ ଚଉପାଢ଼ୀମାନେ ହିଁ ଥିଲେ କାବ୍ୟଚର୍ଚ୍ଚାର ପ୍ରକୃଷ୍ଟ ସ୍ଥଳ । ଏହିସବୁ ରାଜଦରବାର ଓ ଚଉପାଢ଼ୀମାନଙ୍କରେ ଯେଉଁ ସଂସ୍କୃତ ପଣ୍ଡିତମାନେ ଥିଲେ, ସେମାନଙ୍କ ଆଗରେ ସରଳ ଓ ବୋଧଗମ୍ୟ ଭାଷାରେ ଓଡ଼ିଆ କାବ୍ୟ ରଚନା ଅତ୍ୟନ୍ତ ଅବହେଳିତ ହୋଇଥିଲା ଖାଲି ନୁହେଁ, ସେଥିପାଇଁ ସେମାନଙ୍କର ତାଚ୍ଛଲ୍ୟ ମଧ୍ୟ ସହ୍ୟ କରିବାକୁ ପଡିଥିଲା । ‘‘ଏହି ପରିସ୍ଥିତିରେ ଓଡ଼ିଆ କାବ୍ୟକର୍ତ୍ତାମାନଙ୍କ ମଧ୍ୟରେ ଏକ ଗୌଣ ମନୋବୃତ୍ତି ସଞ୍ଚାରିତ ହୋଇଥିବା ଅସମ୍ଭବ ନୁହେଁ-। ଏ ସବୁର ପରିଣତିସ୍ଵରୂପ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ୟରେ ଦେଖିବାପାଇଁ ମିଳିଥାଏ ପ୍ରବଳ ଆଳଙ୍କାରିକ ବିସ୍ଫୋରଣ- ଏପରିକି ସଂସ୍କୃତ ଆଳଙ୍କାରିକ କାବ୍ୟ ‘ନୈଷଧ’ ସହିତ ସମକକ୍ଷ ହେବାର ପ୍ରଚେଷ୍ଟା ।’’ ( ୨)

 

(୨) ସୁରେନ୍ଦ୍ର ମହାନ୍ତି; ଓଡ଼ିଆ ସାହିତ୍ୟର କ୍ରମବିକାଶ; ପୃ ୭୬

 

ଉପେନ୍ଦ୍ରଭଞ୍ଜ ରୀତିଯୁଗ ସାହିତ୍ୟର ସ୍ରଷ୍ଟାଭାବରେ ସ୍ଵୀକୃତି ଲାଭ କରିଥିଲେ ମଧ୍ୟ ଯଥାର୍ଥରେ ରୀତି ଓ ଗୁଣର ମଧୁର ସମନ୍ଵୟ ଅଭିମନ୍ୟୁଙ୍କ କାବ୍ୟରେହିଁ ମଣିକାଞ୍ଚନ ଭଳି ପରିଲକ୍ଷିତ । ଉପେନ୍ଦ୍ରଙ୍କ ଆଗରେ ଥିଲା ଗୋଟିଏ ମାତ୍ର କାବ୍ୟାଦର୍ଶ ଓ ତାହା ହେଉଛି ଓଡ଼ିଆ କାବ୍ୟକୁ ସଂସ୍କୃତ ସାହିତ୍ୟର ସମସ୍ତରକୁ ଉନ୍ନୀତ କରାଇବା । ଏଥିରେ ସେ ଯେ ଅନେକ ପରିମାଣରେ ସଫଳ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ । ମାତ୍ର ରୀତିର ଚାତୁରୀ ଦେଖାଇବା ପାଇଁ ଉପେନ୍ଦ୍ର ଯେପରି କାବ୍ୟରେ ‘ନାରିକେଳ ପାକ’ ର ବ୍ୟବସ୍ଥା କରିଛନ୍ତି, ତାହାର ସ୍ଵାଦ ସବୁବେଳେ ଆସ୍ଵାଦନ କରିବା ସମ୍ଭବ ହୁଏ ନାହିଁ । ଉପେନ୍ଦ୍ର ଅବଶ୍ୟ ଏଇ ଆଶଙ୍କାରେ ତାଙ୍କ କାବ୍ୟାମୋଦୀମାନଙ୍କୁ ସଚେତନ କରାଇ କହିଅଛନ୍ତି -

 

‘‘ନାରିକେଳ ଯେ ରସପୁର

ଭକ୍ଷି ନ ପାରନ୍ତି ବାନର ।’’

 

କିନ୍ତୁ ବାନର ତ ଦୂରର କଥା, ସାଧାରଣ ପାଠକ ପକ୍ଷରେ ମଧ୍ୟ ସେ ନାରିକେଳକୁ ଭାଙ୍ଗି ତାର ରସ ପାନ କରିବା ସହଜ ନୁହେଁ । ଉପେନ୍ଦ୍ରଙ୍କ ଆଗରେ ଅଗଣିତ ଓଡ଼ିଆ କାବ୍ୟାମୋଦୀ ନୁହଁନ୍ତି, ମୁଷ୍ଟିମେୟ କେତେଜଣ ଦରବାରିଆ ପଣ୍ଡିତମାନେହିଁ ବିଚରଣ କରୁଥିଲେ । ସେମାନଙ୍କ ଦୃଷ୍ଟିରେ ସଂସ୍କୃତ ସାହିତ୍ୟ ହିଁ ଥିଲା ଏକମାତ୍ର ଶିଷ୍ଟ ସାହିତ୍ୟ । କ୍କିଷ୍ଟ ଓ ଦୁର୍ବୋଧ୍ୟ ପଦ ସବୁ ବୁଝିବାରେ ଯଦି ଦାନ୍ତ ଭାଙ୍ଗି ନ ଗଲା, ତାହାହେଲେ ସେ ଆଉ କାବ୍ୟ କ’ଣ ? ତେଣୁ ହାତରେ ଅକ୍ଷର ଗଣି ଗଣି, ବାଛି ବାଛି ଦୁର୍ବୋଧ୍ୟ ଶବ୍ଦ ସବୁ ସଂଗ୍ରହ କରି କାବ୍ୟ ଲେଖିବା ଥିଲା ସେତେବେଳେ ସବୁଠାରୁ ଆକର୍ଷଣୀୟ କଳାକୌଶଳ । ଉପେନ୍ଦ୍ର ଏହି କୌଶଳକୁ ଖାଲି ଆୟତ୍ତ କରି ନ ଥିଲେ, ସଂସ୍କୃତ ଅଳଙ୍କାର ଶାସ୍ତ୍ର ନିୟମରେ ଉପମା, ଅନୁପ୍ରାସ, ସାଙ୍ଗକୁ ଗୋମୂତ୍ରଛନ୍ଦ, ଅନ୍ତର୍ଲିପି, ବହିର୍ଲିପି ପ୍ରଭୃତି ଅଳଙ୍କାର ଓ ଶୈଳୀରେ ଓଡ଼ିଆ କାବ୍ୟକୁ ସମୃଦ୍ଧ କରିଥିଲେ । ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଯଥାର୍ଥରେ କହିଅଛନ୍ତି- ‘‘ମଧ୍ୟଯୁଗ ଓଡ଼ିଆ ସାହିତ୍ୟରେ ଧ୍ଵନି ବା ବ୍ୟଞ୍ଜନାମୂଳକ ପ୍ରଥମଶ୍ରେଣୀୟ ରଚନାର ସ୍ପଳ୍ପତା ଥିଲେ ହେଁ, ଶବ୍ଦାଳଙ୍କାର ପ୍ରାଚୁର୍ଯ୍ୟ ଉପରେ ହିଁ ସେ ଯୁଗରେ ଅଧକ ଗୁରୁତ୍ଵ ଆରୋପ କରାଯାଉଥିଲା । ଭଞ୍ଜ ପ୍ରଭୃତି କବିମାନେ ଅନୁପ୍ରାସ, ଯମକ, ଶ୍ଳେଷ, ବକ୍ରୋକ୍ତି, ସମସ୍ୟା ପୂରଣ, ସ୍ଵୟଂ ଦୂତୀ, ଅନ୍ତର୍ଲିପି, ବହିର୍ଲିପି ଗୋମୂତ୍ରଛନ୍ଦ, ସିଂହାବଲୋକନ, ମେଷଯୁଦ୍ଧ, ଶୃଙ୍ଖଳା, ବ୍ୟାଘ୍ର-ଗତି, ଏକାକ୍ଷର, ଲୋମ-ବିଲୋମ, ସରୋଷକ, ନିରୋଷ୍ଠକ ପ୍ରଭୃତି ଉପରେ ଗୁରୁତ୍ୱ ଦେଉଥିଲେ ।’’ (୧) ବସ୍ତୁତଃ ଏହି ଦୃଷ୍ଟିରୁ ବିଚାର କଲେ ସ୍ଵୀକାର କରିବାକୁ ହେବ, ଅଭିମନ୍ୟୁ ଥିଲେ ପାଠକ-ସଚେତନ । ସବୁ ପାଠକ ଯେ ସମଶ୍ରେଣୀର ନୁହଁନ୍ତି, ଅଭିମନ୍ୟୁ ଏହା ବୁଝିଥିଲେ । ସେଥିପାଇଁ ସେ ତାଙ୍କ କାବ୍ୟରେ ବିଭିନ୍ନ ପାଠକଙ୍କ ପାଇଁ ବିଭିନ୍ନ ପାକର ବ୍ୟବସ୍ଥା କରି ଦେଇଅଛନ୍ତି ।

 

(୧) ଅଧ୍ୟାପକ ଗୌରୀକୁମାର ବ୍ରହ୍ମା; ଭଞ୍ଜଭୂମିକା; ପୃ.୧୧୩

 

 

Unknown

ତୃତୀୟ ଅଧ୍ୟାୟ

 

କବିତ୍ୱର ଉଷାଲଗ୍ନ :

 

ପ୍ରତିଭା ଓ ପାଣ୍ଡିତ୍ୟର ସମନ୍ଵୟ ହିଁ କବିତ୍ଵ । କିନ୍ତୁ ପାଣ୍ଡିତ୍ୟ ଅପେକ୍ଷା କବିତ୍ୱର ପ୍ରକାଶ ଯେ ଅଧିକ ପ୍ରତିଭା ସାପେକ୍ଷ, ଏଥିରେ ବୋଧହୁଏ ସନ୍ଦେହର ଅବକାଶ ନାହିଁ । ଜଣେ ଇଚ୍ଛା କଲେ, ସାଧନା ବଳରେ ପାଣ୍ଡିତ୍ୟର ଅଧିକାରୀ ହୋଇପାରେ । ମାତ୍ର ପ୍ରତିଭା ନିଶ୍ଚିତ ଭାବରେ ଐଶ୍ଵରିକ ଦାନ । କବି ଅଭିମନ୍ୟୁ ଦେବଦତ୍ତ ସନ୍ତାନ ହୋଇଥିବାରୁ, ତାଙ୍କର ଯେପରି ଥିଲା ସହଜାତ ପ୍ରତିଭା, ସେହିପରି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ପରି ଗୁରୁ ଓ ଟଙ୍କଧର ନାୟକଙ୍କ ପରି ପୃଷ୍ଠପୋଷକ-ବନ୍ଧୁ ତାଙ୍କର ପାଣ୍ଡିତ୍ୟ-ପଥରେ ଥିଲେ ପରମ ଦିଗ୍‌ଦର୍ଶକ ଓ ସହାୟକ । ଏହି ଉଭୟଙ୍କର ପ୍ରେରଣା ଓ ଦିଗ୍‌ଦର୍ଶକ ହିଁ ଅଭିମନ୍ୟୁଙ୍କ କବି ଜୀବନର ଥିଲା ସବୁଠାରୁ ମୂଲ୍ୟବାନ ପାଥେୟ । ଫଳରେ ପ୍ରତିଭା ଓ ପାଣ୍ଡିତ୍ୟର ଅପୂର୍ବ ସମନ୍ଵୟ ସାଧିତ ହୋଇ ଓଡ଼ିଆ କାବ୍ୟ ସାହିତ୍ୟ ମହାମୂଲ୍ୟ କାବ୍ୟଶ୍ରୀରେ ଶ୍ରୀମଣ୍ଡିତ ହୋଇ ଉଠିଥିଲା । କାରୟତ୍ରୀ ଓ ଭାବୟତ୍ରୀ ପ୍ରତିଭାର ଉଭୟ ଧର୍ମରେ ସେ ଥିଲେ ଦୀକ୍ଷିତ ।

ଅତି ଅଳ୍ପ ବୟସରୁ ହିଁ ଜଣାପଡ଼ି ଯାଇଥିଲା ଅଭିମନ୍ୟୁ ଭବିଷ୍ୟତରେ ଜଣେ ପ୍ରସିଦ୍ଧ କବି ଭାବରେ ପ୍ରଭୃତ ଖ୍ୟାତିର ଅଧିକାରୀ ହେବେ । ଅଭିମନ୍ୟୁଙ୍କ କବିତ୍ୱ ପ୍ରାପ୍ତି ସମ୍ପର୍କରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ତାଙ୍କର ‘ଅଭିମନ୍ୟୁ ସାମନ୍ତ ସିଂହାର’ ପ୍ରବନ୍ଧରେ ଏହିପରି ବିବରଣୀ ପ୍ରଦାନ କରିଅଛନ୍ତି - ‘‘କଥିତ ଅଛି ଯେ, ନବବର୍ଷ ବୟସରେ ଅଭିମନ୍ୟୁ ଜଣେ ସାଧୁ ବୈଷ୍ଣବଙ୍କର ପାଦପୂଜା କରି ପ୍ରସାଦ ଭିକ୍ଷା କରିଥିଲେ । ସାଧୁ ସେଥିରେ ସୁପ୍ରସନ୍ନ ହୋଇ ସେହି ବାଳକକୁ କୃଷ୍ଣ ମନ୍ତ୍ରୋପଦେଶ ପ୍ରଦାନ କରିଥିଲେ । ଅଭିମନ୍ୟୁ ଗୃହକୁ ଆସି ସାତଦିନକୁ ସଂକଳ୍ପ କରି ଯୋଗାସୀନ ହେଲେ । କିନ୍ତୁ ତୃତୀୟ ଦିନରେ ତାହାକୁ ଆଦେଶ ହେଲା ଯେ ପୁରୀ ଦେଉଳର ଲକ୍ଷ୍ମୀ ମନ୍ଦିରରେ ଏହି ମନ୍ତ୍ର ଲକ୍ଷେବାର ଜପିଲେ ସିଦ୍ଧିଲାଭ ହେବ । ତଦନୁସାରେ କବି ଜଗନ୍ନାଥ ମନ୍ଦିରକୁ ଯାତ୍ରା କରି ଯଥାସ୍ଥାନରେ ତପ ସାଧନା କରନ୍ତେ, ହଠାତ ମାଳା ତଳକୁ ଖସି ପଡ଼ିଲା । ତହୁଁ ସେ ଆପଣାକୁ ସିଦ୍ଧ ଜାଣି ସେହି ମାଳା ଗ୍ରହଣପୂର୍ବକ ଆଶାପୂର୍ଣ୍ଣ ମନରେ ଗୃହକୁ ପ୍ରତ୍ୟାଗମନ କଲେ । କଥିତ ଅଛି, ସେ ଏହି ମାଳାକୁ ମୃତ୍ୟୁ ପଯ୍ୟନ୍ତ ଧାରଣ କରିଥିଲେ । ଏହି କାଳରୁ ତାଙ୍କର କବିତ୍ଵ ଶକ୍ତି ଅପୂର୍ବ ଭାବରେ ପ୍ରସ୍ଫୁରଣ ହେଲା (୧) ।’’ କେବଳ ଏହି କାହାଣୀଟି ନୁହେଁ, ଏ ସଂପର୍କରେ ଆଉ ମଧ୍ୟ ଏକ ଅଲୌକିକ କାହାଣୀର ଅବତାରଣା କରିଛନ୍ତି ପଣ୍ଡିତ ମୃତ୍ୟୁଞ୍ଜୟ ରଥ । ସେ କାହାଣୀଟି ହେଲା- “ଅନ୍ୟ କେହି କହନ୍ତି, ନଅ ଦଶ ବର୍ଷ ବୟସରେ ଅଭିମନ୍ୟୁ ଜଣେ ବୈଷ୍ଣବଙ୍କୁ ଦେଖି ତାହାଙ୍କ ପ୍ରତି ଭକ୍ତିପ୍ରବଣ ହେଲେ ଏବଂ ଜ୍ଞାନ ଶକ୍ତି ବା କବିତ୍ଵର ବିକାଶ ଲାଗି ମନ୍ତ୍ରୋପଦେଶ ଦେବାକୁ ଅନୁରୋଧ କଲେ । ବୈଷ୍ଣବ ତାହା ବାଳକ ପକ୍ଷରେ ଅତି କଠିନ ବ୍ୟାପାର ଏବଂ ଅସମ୍ଭବ ବୋଲି ନିଷେଧ କଲେ । କିନ୍ତୁ ଅଭିମନ୍ୟୁଙ୍କ ନିର୍ବନ୍ଧାତିଶୟରେ ଆଉ ଭାବଗୋପନ କରି ନପାରି ସେ ତାଙ୍କୁ ମନ୍ତ୍ରୋପଦେଶ ପୂର୍ବକ କହିଲେ “ତୁମେ ତିନିଦିନ ଓ ତିନିରାତି ଅନାହାରରେ ରୁଦ୍ଧ ପ୍ରକୋଷ୍ଠରେ ଏହା ସାଧନା କରିବ । ଚତୁର୍ଥ ଦିନକୁ ବର୍ତ୍ତିଥିଲେ ସିଦ୍ଧିଲାଭ ହେବ । ଯୋଗାରମ୍ଭ ପୂର୍ବରୁ ପରିବାର ମଧ୍ୟରେ ଏହା ଜଣାଇଦେବ ।’’ ମୃତ୍ୟୁର ଭୟ ଶୁଣି ସୁଦ୍ଧା ମନସ୍ଵୀ ଅଭିମନ୍ୟୁ କିଛିମାତ୍ର କାତର ନ ହୋଇ ଆପଣାର ସଂକଳ୍ପିତ କର୍ମ ପୂର୍ବରୁ ଜଣାଇଦେଲେ । ସେ ଦାରୁଣ ସମ୍ବାଦ ଶ୍ରବଣମାତ୍ରେ ସମସ୍ତେ ଏକମାତ୍ର ସଙ୍ଖାଳିର ଭବିଷ୍ୟତ ଭାଳି ଭାଳି ବ୍ୟାକୁଳ ହୋଇପଡ଼ିଲେ । ବାଳକ ଗୋଟିଏ ରୁଦ୍ଧ ଗୃହରେ ଅସୀମ ସାହସ ସହକାରେ ଯୋଗସାଧନ କଲେ । ତିନି ଅହରସି କଟିଗଲା । ଚତୁର୍ଥ ଦିନ ପ୍ରତ୍ୟୁଷରେ ଦ୍ଵାର ଦେଶରେ ରୁଣ୍ଡୀଭୂତ ଗୁରୁଜନ କବାଟ ନ ଫିଟିବାର ଦେଖି ବଳପ୍ରୟୋଗପୂର୍ବକ ତାହା ଭାଙ୍ଗି ସେଥିରେ ପ୍ରବେଶ କରି ଦେଖିଲେ ଯେ ଗୋଟିଏ କ୍ଷୀଣ ତେଜଦୀପ ସ୍ତିମିତ ଭାବରେ ଜଳୁଅଛି ଓ ପ୍ରାଣର ସଙ୍ଖାଳି ଅଭିମନ୍ୟୁ ମୂର୍ଚ୍ଛିତ ହୋଇ ଭୂମିଶାୟୀ ହୋଇଅଛନ୍ତି । ତତ୍‌କ୍ଷଣାତ୍‌ କ୍ରନ୍ଦନର ରୋଳ ସହ ସର୍ବାଙ୍ଗରେ ଲହୁଣୀ ଘଷିବାର କିଛିକ୍ଷଣ ପରେ ଅଭିମନ୍ୟୁଙ୍କର ଚେତା ଫେରିଲା । ସେତେବେଳେ (ରାଧାକୃଷ୍ଣ) ଯୁଗଳମୂର୍ତ୍ତି ଦର୍ଶନ କରୁଥିବାର ସେ ପ୍ରକାଶ କଲେ ଏବଂ ସେହିଦିନଠାରୁ ସିଦ୍ଧିଲାଭ କରି ସେଦି ଯୁଗଳ ଚରିତ ବର୍ଣ୍ଣନାରେ କୃତସଂକଳ୍ପ ହେଲେ ।”(୨) କେବଳ ଅଭିମନ୍ୟୁ ନୁହଁନ୍ତି, ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ବହୁ ବିଶିଷ୍ଟ କବିଙ୍କ ଆତ୍ମଜୀବନୀ ଅନୁଶୀଳନ କଲେ, ଏହିପରି ବହୁ ଅଲୌକିକ କାହାଣୀ ସୃଷ୍ଟି ହୋଇଥିବାର ଦେଖାଯାଏ । ସମ୍ଭବତଃ ଏହି ସବୁ କାହାଣୀ ସୃଷ୍ଟି ମୂଳରେ, ସମସାମୟିକ କାଳର ସାହିତ୍ୟାନୁରାଗୀମାନଙ୍କର ବିସ୍ମୟ ବା ଆଶ୍ଚର୍ଯ୍ୟ ଭାବ ହିଁ ଅଧିକ ଭାବରେ ନିହିତ । ସାଧାରଣ ପାଠକ ଯେତେବେଳେ କାବ୍ୟ-କବିତା ଚର୍ଚ୍ଚା କରୁ କରୁ ଅସାଧାରଣ କାବ୍ୟ ସିଦ୍ଧିର ପରିଚୟ ପାଏ, ସେତେବେଳେ କାରଣ ଖୋଜିବାର ପ୍ରୟାସ ନ କରି, ଏହିପରି ଅନେକ ଅଲୌକିକ କାହାଣୀ କବି ଜୀବନୀ ସହିତ ଗୁନ୍ଥିବସେ । ପରବର୍ତ୍ତୀ କାଳରେ ଏଇ କାହାଣୀ ସବୁ ହିଁ ହୋଇଉଠେ କବି ଜୀବନୀର ଏକ ଏକ ମୂଲ୍ୟବାନ ଅଂଶ । ପାଠକ ସେ ସବୁକୁ ବିଶ୍ଵାସ କରିଯାଏ । ଫଳରେ ତା ମନରେ ଦ୍ୱିଧା ଓ ସଂଶୟ ସବୁ ଉତୁରି ଯାଇ, ସେ ଏହି ସିଦ୍ଧାନ୍ତରେ ଉପନୀତ ହୁଏ ଯେ, ଶାରଳା ଠାକୁରାଣୀ ଯାହା କହିଛନ୍ତି, ସାରଳା ଦାସ ତାହା ହିଁ ଲେଖିଛନ୍ତି, କିମ୍ବା ରାମତାରକ ମନ୍ତ୍ରର ପ୍ରସାଦରେ ଭଞ୍ଜଙ୍କର କବିପଣ ଉଦିତ ହୋଇଅଛି ।

 

(୧) ସୃଷ୍ଟି ଓ ସମୀକ୍ଷା - ପୃ ୧୧

(୨) ସୃଷ୍ଟି ଓ ସମୀକ୍ଷା - ପୃ ୧୧-୧୨

 

ତେବେ ଅଭିମନ୍ୟୁଙ୍କ ସଂପର୍କରେ ପଣ୍ଡିତ ମୃତ୍ୟୁଞ୍ଜୟ ଯେଉଁ ଦୁଇଟି କାହାଣୀର ଅବତାରଣା କରିଛନ୍ତି, ସେଥ୍‌ରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ହେଉଅଛି ଯେ, ଅଭିମନ୍ୟୁଙ୍କ କବି ପ୍ରତିଭାର ସେହି ବାଲ୍ୟକାଳରୁ ହିଁ ଉନ୍ମେଷ ଘଟିଥିଲା ଓ ଯଥାର୍ଥରେ ସେ ଥିଲେ ଏକନିଷ୍ଠ ଭାବରେ କବି । ଅନ୍ତତଃ ଏହି କାହାଣୀଦ୍ୱୟରୁ ଆମେ ଅଭିମନ୍ୟୁଙ୍କର ସେହି ନିଷ୍ଠାର ସୂଚନା ପାଉଛୁଁ, ଯାହା ନ ଥିଲେ, କୌଣସି ବ୍ୟକ୍ତି କୌଣସି କାର୍ଯ୍ୟରେ କେବେହେଲେ ସଫଳତା ହାସଲ କରିପାରିବ ନାହିଁ-। ସାଧନା ଓ ଏକନିଷ୍ଠତା ହିଁ ସଫଳତାର ପ୍ରଥମ ସୋପାନ । ଅଭିମନ୍ୟୁଙ୍କର ପ୍ରତିଭା ଥିଲା, ଥିଲା ମଧ୍ୟ କାବ୍ୟସୃଷ୍ଟିକ୍ଷମ ଅପୂର୍ବ ସୃଜନ - ପିପାସା । ତାହା ସହିତ ଯେତେବେଳେ ମିଶିଗଲା ପାଣ୍ଡିତ୍ୟର ପରାକାଷ୍ଠା ଓ ଏକନିଷ୍ଠତା, ସେତେବେଳେ ତାହା ଏକ ମହାନ୍‌ ସ୍ରୋତରେ ରୂପାନ୍ତରିତ ହୋଇ ଓଡ଼ିଆ କାବ୍ୟଧାରାକୁ ପରିପୁଷ୍ଟ କରି ତୋଳିଲା । ଅଭିମନ୍ୟୁଙ୍କ ଶୈଶବକାଳୀନ ସେ ସବୁ କବିତା ପାଠ କଲେ, ସ୍ୱତଃ ଜଣାଯାଏ ଯେ, ଅନୁଭୂତିର ବହୁ ଗୋପନଦ୍ଵାରର ଚାବି ସେଇ ଶୈଶବରୁ ହିଁ ଅଭିମନ୍ୟୁ ଲାଭ କରିପାରିଥିଲେ ।

 

ଅଭିମନ୍ୟୁଙ୍କର ବିଦଗ୍‌ଧତା ହିଁ ତାଙ୍କ କାବ୍ୟ-ସୃଷ୍ଟିର ଜନ୍ମଭୂମି । ସେଇ ପିଲାବୟସରୁ ସୁଦ୍ଧା ତାଙ୍କ ବିଦଗ୍‌ଧତା ଓ ପରିହାସପ୍ରିୟତାର ପ୍ରଭୃତ ସୂଚନା ମିଳିଥିଲା । ସୂଚନା ମଧ୍ୟ ମିଳିଥିଲା ରାଧାକୃଷ୍ଣ ଯୁଗଳମୂର୍ତ୍ତିଙ୍କ ପାଖରେ ତାଙ୍କର ଏକାନ୍ତିକ ଉକ୍ତିର ପ୍ରାବଲ୍ୟ । ମାତ୍ର ନବମ ବର୍ଷ ବୟସରେ ସେ ଯେଉଁ ଶିଶୁ କବିତା ଲେଖିଛନ୍ତି ତାହା ଏହିପରି -

 

‘‘ଧାନ କୁଟିଦିଅ ଘରେ ଗୋ ମୋର ହୁଁ ଗୋ

କର୍ମଙ୍ଗା ଗଛର ଛାଇ ଗୋ । ମୋର ହୁଁ ଗୋ

କରମ ଯାହାର ସୁଫଳ ହୋଇବ

କୃଷ୍ଣଙ୍କୁ ଲଭିବ ସେହି ଗୋ ।

 

ଗଞ୍ଜେଇ ଗଛର ଛାଇ ଗୋ । ମୋର ହୁଁ ଗୋ

ବେଣୁ ବିନୋଦିଆ ଯେଣେ ଯାଉଥାଇ

ତେଣେ ହୁରି ପଡ଼ୁଥାଇ ଗୋ ।’’

 

ଏହି କବିତାରେ ଯେ କେବଳ କୃଷ୍ଣ ବା ବେଣୁ ବିନୋଦିଆଙ୍କ କଥାର ଉଲ୍ଲେଖ ରହିଅଛି, ତାହା ନୁହେଁ, ପରବର୍ତ୍ତୀ କାଳରେ ସେହି ବେଣୁବିନୋଦିଆ ଓ ରାଈବିନୋଦିଆଙ୍କ କଥା ହିଁ ହୋଇ ଉଠିଛି ତାଙ୍କ କାବ୍ୟ-କବିତାର ମୁଖ୍ୟ ସ୍ଵର । ‘ଇନ୍ଦ୍ରଜିତ ସୁତ ଏ ଛାନ୍ଦ ଭଣଇ ରାଧା ଧ୍ୟାନ କରି’, ସାମନ୍ତ ସିଂହାର ମନମଧୁକର ମଗ୍ନ ଶ୍ରୀରାଧା ପଦାବ୍‌ଜଧ୍ୟାନେ’, ଦୀନ ଅଭିମନ୍ୟୁ ଜୀବ, ରାଧା ଭାବ ଭାବି ଜୀବନ ଯିବ ହେ ସତେ ଏ ଭାଗ୍ୟ ଦେଖାଯିବ ଗୋବିନ୍ଦ ହେ’ ପ୍ରଭୃତି ଉକ୍ତିରୁ ତାଙ୍କର ରାଧାକୃଷ୍ଣ ପ୍ରୀତିର ପ୍ରକୃଷ୍ଟ ପରିଚୟ ମିଳିଥାଏ । ପରିଚୟ ମଧ୍ୟ ମିଳିଥାଏ ତାଙ୍କର ଧର୍ମପରାୟଣତା ଓ ଈଶ୍ଵରପ୍ରୀତିର ।

 

ଅଭିମନ୍ୟୁଙ୍କ ବାଲ୍ୟକାଳରେ ଲିଖିତ ‘ବାଘଗୀତ’ ଓ ‘ଚଢ଼େଇଗୀତ’ ତାଙ୍କ ସାରସ୍ଵତ ପ୍ରତିଭାର ଯେ ଆଦି ସ୍ଫୂରଣ, ଏହା ଅସ୍ଵୀକାର କରି ହେବ ନାହିଁ । ୧୯୩୧ ଖ୍ରୀଷ୍ଟାବ୍ଦରେ ‘ସ୍ଵରାଜ ସାହିତ୍ୟ ମନ୍ଦିର’ ସୌଜନ୍ୟରୁ କବି ଅଭିମନ୍ୟୁଙ୍କର ‘ବାଘଗୀତ’ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକର ଭୂମିକାରେ ଶ୍ରୀ ରାମପ୍ରସାଦ ସିଂହ ଯେଉଁ ମତ ପ୍ରଦାନ କରିଅଛନ୍ତି, ଅଭିମନ୍ୟୁଙ୍କ କବି ପ୍ରତିଭା ସଂପର୍କରେ ଯଥେଷ୍ଟ ଆଲୋକପାତ କରିଥାଏ । ଶ୍ରୀ ସିଂହଙ୍କ ଭାଷାରେ- “ବିଦଗ୍‌ଧଚିନ୍ତାମଣିର ଲେଖକ ଅଭିମନ୍ୟୁ, ମହାକବି ଅଭିମନ୍ୟୁ, ଉତ୍କଳର କାବ୍ୟ ଜଗତର ସମ୍ରାଟ ଅଭିମନ୍ୟୁ ଯେ ଦିନେ ବିଶ୍ଵ ମଝିରେ କବିତ୍ୱର ଗାରିମାମୟ କୀର୍ତ୍ତିସ୍ତମ୍ଭ ପୋତିବେ - ତାହାର ପରିଚୟ ଏ ଛୋଟ ବହି ଦି ଖଣ୍ଡିରୁ ମିଳେ । କବିର କୈଶୋର ଅବସ୍ଥାରେ, କବି ହୃଦୟରେ କାବ୍ୟରସ ଫୁଟି ଆସୁଥିବା ସମୟରେ ବାଲିଆରେ ବାଘ ଶିକାର, ଆଖଡ଼ା ଘରେ ଗୋବରା ଚଢ଼େଇ ପୋଷିବାକୁ ନେଇ ଯେ ସରସ କବିତା ସୃଷ୍ଟି କରିଅଛନ୍ତି, ସେଥିରେ ବିଦଗ୍‌ଧ ଚିନ୍ତାମଣିର ଲେଖକଙ୍କର ସମସ୍ତ ପ୍ରତିଭାର ବୀଜ ଯେ ଅତି ସୁସ୍ପଷ୍ଟ ଭାବେ ନିହିତ ରହିଛି, ଏହା ପାଠକମାତ୍ରେ ବୁଝିପାରିବେ - ବୁଝି ମୁଗ୍‌ଧହେବେ । କଳିକାର ପ୍ରଥମ ବିକାଶର ପ୍ରସ୍ଫୁଟିତ ଫୁଲର ସୌରଭମୟ ସୌନ୍ଦର୍ଯ୍ୟର ସ୍ଵପ୍ନମୟ ପରିକଳ୍ପନା ଯେପରି ଅତି ନିଶ୍ଚିତ ଭାବରେ ନିହିତ ଥାଏ- ଏହି ଛୋଟ ବହି ଦି'ଖଣ୍ଡିକରେ କବିର କବି ହୃଦୟର ଗାରିମାମୟ ବିକାଶର ସମସ୍ତ ଲକ୍ଷଣ ସେହିପରି ସୁନ୍ଦର, ସେହିପରି ସତେଜ, ସେହିପରି ସ୍ପଷ୍ଟ ଭାବରେ ନିହିତ । ସାମନ୍ତସିଂହାରଙ୍କର କବି-ଜୀବନର ଆଲୋଚନା ସଂପୂର୍ଣ୍ଣ କରିବାକୁ ହେଲେ ବାଘଗୀତ ଓ ଚଢ଼େଇ ପଦ୍ୟ ଦୁଇଟି ଅପରିହାର୍ଯ୍ୟ ବୋଲି ମନେହୁଏ ।’’ ଆଲୋଚକ ରାମପ୍ରସାଦ ସିଂହଙ୍କର ଏହି ମନ୍ତବ୍ୟ ଯେ ଅତ୍ୟନ୍ତ ଯୁକ୍ତିଯୁକ୍ତ ଓ ତାତ୍ପର୍ଯ୍ୟପୂର୍ଣ୍ଣ, ଏଥିରେ ସନ୍ଦେହ ନାହିଁ । ‘ବାଘଗୀତ’ ଓ ‘ଚଢ଼େଇଗୀତ’ ଦୁଇଟି ପାଠ କଲେ, ସ୍ପଷ୍ଟ ଅନୁଭୂତ ହୁଏ ଯେ, ଏହି କବିତାର କବି ପ୍ରତିଭା ତଥା ପାଣ୍ଡିତ୍ୟର ଥିଲେ ଯୋଗ୍ୟ ଅଧିକାରୀ ।

 

ଅଭିମନ୍ୟୁଙ୍କ ଜନ୍ମସ୍ଥାନ ବାଲିଆ ଏବଂ ବାଲିଆର ନିକଟବର୍ତ୍ତୀ ଅଞ୍ଚଳ ଥିଲା ଜଙ୍ଗଲମୟ । ସେତେବେଳେ ଜଙ୍ଗଲ ମଧ୍ୟ ଥିଲା ବହୁ ଖଟିଖିଆ ଶ୍ରମିକଶ୍ରେଣୀଙ୍କର ଆର୍ଥନୀତିକ ସ୍ଥିତିର ଆକର୍ଷଣୀୟ ଉତ୍ସ । ସେଥିପାଇଁ ଜଙ୍ଗଲକୁ ଯିବା ସେମାନଙ୍କ ପାଇଁ ଥିଲା ନିହାତି ଜରୁରୀ । ମାତ୍ର ଏଇ ପରିସ୍ଥିତିରେ ବେଳେ ବେଳେ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଜଙ୍ଗଲର ଶାନ୍ତ, କମନୀୟ ସୁଷମା, ଝରଣାର କୁଳୁକୁଳୁ ଛନ୍ଦ ଛପାଇ ବେଳେ ବେଳେ ମଧ୍ୟ ଶୁଭୁଥିଲା କ୍ଷୁଧିତ ଶାର୍ଦ୍ଦୁଳର ରକ୍ତଥରା ହେଣ୍ଟାଳ । ସେଇ ହେଣ୍ଟାଳ ଜଣାଇଦିଏ ବାଘ ମାତିଥିବାର ଆଉ ବାଘ ଥରେ ମାତିଲେ, ସେଥିରେ କେତେ ଗୃହପାଳିତ ପଶୁ ଓ ମଣିଷଙ୍କୁ ଯେ ଜୀବନ ହରାଇବାକୁ ପଡ଼େ, ସେଥର କଳନା କରିହେବ ନାହିଁ । ଏଇ ସାଧାରଣ ବାଘ ପାଟିରେ ଥରେ ରକ୍ତ ଲାଗିଗଲେ ସେ ରୁପାନ୍ତରିତ ହୋଇଯାଏ ‘ମଣିଷ ଖିଆ ବାଘ’ରେ ଓ ତାହାକୁ ମାରିବା ମଧ୍ୟ ଜରୁରୀ ହୋଇ ଉଠେ । ବସ୍ତୁତଃ, ସେତେବେଳେ ଏହି ଦୁର୍ଦ୍ଦର୍ଷ କାର୍ଯ୍ୟ-ସାଧନ ପାଇଁ କେବଳ ରାଜପୁରୁଷ କିମ୍ବା ଶିକାରୀମାନେ ହିଁ ଥିଲେ ଉପଯୁକ୍ତ । ସାଧାରଣ ଜନତାଙ୍କ ପକ୍ଷରେ ଏ ବିପଦରୁ ମୁକୁଳିବାର ଏକମାତ୍ର ଉପାୟଥିଲା ରାଜାଙ୍କ ପାଖରେ ନିଜର ଅସୁବିଧା ଜଣାଇ ବାଘକୁ ମାରିଦେବାର ପ୍ରାର୍ଥନା କରିବା ।

 

ସେତେବେଳର ରାଜପୁରୁଷମାନଙ୍କର ‘ପାରଧି ବିଜେ’ ବା ‘ମୃଗୟାବିଳାସ’ ଥିଲା ରାଜକୀୟ ଆଭିଜାତ୍ୟର ବହିରଙ୍ଗ ସଦୃଶ । ଯେଉଁ ରାଜା ବା ରାଜପୁରୁଷ ଯେତେ ବେଶୀ ବାଘ-ସିଂହ-ହରିଣ ଶିକାର କରି ପାରୁଥିଲେ, ସେମାନେ ସେତେ ବେଶୀ ବୀରର ସମ୍ମାନ ପାଉଥିଲେ ଓ ସେମାନଙ୍କର ବୈଠକଖାନା ଗୃହ ସବୁ ଏହି ପଶୁମାନଙ୍କର ଶିଙ୍ଗ ଓ ଛାଲାଦିରେ ଅଳଙ୍କୃତ ହୋଇ ସେମାନଙ୍କର ବୀରପଣିଆର ଚାକ୍ଷୁଷ ସାକ୍ଷ୍ୟ ପ୍ରଦାନ କରୁଥିଲେ । ଅଭିମନ୍ୟୁ ମଧ୍ୟ ପିଲାବେଳେ ପିତା ଇନ୍ଦ୍ରଜିତ ସାମନ୍ତସିଂହାରଙ୍କ ସହିତ ବାଘ ଶିକାର କରିବାକୁ ଯାଉଥି‌ଲେ । ଏହି ଦୁର୍ଦ୍ଧର୍ଷ ଅଭିଯାନର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବା ତେଣୁ ଅଭିମନ୍ୟୁଙ୍କ ପକ୍ଷରେ ଥିଲା ସ୍ଵାଭାବିକ । ଗାଥାତ୍ମକ ରୀତିରେ ଲିଖିତ, ଅଭିମନ୍ୟୁଙ୍କ ‘ବାଘଶିକାର’, ସେଇ ଅନୁଭୂତିର ସଫଳ ସାରସ୍ଵତ ରୂପାୟନ । କେବଳ ସେତିକି ନୁହେଁ, ଏହି କ୍ଷୁଦ୍ର ରଚନାଟି ମଧ୍ୟ ଓଡ଼ିଆ ସାହିତ୍ୟରେ ହୋଇ ଉଠିଛି ବାଘ ଶିକାର ସମ୍ପର୍କୀୟ ପ୍ରଥମ ସଫଳ ସୃଷ୍ଟି । ଅଧ୍ୟାପକ ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ ଯଥାର୍ଥରେ ଲେଖିଛନ୍ତି - “ସମରତରଙ୍ଗ ଯେପରି ବ୍ରଜନାଥ ବଡ଼ଜେନାଙ୍କର ଏକ ସ୍ମରଣୀୟ ମୌଳିକ ସୃଷ୍ଟି ଓ ସେଥି ନିମନ୍ତେ ବଡ଼ଜେନା ଯେଉଁ ଭାବରେ ସମ୍ମାନଯୋଗ୍ୟ, ବାଘଗୀତର କବି ଅଭିମନ୍ୟୁ ସେହି ନ୍ୟାୟରେ ଜଣେ ମୌଳିକ ସ୍ରଷ୍ଟାର ସମ୍ମାନରେ କାଳ କାଳକୁ ସ୍ମରଣୀୟ ହୋଇ ରହିବେ । ଶିକାର ବର୍ଣ୍ଣନା କରି ଓଡ଼ିଆ ଭାଷାର, ସେ ଏକ ନିର୍ଦ୍ଦିଷ୍ଟ ଅଭାବ ପୂର୍ଣ୍ଣ କରି ପାରିଛନ୍ତି । (୧)’’

 

(୧) ରସିକ ଭକ୍ତ ଅଭିମନ୍ୟୁ ପୃ- ୨୪

 

‘ବାଘଗୀତ’ ଆଷାଢ଼-ଶୁକ୍ଳବାଣୀରେ ରଚିତ, ସମୁଦାୟ ୨୦ଟି ପଦ ସଂଖ୍ୟାରେ ସୀମିତ ଏକ ସରଳ - ସ୍ଵଚ୍ଛନ୍ଦ, ସାବଲୀଳ ବାଣୀବିଳାସ । ମାତ୍ର ନ ବର୍ଷ ବୟସରେ ଅଭିମନ୍ୟୁ ଏହି ଗୀତି-ଗାଥାଟିକୁ ଉତ୍କଳଭାରତୀଙ୍କ ଗଳାରେ ଗ୍ରଥିତ କରିଥିଲେ । ତାହା ଯଦି ସତ୍ୟ ହୁଏ, ତାହାହେଲେ ଆମକୁ ଏଇ ଧାରଣା ନେବାକୁ ପଡ଼ିବ ଯେ, ‘ବାଘଗୀତ’ କୌଣସି କବି ଯଶାକାଂକ୍ଷାରୁ ପ୍ରସୂତ ନୁହେଁ । ପ୍ରତ୍ୟକ୍ଷ ଅନୁଭୂତିର ତୁରନ୍ତ ପ୍ରେରଣାରୁ ହିଁ ସୃଷ୍ଟି ହୋଇଅଛି । ଏଥିରେ ଯେପରି ବର୍ଣ୍ଣନାର ବାହୁଲ୍ୟ ନାହିଁ, ସେହିପରି କୃତ୍ରିମ ଅଳଙ୍କରଣର କୌଣସି ଅଭିଳାଷ ମଧ୍ୟ ନାହିଁ । ନ ଥିବା ସ୍ଵାଭାବିକ ମଧ୍ୟ । କାରଣ ବାଘ ଶିକାର ପରି ଏକ ବିପଜ୍ଜନକ ‘ମୃଗୟା ବିହାର’ରେ ‘କଳନା’ର ଅତିରଞ୍ଜନର ଅବକାଶ ନ ଥାଏ । ସେଥିପାଇଁ ‘ବାଘଶିକାର’ ଗୀତି-ଗାଥାଟି ସ୍ଵାଭାବିକ ରୀତିରେ, କୌଣସି ଗୌରଚନ୍ଦ୍ରିକା ବିନା ସିଧା ସଳଖ ଆରମ୍ଭ ହୋଇ ପାଠକମାନଙ୍କୁ ସଙ୍ଗେ ସଙ୍ଗେ କଥାବସ୍ତୁ ନିକଟରେ ପହଞ୍ଚାଇ ଦେଇଅଛି-

 

‘‘ବାଲିଆ ବୋଲି ଯେ ଏକ ନଗର

ତହିଁ ନୃପତି ସାମନ୍ତ ସିଂହାର....

x      X      x

ତହିଁରେ ପ୍ରବଳ

ନିରତେ ଶୁଭଇ ଶାର୍ଦ୍ଦୁଳ ଗୋଳ ।’’

 

ଘୋର ଜଙ୍ଗଲ ମଧ୍ୟରେ ବାଘ ମାତି ଥିବାର ବିବରଣୀ ନାନା ମୁହଁରେ ନାନା ଭାବରେ ଶୁଣିବାକୁ ମିଳିଛି । ରାତିରେ ବାଘ ଆସିଥିବାର ଯେଉଁ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ନଗରବାସୀମାନେ ଦେଇଛନ୍ତି, ଅଭିମନ୍ୟୁଙ୍କ ଲେଖନୀରେ ତାହା ଅତ୍ୟନ୍ତ ସ୍ଵାଭାବିକ ରୀତିରେ ପ୍ରକାଶ ପାଇଛି-

 

‘‘କେ ବୋଲଇ ବାଘ ଆଜି ରାତିରେ

ବସିଥିଲା ସେ ଚଉରା କତିରେ

ନଗ୍ର ଚାରିପାଖ ବୁଲିଯାଇଛି

ଚାଲୁଣି ପ୍ରାୟେକ ପାଦ ପଡ଼ିଛି

ଦେଖିଲୁ ସକାଳେ

ଗରଜିଲା ଗଜା ତିନ୍ତୁଡ଼ି ମୂଳେ ।୨।

 

କେ ବୋଲଇ ବେଳ ପ୍ରହରେ ଥିଲା

ଫୁଲ ବାଗକୁ ଝପଟି ଅଇଲା

ତହିଁ ଚରୁଥିଲେ ବାଛୁରୀ ଗାଈ

ଗୋଟାଏ ଆକ୍ରୋଶି ଧଇଲା ଯାଇଁ

ମଡ଼ାକୁ କାମୋଡ଼ି

ଘେନି ପଳାଇଲା ଉତ୍ତରବାଡ଼ି ।୩।

 

କେ ବୋଇଲା ଦୁଇ ପହର ବେଳେ

ବାଘ ବସିଥିଲା କଦମ୍ବ ମୂଳେ

ମୁଖ କରି ବସିଥିଲା ତଳକୁ

ଦେଖି ପଳାଇ ଅଇଲୁ ଘରକୁ

ମୋ ସଙ୍ଗେ ଗୋକୁଳ

ଥିଲେ ଦେଖି ହେଲେ ବାଡ଼ ଆକୁଳ ।୪।

 

ଏହି ବର୍ଣ୍ଣନାସବୁ ଭିତରେ ଅଭିମନ୍ୟୁଙ୍କ କୋମଳ କବିପ୍ରାଣର ନୈସର୍ଗିକ ସତ୍ତା ପାଠକମାନଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥାଏ । ବର୍ଣ୍ଣନାର ସ୍ଵାଭାବିକତା, ପରିବେଶ ଓ ପରିସ୍ଥିତିର ଯଥାର୍ଥ ରୂପାଙ୍କନ ପାଠକମାନଙ୍କୁ ଧୀରେ ଧୀରେ ତାଙ୍କର ବ୍ୟକ୍ତିଗତ ପୃଥ୍ୱୀର ଉର୍ଦ୍ଧକୁ ନେଇ, ଏପରି ଏକ ଭାବମୟ ଅଭାବନୀୟ କଳ୍ପଲୋକରେ ପହଞ୍ଚାଇ ଦିଏ, ଯେଉଁଠି, ଯେଉଁ ‘ଗୋକୁଳ’ରେ ଶୁଣିବାକୁ ପାଠକ ପାଏ, ବାଘ-ଉପଦ୍ରୁତ ଏକ ଆତଙ୍କିତ ଗ୍ରାମବାସୀଙ୍କର ଭାରି ଆଉ ଦୀର୍ଘ ନିଃଶ୍ଵାସର ଶବ୍ଦ । ସେ ଶବ୍ଦ ଯେମିତି ଧୀରେ ଧୀରେ ଏକ ରହସ୍ୟମୟ ନିଃଶବ୍ଦ ପୃଥିବୀରେ ନିଜର ଆତ୍ମସତ୍ତା ହରାଇ, ନିଜର ପ୍ରକୃତ ପରିଚୟ ଖୋଜିପାଏ । ପ୍ରକୃତରେ ଏପରି ବର୍ଣ୍ଣନା ସବୁ ଅଭିମନ୍ୟୁଙ୍କ ପରି ବାଳକ-କବିମାନେ ହିଁ କରିପାରନ୍ତି । ପାରନ୍ତି ଏଇଥି‌ପାଇଁ ଯେ, ଏଇ ଦଗ୍‌ଧ-ବସନ୍ତର ସ୍ମୃତି ଉପରେ ହିଁ ଦିନେ ସୃଷ୍ଟି ହେବ ‘ବିଦଗ୍‌ଧ ଚିନ୍ତାମଣି’ ପରି ଏକ ଅପରୂପ କାବ୍ୟକୋଣାର୍କ ।

 

ଲୋକମାନଙ୍କ ମୁହଁରୁ ବାଘ-ଉପଦ୍ରବର ଆତଙ୍କଜନକ ବିବରଣୀ ପାଇ ଶାସକ ଇନ୍ଦ୍ରଜିତଙ୍କ ମନରେ ସ୍ଵଭାବତଃ ଜାଗି ଉଠିଛି ବୀରତ୍ଵ-ବ୍ୟଞ୍ଜକ ଭାବ । ତାଙ୍କର ବକ୍ଷସ୍ଥଳ ପ୍ରକମ୍ପିତ ହେଲା । ତାଙ୍କର ପୌରୁଷ ଓ ଦାମ୍ଭିକତା ଯେମିତି ନିଦ ଭାଙ୍ଗି ଗର୍ଜି ଉଠିଲା । ଅବିଳମ୍ବେ ଶାସକ ଜନୋଚିତ କଠୋର କଣ୍ଠରେ ଆଦେଶ ଦେଲେ ବାଘ ଶିକାରର ପ୍ରସ୍ତୁତି ପାଇଁ - ‘‘ରୋଷେ ବୋଇଲେ ସର୍ବ ସୈନ୍ୟ ଚଳ’’ । ନିଜେ ଇନ୍ଦ୍ରଜିତ ମଧ୍ୟ ପ୍ରସ୍ତୁତ ହେଲେ । ଆରମ୍ଭ ହେଲା ବାଘଶିକାରର ତୁରନ୍ତ ଯାତ୍ରା । ବାଣୁଆ, ବାଦ୍ୟକାର ତଥା ସୈନ୍ୟମାନଙ୍କ ସହ ‘ମାଛିଟିଏ ବସିଲେ ବି ଉଡ଼ିବ ଯେଉଁ ଘୋଡ଼ା’ରେ ବସି ଇନ୍ଦ୍ରଜିତ ବାଘଶିକାର କରିବାକୁ ଯିବାବେଳର ସେ ଦୃଶ୍ୟ ଅଭିମନ୍ୟୁଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି । ଏ ଶିକାରାଭିଯାନର ସେନାପତି ଯୁଗଳ ଗଡ଼ନାୟକଙ୍କ ନିର୍ଦ୍ଦେଶରେ ଯେତେବେଳେ ବାଣ ଫୁଟାଇ ଓ ବାଦ୍ୟ ବଜାଇ ଜନ୍ତୁମାନଙ୍କୁ ତଡ଼ିବା ଆରମ୍ଭ ହୋଇଗଲା, ସେତେବେଳର ଦୃଶ୍ୟ ଅଭିମନ୍ୟୁ ଏହିପରି ଭାବରେ ଛାଡ଼ି ଯାଇଛନ୍ତି -

 

‘‘ଗରଜନ ଘନ ଲୋକ ଗହଳ

ରକତ ବହି ଯିବାର ତ ଜଳ

ଭେକ ପରି ରଡ଼ି ଛାଡ଼େ ଚିତଳ

ବରାହ ଶବଦ ପକ୍ଷୀ ଚହଳ

ପୃଥ୍ୱୀ ଟଳମଳ

ଧୂମମୟରେ ଲୁଚିଲେ ଅଚଳ ।୧୨।

 

ଏଇ ଅଭିଯାନରେ ବ୍ୟବହୃତ ବିଭିନ୍ନ ବାଣର ବର୍ଣ୍ଣନା ପୁଣି ଅତ୍ୟନ୍ତ ଭୟଙ୍କର-

 

ଚକମକ ଜକ ବିଜୁଳି ବାଣ

ଇନ୍ଦ୍ରଧନୁ ଧରି ବରଷେ ବାଣ

କରକା ଶବଦ ଟଙ୍କାର ଗୁଣ

ନଳୀ ଗୁଣ ପୁଣ,

ଚଡ଼କ ପରାଏ ଘେନଇ ପ୍ରାଣ ।

 

‘ଚଡ଼କ ପରାଏ ଘେନଇ ପ୍ରାଣ’ ପ୍ରଭୃତି ଉପମା ପ୍ରୟୋଗରେ ବାଳକ କବି ଅଭିମନ୍ୟୁ ଯେପରି ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ଅନନ୍ୟ ଓ ଅସାଧାରଣ । ବାଘ ଶିକାରର ପ୍ରତ୍ୟେକଟି ପର୍ଯ୍ୟାୟ ଅଭିମନ୍ୟୁଙ୍କ ଲେଖନୀରେ ସଫଳ ଭାବରେ ଜୀବନ୍ୟାସ ପାଇଯାଇଛି ଯେପରି । ଏପରିକି ଶିକାରୀମାନଙ୍କୁ ବାଘର ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତି କଥାଟି ସୁଦ୍ଧା ଅଭିମନ୍ୟୁ ଦେବାକୁ ଭୁଲିନାହାନ୍ତି -

 

‘‘ଆନ୍ତ୍ରମିବାର ଦେଖି ବ୍ୟାଘ୍ରମଣି

ରୋଷେ ଗରଜଇ ଦେହକୁ ଝୁଣି ।’’

 

ମାତ୍ର ଏ ଭୟଙ୍କର ବାଘଟି ବୈକୁଣ୍ଠଙ୍କ ଗୁଳିରେ ଶେଷରେ ଜୀବନ ହରାଇ ବସିଛି –

 

‘‘ଦେଖିଲେ ସକଳ

ଗୁଳିରେ ଉଡ଼ି ଯାଇଛି କପାଳ ।’’

 

ଶେଷ ହେଲା ବାଘଶିକାର । ଦୀର୍ଘ କେଇଦିନ ଧରି ନଗରର ଆକାଶ ଯେଉଁ ଭୟ, ଆଶଙ୍କା ଓ ବିପଦ ପାଇଁ ମେଘମେଦୂରିତ ହୋଇ ଉଠିଥିଲା, ତାର ମଧ୍ୟ ଘଟିଲା ସଫଳ ପରିସମାପ୍ତି-। ଆତଙ୍କରାଜର ଅବସାନ ପରେ, ସମସ୍ତେ ଗ୍ରାମଦେବତୀଙ୍କ ନିକଟରେ ଉପସ୍ଥିତ ହୋଇ ଠାକୁରାଣୀଙ୍କୁ ମାଜଣା କଲେ । ଏ ଅଭିଯାନର ସେନାପତିଙ୍କୁ ଦିଆ ହେଲା ତାଙ୍କ ବୀରତ୍ୱର ସ୍ମାରକୀ ସଦୃଶ ସୁନ୍ଦର ଏକ ମୂଲ୍ୟବାନ ପାଟଶାଢ଼ୀ । ଯେଉଁ ଗ୍ରାମଦେବତୀଙ୍କ କଲ୍ୟାଣରୁ ଅବସାନ ହେଲା ଏ ଆତଙ୍କରାଜ, ଅଭିମନ୍ୟୁ ଶେଷରେ ତାଙ୍କରି ପ୍ରାର୍ଥନା କରି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଏହି କ୍ଷୁଦ୍ର ଗୀତିଗାଥାଟିର-

 

‘‘ରଖ ଯାଗୁଳାଈ (ଯାଗୁଳାଇ)

ସାମନ୍ତସିଂହାରଭାବେ ଭଣଇ ।’’

 

ଏହି କବିତାଟି ଯେପରି ଛନ୍ଦୋମୟ, ସେହିପରି ଶ୍ରୁତିମଧୁର । ଏକ ଗ୍ରାମ୍ୟ ପୃଷ୍ଠଭୂମି ଉପରେ ଆଧାରିତ, ଏକ ଗ୍ରାମ୍ୟ ବାଳକ-କବିର ଚେତନାନିଃସୃତ ଏହି କ୍ଷୁଦ୍ର କବିତାଟି ମଧ୍ୟରେ ପଲ୍ଲୀର ଜୀବନ ଓ ସମାଜ ଯେପରି ଛନ୍ଦାୟିତ ଭାବରେ ରୂପାନ୍ତରିତ ହୋଇଯାଇଛି, ତାହାର ତୁଳନା ହୁଏନା । ବିଶେଷକରି ଗ୍ରାମ୍ୟ-ଜୀବନରେ, ଗ୍ରାମଦେବତୀଙ୍କର ଯେ ଭୂମିକାଟି ଅତି ଗୁରତ୍ୱପୂର୍ଣ୍ଣ, ତାର ଚିତ୍ର ଦେବାକୁ ମଧ୍ୟ ଅଭିମନ୍ୟୁ ଭୁଲିଯାଇନାହାନ୍ତି । ସବୁ ବିପଦ ଆପଦକୁ ଗ୍ରାମ୍ୟ ଦେବତୀ ହିଁ ସାହା । ସେଥିପାଇଁ ପଲ୍ଲୀ ଓଡ଼ିଶାରେ, ହଇଜା, ବସନ୍ତଠାରୁ ଆରମ୍ଭ କରି ବାଘ-ଭାଲୁର ଆତଙ୍କ ସୃଷ୍ଟି ହେଲେ, ସରଳ ପଲ୍ଲୀବାସୀ, ତାଙ୍କ ଗ୍ରାମଦେବତୀଙ୍କ ନିକଟରେ ନାନା ଭାବରେ ମାନସିକ କରିଥାଆନ୍ତି ଓ ତାହା ପୂରଣ ହେଲେ, ଶେଷରେ ‘ମାଜଣା’ କରିଥାଆନ୍ତି । ତେଣୁ ଗାଁ ଗହଳରେ ଏଇ ଗ୍ରାମ-ଦେବତୀଙ୍କ ନିକଟରେ ଅସହାୟ-ଆର୍ତ୍ତମଣିଷର ଆତ୍ମରକ୍ଷାର ଆକୁତି ଓ ସେଥିରୁ ଉଦ୍ଧାର ପାଇବାର ଆଶ୍ୱସ୍ତି କବି ଅଭିମନ୍ୟୁଙ୍କୁ ଯେ ଗଭୀର ଭାବରେ ସ୍ପର୍ଶ କରିଚି, ଏଥିରେ ସନ୍ଦେହ ନାହିଁ । ସରଳ-କୋମଳ ତାଙ୍କର କବି ପ୍ରାଣ ଗ୍ରାମ୍ୟଜୀବନର ଏଇ ଉଲ୍ଲେଖନୀୟ ଦିଗଟି ପ୍ରତି ଥିଲା ଅତିମାତ୍ରାରେ ସଚେତନ । ତେଣୁ, ତାଙ୍କ ଲେଖନୀରେ ତାହା ପ୍ରକାଶ ପାଇବାରେ, ବିସ୍ମିତ ହେବାର କିଛି ନାହିଁ ।

 

ପୁଣି ଅଭିମନ୍ୟୁଙ୍କର ଏଇ ଗୀତଟି ମଧ୍ୟରେ ସରଳ-ସ୍ୱଚ୍ଛନ୍ଦ ପଲ୍ଲୀଜୀବନର ସାରଲ୍ୟ ଖୋଜି ପାଇବାରେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ପଲ୍ଲୀର ସ୍ୱଚ୍ଛନ୍ଦ ଜୀବନପରି, ଏହି କବିତାଟିର ଗତି ଓ ବିକାଶ ମଧ୍ୟ ସରଳ ଓ ସ୍ୱଚ୍ଛନ୍ଦ ହୋଇଉଠିଛି । ପଲ୍ଳୀ ଗୀତରେ ‘ଫୁଲ ବଉଳବେଣୀ’ ପରି ଲୋକପ୍ରିୟ ଛନ୍ଦରେ ଅଭିମନ୍ୟୁ ମଧ୍ୟ କବିତା ଲେଖିଛନ୍ତି । ପଲ୍ଲୀ ହିଁ ତ ଓଡ଼ିଶାର ଆତ୍ମା । ଆତ୍ମାରେ ସେ ଗୀତ, ପଲ୍ଲୀର କେଉଁ କୋଣରୁ ଅବା ଶୁଣାଯାଇ ନଥାଏ ? ଓଡ଼ିଶାର ପୁରପଲ୍ଲୀ ଚିରକାଳ ଥିଲା ଗୀତିମୟ । ତାର ଜୀବନଚର୍ଯ୍ୟାରେ, ତାର ସାଂସ୍କୃତିକ ଉତ୍ସବ ଅନୁଷ୍ଠାନରେ, ତାର ପର୍ବପର୍ବାଣିରେ, ସଂଗୀତର ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ । ଅଭିମନ୍ୟୁ, ତାହା ଯେ ବିସ୍ମୃତ ହୋଇ ନ ଥିଲେ ତାହା ତାଙ୍କ ଜାତୀୟ-ସଂସ୍କୃତି-ସଚେତନ ଆତ୍ମାର ସଫଳ ପ୍ରତିଧ୍ୱନି ମାତ୍ର ।

 

ଅଭିମନ୍ୟୁଙ୍କ ‘ଚଢ଼େଇଗୀତ’ ମଧ୍ୟ ତାଙ୍କର ‘ବାଘଗୀତ’ ପରି ଆଉ ଏକ ସୁନ୍ଦର କବିତା, ଯାହା ବାଳକ କବିଙ୍କର କୈଶୋର-କୌତୁହଳର ପ୍ରକାଶରେ ଜୀବନ୍ତ ହୋଇଉଠିଛି । ସେ କାଳରେ, ରାଜା ଜମିଦାର ତଥା ସଂପନ୍ନ ଅଭିଜାତ ପରିବାରମାନଙ୍କ ମଧ୍ୟରେ ଚଢ଼େଇ ପାଳିବା ଏକ ସଉକ ଖାଲି ନୁହେଁ, ଏକପ୍ରକାର ଆଭିଜାତ୍ୟରେ ପରିଣତ ହୋଇଯାଇଥିଲା । ସେଥିପାଇଁ ସେ ସବୁ ଗୃହମାନଙ୍କରେ ଅନବରତ ଶୁଣିବାକୁ ମିଳୁଥିଲା ବିଭିନ୍ନ ପୋଷା ଚଢ଼େଇମାନଙ୍କର ବିଚିତ୍ର କିଚିରିମିଚିରି ଶବ୍ଦ । ଅଭିମନ୍ୟୁ ବାଲ୍ୟକାଳରୁ ଏସବୁ ଦେଖିଥିଲେ । ତେଣୁ ସ୍ୱଭାବତଃ, ତାଙ୍କ ମନରେ ମଧ୍ୟ ଚଢ଼େଇ ପାଳିବା ପାଇଁ ଆଗ୍ରହ ସୃଷ୍ଟି ହୋଇଥିଲା । ତାର ପରିଣତି ସ୍ୱରୂପ, ଅଭିମନ୍ୟୁ ବିଭିନ୍ନ ପ୍ରକାର ଚଢ଼େଇ ଯେ କେବଳ ଧରୁଥିଲେ, ତାହା ନୁହେଁ, ସେମାନଙ୍କ ମଧ୍ୟରେ ଦ୍ୱନ୍ଦଯୁଦ୍ଧର ସୂତ୍ରପାତ କରି ଅପରିସୀମ ଆନନ୍ଦ ମଧ୍ୟ ଲାଭ କରୁଥିଲେ । ଏପରିକି ଚଢ଼େଇ ଯୁଦ୍ଧରେ, ଚଢ଼େଇ କିପରି ଜିତିବ, ତାହା ମଧ୍ୟ ସେ ‘ଚଢ଼େଇଗୀତ’ରେ ଦେବାକୁ ଭୁଲି ନାହାନ୍ତି-

 

‘‘ଗନ୍ଧକ ରସୁଣ ଘିମ କୋରୁଅ

ଆପୁ ଜାଇଫଳ ଆଖୁ ଦୋରୁଅ

ସୋରିଷ ପ୍ରମାଣେ ବଟିକା କରି

ପାଗିବା ପାଇଁ ତା ଦେବ ବିଚାରି

ବଳ ନ ଭାଞ୍ଜିବ

ତରକ ପାଞ୍ଚରେ ଯୁଝାଉଥିବ’’ ।୭।

 

ଏହି କବିତାରେ କବି ବିଭିନ୍ନ ପ୍ରକାର ଚଢ଼େଇ ଓ ସେମାନଙ୍କୁ ଯୁଦ୍ଧରେ ବିଜୟୀ କବିବାର କୌଶଳ ବର୍ଣ୍ଣନା କରି ତାଙ୍କ ଅନ୍ତରର ସେଇ ଏକ-ନିଷ୍ଠତାର ହିଁ ପ୍ରମାଣ ଦେଇଛନ୍ତି ।

 

ଚକା ଚକା ପକ୍ଷୀ କାଇଆ ଜାତି

ବଳିଣ ବେଲଣା କାଠ ଆକୃତି

ମୟୁରକଣ୍ଠିଆ ବଣିମୁଣ୍ଡିଆ

ବଡ଼ ବଡ଼ ଗୋଡ଼ ତମ୍ବାକାଠିଆ

ପାଇ ଏ ଚଢ଼ାଇ

ଗଡ଼ହଡ଼ କରି କର ଲଢ଼ାଇ ।୧୮।

 

ଅଭିମନ୍ୟୁଙ୍କ କବି ଜୀବନର ଏଇ ଉଷାଲଗ୍ନରେ, ଆମେ ପ୍ରତିଭା ବିକାଶର ଯେଉଁ ଆଦ୍ୟ ସ୍ପୁରଣ ଦେଖିବାକୁ ପାଉଁ, ତାହା ଯେ ସମଗ୍ର ଓଡ଼ିଆ ସାହିତ୍ୟକୁ ଆଲୋକ ଉଜ୍ଜ୍ୱଳ କରିପାରିବ, ଏହାର ସୂଚନା ସ୍ପଷ୍ଟତଃ ନିହିତ । ଅଭିମନ୍ୟୁ ସ୍ୱଭାବତଃ ଥିଲେ ରହସ୍ୟ ତଥା କୌତୁକପ୍ରିୟ । ମାତ୍ର ତାଙ୍କର ଏ ରହସ୍ୟବାଦୀ ମନ ଗ୍ରାମ୍ୟ ଜୀବନର କ୍ଷୁଦ୍ରତା ମଧ୍ୟରେ ସୀମାବଦ୍ଧ ନ ଥିଲା କିମ୍ୱା ପାରିବାରିକ ଜୀବନର ଜଞ୍ଜାଳ ମଧ୍ୟରେ ଏକ ମରୁନଦୀରେ ରୂପାନ୍ତରିତ ହୋଇ ନଥିଲା । ସେ ସବୁଥିରେ ଲିପ୍ତ ଥାଇ ମଧ୍ୟ ଥିଲେ ନିର୍ଲିପ୍ତ । ପଦ୍ମ ପତ୍ରରେ ଜଳବିନ୍ଦୁପରି ସଂସାର ଜୀବନରେ ଅଭିମନ୍ୟୁ ଥିଲେ ଅନେକ ପରିମାଣରେ ସ୍ୱତନ୍ତ୍ର ତଥା ବିଚ୍ଛିନ୍ନ । ରାଧା-ମାଧବଙ୍କର ଯୁଗଳ ମୂର୍ତ୍ତି, ଯାହାଙ୍କର ହୃଦୟ-ମନ୍ଦିରରେ ନିତ୍ୟ ପୂଜିତ, ତାର ମନରେ ଯେ ବାଜିଉଠେ ନିତ୍ୟବସନ୍ତର ବିଦଗ୍‌ଧ-ବାଂଶରୀ । ଅଭିମନ୍ୟୁ, ସେ ବଂଶୀ ଧ୍ୱନିରେ କେବଳ ବିମୋହିତ ହୋଇନାହାନ୍ତି, ତାର ସଫଳ ରୂପାୟନରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ଏହି ପୁସ୍ତକର ପରବର୍ତ୍ତୀ ପୃଷ୍ଠାମାନଙ୍କରେ ଆମେ ବିଦଗ୍‌ଧ କବିଙ୍କର ସେଇ ମହନୀୟ ପ୍ରତିଭାର ଆଲୋକିତ ବଳୟ ଦେଖିବାର ସୁଯୋଗ ଲାଭକରିବା ।

 

‘ଚଢ଼ାଇଗୀତ’ ଓ ‘ବାଘଗୀତ’ ରଚନାରୁ ଆରମ୍ଭକରି ଜୀବନର ସର୍ବଶ୍ରେଷ୍ଠ କୃତି ‘ବିଦଗ୍‌ଧ ଚିନ୍ତାମଣି’ ରଚନା ପର୍ଯ୍ୟନ୍ତ, ଏଇ ଯେଉଁ ଦୀର୍ଘ ସମୟର ବ୍ୟବଧାନ, ତାହାକୁ ଅଭିମନ୍ୟୁଙ୍କ ପ୍ରତିଭା ବିକାଶର ୨ୟ ପର୍ଯ୍ୟାୟ ଭାବରେ ଗ୍ରହଣ କରାଯାଇପାରେ । ଅଭିମନ୍ୟୁ ସ୍ୱଭାବତଃ କବି-ପ୍ରତିଭା ନେଇ ଏ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଲେଖନୀ ଯେପରି ଥିଲା କାଉଁରୀକାଠି-। ସେ କାଠି ଛୁଆଇଁ ଦେଲେ ମାଟି ସୁଦ୍ଧା ଯେପରି ସୁନାରେ ପରିଣତ ହୋଇଯାଏ, ଅଭିମନ୍ୟୁ ସେହିପରି ଯେଉଁ ରଚନାଟିରେ ହାତ ଦେଇଛନ୍ତି, ତାହା ଯେପରି ସୁନାରେ ପରିଣତ ହୋଇଯାଇଅଛି । ‘ବିଦଗ୍‌ଧ ଚିନ୍ତାମଣି’ ବ୍ୟତୀତ, କବି ଆଉ ଯେଉଁ କାବ୍ୟସବୁ ରଚନା କରିଛନ୍ତି, ସେ ସବୁ ହେଲା ପ୍ରେମଚିନ୍ତାମଣି, ପ୍ରେମକଳା, ରସବତୀ ଓ ସୁଲକ୍ଷଣା ପ୍ରଭୃତି । ଡକ୍‌ଟର ଆଶୁତୋଷ ପଟ୍ଟନାୟକ ଏହିସବୁ କାବ୍ୟର ରଚନାକାଳ ଏହିପରି ଭାବରେ ହିଁ ନିର୍ଣ୍ଣୟ କରିଅଛନ୍ତି-

 

‘‘ସମୟାନୁକ୍ରମିକଭାବେ କବିଙ୍କର କାବ୍ୟସମୂହକୁ ନିମ୍ନୋକ୍ତ ପ୍ରକାରରେ ସଜ୍ଜୀକରଣ କରାଯାଇପାରେ ।

 

କାବ୍ୟ

ରଚନା ସମୟ

କବିଙ୍କର ବୟସ

ପ୍ରେମଚିନ୍ତାମଣି

ଖ୍ରୀ ୧୭୮୮-୮୯

୨୯ ବର୍ଷ

ପ୍ରେମକଳା

ଖ୍ରୀ ୧୭୮୯-୯୦

୩୦ ବର୍ଷ

ରସବତୀ

ଖ୍ରୀ ୧୭୯୧-୯୨

୩୨ ବର୍ଷ

ସୁଲକ୍ଷଣା

ଖ୍ରୀ ୧୭୯୬

୩୬ ବର୍ଷ (୧)’’

 

(୧) ପ୍ରେମଚିନ୍ତାମଣି, ମୁଖବନ୍ଧ- ପୃ ୧୨

 

ପ୍ରେମଚିନ୍ତାମଣି:

୬୮ ଛାନ୍ଦବିଶିଷ୍ଟ ଏହି କାବ୍ୟଟି ଅଭିମନ୍ୟୁଙ୍କର ସଂପୂର୍ଣ୍ଣ ମୌଳିକ ରଚନା ନୁହେଁ । ବଙ୍ଗୀୟ କବି ଯଦୁନନ୍ଦନ ଦାସଙ୍କ ‘ଗୋବିନ୍ଦଲୀଳାମୃତ’ ଛାୟାରେ ଅଭିମନ୍ୟୁ ଏହି ଗ୍ରନ୍ଥଟି ରଚନା କରିଅଛନ୍ତି । ‘ଗୋବିନ୍ଦଲୀଳାମୃତ’ ମଧ୍ୟ ଯଦୁନନ୍ଦନ ଦାସଙ୍କ ମୌଳିକ ରଚନା ନୁହେଁ । ଏକ ଏକ ଅନୂଦିତ ଗ୍ରନ୍ଥ । ସେତେବେଳେ ବୈଷ୍ଣବ ସଂପ୍ରଦାୟଙ୍କ ମଧ୍ୟରେ କୃଷ୍ଣଦାସ କବିରାଜ ଗୋସ୍ୱାମୀକୃତ ‘ଗୋବିନ୍ଦଲୀଳାମୃତ’ ଗ୍ରନ୍ଥଟି ଉଲ୍ଲେଖଯୋଗ୍ୟ ପ୍ରଭାବ ପକାଇବାରେ ସଫଳତା ହାସଲ କରିଥିଲା । ମାତ୍ର ଏହି ଗ୍ରନ୍ଥଟି ସଂସ୍କୃତରେ ଲିଖିତ ହୋଇଥିବାରୁ ଏହାର ପ୍ରଚାର ତଥା ପ୍ରସାର ଥିଲା ସୀମିତ । ଏପରି ଏକ ମୂଲ୍ୟବାନ ଗ୍ରନ୍ଥଟିକୁ ସରଳ ତଥା ସର୍ବଜନବୋଧ୍ୟ କରିବା ପାଇଁ ଯଦୁନନ୍ଦନ ଦାସ, ତାହାର ଏକ ବଙ୍ଗଳା ଅନୁବାଦ କରିଥିଲେ । ‘ଗୋବିନ୍ଦ ଲୀଳାମୃତ’ ସେଇ ଅନୁବାଦର ହିଁ ପରିଣତି-। ଏହି ଗ୍ରନ୍ଥଟି ଓଡ଼ିଆ ବୈଷ୍ଣବମାନଙ୍କ ନିକଟରେ ମଧ୍ୟ ଥିଲା ଅତି ଆଦରଣୀୟ । ଅଭିମନ୍ୟୁ ଏହାକୁ ପାଠକରି, ମୁଗ୍‌ଧ ହୋଇଥିଲେ ଖାଲି ନୁହେଁ, ଏହାର ଛାୟାରେ ରଚନା କରିଥିଲେ ‘ପ୍ରେମଚିନ୍ତାମଣି’ କାବ୍ୟ । ତଥାପି ଅଭିମନ୍ୟୁ ମଧ୍ୟ ଏହି କାବ୍ୟରେ ମୌଳିକତାର ଯଥେଷ୍ଟ ପରିଚୟ ଦେଇଅଛନ୍ତି ।

 

ଶ୍ରୀ ରାଧାକୃଷ୍ଣଙ୍କର ଅଷ୍ଟକାଳ ଲୀଳା ବିଳାସ ହିଁ ‘ପ୍ରେମଚିନ୍ତାମଣି’ର ବିଷୟବସ୍ତୁ । କବି ତେଣୁ ତୃତୀୟ ଛାନ୍ଦରେ ଲେଖିଛନ୍ତି -

 

କହିବା ଦିନକ ଚରିତ

ଯେ ରାଗ ମାର୍ଗ ଅଭିମତ

ନିତ୍ୟନୈମିତ୍ତ୍ୟ ପରିଚର୍ଯ୍ୟା

ଯେ ଉପାସକ ମନରଞ୍ଜା

ପ୍ରାତରୁ ପୁଣ ପ୍ରାତଯାଏ

କହିବା ସକଳ ନିର୍ଣ୍ଣୟେ

ଦିନେକ କଥା ମଧ୍ୟେ ତହିଁ

ସବୁରି ଭାବ ଥିବ ରହି ।

 

କବି ଏହି କାବ୍ୟରେ ବିଶେଷ ଛାନ୍ଦରେ କାବ୍ୟର୍ଣ୍ଣିତ ବିଷୟର ସଂକ୍ଷିପ୍ତ ସୂଚନା ପ୍ରଦାନ କରିଅଛନ୍ତି ।

 

ପ୍ରେମ ଚିନ୍ତାମଣି କାବ୍ୟରେ ସମୁଦାୟ ବିଷୟବସ୍ତୁ ଏହିପରି ସଂଯୋଜିତ ହୋଇଅଛି ।

 

ପ୍ରଥମ ଛାନ୍ଦରେ ରାଧାକୃଷ୍ଣ ବର୍ଣ୍ଣନା ଓ ଗ୍ରନ୍ଥର ସୂଚନା, ଦ୍ୱିତୀୟ ଛାନ୍ଦରେ ଚୈତନ୍ୟଚନ୍ଦ୍ର ଓ ଭକ୍ତବୃନ୍ଦଙ୍କ ବର୍ଣ୍ଣନା, ତୃତୀୟ ଛାନ୍ଦରେ ଶ୍ରୀରାଧା ପ୍ରେମତତ୍ତ୍ୱ, ଚତୁର୍ଥ ଛାନ୍ଦରେ ଶ୍ରୀରାଧାକୃଷ୍ଣଙ୍କ ଶାନ୍ତକେଳି ବର୍ଣ୍ଣନା, ପଞ୍ଚମ ଛାନ୍ଦରେ ରତିବାହୁଡ଼ା ରାଧାପୁର ପ୍ରବେଶ, ଷଷ୍ଠ ଛାନ୍ଦରେ ନନ୍ଦପୁରରେ ପୌର୍ଣ୍ଣମାସୀଙ୍କର ପ୍ରବେଶ ଓ କୃଷ୍ଣଙ୍କର ନିଦ୍ରାଭଙ୍ଗ ପାଇଁ ଚେଷ୍ଟା ତଥା କୃଷ୍ଣଙ୍କର ନିଦ୍ରାଭଗ୍ନ ଓ ଦନ୍ତମାର୍ଜନ, ସପ୍ତମ ଛନ୍ଦରେ ରତିଚିହ୍ନଯୁକ୍ତ କୃଷ୍ଣଙ୍କୁ ସଖାମାନଙ୍କର ପରିହାସ, ଦଶମ ଛାନ୍ଦରେ ପାକ ସଂପାଦନ ରୀତି, ଏକାଦଶ ଛାନ୍ଦରେ ଶ୍ରୀକୃଷ୍ଣ ଭୋଜନ ବିଧି, ପଞ୍ଚଦଶ ଛାନ୍ଦରେ ଶ୍ରୀକୃଷ୍ଣ କାନନ ବିନୋଦ ବର୍ଣ୍ଣନା, ସପ୍ତଦଶ ଛାନ୍ଦରେ ରାଧିକାଙ୍କ ଚିଟାଉ ପଠନ, ଅଷ୍ଟାଦଶ ଛାନ୍ଦରେ କୃଷ୍ଣ କନ୍ଦର୍ପରସ ଉତ୍କଣ୍ଠା ଚିନ୍ତା, ଊନବିଂଶ ଛାନ୍ଦରେ ବୃନ୍ଦାବନ ବର୍ଣ୍ଣନା, ବିଂଶ ଛାନ୍ଦରେ ବୃନ୍ଦାବନ କୁଞ୍ଜ ବର୍ଣ୍ଣନା, ଏକବିଂଶ ଛାନ୍ଦରେ କୃଷ୍ଣ ଉଚ୍ଛନ୍ନ, ବନ ଭ୍ରମଣ, ଚତୁବିଂଶତି ଛାନ୍ଦରେ ଶ୍ରୀରାଧା ସ୍ୱାଧୀନ ଭର୍ତ୍ତୃକା ଉକ୍ତି, ପଞ୍ଚବିଂଶ ଛାନ୍ଦରେ ରାଧା ଉତ୍କଣ୍ଠା ଉକ୍ତି, ସପ୍ତବିଂଶଛାଂନ୍ଦରେ ଶ୍ରୀକୃଷ୍ଣଙ୍କ ଚିଟାଉ, ତ୍ରିଂଶ ଛାନ୍ଦରେ କୃଷ୍ଣ ପ୍ରତ୍ୟୁକ୍ତି ଛନ୍ଦଶ୍ଳେଷ, ଏକତ୍ରିଂଶ ଛାନ୍ଦରେ ସଖୀ ଛଳୋକ୍ତି, ବତ୍ରିଶ ଛାନ୍ଦରେ ପରିହାସ ଉକ୍ତି, ନ୍ତ୍ରୟନ୍ତ୍ରିଂଶ ଛାନ୍ଦରେ ବଂଶୀ ହରଣ ବିନୋଦ ପ୍ରଭୃତିର ସୂଚନା ପ୍ରଦତ୍ତ ହୋଇଅଛି (୧) । ଡକ୍‌ଟର ଆଶୁତୋଷ ପଟ୍ଟନାୟକ ଏହି ଗ୍ରନ୍ଥଟିର ‘ଚତୁଃନ୍ତ୍ରିଂଶ ଛାନ୍ଦ’ ପର୍ଯ୍ୟନ୍ତ ଶୁଦ୍ଧ ସଂସ୍କରଣ ଓ ଦୀର୍ଘ ମୁଖବନ୍ଧ ସହ ପ୍ରକାଶ କରି, ଏକ ଜାତୀୟ ଅଭାବ ଦୂର କରିବାରେ ସହାୟକ ହୋଇଅଛନ୍ତି ।

 

ପ୍ରେମଚିନ୍ତାମଣି କାବ୍ୟର ପ୍ରଧାନ ଉପଜୀବ୍ୟ ବିଷୟ ହେଉଛି ପ୍ରେମ । ଶୁଦ୍ଧରାଗାତ୍ମିକା ପ୍ରେମର ଚମତ୍କାର ବର୍ଣ୍ଣନା ପାଠକଙ୍କୁ ଅଭିଭୂତ କରିଥାଏ । ଏହାର ନାମକରଣ କରିବାରେ କବି ଅଭିମନ୍ୟୁ ତାଙ୍କର ଶିକ୍ଷା ଓ ଦୀକ୍ଷାଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଦ୍ୱାରା ପ୍ରଭାବିତ ହୋଇଥିବାର ଜଣାଯାଏ । ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବଙ୍ଗଳା ଭାଷାରେ ‘ପ୍ରେମଚିନ୍ତାମଣି’ ନାମକ ଏକ କାବ୍ୟ ଓ ଓଡ଼ିଆ ଭାଷାରେ ‘ପ୍ରେମଚିନ୍ତାମଣି’ ନାମକ ଏକ କ୍ଷୁଦ୍ର ଚଉତିଶା ରଚନା କରିଥିଲେ । କଦମ୍ବ କାନନରେ କୃଷ୍ଣଙ୍କ ସହିତ ରାଧାଙ୍କର ସାକ୍ଷାତ ଓ ମିଳନ ଭିତର ଦେଇ ‘ପ୍ରେମ ଚିନ୍ତାମଣି’ ଚଉତିଶାଟିର ପରିସମାପ୍ତି । ମନେହୁଏ, ଅଭିମନ୍ୟୁ ଏହି କବିତାଟି ଦ୍ୱାରା ପ୍ରଭାବିତ ହୋଇ ଏପରି ଏକ କାବ୍ୟ ଲେଖିବାକୁ ମନସ୍ଥ କରିଥିଲେ ଓ ସେହି ଅନୁସାରେ କାବ୍ୟର ନାମକରଣ ମଧ୍ୟ କରିଥିଲେ । ବଙ୍ଗୀୟ କବି ଯଦୁନଂଦନଙ୍କ ‘ଗୋବିନ୍ଦଲୀଳାମୃତ’ ମଧ୍ୟ କବିଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । ଏ ସବୁର ଶେଷ ପରିଣତି ହିଁ ଘଟିଚି ‘ପ୍ରେମଚିନ୍ତାମଣି’ କାବ୍ୟ ରଚନାରେ । ସେଥିପାଇଁ ପ୍ରେମ-ଚିନ୍ତାମଣିରେ ‘ଗୋବିନ୍ଦଲୀଳାମୃତ’ର ଅନେକ ପଦ ଅନୂଦିତ ହୋଇ ପ୍ରକାଶ ପାଇଥିବାର ଦେଖାଯାଏ । ଆଲୋଚନାର ସୀମିତତା ଦୃଷ୍ଟିରୁ ଏଠାରେ ଗୋଟିଏ ଦିଓଟି ଉଦାହରଣ ଦିଆଗଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

(କ)       ‘‘ଚକ୍ରବାକୀ ଏକ ନେତ୍ର ଚକ୍ରବାକେ ଧରେ

ଆର ଏକ ନେତ୍ର ଧରେ ଅରୁଣ ଉପରେ ।

                  (ଗୋବିଂଦ ଲୀଳାମୃତ-ପ୍ରଥମ ସର୍ଗଃ)

(୧)       ଡକ୍‌ଟର ଆଶୁତୋଷ ପଟ୍ଟନାୟକଙ୍କ ସମ୍ପାଦିତ ପ୍ରେମଚିନ୍ତାମଣି

‘‘ଚକ୍ରବାକ ଏକ ନେତ୍ର କାନ୍ତାରେ

ଆର ନେତ୍ର ଦିଏ ପୂର୍ବ ଭାଗରେ’’

            (ପ୍ରେମଚିନ୍ତାମଣି - ୪ର୍ଥ ଛାନ୍ଦ)

(ଖ)       ‘‘ଦେଖିୟା ରାଧିକା ବୁକ

କୁନ୍ଦଲତା ପ୍ରାୟ ସୁଖ

ପରିହାସ କରିତେ ଲାଗିଲା

ଚିରଦିନ ତୁୟା ପ୍ରତି

ଗୋଷ୍ଠେତେ ଗମନ ସତୀ

ନଖ ଚିହ୍ନ କେ ବା ବୁକେ ଦିଲା ।’’

      (ଗୋବିନ୍ଦ ଲୀଳାମୃତ-ତୃତୀୟ ସର୍ଗଃ)

‘‘ପଥେ କୁନ୍ଦଲତା ହସି

ଏମନ୍ତ ଭାଷି ଗୋ ।୧୭।

ପତିତ ତୁମ୍ଭର ଗୋଷ୍ଠେ

ୟେ ଚିହ୍ନ କେ ଦେଲା ଓଷ୍ଠେ

ଭରଜେ ଏ ଗାର କିସ

ବହନ ଭାଷ ଗୋ ।’’ (ପ୍ରେମଚିନ୍ତାମଣି-ନବମଛାନ୍ଦ)

 

ବିଭିନ୍ନ ରାଗରାଗିଣୀ ସମୃଦ୍ଧ ଏହି ଚମତ୍କାର ‘ପ୍ରେମ ଚିନ୍ତାମଣି’ କାବ୍ୟରେ କବି ବିଭିନ୍ନ ନିୟମ ଶୃଙ୍ଖଳା, ଚିତ୍ରବନ୍ଧ ଓ ଅଳଙ୍କାର ପ୍ରଭୃତି ପ୍ରୟୋଗ କରି ରୀତି ଯୁଗ ସାହିତ୍ୟର ଯଥାର୍ଥ ଧର୍ମ ରକ୍ଷା କରିବାରେ ସଫଳକାମ ହୋଇଅଛନ୍ତି । ଅଭିମନ୍ୟୁଙ୍କର ସ୍ୱାଭାବିକ କବି ପ୍ରତିଭାର ଏହା ଏକ ଅମଳିନ ସ୍ୱାକ୍ଷର । ନାନା ଶାସ୍ତ୍ର ଅଧ୍ୟୟନର ଯେଉଁ ପ୍ରମାଣ ସବୁ ଅଭିମନ୍ୟୁ ଏହି କାବ୍ୟଟିରେ ଛାଡ଼ି ଯାଇଅଛନ୍ତି, ତାହା ପାଠ କଲେ ଯଥାର୍ଥରେ ବିସ୍ମିତ ହେବାକୁ ପଡ଼ିଥାଏ । ଅଭିମନ୍ୟୁଙ୍କ ବିଦଗ୍‌ଧ-ବାଣୀ ବିଳାସର ଏକ ସାର୍ଥକ ତଥା ଅନୁପମ ପ୍ରକାଶ ଭାବରେ ‘ପ୍ରେମଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଚିରକାଳ ଅମ୍ଳାନ ହୋଇ ରହିବ ।

 

ରସବତୀ- ଏହି କାଳ୍ପନିକ କାବ୍ୟଟି ଅଭିମନ୍ୟୁ ୨୪ ବର୍ଷ ବୟସରେ ରଚନା କରିଥିଲେ । ଏହି କାବ୍ୟଟିକୁ ରଚନା କରିବାରେ କବି ରୀତିଯୁଗ କାବ୍ୟ ସାହିତ୍ୟର ଅନ୍ୟତମ ବରେଣ୍ୟ ସ୍ରଷ୍ଟା ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା ପରି ଅନୁମିତ ହୁଏ । ଏହାର ବିଷୟବସ୍ତୁଟି ଏହିପରି- ଅଙ୍ଗ ଦେଶର ରଜା କୀର୍ତ୍ତବନ୍ତଙ୍କ ମହିଷୀ ମନୋରମାଙ୍କ ଗର୍ଭରୁ କାବ୍ୟନାୟିକା ‘ରସବତୀ’ର ଜନ୍ମ । ମାଳବ ଦେଶର ରାଜକୁମାର ସୁଧାକର ପାଇଁ ସେ ମନୋନୀତ । ନାୟକ ନାୟିକାଙ୍କର ଅନୁରାଗ ସୃଷ୍ଟି ପାଇଁ କବି ଚିରାଚରିତ ଢଙ୍ଗରେ ଏଠାରେ ଚିତ୍ରପଟର ସହାୟତା କରିଅଛନ୍ତି । ରାଜ ସ୍ୱୟମ୍ୱରକୁ ସୁଧାକର ଓ ଅନ୍ୟାନ୍ୟ ନାଗରିକମାନେ ଆସିଛନ୍ତି । ଯଥାବିଧି ସାମାଜିକ ପ୍ରଥାନୁସାରେ ରସବତୀ ଓ ସୁଧାକରଙ୍କର ବିବାହ ସଂପାଦିତ ହୋଇଛି । ଏପରିକି ସେତେବେଳର ସାମାଜିକ ରୀତି ଅନୁସାରେ ମଙ୍ଗନ, ଗନ୍ଧଷଣ ବିଧାନ, କୋଇଲିବୁଡ଼ ପ୍ରଭୃତି ବିଧିର ଚିତ୍ର ଦେବାପାଇଁ କବି ଭୁଲିନାହାନ୍ତି । କେଳିଗୃହର ବର୍ଣ୍ଣନା, ସେଠାରୁ ଫେରିବା ପରେ ସଖୀମାନଙ୍କର ହାସ ପରିହାସ, ରସବତୀର ଭୁଲ୍‌ବୁଝାମଣା ପାଇଁ ଅଭିମାନ ଓ ଶେଷରେ ମାନଭଞ୍ଜନ ପରେ ମିଳନରେ କାବ୍ୟଟିର ପରିସାମାପ୍ତି ଘଟିଛି । ଏହି କାଳ୍ପନିକ କାବ୍ୟଟିର ନାୟକ-ନାୟିକା ପ୍ରେମ ବିବାହ କରିନାହାନ୍ତି, ବରଂ ବିବାହ ପରେ ପରସ୍ପରର ପ୍ରେମ ଫାଶରେ ଆବଦ୍ଧ ହୋଇଉଠିଛନ୍ତି । ସେଥିପାଇଁ କାବ୍ୟଟିରେ ପ୍ରେମର ପ୍ରକାଶ ଅତ୍ୟନ୍ତ ଜୀବନ୍ତ ଓ ସ୍ୱାଭାବିକ ହୋଇ ଉଠିଛି ।

 

‘‘ବୀର ଗୁନ୍ଥିଲା ଯତ୍ନେ ମାଳତୀ, ବାମାବେଣୀରେ ଖଞ୍ଜି ଝଟତି

କହେ ଆଜୁ ଫୁଲ ଡାକ ମୂଳ ହେଲା ହେଉ କହ ରସବତୀ ହେ ସୁଜନେ,

କାନ୍ତ ବଦନୁ ଏ ବାଣୀ, କୁରୁବକ ଫୁଲକୁ ସେ ଆଣି

କାନ୍ତ ଚରଣେ ଦେଇ ବୋଲେ, ଏପରି କରୁଥିବ ଗୁଣମଣି, ହେ ଜୀବେଶ’’

 

ଏହି ପ୍ରେମ ପୁଣି ଯେପରି ବଳିଷ୍ଠ ସେହିପରି ହୃଦୟସ୍ପର୍ଶୀ ମଧ୍ୟ ।

 

‘‘ତୋ ପରାଧୀନ ତୋ ବିନା

ଆନ ନ ଜାଣେ ନବୀନା

ନ ପାରଇ ତୋତେ ମୂର୍ଚ୍ଛି

ଏଣୁ ଚିତ୍ର ଲେଖାଇଛି

ତୋ ସମାନେ ମନୋରମା,

ଗଢ଼ାଇ ଅଛି ପ୍ରତିମା

ତୋ ବିନା ତାହାକୁ ଧନ,

ଚାହିଁ ହରୁଥାଇ ଦିନ (୩୯)

 

କାବ୍ୟରେ ବିଚ୍ଛେଦ ସୃଷ୍ଟି ପାଇଁ ଅଭିମନ୍ୟୁ ବାସ୍ତବ ପରିକଳ୍ପନା କରି ଚିତ୍ରସେନ ଦ୍ୱାରା ସୁଧାକରକୁ ଅପହରଣ କରାଇଛନ୍ତି ଓ ତତ୍ପରେ ହଂସ ପିଠିରେ ବସାଇ ତାଙ୍କୁ ଆଣି ରସବତୀ ନିକଟରେ ପହଞ୍ଚାଇ ଅଛନ୍ତି । ଏହି ପରିକଳ୍ପନା କେବଳ ବାସ୍ତବ ନୁହେଁ, ଭଞ୍ଜଙ୍କଠାରୁ ମଧ୍ୟ ଅନେକ ପରିମାଣରେ ସ୍ୱାଭାବିକ ଓ ଜୀବନ୍ତ ହୋଇଉଠିଛି ।

 

ଅଭିମନ୍ୟୁ, ଏହି କାବ୍ୟଟିର ନାମ ଯେ କେବଳ ‘ରସବତୀ’ ରଖିଛନ୍ତି, ତାହା ନୁହେଁ, ଏହା ମଧ୍ୟ ରସିକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କବି ପରିଷ୍କାର ଭାବରେ କହିଅଛନ୍ତି-

 

‘‘ଛାନ୍ଦ ପ୍ରବନ୍ଧ ପଦନ୍ୟାସ

ରାଗ ସଙ୍ଗୀତେ ପ୍ରୀତିରସ

କାବ୍ୟାନୁବୃତ୍ତି ନୀତି ଯେତେ

କବି କବିତ୍ୱ ବିଧିମତେ

ବର୍ଣ୍ଣିଲି ଦ୍ୱାନ୍ତ୍ରିଂଶ ଛାନ୍ଦରେ

ଆଠ’ଶ ଏକାନ ପଦରେ

ଗୁନ୍ଥିଛି ମୁଁ ସୁମନମାଳା

ରସିକେ ଲମ୍ୱାଇବେ ଗଳା ।’’

 

‘ରସବତୀ’ ସ୍ୱକୀୟା ପ୍ରୀତିର ଏକ ମନୋଜ୍ଞ ଆଲେଖ୍ୟ । ଗୌଡ଼ୀୟ ବୈଷ୍ଣବ ଧର୍ମ ପରମ୍ପରାରେ ପରକୀୟା ପ୍ରୀତି ଅଧିକ ଶ୍ଳାଘ୍ୟ ହୋଇଥିଲେ ହେଁ ଅଭିମନ୍ୟୁ ଏହି କାବ୍ୟଟିକୁ କିନ୍ତୁ ସ୍ୱକୀୟ ପ୍ରୀତିର ନିର୍ଯ୍ୟାସରେ ରୁଦ୍ଧିମନ୍ତ କରି ଯାଇଅଛନ୍ତି । କେବଳ ସେତିକି ନୁହେଁ, ଏହି କାବ୍ୟଟି ମଧ୍ୟ ରୀତିଯୁଗୀୟ ଆଦର୍ଶରେ ମିଳନାନ୍ତକ ହୋଇଉଠିଛି । ନାୟକ ସୁଧାକର ଓ ନାୟିକା ରସବତୀଙ୍କର ମିଳନ ମଧ୍ୟରେ ଘଟିଛି କାବ୍ୟର ମଧୁର ପରିସମାପ୍ତି । ନଳ-ଦମୟନ୍ତୀ ଉପାଖ୍ୟାନରେ ହଂସର ଯେପରି ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା, ରସବତୀ କାବ୍ୟରେ ମଧ୍ୟ ହଂସ ଗ୍ରହଣ କରିଛି ସେହିପରି ମୂଲ୍ୟବାନ ଭୂମିକା । ବସ୍ତୁତଃ, ରାଜକୁମାରଙ୍କ ବାର୍ତ୍ତା ଏହି ହଂସ ମୁଖରୁ ପାଇଲା ପରେ ହିଁ ରାଜକୁମାରୀ ଆଶ୍ୱସ୍ତ ହୋଇଛନ୍ତି । ପ୍ରାଚୀନ ସଂସ୍କୃତ ସାହିତ୍ୟରେ ମଧ୍ୟ ହଂସ, ମେଘ ପ୍ରଭୃତିଙ୍କୁ ଦୂତ ରୂପରେ ପ୍ରେରଣ କରିବାର ପରମ୍ପରା ପ୍ରଚଳିତ ଅଛି । ସଂସ୍କୃତରେ ହଂସଦୂତ, ମେଘଦୂତ ପ୍ରଭୃତି ରଚନା ଦୂତକାବ୍ୟର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଅଭିମନ୍ୟୁ ତାଙ୍କ ରସବତୀରେ ହଂସକୁ ଦୂତ କରି, ସେହି ଭାରତୀୟ ପରମ୍ପରାର ମହତ୍ତ୍ୱ ହିଁ ପ୍ରତିଷ୍ଠା କରିଯାଇ ଅଛନ୍ତି-

 

ରସକଳା :

 

‘‘ବିଂଶ ବରଷ ବୟସେ ଏହା ଆରମ୍ଭିଲି

ସୁଜନ ପଦାଶ୍ରିତରେ ଶଙ୍କାହୀନ କଲି’’

(ରସକଳା)

 

‘ରସକଳା’ର ପ୍ରଥମ ଛାନ୍ଦରେ ପ୍ରକାଶିତ କବିଙ୍କର ଏହି ଉକ୍ତିରୁ ଜଣାଯାଏ ଯେ, କବି ତାଙ୍କର ବିଂଶ ବର୍ଷ ବୟସରେ ଏହି କାବ୍ୟଟିକୁ ରଚନା କରିଅଛନ୍ତି । ପ୍ରାବନ୍ଧିକ ମୃତ୍ୟୁଞ୍ଜୟ ରଥ, ଡକ୍‌ଟର ଆର୍ତ୍ତବଲ୍ଲଭ ମହାନ୍ତି ପ୍ରମୁଖ ଆଲୋଚକଗଣ ଏହି କାବ୍ୟକୁ ‘ପ୍ରେମକଳା’ ବୋଲି ଅଭିହିତ କରିଥିଲେହେଁ, ଆଲୋଚକ ପ୍ୟାରୀମୋହନ ବଳ କିନ୍ତୁ ସ୍ପଷ୍ଟ ମତପ୍ରକାଶ କରି କହିଅଛନ୍ତି ଯେ, ସଂଗୃହୀତ ପୋଥିରେ ଏହି କାବ୍ୟର ନାମ ‘ରସକଳା’ । ଏହି କାବ୍ୟର ନାୟିକାର ନାମ ପ୍ରେମକଳା ହୋଇଥିବାରୁ ଆଲୋଚକଗଣ, କାବ୍ୟର ନାମ ‘ପ୍ରେମକଳା’ ହୋଇଥିବ ବୋଲି ଧରି ନେଇଛନ୍ତି । ରୀତିଯୁଗର ଅଧିକାଂଶ କାବ୍ୟ ନାୟକ ନାୟିକାଙ୍କ ନାମାନୁସାରେ ନାମିତ ହୋଇଥିବାରୁ, ଆଲୋଚକଗଣ ଧରି ନେଇଛନ୍ତି ଯେ କାବ୍ୟଟିର ନାମ ମଧ୍ୟ ପ୍ରେମକଳା । ମାତ୍ର ପ୍ରକୃତରେ ତାହା ରସକଳା ହିଁ ହେବ । କାବ୍ୟଟିର ବିଷୟବସ୍ତୁ ଏହିପରି- ‘‘ବୃଷଭାନୁ ସୁତା ରାଧିକା ଶ୍ରୀକୃଷ୍ଣଙ୍କର ପ୍ରେମ କଳନା କରିବା ପାଇଁ ସ୍ୱ କଳାରୁ ମନୋଭାବ ନାମକ ରୂପବତୀ କନ୍ୟାକୁ ଜାତ କରାଇଥିଲେ-। ସେହି କନ୍ୟାକୁ ସେ ଶ୍ରୀକୃଷ୍ଣଙ୍କ ନିକଟକୁ ପ୍ରେରଣ କଲେ । ଭଗବାନ ଶ୍ରୀକୃଷ୍ଣ ମନୋଭାବାର ରୂପରେ ମୁଗ୍‌ଧ ଓ ବିଚଳିତ ହେବାରୁ ଶ୍ରୀରାଧା ମନୋଭାବାକୁ ସପତ୍ନୀ ମନେକରି କୌଣସି ଜନ୍ମରେ ପତିପ୍ରେମ ନ ମିଳୁ ବୋଲି ଅଭିଶାପ ଦେଲେ । କିନ୍ତୁ ଭଗବାନ ଶ୍ରୀକୃଷ୍ଣ ମନୋଭାବ ପ୍ରତି ଦୟାପରବଶ ହୋଇ ‘‘ସଂସାରରେ ଅଯୋନି ଜନ୍ମ ହୁଅ ଯାଇ, ସୃଷ୍ଟିରେ ରଖ ସାର ପୀରତି ବଡ଼ାଇ’’ କାମନା କରିଥିଲେ । ଏହା ପରେ ମନୋଭାବା ମର୍ତ୍ତ୍ୟରେ ଅନିନ୍ଦ୍ୟସୁନ୍ଦରୀ ରୂପସୀ ରୂପେ ଜନ୍ମ ହୋଇ ‘ପ୍ରେମକଳା’ର ପରିଚୟ ଗ୍ରହଣ କଲେ । ସେ ଏକ ସୁଦର୍ଶନ ରାଜପୁତ୍ରକୁ ବିବାହ କରି ସୁଖରେ କାଳାତିପାତ କରିଥିଲେ । (୧) ‘‘ ଏହି କାବ୍ୟ ରଚନାରେ କବି ଅଭିମନ୍ୟୁ ଉପେନ୍ଦ୍ରଭଞ୍ଜଙ୍କ ‘ଲାବଣ୍ୟବତୀ’ ଦ୍ୱାରା ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଅଛନ୍ତି । ‘ଲାବଣ୍ୟବତୀ’ ଓ ‘ରସକଳା’ର ସଂଯୋଜନା ମଧ୍ୟରେ କେତେକ ବିଷୟଗତ ସାମ୍ୟ ଥିବାର ପ୍ରକାଶ କରି ଅଧ୍ୟାପକ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି – ‘‘ମନେହୁଏ, ‘ଲାବଣ୍ୟବତୀ’ ପାଠ ପରେ ଏହା ପରିକଳ୍ପିତ । ‘ଲାବଣ୍ୟବତୀ’ରେ ଶିବ ନ ଥିବାରୁ ପାର୍ବତୀ କୈଳାସରେ ଏକାକିନୀ ଥିଲେ । ପଶା ଖେଳିବା ପାଇଁ ମନରୁ କନ୍ୟା ଜାତ କଲେ, ଯାହାର ନାମ ହେଲା ବାଞ୍ଛାବତୀ । ଏଠାରେ ଶିବ-ପାର୍ବତୀଙ୍କ ପରିବର୍ତ୍ତେ ଶ୍ରୀରାଧା ଓ କୃଷ୍ଣଙ୍କୁ ନିଆଯାଇଅଛି । ପଶା ଖେଳିବା ପରିବର୍ତ୍ତେ ‘ପ୍ରେମ ପରୀକ୍ଷା’ ନ୍ୟାୟରେ ଶ୍ରୀରାଧା ମନୋଭାବାକୁ ସୃଷ୍ଟି କରିଛନ୍ତି । ବାଞ୍ଛାବତୀ ଯେପରି ଅଶେଷ ରୂପବତୀ ଥିଲା ମନୋଭାବା ସେହିପରି । ଲାବଣ୍ୟବତୀରେ ଶିବ ବାଞ୍ଛାବତୀ ପ୍ରତି ଆକୃଷ୍ଟ ହେବାର ଭୟରୁ ପାର୍ବତୀ ବାଞ୍ଛାବତୀକୁ ନିର୍ବାସନ ଦେଇଛନ୍ତି । ‘ରସକଳା’ରେ ଶ୍ରୀକୃଷ୍ଣ ଆସକ୍ତ ହୋଇଯିବାରୁ ‘ମନୋଭାବା’ ଅଭିଶପ୍ତା । ପୁରୁଷର ଅଙ୍ଗ ସ୍ପର୍ଶ ମାତ୍ରେ ମୃତ୍ୟୁ ଯେପରି ବାଞ୍ଛାବତୀର ଦୁର୍ଯୋଗ, ‘କୌଣସି ଜନ୍ମରେ ପତିପ୍ରେମ ନ ମିଳୁ’ ସେଇପରି ମନୋଭାବା ପ୍ରତି ଶ୍ରୀରାଧାଙ୍କର ନିଷ୍ଠୁର କାମନା । ଅନ୍ୟ ଜନ୍ମରେ ସୁନ୍ଦର ପୁରୁଷ ଲାଭ କରିବା ଯେପରି ବାଞ୍ଛାବତୀର ଭାଗ୍ୟରେ ଘଟିଥିଲା, ଶ୍ରୀକୃଷ୍ଣଙ୍କର କଲ୍ୟାଣରୁ ‘ମନୋଭାବା’ ମଧ୍ୟ ସେଇପରି ପରଜନ୍ମରେ ସୁଦର୍ଶନ ରାଜକୁମାରକୁ ଲାଭ କରି ପାରିଛି । ଗୋଟିଏ ଜନ୍ମର ଅପୂର୍ଣ୍ଣ କାମନା ପରଜନ୍ମରେ ଧର୍ମବଳରେ ଚରିତାର୍ଥ ହେବା ବିଷୟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀରେ ପ୍ରତିପାଦିତ; ରସକଳାରେ ମଧ୍ୟ ତାହାହିଁ ବିଶେଷଭାବେ ଗୁଂଫିତ ହୋଇଛି ।’’ (୧) କେବଳ ସେତିକି ନୁହେଁ, ଉପେନ୍ଦ୍ର ଭଞ୍ଜ ଯେପରି ବାଞ୍ଛାରୁ ଜାତ ହୋଇଥିବାରୁ ନାୟିକାର ନାମ କରିଛନ୍ତି ବାଞ୍ଛାବତୀ, ଅଭିମନ୍ୟୁ ସେହିପରି ମନରୁ ଉତ୍ପନ୍ନ ହୋଇଥିବାରୁ ନାୟିକାର ନାମକରଣ କରିଛନ୍ତି ମନୋଭାବା । ଏପରି ନାମକରଣ ଯେପରି ଯୁକ୍ତିଯୁକ୍ତ ସେହିପରି କିଛି ପରିମାଣରେ ଅଗ୍ରଗାମୀ ଚିନ୍ତାର ପରିଚାୟକ ମଧ୍ୟ । ଉପେନ୍ଦ୍ର ଥିଲେ ଅଭିମନ୍ୟୁଙ୍କର କାବ୍ୟଗୁରୁ । ତେଣୁ ଉପେନ୍ଦ୍ରଙ୍କ ସୁଦୂରପ୍ରସାରୀ ପ୍ରଭାବ, ଅଭିମନ୍ୟୁଙ୍କ ଉପରେ ପଡ଼ିଥିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । କିନ୍ତୁ ପ୍ରଭାବିତ ହୋଇ ମଧ୍ୟ ଅଭିମନ୍ୟୁ ଏଥିରେ କବିତ୍ୱର ଯେଉଁ ପରମ ପରାକାଷ୍ଠା ପ୍ରଦର୍ଶନ କରିଅଛନ୍ତି, ତାହାର ତୁଳନା ହୁଏନା । ଅଭିମନ୍ୟୁଙ୍କର ଚିର ରସାଣିତ କବି ହୃଦୟରୁ ଏକ ସ୍ୱଚ୍ଛ-ସଲିଳା-ଗିରିଝରଣା ପରି ଏହି କାବ୍ୟଟି ଉତ୍ସରିତ ହୋଇ, ତାର କୁଳୁକୁଳୁ ତାନରେ ପାଠକର ମନକୁ ଗଭୀରଭାବରେ ଛୁଇଁଛୁଇଁ ଯାଇଛି ।

 

ସୁଲକ୍ଷଣା :

ଶ୍ରୀଯୁକ୍ତ ବ୍ରଜସୁନ୍ଦର ଦାସଙ୍କଦ୍ୱାରା ପ୍ରକାଶିତ ଏହି କାବ୍ୟଟି କବି ଅଭିମନ୍ୟୁଙ୍କର ସପ୍ତବିଂଶବର୍ଷ ବୟସରେ ରଚିତ ହୋଇଥିଲା । ଏହି କାବ୍ୟ ସଂପର୍କରେ ସୂଚନା ଦେବାକୁ ଯାଇ ଶ୍ରୀଯୁକ୍ତ ଦାସ କହିଅଛନ୍ତି–‘‘ସୁଲକ୍ଷଣା ବାସ୍ତବିକ ସୁ-ଲକ୍ଷଣା କି ନା ପାଠକମାନେ ବିଚାର କରିବେ । ମୋ ମତରେ ସେ ପୁସ୍ତକଖଣ୍ଡି ସୁ-ଅଳଙ୍କୃତା । ପ୍ରାଚୀନ ଉତ୍କଳ ସାହିତ୍ୟରେ ଭାବର ମାଧୁର୍ଯ୍ୟ ଥାଉ ଅବା ନଥାଉ, ଭାଷାର ଲାଳିତ୍ୟ ଥାଉ ଅବା ନଥାଉ, ଅଳଙ୍କାର ବାହୁଲ୍ୟରେ (ସଂସ୍କୃତ ବ୍ୟତୀତ) ଅନ୍ୟ କୌଣସି ଭାଷା ତାହା ସହିତ ପ୍ରତିଯୋଗିତା କରିପାରିବ ନାହିଁ । ବୈଦେହୀଶ ବିଳାସ ଯେପରି ‘ବ’ ଆଦ୍ୟ ନିୟମରେ ଲିଖିତ, ରସକଲ୍ଲୋଳ ଯେପରି ‘କ’ ଆଦ୍ୟ ନିୟମରେ ଲିଖିତ, ସୁଲକ୍ଷଣା ସେହିପରି ‘ସ’ ଆଦ୍ୟ ନିୟମରେ ଲିଖିତ । ଏଥିରେ ପ୍ରତ୍ୟେକ ୧୬ପଦ ବିଶିଷ୍ଟ, ୧୬ ଗୋଟି ଛାନ୍ଦ, ୧୬ ପ୍ରକାର ଛନ୍ଦରେ ସନ୍ନିବେଶିତ ହୋଇଅଛି । ଯମକାଦି ନାନା ପ୍ରକାର ଅଳଙ୍କାରରେ ମଧ୍ୟ ଏହା ଅଳଙ୍କୃତ ।’’ (୨)

 

ସୁଲକ୍ଷଣା କାବ୍ୟର ବିଷୟବସ୍ତୁ ମୋଟାମୋଟି ଏହିପରି-ହସ୍ତିନାର ମହାମାନୀ ରାଜା ଦୁର୍ଯ୍ୟୋଧନଙ୍କର କନ୍ୟା ହେଉଛନ୍ତି ସୁଲକ୍ଷଣା । ସେ ଥିଲେ ଯେପରି ଅନନ୍ୟା ସେହିପରି ରୂପସୀ । ଏପରି ଭୁବନମୋହିନୀ ରୂପସୀ କନ୍ୟାଙ୍କ ପାଇଁ ତ୍ରିଭୁବନରେ ଉପଯୁକ୍ତ ବରପାତ୍ରର ସନ୍ଧାନ ନ ମିଳିବାରୁ ଶେଷରେ ଦୁର୍ଯ୍ୟୋଧନ, ସେ କାଳର ପ୍ରଥାନୁସାରେ ଏକ ସ୍ୱୟଂବର ସଭାର ଆୟୋଜନ କଲେ । ଏ କଥା ଯେତେବେଳେ ନାରଦ ମୁନି ଶୁଣିଲେ, ସେ ସୁଲକ୍ଷଣାଙ୍କୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ୱ ହସ୍ତରେ ଅର୍ପଣ କରିବା ପାଇଁ ପ୍ରସ୍ତାବ ଦେଲେ । ମାତ୍ର ରାଜା ଦୁର୍ଯ୍ୟୋଧନଙ୍କୁ ଏ ପ୍ରସ୍ତାବ ଭଲ ଲାଗିଲା ନାହିଁ । ସେ ପ୍ରଥମତଃ ଯଦୁବଂଶୀମାନଙ୍କ ସହିତ ବନ୍ଧୁ ବାନ୍ଧିବାଟାକୁ ହେୟ ମନେ କଲେ । ଦ୍ୱିତୀୟତଃ ସେମାନଙ୍କ ସହିତ ତାଙ୍କର ସଂପର୍କ ମଧ୍ୟ ଖୁବ୍‌ ମଧୁର ନଥିଲା । ଦୁର୍ଯ୍ୟୋଧନଙ୍କଠାରୁ ନାସ୍ତିବାଣୀ ଶୁଣି ନାରଦ ମନେ ମନେ କ୍ଷୁର୍ଣ୍ଣ ହେଲେ ଓ ଅନ୍ତଃପୁରରେ ଯାଇ ସୁଲକ୍ଷଣାଙ୍କ ନିକଟରେ ଉପଗତ ହୋଇ ତାଙ୍କୁ ଆର୍ଶୀବାଦ କଲେ ‘‘ସର୍ବ ଶୁଭେ କୃଷ୍ଣବଧୂ ହୁଅ ମହିଳା ।’’ କୃଷ୍ଣବଧୂ ହେବା ପାଇଁ ସୁଲକ୍ଷଣାଙ୍କର ମଧ୍ୟ ଥିଲା ପ୍ରଚ୍ଛନ୍ନ ଅନୁରାଗ । ମାତ୍ର ସେଥିପାଇଁ ଆଉ ସମୟ ବା କାହିଁ ? ରାଜା ଦୁର୍ଯ୍ୟୋଧନ ତ ଘୋଷଣା କରିସାରିଛନ୍ତି ଆଗାମୀକାଲି ପ୍ରତ୍ୟୁଷରୁ ହେବ ସ୍ୱୟମ୍ୱର ସଭାର ଆୟୋଜନ । ନାରଦ ହସିଲେ ବଡ଼ ରହସ୍ୟମୟ ଭାବରେ । ସେ ମାୟାବିସ୍ତାର କରି ଶାମ୍ୱଙ୍କୁ ଆଣି ପହଞ୍ଚାଇ ଦେଲେ ସୁଲକ୍ଷଣାଙ୍କ ନିକଟରେ । ନାୟକନାୟିକାଙ୍କର ଗୋପନ ମିଳନ ସଂଘଟିତ ହେଲା-। ପରଦିନ ପ୍ରତ୍ୟୁଷରେ ଯେତେବେଳେ ଏ ଗୋପନ ମିଳନର କାହାଣୀ ପ୍ରକାଶ ପାଇଲା, ସେତେବେଳେ ଉତ୍‌କ୍ଷିପ୍ତ ଦୁର୍ଯ୍ୟୋଧନ ଶାମ୍ୱଙ୍କୁ ବଧ କରିବା ପାଇଁ, ଉଦ୍‌ଭ୍ରାନ୍ତପରି ଆଦେଶ ଦେଲେ-। ଏ ସଂବାଦ ପାଇ ପାଣ୍ଡବମାନେ ଶାମ୍ୱଙ୍କର ପକ୍ଷ ସମର୍ଥନ କଲେ । ଅବିଳମ୍ୱେ ଦ୍ୱାରକାରେ ମଧ୍ୟ ଏ ସମ୍ବାଦ ପହଞ୍ଚିଲା । କ୍ରୋଧାନ୍ୱିତ ବଳରାମ ଏଥିର ପ୍ରତିଶୋଧ ନେବାପାଇଁ ହଳ ଉତ୍ତୋଳନ କରିବାରୁ କୁରୁପତି ଭୟରେ ତାଙ୍କର ଶରଣ ପଶିଲେ ଓ ଶେଷରେ ଶାମ୍ୱଙ୍କ ସହିତ ସୁଲକ୍ଷଣାଙ୍କର ବିବାହ ସର୍ବଶୁଭରେ ସଂପନ୍ନ ହେଲା ।

 

ସୁଲକ୍ଷଣାର ପରିସମାପ୍ତି ମିଳନାନ୍ତକ । ଏଥିରେ ମଧ୍ୟ ଲାବଣ୍ୟବତୀର ଛାୟା ସ୍ପଷ୍ଟ । ସମ୍ଭବତଃ ତାହାରି ପ୍ରଭାବରେ ଅଭିମନ୍ୟୁ ଲେଖିଛନ୍ତି-

 

ସେ କ୍ଷଣେ ତକ୍ଷଣେ ସୁଲକ୍ଷଣା କ୍ଷଣକାନ୍ତି ପରାୟେ ଚମକିଲା ।

ସୁରମୋହିନୀ ନିଦ୍ରା ଭାଙ୍ଗିଗଲା

ସତ ମଣି ପୁଣି ସେ ରମଣୀମଣି ଭ୍ରମେ ଶୟନେ ଲୋଡ଼ିଲା ହେ । ସୁଜନେ ।

ଶ୍ରୀ ହସ୍ତକୁ ଉରଜ ମଧ୍ୟେ ଭରି ।

ସଙ୍କୁଳେଇ ସେ ପୁରୁଷକୁ ଗୋରୀ ।

ଶେଯ ଲେଉଟାଇ କବରୀ ଫିଟାଇ ଖୋଜଇ ରସ ଚାତୁରୀ ହେ । ସୁଜନେ ।

(ସୁଲକ୍ଷଣା- ତୃତୀୟ ଛାନ୍ଦ)

 

‘‘ଚେତି ଚତୁରୀ ଚାହିଁଲା ନିଶିନାଶେ

ପାଶେ କାହିଁ ଦିବ୍ୟତରୁଣ

ମାରି ହୃଦେ ହାଥ ନାଥ ନାଥ ବୋଲି

ଅତି ଉଚ୍ଚେ କଲା କାରୁଣ୍ୟ

ଖୋଜେ ଅଧୀରେ, ଚେତନା ହତ ସେ ବିଧିରେ

ଶେଯ ଲେଉଟାଇ କବରୀ ଫିଟାଇ

କର ଭରି କୁଚ ସନ୍ଧିରେ ।’’

(ଲାବଣ୍ୟବତୀ)

 

ରସ ପରିବେଷଣରେ ଅନନ୍ୟସାଧାରଣ ସାଫଲ୍ୟ, ବର୍ଣ୍ଣନାର ବର୍ଣ୍ଣାଢ଼୍ୟ-ବିଳାସ, ଅଳଙ୍କାର ପ୍ରୟୋଗରେ ଗଭୀର ରୁଚିଶୀଳତା ଓ ଶବ୍ଦ ପାଣ୍ଡିତ୍ୟର ପରାକାଷ୍ଠା ‘ସୁଲକ୍ଷଣା’ କାବ୍ୟଟିକୁ ଏକ ମହାନ ସାରସ୍ୱତ ସଂପଦରେ ପରିଣତ କରିଦେଇଛି । ଭଞ୍ଜଙ୍କ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ କବି ବର୍ଣ୍ଣନାପାଟବରେ ଯଥେଷ୍ଟ ମୌଳିକତାର ପରିଚୟ ଦେଇଅଛନ୍ତି । ବିଶେଷ କରି ଅଳଙ୍କାର ପ୍ରୟୋଗରେ କବି ଗଭୀର ଧ୍ୟାନ ଦେଇଥିବା କଥାଟି କାବ୍ୟର ମଙ୍ଗଳାଚରଣରେ ନିମ୍ନୋକ୍ତ ପଦଟିରୁ ପରିଷ୍କାର ହୋଇଥାଏ-

 

‘‘ସୁଲକ୍ଷଣା ନାମରେ ଏ କବିତ୍ୱ ହୋଇବ

ସରସ ଲକ୍ଷଣାଳଙ୍କାରରେ ବିରାଜିବ ହେ ।୪।

ସମସ୍ତ ରମ୍ୟରେ ରାଜା ପ୍ରାୟ ସୁଖ ହେବ

‘ସ’ ଆଦ୍ୟ ନିୟମ ଅବିଘ୍ନରେ ସିଦ୍ଧ ହେବ ହେ ’’ ।୫।

 

‘ସୁଲକ୍ଷଣା’ରେ ଆଳଙ୍କରଣ ପ୍ରବୃତ୍ତିର ପରିଚୟ ଦେବାକୁ ଯାଇ ଅଧ୍ୟାପକ ପଠାଣି ପଟ୍ଟନାୟକ କହିଅଛନ୍ତି ଯେ, ‘‘ସମଗ୍ର କାବ୍ୟରେ କବି ନିଜର ପାଣ୍ଡିତ୍ୟ ଏବଂ ଅଳଙ୍କରଣ ପ୍ରବୃତ୍ତିର ବାରମ୍ୱାର ପରିଚୟ ପ୍ରଦାନ କରିଥିଲେ ହେଁ କେବଳ ତ୍ରୟୋଦଶ ଛାନ୍ଦରେ ସେ ଆଦ୍ୟାନୁପ୍ରାସ, ପ୍ରାନ୍ତାନୁପ୍ରାସ, ଆଦ୍ୟ ପ୍ରାନ୍ତାନୁପ୍ରାସ, ଦ୍ୱିତୀୟ ବର୍ଣ୍ଣ ଆଦ୍ୟାନୁପ୍ରାସ, ପ୍ରାନ୍ତ ଦ୍ୱିତୀୟ ଯମକ, ଦ୍ୱିତୀୟ ଆଦ୍ୟଯମକ, ମଧ୍ୟାନୁପ୍ରାସ, ଶୃଙ୍ଖଳା, ଅବନା, ରୂପକ, ଦୃଷ୍ଟାନ୍ତର, ଆଶ୍ରୟ, ବିରୁଦ୍ଧ, ଶ୍ଳେଷ, ପ୍ରଭୃତିର ଅବତାରଣା କରି ନିଜର ଅପୂର୍ବ ଶକ୍ତିମତ୍ତାର ପରିଚୟ ପ୍ରଦାନ କରିଅଛନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ପରି ଅକ୍ଷର ଶିଳ୍ପରେ ସେ ଯେ ଜଣେ ବିଶିଷ୍ଟ ଯାଦୁକର, ଏହା ଏହି କ୍ଷୁଦ୍ର କାବ୍ୟରେ ପ୍ରମାଣିତ ହୋଇଅଛି-। ସୁଲକ୍ଷଣା କାବ୍ୟରେ ଯେଉଁ ପ୍ରତିଭାର ଆଦ୍ୟ ସ୍ଫୁରଣ ହୋଇଥିଲା, ତାହା ବିଦଗ୍‌ଧ ଚିନ୍ତାମଣିରେ ମାର୍ତ୍ତଣ୍ଡ ଭଳି ଉଦ୍ଭାସିତ ହୋଇଥିବା ଜଣାଯାଏ (୧) ’’

 

ବସ୍ତୁତଃ, ଏହି ସବୁ କାବ୍ୟ ଯେପରି ଥିଲା ‘ବିଦଗ୍‌ଧଚିନ୍ତାମଣି’ କାବ୍ୟ ରଚନାର ଯଥାର୍ଥ ପ୍ରସ୍ତୁତି ପର୍ବ । କବି ଅଭିମନ୍ୟୁଙ୍କର ପ୍ରତିଭା ବାଘଗୀତ ଓ ଚଢ଼େଇଗୀତରୁ ଆରମ୍ଭ ହୋଇ, ଏହି ସବୁ କାବ୍ୟ ଭିତରେ ସୋପାନ ପରେ ସୋପାନ ଅତିକ୍ରମ କରି, ଯେତେବେଳେ ‘ବିଦଗ୍‌ଧ ଚିନ୍ତାମଣି’ ରଚନାରେ ବିଳସିତ ହୋଇଛି, ସେତେବେଳେ ମନେହୋଇଛି, ଏହାଠାରୁ ସାର୍ଥକ ଓ ସଫଳ ସୃଷ୍ଟି ଆଉ କିଛି ସମ୍ଭବ ହୋଇନପାରେ । ଅଭିମନ୍ୟୁ ଚିରକାଳ ଥିଲେ ଜଣେ ରସିକ କବି । ଉପେନ୍ଦ୍ର ଭଞ୍ଜଙ୍କ ପରି କେବଳ ଶବ୍‌ଦର ପାଣ୍ଡିତ୍ୟ ପ୍ରକାଶ କରିବା ପାଇଁ ରସବୋଧକୁ କ୍ଷୁର୍ଣ୍ଣ କରିବା, ତାଙ୍କ ସାହିତ୍ୟର ଆଦର୍ଶ ଭାବରେ ପ୍ରତିଭାତ ହୋଇନାହିଁ । ବିଦଗ୍‌ଧ କବି ଅଭିମନ୍ୟୁ ବିଦଗ୍‌ଧ ଚିନ୍ତାମଣିରେ ସେଇ ରସର ଯେଉଁ ମନ୍ଦାକିନୀ ଧାରା ଛୁଟାଇ ଯାଇଅଛନ୍ତି, ତାହା ଓଡ଼ିଆ ସାହିତ୍ୟରେ ଚିରନ୍ତନ ହୋଇ ରହିବ । ଆମେ ଏହି ପୁସ୍ତକର ପରବର୍ତ୍ତୀ ପୃଷ୍ଠମାନଙ୍କରେ ସେହି ଅପରୂପ କାବ୍ୟ କୋଣାର୍କଟିର ଯେଉଁ ସାରସ୍ୱତ ଆଲୋଚନାମାନ ଭେଟିବା, ସେଥିରେ ଯଥାର୍ଥରେ ଅନୁଭବ କରିପାରିବା ବିଦଗ୍‌ଧ ବାଣୀବିଳାସରେ ‘ବିଦଗ୍‌ଧ ଚିନ୍ତାମଣି’ର ଗଠନଶିଳ୍ପ କେମିତି ସୁନ୍ଦର ଓ କଲ୍ୟାଣକର ହୋଇ ଉଠିଛି ।

 

***

 

Unknown

ଚତୁର୍ଥ ଅଧ୍ୟାୟ

ବିଦଗ୍‌ଧ ଚିନ୍ତାମଣି ପ୍ରତିଭା ବିକାଶର ଦ୍ୱିତୀୟ ପର୍ବ

 

‘ବିଦଗ୍‌ଧ ଚିନ୍ତାମଣି’ କବିଙ୍କ ପରିଣତ ବୟସର ରଚନା । ସମଗ୍ର ରୀତିଯୁଗୀୟ ସାହିତ୍ୟରେ ଏହା ଏକ ଅନବଦ୍ୟ ସୃଷ୍ଟି । ଏଥିରେ କବିଙ୍କ ଅପୂର୍ବ ପାଣ୍ଡିତ୍ୟ, ଚାତୁର୍ଯ୍ୟ, ଆଳଙ୍କାରିକତା ଦାର୍ଶନିକତା, ତଥା ଭକ୍ତିପ୍ରାଣତା ଓ ଧାର୍ମିକତା ଏକାଧାରରେ ବିଳସିତ । ଅସାଧାରଣ କବିତ୍ୱ, ନିରଳସ ସାଧନା, ବହୁଶାସ୍ତ୍ରଦର୍ଶିତା, ବିଭିନ୍ନ ରସ ପ୍ରସ୍ଫୁଟନରେ ଅସାମାନ୍ୟ ଦକ୍ଷତା ଓ ପ୍ରଗାଢ଼ ଅନୁଭୂତି କାବ୍ୟର ଛତ୍ରେ ଛତ୍ରେ ପ୍ରତିଫଳିତ । କାବ୍ୟର ନାମକରଣରେ ଅଭିମନ୍ୟୁ ରୂପଗୋସ୍ୱାମୀ ଓ ସ୍ୱୀୟ ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଦ୍ୱାରା ପ୍ରଭାବିତ ବୋଲି କେହି କେହି ଅନୁମାନ କରନ୍ତି ଏବଂ ‘ବିଦଗ୍‌ଧ’ ଏହିପଦ ଆଦ୍ୟରେ ଥିବାରୁ ‘‘ବିଦଗ୍‌ଧମାଧମ’’ ନାଟକର ଛାୟାରେ ଏହି ନାମକରଣ ଯେ କରାଯାଇଛି ଏହିପର ମତ ମଧ୍ୟ ପୋଷଣ କରନ୍ତି । ବର୍ତ୍ତମାନ ‘ବିଦଗ୍‌ଧ ଚିନ୍ତାମଣି’ ଏହି ଦୁଇପଦର ଅର୍ଥ ବିଚାର କରାଯାଉ । କେତେକଙ୍କ ମତରେ ‘କଳା ବିଳାସ ଦିଗ୍‌ଧାତ୍ମା ବିଦଗ୍‌ଧ ଇତି କୀର୍ତ୍ତ୍ୟତେ ।’’ ଅର୍ଥାତ୍‌ କଳାବିଳାସଦ୍ୱାରା ଯାହାର ଚିତ୍ତ ବା ସ୍ୱରୂପ ପରିପୁଷ୍ଟ ସେ ହିଁ ବିଦଗ୍‌ଧ । ତେଣୁ କଳାବିଳାସରେ ଚତୁର ଯେ ସେ ବିଦଗ୍‌ଧ ଅର୍ଥାତ୍‌ ଲୀଳାପ୍ରିୟ । ‘ଚିନ୍ତାମଣି’ ପଦର ଅର୍ଥ ଯେ ଅଭୀଷ୍ଟ ପ୍ରଦାନ କରେ-ସେ ଚିନ୍ତାମଣି । ଏ ସ୍ଥଳରେ ତେଣୁ ଲୀଳା ଚତୁର କୃଷ୍ଣ ଯେଉଁ କାବ୍ୟର ନାୟକ ସେ କାବ୍ୟ ବିଦଗ୍‌ଧ ଚିନ୍ତାମଣି ନାମରେ କଥିତ-। କିନ୍ତୁ ବିଦଗ୍‌ଧ ପଦର ବ୍ୟାପକ ଅର୍ଥ ଶ୍ଳେଷ ମର୍ଯ୍ୟାଦାରେ ମଧ୍ୟ ଗ୍ରହଣୀୟ । ବିଦଗ୍‌ଧ ପଦର ଅର୍ଥ ପଣ୍ଡିତ ବା ଚତୁର । ‘‘ଅମରକୋଷ’ରେ ବିଦଗ୍‌ଧ ପଦର ଅର୍ଥ ନିର୍ଦ୍ଦେଶ ନାହିଁ । ‘‘ତ୍ରିକାଣ୍ଡଶେଷ’’ରେ ‘‘ସ୍ୟାଦ୍‌ ବିଦଗ୍‌ଧସ୍ତୁ ନାଗରଃ’’ ଏହିପରି ଅର୍ଥ ଗର୍ଭିତ । ଏହା ପଣ୍ଡିତ ପର୍ଯ୍ୟାୟରେ ବିଦ୍ୟାଚତୁର ଅର୍ଥରେ ଗୃହୀତ ଓ ସ୍ୱୀକୃତ । ସଂସ୍କୃତ ମହାକାବ୍ୟମାନଙ୍କରେ ମଧ୍ୟ ପ୍ରାୟ ଏହି ଅର୍ଥରେ ଏ ଶବ୍ଦର ବ୍ୟବହାର ଦୃଷ୍ଟି ଗୋଚର ହୁଏ । ଯଥା ନୈଷଧରେ ‘‘ବିଦଗ୍‌ଧ ନାରୀ ବଦନଂ ତଦାକରଃ’’ । ଏଠାରେ ପ୍ରାଗୁକ୍ତ ମତ ପ୍ରତିପାଦିତ ଅର୍ଥଠାରୁ ଦ୍ୱିତୀୟ ଅର୍ଥଟି ଅଧିକ ସୁସମନ୍ୱିତ ବୋଲି ପ୍ରତୀୟମାନ ହୁଏ । ‘‘କଳାବିଳାସ-ଦିରାଧାତ୍ମା ବିଦଗ୍‌ଧ ଇତି କୀର୍ତ୍ତ୍ୟତେ’’ ଏହା ଏକ ସଂପ୍ରଦାୟ ବିଶେଷର ମତମାତ୍ର । ତେଣୁ ପ୍ରଥମୋକ୍ତ ଅର୍ଥକୁ ଅସ୍ୱୀକାର ନକରି ମଧ୍ୟ ଏହି ପଦର ଶ୍ଳେଷ ମର୍ଯ୍ୟାଦାରେ ଏଭଳି ଅର୍ଥ କରିବା ସଙ୍ଗତ ହେବ ଯେ-ବିଦଗ୍‌ଧ ବା ବିଦ୍ୟାଚତୁର ବ୍ୟକ୍ତିମାନଙ୍କର ଚିନ୍ତାମଣି=ଚିନ୍ତିତାର୍ଥ-ପ୍ରଦ-ବହୁମୂଲ୍ୟ ମଣିବିଶେଷ । ବସ୍ତୁତଃ କବିଙ୍କର ଏହି ଅମ୍ଳାନ କୃତି ବିଦ୍ୟାଚତୁର ବ୍ୟକ୍ତିମାନଙ୍କ ପାଇଁ ଏକ ବହୁମୂଲ୍ୟ ରତ୍ନସ୍ୱରୂପ ଅଟେ । ଚତୁର ବିନୋଦ ବା ଚତୁର ଚିନ୍ତାମଣି କାବ୍ୟ ନାମ ଏହାର ପରିପୋଷକ ଅଟେ । ପୁଣି ଏ ନାମର ସାର୍ଥକତା ଅନ୍ୟ ଦୃଷ୍ଟିରୁ ମଧ୍ୟ ବିଚାର କରାଯାଇପାରେ ।

 

(୧)

କାବ୍ୟର ନାୟକ ଶ୍ରୀକୃଷ୍ଣ । ସେ ମଧ୍ୟ ଏକାଧାରରେ ବିଦଗ୍‌ଧ ଓ ଚିନ୍ତାମଣି

(୨)

ଯିଏ ବିଦଗ୍‌ଧ ସେ ମଧ୍ୟ ଚିନ୍ତାମଣି ।

(୩)

ପୁଣି ବିଦଗ୍‌ଧମାନଙ୍କର ଏ କାବ୍ୟ ଚିନ୍ତାମଣି ସଦୃଶ ।

(୪)

ଆହୁରି ମଧ୍ୟ ବିଦଗ୍‌ଧ ଚିନ୍ତାର ମଣି ସ୍ୱରୂପ ଏ କାବ୍ୟ ।

 

ଅର୍ଥାତ୍‌ ଲୀଳାଚତୁର କୃଷ୍ଣ ଯେଉଁ କାବ୍ୟର ନାୟକ, ବିରହୀ କୃଷ୍ଣ ଯେଉଁ କାବ୍ୟର ନାୟକ, କୃଷ୍ଣ ବିରହୀମାନଙ୍କୁ ଯେଉଁ କାବ୍ୟ କୃଷ୍ଣ ଦର୍ଶନ କରାଏ, କାବ୍ୟ ରସିକମାନଙ୍କର କାମନା ଯେଉଁ କାବ୍ୟପୂରଣରେ ଓ ଯେଉଁ ବିଦଗ୍‌ଧଚିନ୍ତା ଏ କାବ୍ୟର ମଣିସ୍ୱରୂପ । ଏହିପରି ଚିନ୍ତା, ଭାବ ଓ ବିଷୟର ସମ୍ମିଶ୍ରଣରେ ବୋଧହୁଏ କାବ୍ୟର ନାମକରଣ କରାଗଲା ବିଦଗ୍‌ଧ ଚିନ୍ତାମଣି । ଆମର ମନେହୁଏ ବିଦ୍ୟା-ଚତୁର ବ୍ୟକ୍ତିମାନଙ୍କର ଏ କାବ୍ୟ ଯେ ଚିନ୍ତାମଣି ସ୍ୱରୂପ ଏହାହିଁ ଅଧିକ ଭାବରେ ସମର୍ଥିତ ହେଉଅଛି । ତେଣୁ ବହୁବାର ଗ୍ରାହକମାନଙ୍କୁ କବିତ୍ୱର ମର୍ମ ଉପଲବ୍ଧି କରିବାକୁ ଆହ୍ୱାନ କରିଅଛନ୍ତି । ଯଥାର୍ଥରେ ଉକ୍ତି ଅଛି ‘‘କବି କରୋତି କାବ୍ୟାନି ରସଂ ଜାନନ୍ତି ପଣ୍ଡିତାଃ । ’’ ସେଥିପାଇଁ ସେ କହିଛନ୍ତି-

 

‘‘ବିବେକ ଗ୍ରାହକ କୋଟି କବି ଆୟୁ ଘେନି

ବର୍ତ୍ତିଥିଲେ କବି କବିତ୍ୱ କି ହେବ ମ୍ଳାନି ହେ ।’’

 

ସମଗ୍ର କାବ୍ୟର ଛାନ୍ଦ ୯୬ । ଏହା ଏକ ଉଚ୍ଚକୋଟୀର ମହାକାବ୍ୟ ଏବଂ ମହାକାବ୍ୟର ସକଳ ପ୍ରକାର ବୈଶିଷ୍ଟ୍ୟରେ ଏହା ଗୌରବାନ୍ୱିତ । କେତେକ ସମାଲୋଚକ ଆଲୋଚ୍ୟ କାବ୍ୟକୁ ଅସଂପୂର୍ଣ୍ଣ ବୋଲି ମତପ୍ରଦାନ କରିଥାନ୍ତି । କାରଣ ରାଧାକୃଷ୍ଣଙ୍କ ମଧୁର ମିଳନ ସଂପାଦନ କରିବାର ବାସନା କବିଙ୍କର ଚରିତାର୍ଥ ହୋଇନାହିଁ । କାବ୍ୟର ପରିସମାପ୍ତି ପୂର୍ବରୁ ସେ ଇହଲୀଳା ସମ୍ବରଣ କଲେ । ମାତ୍ର ଏ ଯୁକ୍ତି କାବ୍ୟର ଆଭ୍ୟନ୍ତରୀଣ ପ୍ରମାଣବଳରେ ଖଣ୍ଡିତ ହେଉଅଛି । ୬୧ ଛାନ୍ଦରେ ଶ୍ରୀ କିଶୋରୀ-ମଣିଙ୍କ ସୂର୍ଯ୍ୟପୂଜା ଅଭିସାରକାଳୀନ ମିଳନ ଉତ୍ସବ ସଂପାଦିତ ହୋଇଅଛି ଏକ କମନୀୟ ଐଶ୍ୱର୍ଯ୍ୟମୟ ଚମତ୍କାର ପରିବେଶରେ ।

 

ସଖୀମାନଙ୍କର ଆନନ୍ଦ ନୃତ୍ୟ, ବାଦ୍ୟବାଦନ, ହୁଳହୁଳିରେ ବନପ୍ରବେଶ ମୁଖରିତ । ସ୍ୱୟଂ କବି ଏଠାରେ କହୁଛନ୍ତି-

 

‘‘କାହିଁକି ତପସ୍ୟା କରିଥିଲି- ସେ ପୁଣ୍ୟକୁ ଆଜି ଧନ୍ୟ ହେଲି ।’’

କିଶୋରୀ ରତନ ଶ୍ରୀ ନନ୍ଦ ନନ୍ଦନ

ନୂତନ ମିଳନ କରାଇଲି ।’’

 

ସେହିପରି ୮୨ ଛାନ୍ଦରେ ଉପକୁଞ୍ଜରେ ଶ୍ରୀରାଧାଙ୍କ ଶୁକ୍ଳାଭିସାର ରଚନା କରି କବି କହୁଛନ୍ତି-

 

‘‘କୁସୁମ ଶେଯେ ବସି କୋଳେ ବସାଉଁ ବଂଶୀଧର

ସୁଷମା ଅକଥନ

ସକଳ ନବଘନ କୋଳେ କଳିତ ଘନଲତା ହେବାରୁ

ସୁଯତନ ସେ ।

 

କମ୍ପେ ଧନୀ ।

ହେବାରୁ ଅନ ଅନୁଭବୀ କି ମାନଇ କମ୍ପିତ ଛବି ।

କାମ ହେମପିତୁଳା

ଯନ୍ତ୍ର ନର୍ତ୍ତନତୁଳା ବୋଲି ପାରିବ କେଉଁ କବି ସେ ।’’

 

ଅନୁରୂପ ଭାବରେ ୯୦ ଛାନ୍ଦରେ କୃଷ୍ଣଙ୍କ କେଳିକଳାପ ବର୍ଣ୍ଣନ ପ୍ରସଙ୍ଗରେ କବି କହିଛନ୍ତି-

 

‘‘ଶୃଙ୍ଗାର ମୂରତି ହରି

ମହାଭାବରୂପା ସଙ୍ଗେ ବିହରି

ବଢ଼ାଇ ଲୀଳା ଲହରୀ ।’’

 

ଏପରି ଉଲ୍ଲେଖ ଥିବା ସ୍ଥଳେ ରାଧାକୃଷ୍ଣ ଯୁଗଳ ମିଳନ ଯେ ସଂଘଟିତ ହୋଇନାହିଁ ଏହା କିଏ କହିବ ?

 

ପୁନଶ୍ଚ ୮୩ ଛାନ୍ଦରେ ସଂଭୋଗ ବର୍ଣ୍ଣନାରେ ସେ ଶ୍ରୀରାଧା ଓ ଶ୍ରୀବିଧୁଙ୍କର ଅଭିସାରକାଳୀନ ମିଳନ ଚିତ୍ର ପ୍ରଦାନ କରି କହୁଛନ୍ତି-

 

‘‘ଘନରସକାଳ ଉପଗତ । ସୁରତ ରଙ୍ଗିଣୀ ଗତିବନ୍ତ

ନାଗର ସାଗର ସଙ୍ଗତେ ରଙ୍ଗରେ ବିଭେଦାଲିଙ୍ଗିତ ଖ୍ୟାତ ସତ ଯେ

ଦ୍ୱନ୍ଦମୁଦ । ପରସ୍ପରେ ହେଲେ ଶୁଚିପଦ ପ୍ରଦ ସେ ।(୩)

x x x

ରସ ପ୍ରଚାରଣ ମାଧବରେ ରମଣୀ ଅଙ୍ଗଦେଶ କ୍ଷେତ୍ରରେ

କରଜସୀରେ ହଳଧର ସୋଦର ଋଷି ପ୍ରେମ ବୀଜ ବୁଣି ଖରେ ସେ ।

ପାଣିଦାନେ । ଅଙ୍କୁରିଲା ଭାବ ତହୁଁ ଆନୁଆନେ ସେ । (୬)

 

ଏହିପରି ବହୁପଦ ଉକ୍ତ ଛାନ୍ଦରେ ବିଳସିତ । ବୋଧହୁଏ ଯେପରି ଭାବରେ, ଯେଉଁ ଚମତ୍କାର ପରିବେଶରେ ଓ ଯେଉଁ ରୀତିରେ ରାଧାହରିଙ୍କର ମିଳନୋତ୍ସବ ସଂପାଦନ କରିଥାନ୍ତେ ତାହା ସେ କରିପାରି ନାହାନ୍ତି । କିନ୍ତୁ ନାୟକ ନାୟିକାର ସଂଭୋଗ ବର୍ଣ୍ଣନା ମଧ୍ୟ କାବ୍ୟରେ ପ୍ରଦାନ କରିବାକୁ କବି ଭୁଲି ନାହାନ୍ତି । ଚନ୍ଦ୍ରାବଳୀ ସମ୍ଭୋଗ ପ୍ରସଙ୍ଗରେ ମାଧବ ସମ୍ଭୋଗ ରସ ସମୁଦ୍ରରେ ଅବଗାହନ କରିବାକୁ ସେ ପାଠକମାନଙ୍କୁ ଆହ୍ୱାନ କରିଛନ୍ତି । ସେ ଯାହାହେଉ ରସିକଭକ୍ତ କବି ଅଭିମନ୍ୟୁ ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଯଥାର୍ଥରେ ଅପ୍ରତିଦ୍ୱନ୍ଦୀ ଅଭିମନ୍ୟୁ । ଦୀନକୃଷ୍ଣଙ୍କ ରସକଲ୍ଲୋଳ, ଭଞ୍ଜଙ୍କ ବୈଦେହୀଶ ବିଳାସ ପରେ ବିଦଗ୍‌ଧ ଚିନ୍ତାମଣି ହିଁ ଓଡ଼ିଆର ଶ୍ରେଷ୍ଠ ଶ୍ଳାଘ୍ୟକାବ୍ୟ ଏବଂ ଯଥାର୍ଥରେ ଏହା ଏ ଦେଶର ଏ ଜାତିର ଲକ୍ଷ ଲକ୍ଷ ବିଦଗ୍‌ଧ ହୃଦୟର ଜୀବନ୍ତ ଚିନ୍ତାମଣି । ପରମବୈଷ୍ଣବ ଭକ୍ତକବିଙ୍କ କବିମାନସର ସ୍ପଷ୍ଟ ପ୍ରତିଫଳନ ଏ କାବ୍ୟରେ ଘଟିଅଛି ।

 

ସଂସ୍କୃତ ସାହିତ୍ୟର ଷଟ୍‌କାବ୍ୟ, ଷଡଦର୍ଶନ, ସକଳପ୍ରକାର ବୈଷ୍ଣବ ସାହିତ୍ୟ, ତାପିନୀଗ୍ରନ୍ଥ, ବେଦ ବେଦାଙ୍ଗ, ଉପନିଷଦ, ଅଷ୍ଟାଦଶ ପୁରାଣ, ଭାଗବତ, ଅଳଙ୍କାର ଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, କାମ ଶାସ୍ତ୍ର, ବଙ୍ଗଳା ପଦାବଳୀ ସାହିତ୍ୟ, ଗୋସ୍ୱାମୀ ଗ୍ରନ୍ଥାଦି ଏବଂ ପ୍ରାଚୀନ ଓଡ଼ିଆ ସାହିତ୍ୟ ରୂପ କ୍ଷୀରୋଦ ମନ୍ଥନରୁ ସମୁଦ୍ରଭୂତ କାବ୍ୟାମୃତକୁ ସେ ତାଙ୍କର ନିରବଦ୍ୟ, ହୃଦ୍ୟ ପଦ୍ୟଭଣ୍ଡାରରେ ପରିରକ୍ଷଣ କରିଯାଇଅଛନ୍ତି । କାବ୍ୟର ପଦଲାଳିତ୍ୟ, ଅର୍ଥଗୌରବ, ଉପମାଶୈଳୀ, ବ୍ୟକ୍ତିତ୍ୱ, ଧର୍ମପ୍ରାଣତା, ସମୁଜ୍ଜ୍ୱଳ ଭକ୍ତିଭାବ ଓ ଅନୁରାଗର ଅନୁରଞ୍ଜନ ତାଙ୍କ ମହୀୟସୀ ପ୍ରତିଭାର ଜ୍ୱଳନ୍ତ ନିଦର୍ଶନ । କାବ୍ୟଟିରେ ବ୍ରଜେନ୍ଦ୍ରନନ୍ଦନ ନାୟକ ଶିରୋମଣି ଶ୍ରୀକୃଷ୍ଣ ଓ ନାୟିକା ଶିରୋମଣି ରାଧା ଠାକୁରାଣୀ- ପୁଣି ଉଭୟଙ୍କ ପୂର୍ବାନୁରାଗରେ ହିଁ ଆଲୋଚ୍ୟ କାବ୍ୟ ମୁଖ୍ୟତଃ ରଂଜିତ ଓ ସ୍ପନ୍ଦିତ । ଉକ୍ତ ରୀତି ମଧ୍ୟ କବିଙ୍କ ଦ୍ୱାରା ସଂସ୍କୃତ ଅଳଙ୍କାର ସାହିତ୍ୟର ‘‘ନ ବିନା ବିପ୍ରଳମ୍ଭେନ ସଂଭୋଗଃ ପରିପୁଷ୍ୟତେ । କଷାୟିତେହ ବସ୍ତ୍ରାଦୌ ଭୂୟାନ୍‌ ରାଗୋ ବିବର୍ଦ୍ଧତେ’’ – ଏହି ସିଦ୍ଧାନ୍ତରେ ପରିଶୀଳିତ । କାରଣ କବିଙ୍କ କିଶୋରୀ ରତନ ମହାଭାବମୟୀ କୃଷ୍ଣାହ୍ଲାଦନଶକ୍ତି ରାଧାଙ୍କର ବିରହାନୁପରେ ପ୍ରାଣକୁ ପ୍ରାଣ, ମନକୁ ମନ, ଅପଘନ ସଙ୍ଗେ ଅପଘନ ବଦନେବଦନ, ନୟନେ, ନୟନ, ଅଧରେ ଅଧର, ଆସ୍ୱାଦନରେ ବାହେ ବାହୁ ପାଦେ ପାଦ ନାହିଁ ସେ ଭେଦ ଇତ୍ୟାଦିରେ ମିଳନୋତ୍ସବ ସଂପାଦିତ । ଆହୁରି ମଧ୍ୟ ୮୩ ଓ ୮୯ ଛାନ୍ଦର ଅଧିକାଂଶ ସ୍ଥଳରେ କବି ଅଭିମନ୍ୟୁଙ୍କ ବର୍ଣ୍ଣିତ ଶୃଙ୍ଗାର ରସ ଏକାନ୍ତ ଭାବରେ ପରିପୁଷ୍ଟ ଏବଂ ରସର ଭୁରି ଭୁରି ବର୍ଣ୍ଣନା ମଧ୍ୟ ପ୍ରଦତ୍ତ । ତେବେ ଏହାକୁ ‘‘ଶ୍ୟାମ ବର୍ଣ୍ଣୋୟଂ ବିଷ୍ଣୁଦୈବତଃ’’- ଏହି ଭାବରେ ଆଦି-ରସାତ୍ମକ କାବ୍ୟ ରୂପରେ ଗଣନା କରିବା ଯୁକ୍ତିଯୁକ୍ତ କି ? କିନ୍ତୁ ଏହା ସ୍ପଷ୍ଟ ରୂପରେ ଅନୁମିତ ହୁଏଯେ କବି ପରମ ବୈଷ୍ଣବ ବିଶୁଦ୍ଧ ପରମାର୍ଥଭକ୍ତ ଥିଲେ ଏବଂ ତାଙ୍କ ପ୍ରେମ ଚିତ୍ରଣ ‘‘କାମ ଗନ୍ଧହୀନ ସ୍ୱାଭାବିକ ଗୋପୀପ୍ରେମ- ନିର୍ମଳ ଉଜ୍ଜ୍ୱଳ ଶୁଦ୍ଧ ଯେନ ଦଗ୍‌ଧ ହେମ ।’’ ପୁଣି ଆମେନ୍ଦ୍ରିୟ ସୁଖ ବାଞ୍ଛା ନାହିଁ କେବଳ ‘‘ ଗୋପିକାର କୃଷ୍ଣେ ସୁଖ ଦିତେ କରେ ସଂଗମ ବିହାରି’’ ଏହି ଚୈତନ୍ୟ ଚରିତାମୃତ ମତାବଲମ୍ୱୀ ପ୍ରେମର ଆଲେଖ୍ୟ ହିଁ ଏଠାରେ ସ୍ପଷ୍ଟ ରୂପେ ପ୍ରତିଭାତ । ଏହା ପ୍ରାକୃତ ନୁହେଁ ଅପ୍ରାକୃତ, ମାୟିକ ନୁହେଁ ସ୍ୱର୍ଗୀୟ, କ୍ଷଣିକ, ନୁହେଁ ଚିରନ୍ତନ, ଭୋଗ ନୁହେଁ ତ୍ୟାଗ, ଗ୍ରହଣ ନୁହେଁ ସମର୍ପଣ । ତେଣୁ ପ୍ରୀତିହିଁ ପରମ ପୁରୁଷାର୍ଥ । ଏହାହିଁ କାବ୍ୟର ଉପଜୀବ୍ୟ । ସୁତରାଂ ଭକ୍ତି ଓ ପ୍ରେମ ଏକ ବସ୍ତୁ । ଯଥାର୍ଥରେ ମାଠରଶ୍ରୁତିରେ ଉକ୍ତି ଅଛି – ‘‘ଭକ୍ତିରେବ ଏବଂ ନୟତି, ଭକ୍ତିରେବ ଏନଂ ଦର୍ଶୟତି ।’’ ଭକ୍ତିବଶଃ ପୁରୁଷଃ ଭକ୍ତିରେବ ଭୁୟସୀ ।’’ ପୁନଶ୍ଚ ଶତପଥ ବ୍ରାହ୍ମଣର ‘‘ଅତଃ ପୁମାନ୍‌ ଆତ୍ମହିତାୟ ପ୍ରେମ୍‌ଣା ହରିଂ ଭଜେତ’’ କିମ୍ୱା ବୃହଦାରଣ୍ୟକରେ-

 

‘‘ଆତ୍ମାନଂ ଏବ ପ୍ରିୟମୁପାସୀତ’’ ଅଥବା ଉପନିଷଦର ଉକ୍ତି ‘‘ପ୍ରେମମୂଳା ମେଦିନୀ ପ୍ରେମାଶ୍ରିତ ଜୀବନବୃତ୍ତିଃ ବିଶ୍ୱାସମୂଳୋ ଭଗବାନ ଭୂତଭାବନଃ’’ ଏହି ସକଳ ଶାସ୍ତ୍ର ସିଦ୍ଧାନ୍ତ ପ୍ରେମାଦର୍ଶ ହିଁ ବିଦଗ୍‌ଧ କବିଙ୍କ ସାଧନାସିଦ୍ଧ । ସେଇଥିପାଇଁ କବିଙ୍କ ରଚିତ ଛନ୍ଦ ୩୯, ୪୨ ଓ ୯୪ ଏହି ତିନିଟି ଛାନ୍ଦର ୧୪୮ଟି ପଦରେ ପ୍ରୀତିର ସ୍ୱରୂପ, ମାହାତ୍ମ୍ୟ ଓ କାର୍ଯ୍ୟକାରିଣୀ ଶକ୍ତି ବର୍ଣ୍ଣିତ । ଏପରି ପ୍ରୀତି ବର୍ଣ୍ଣନା ଭାରତୀୟ ସାହିତ୍ୟରେ ତ ଦୁର୍ଲଭ, ବିଶ୍ୱ ସାହିତ୍ୟରେ ଅଛି କି ନା ସନ୍ଦେହ । ପ୍ରୀତିର ଉତ୍ପତ୍ତି ସହିତ ବୃକ୍ଷୋତ୍ପତ୍ତିର ସାମ୍ୟ ଦର୍ଶାଇ ଚମତ୍କାର ଓ ସୂକ୍ଷ୍ମକଳ୍ପନା ବିଳାସିତାର ପରିଚୟ ଦେଇଛନ୍ତି । ବିଶାଖାଙ୍କ ଉକ୍ତି-

 

‘‘ଆହୁରି ଶୁଣିଛି ପ୍ରଣୟ ବୀଜ

ହୃଦାଳବାଳେ ପୋତେ କାମରାଜ

ନବଯୁବାକାଳେ ଉଦୟ ହୁଏ

ସୁରସ ବୃଷ୍ଟି ସଂଯୋଗକୁ ପାଏ ।

ତିନି ବିଧି ଲେଖା

ହାବଭାବ ପରିହାସ ବିଶାଖା ।

ନାନା କ୍ରୀଡ଼ା କ୍ଷୁଦ୍ର ଜାଳ ପ୍ରଚାର

ଭଙ୍ଗି ଚାତୁର୍ଯ୍ୟ ପଲ୍ଳବ ବିସ୍ତାର

ସୁଖ ସୁମନ ରାଗାମୃତ ଫଳ

ଆନନ୍ଦ ଆସ୍ୱାଦନେ ମତି ଭୋଳ

ଦୁର୍ଜୟ ମାଦକ

ଛାଡ଼ଇ ନାହିଁ ଜୀବଥିବା ଯାକ ।

 

ରାଧାଙ୍କ ପ୍ରଶ୍ନ-      ‘‘କହ ପୀରତି କି ଜାତି ପଦାର୍ଥ ।’’ ଉତ୍ତରରେ ବିଶାଖାଙ୍କ ଉକ୍ତି-

      ‘‘ଅବ୍ୟୟ ଅକ୍ଷୟ ନିତ୍ୟ ପଦାର୍ଥ ।’’

କେ ଜାଣିବ ପ୍ରୀତି ଶବଦ ଅର୍ଥ ।”

 

ଇତ୍ୟାଦିରେ ପ୍ରୀତିକୁ କବି ପରମାତ୍ମା କୋଟୀକୁ ଉନ୍ନୀତ କରିଅଛନ୍ତି । ପ୍ରୀତି ଓ ପରମାତ୍ମା ଏକ ବସ୍ତୁ, ସେମାନେ ଏକ ଓ ଅଭିନ୍ନ । ପୁଣି ଉକ୍ତିକୁ ମଧ୍ୟ ସେହିପରି ପରମ ପ୍ରେମରୂପା ବୋଲି କୁହାଯାଇଛି । ‘‘ସା (ଉକ୍ତି) ପରମ ପ୍ରେମରୂପା ।’’

 

ପୁନଶ୍ଚ ୪୨ ଛାନ୍ଦରେ ଲୀଳାବିଧୃତ କଳେବର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଶ୍ନ ‘‘କାହୁଁ ଜନମ ହୁଅଇ ପୀରତି ।’’ ତାର ଉତ୍ତରରେ ସଖା ମଧୁମଙ୍ଗଳଙ୍କ ଉକ୍ତି ବାସ୍ତବରେ ପ୍ରେମତତ୍ତ୍ୱର ସୁଚିନ୍ତିତ ଭାଷ୍ୟ । ୯୪ ଛାନ୍ଦରେ ଦୁର୍ବାସା ଗୋପକୁ ପ୍ରେମଗ୍ରନ୍ଥ ନେଇ ‘‘ଜୀବ ପରମ ପୀରତିରେ ସାର’’- ଲୀଳା ନିମନ୍ତେ ଭେଦପରଚାର, ଦୂର-ନିକଟ ପୀରତିରେ ନାହିଁ ଇତ୍ୟାଦି ଉକ୍ତି ବାଢ଼ିଛନ୍ତି ।

 

ଏହା ଚିରନ୍ତନତା ପୁଟରେ ରଞ୍ଜିତ । ଆହୁରି ମଧ୍ୟ ‘‘ଏକାଙ୍ଗୀ, ଦ୍ୱି ଅଙ୍ଗୀ, ବହୁଳଅଙ୍ଗୀ’’ ରୂପରେ ପ୍ରୀତିର ଯେଉଁ ଚିତ୍ର ଦୁର୍ବାସା ଦେଇଗଲେ ଆଦର୍ଶ ଦୃଷ୍ଟିରୁ ସେ ସକଳ ଆଦିରସର ଅନୁକୂଳ ନୁହେଁ ବରଂ ତାହା ଶୃଙ୍ଗାର ରସର ବିରୋଧୀ । ତେଣୁ ବିରୋଧୀ ରସ ନିରୂପଣ ପ୍ରସଙ୍ଗରେ ଦର୍ପଣକାରଙ୍କ ଉକ୍ତି ‘‘ଶାନ୍ତୋପି ବୀର ଶୃଙ୍ଗାର ରୌଦ୍ର ହାସ୍ୟ ଭୟାନକୈଃ’’ ଦ୍ୱାରା ଆଦିରସର କଳ୍ପନା କଦାପି ଅଗ୍ରହଣୀୟ ନୁହେଁ । ରାଗାନୁଗା ଭକ୍ତିର ଚିତ୍ର ତଥା ତତ୍ତ୍ୱକାବ୍ୟର ଯନ୍ତ୍ରତନ୍ତ୍ର ଓତପ୍ରୋତ ଭାବରେ ବିନ୍ୟସ୍ତ । ପ୍ରୀତି ଓ ଭକ୍ତି ଅନ୍ତଃସଲିଳା ଫଲ୍‌ଗୁ ନ୍ୟାୟ ସମଗ୍ର କାବ୍ୟରେ ପ୍ରବାହିତ । କାବ୍ୟାରମ୍ଭରେ ଉଦ୍ଧୃତିପଦାଦି ।

 

‘‘ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ’’ ଠାରୁ ଆରମ୍ଭ କରି ପ୍ରଥମ ଦଶ ପଦ ‘‘ଏତେଚାଂଶ କଳାପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ୱୟମ୍’’ ଓ ଶ୍ରୀମଦ୍ ଭାଗବତରେ ବ୍ରହ୍ମସ୍ୱରୂପ ବର୍ଣ୍ଣନର ପ୍ରତିଫଳନ ମାତ୍ର । ୯ମ ଛାନ୍ଦର-

 

‘‘ନାମ ନାମୀ ଅଭେଦ ଶଙ୍କା ଜନିତ

ଚିନ୍ତା ନଗଲା ଦିବା ରଜନୀ ସେତ...’’

 

ଇତ୍ୟାଦିରେ ଅଚିନ୍ତ୍ୟ ଭେଦଭେଦବାଦ ଦର୍ଶନ ବା ‘‘ଐରାବତ ଗତି ଅଣିମାଦି ଭୋଗ ମୁକ୍ତି, ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନୋହିବ ଆସକ୍ତି’’ରେ କବିଙ୍କ ଅହେତୁକୀ ଭକ୍ତି ତଥା ଗୌଡ଼ୀୟ ବୈଷ୍ଣବ ଧର୍ମର ଭକ୍ତିବାଦର ନିର୍ଯ୍ୟାସ ଗୁଂଫିତ ଓ ଅନୁରଣିତ ।

 

ବାସ୍ତବରେ ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର ଏହି ନାମକରଣରେ ଭକ୍ତ ପାଠକର ମାନସପଟରେ ଚିତ୍ରିତ ହୋଇଯାଏ ଚିନ୍ତିତ-ଅଚିନ୍ତିତ, ବଚନୀୟ-ଅବଚନୀୟ, ଭାବନୀୟ-ଅଭାବନୀୟ, ରୂପ ରସ ଗନ୍ଧ ସ୍ପର୍ଶ ଓ ଶବ୍ଦ ଏବଂ ଏହି ପଞ୍ଚାନୁଭୂତିର ଅତିରିକ୍ତ ଏକ ମହାଭାବ ଯାହାର ବର୍ଣ୍ଣନା କରିବାକୁ ଗଲେ ଓ ଲେଖନୀ ଧାରଣ କଲାବେଳେ ଉପନିଷଦର ସେହି ଉକ୍ତି ମନେପଡ଼େ-

 

ଗୁରୋସ୍ତୁ ମୌନ ବ୍ୟାଖ୍ୟାନଂ ଶିକ୍ଷାସ୍ତୁଛିନ୍ନ ସଂଶୟଃ ।

 

ଆଲୋଚ୍ୟ କାବ୍ୟରେ ବିଦଗ୍‌ଧ କବି ଅଭିମନ୍ୟୁ ବିଦଗ୍‌ଧ ବିଗ୍ରହ ହରି ଓ ହରିପ୍ରିୟା ବିନୋଦିନୀ ରାଧାଙ୍କର ଯେଉଁ ଅସାଧାରଣ ପ୍ରେମର ବର୍ଣ୍ଣନା କରିଛନ୍ତି ସତେକି ତାହା ଏକାଧାରରେ କାବ୍ୟଟିକୁ କାମକଳାବିଳାସୀର କାମଶାସ୍ତ୍ର ଓ ଧାର୍ମିକର ଧର୍ମଶାସ୍ତ୍ର ଓ ଭକ୍ତର ଭକ୍ତିଶାସ୍ତ୍ରରେ ପରିଣତ କରିଅଛି । ବହିରଙ୍ଗ ତଥା ବ୍ୟାହାରିକ ଦୃଷ୍ଟିରୁ ଏହା ଏକ ପରମ ରମଣୀୟ ଭକ୍ତି କାବ୍ୟ । ନାୟକ ଶ୍ରୀକୃଷ୍ଣ ଦକ୍ଷିଣ ନାୟକ, ସେ ସ୍ଫୁର୍ତ୍ତ । ନାୟିକା ଚନ୍ଦ୍ରାବଳୀ ସେ କାମ, ଆଉ ଶ୍ରୀରାଧା ସେ ପ୍ରୀତିର ପ୍ରତୀକ । ଉଭୟ ପ୍ରୀତି ଓ କାମ ବା ରତି ଶ୍ରୀକୃଷ୍ଣଙ୍କଠାରେ ସ୍ଫୁର୍ତ୍ତ । ରସ ଶୃଙ୍ଗାର, ମଧୁର ଉଜ୍ଜଳ ଅଙ୍ଗୀରସ ହେଲେହେଁ ବାତ୍ସଲ୍ୟାଦି ଅନ୍ୟାନ୍ୟ ରସ ମଧ୍ୟ ଅଙ୍ଗ ରୂପେ ପ୍ରତିଭାତ । ରାଧା ମହାଭାବମୟୀ କେବଳ ନୁହଁନ୍ତି ସେ ମହାଲକ୍ଷ୍ମୀ । କୀର୍ତ୍ତିଦା ସ୍ୱଉଦର କ୍ଷୀର ସାଗରରୁ ପରମ ମହାଲକ୍ଷ୍ମୀଙ୍କୁ ଜାତ କରି ଧନ୍ୟା ହୋଇଛନ୍ତି ।

 

ପ୍ରିୟପ୍ରିୟା, ନାମ ଶ୍ରବଣ ।

ଚାରୁ ଚକ୍ଷୁ ପ୍ରାନ୍ତେ ପ୍ରୀତି ମିଳନ ।।

 

ପୁଣି ବିରହ ଦଶା, ଦୂତୀ ପ୍ରେରଣ, ତ୍ରିପୁଂସ ଭ୍ରମ, ଅଭିସାର ଗମନ ପ୍ରଭୃତି ସକଳ ବିଭବରେ କାବ୍ୟଟି ସମୃଦ୍ଧ । ମାନବସୁଲଭ ସଖ୍ୟ, ପ୍ରେମ, ବାତ୍ସଲ୍ୟାଦି ସକଳ ସ୍ୱାନୁଭବର ବିଚିତ୍ର ବିଳାସରେ ଅଭିମନ୍ୟୁଙ୍କ କାବ୍ୟ ନାୟିକା ବାସ୍ତବରେ ଐଶ୍ୱର୍ଯ୍ୟମୟୀ । କୃଷ୍ଣଙ୍କର କୈଶୋର ଲୀଳାର କମନୀୟ ଭାବବିଳାସ କେବଳ କୃଷ୍ଣଙ୍କର କାହିଁକି, କାଳେ କାଳେ ମାନବ ଜାତିର କୈଶୋର ବିଳାସର ମନୋଜ୍ଞ ରୂପକାଭିବ୍ୟକ୍ତି । ସେହିପରି ବାତ୍ସଲ୍ୟ ରସ ବର୍ଣ୍ଣନାରେ ମାତୃହୃଦୟର ଅନାବିଳ ବାତ୍ସଲ୍ୟ ପ୍ରେମର ମନ୍ଦାକିନୀ ଧାରାରେ ସେ ସର୍ବଶ୍ରେଣୀର ପାଠକ ପାଠିକାଙ୍କ ହୃଦୟକୁ ସିଞ୍ଚିତ କରିଅଛନ୍ତି । ପୁତ୍ରବିରହବିଧୁରା ମାତାର ହୃଦୟ ଭାବ ସାର୍ବଜନୀନତାକୁ ପ୍ରାପ୍ତ ହୋଇଅଛି । ମାତୃହୃହୟର ବିଶାଳତା ଏଠାରେ ଲକ୍ଷଣୀୟ ।

 

      ସମ୍ଭୋଗ ଶୃଙ୍ଗାର ବର୍ଣ୍ଣନାରେ କବି ଉରଜ ମର୍ଦ୍ଦନ, ଚୁମ୍ବନ, ନଖକ୍ଷତାଦି ବାତ୍ସାୟନ କାମଶାସ୍ତ୍ରାନୁମୋଦିତ ସକଳ ବିଷୟର ଧାରାବାହିକ ଧାରା ବୁହାଇ କାବ୍ୟକୁ ସତେ କି ସୁରତରଙ୍ଗିଣୀ କରିଅଛନ୍ତି । ଏଥିପାଇଁ ସେ ସମାଲୋଚିତ ହୋଇଥାନ୍ତି । ଏପରି ବର୍ଣ୍ଣନା କାଳିଦାସାଦି ବହୁ ବିଶିଷ୍ଟ ପ୍ରାଚୀନ କବିମାନଙ୍କର କୃତିରେ ପରିଲକ୍ଷିତ । କବିମାନେ ନିରଙ୍କୁଶ ଭାବରେ କାମଚିତ୍ରର ବର୍ଣ୍ଣନା କଲାରୁ ପୁରାଣକାରମାନେ ସେମାନଙ୍କୁ ସାବଧାନ ବାଣୀ ଶୁଣାଇ କହିଛନ୍ତି ‘‘କାବ୍ୟାଳାପଂଶ୍ଚ ବର୍ଜୟେତ ।’’

 

ପୂର୍ବରୁ କୁହାଯାଇଛି ଅଭିମନ୍ୟୁ ରାଗାନୁରାଗ ଭକ୍ତିର ଉପାସକ; ସେ ଜଣେ ବିରହୀ କବି । ତେଣୁ ବିରହର ବର୍ଣ୍ଣନା ତାଙ୍କ କାବ୍ୟରେ ପ୍ରାଧାନ୍ୟ ଲାଭ କରିଛି । କାବ୍ୟରେ ଉଭୟ ରାଧାକୃଷ୍ଣଙ୍କର ବିରହଭାବ ଯେପରି ହୃଦୟସ୍ପର୍ଶୀ ଭାବରେ ବର୍ଣ୍ଣିତ ତା’ର ପଟାନ୍ତର ସମଗ୍ର ମଧ୍ୟଯୁଗୀୟ କାବ୍ୟ ସାହିତ୍ୟରେ ନାହିଁ । ଉପେନ୍ଦ୍ରଭଞ୍ଜ କବିସମ୍ରାଟ୍ ହୋଇପାରନ୍ତି କିନ୍ତୁ ବିରହାନୁଚିନ୍ତା ବର୍ଣ୍ଣନାରେ ଅଭିମନ୍ୟୁ ତାଙ୍କୁ ଅତିକ୍ରମ କରିଯାଇଅଛନ୍ତି । ୪୮, ୫୨, ୬୯, ୭୪, ୭୫, ଛାନ୍ଦଗୁଡ଼ିକ ଅପୂର୍ବ । ଭାବ ଭାଷା ରସ ସଂପଦରେ ସେଗୁଡ଼ିକ ରୁଦ୍ଧିମନ୍ତ । ଅନୁରୂପ ଛାନ୍ଦର ପରିକଳ୍ପନା ଓଡ଼ିଆ ସାହିତ୍ୟରେ କାହିଁକି ଭାରତୀୟ ସାହିତ୍ୟରେ ଦୁର୍ଲ୍ଲଭ । କବିଙ୍କର ଅପୂର୍ବ ଶକ୍ତି ସଞ୍ଚିତ ହୋଇଅଛି ଏହି କାବ୍ୟରେ । କ୍ଲାସିକ୍ ସାହିତ୍ୟରେ ଦେଖିବାକୁ ମିଳିଥାଏ ଏ ସ୍ରଷ୍ଟାର ଶକ୍ତି ନିପୁଣତା । ତେଣୁ ଗୋଟିଏ ଭାବର, ବସ୍ତୁର, ଅଙ୍ଗର, ବିଷୟର ବର୍ଣ୍ଣନା ପାଇଁ କବିଙ୍କ କି ଚିନ୍ତା, କି ଆୟାସ, କି କଳ୍ପନା ବିଳାସ, କି ପ୍ରଗାଢ଼ ଅନୁଭୂତି, ପ୍ରକଟିତ ହୋଇଅଛି ତାହା ଦେଖିଲେ ପାଠକ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ରୂପ ବର୍ଣ୍ଣନାରେ କବିଙ୍କ ଅସୀମ ଶକ୍ତି ବ୍ୟୟିତ ହୋଇଅଛି । ନାୟିକା ମୁଖରେ ନାୟକ ପୁଣି ନାୟକ ମୁଖରେ ନାୟିକାର ଶୋଭା ବର୍ଣ୍ଣନାରେ କବିଙ୍କର ଅସମାନ୍ୟ ଦକ୍ଷତା ପ୍ରସ୍ଫୁଟିତ ହୋଇଥିଲେ ମଧ୍ୟ ବର୍ଣ୍ଣନାର ବାହୁଲ୍ୟ ତତ୍‌ସଙ୍ଗେ ପୁନରାବୃତ୍ତି ମଧ୍ୟ ଘଟିଅଛି, ଘଟିବା ସ୍ୱାଭାବିକ । କାରଣ କିଶୋରୀଙ୍କ ବନଦର୍ଶନ ପରିବେଶରେ ସଖୀ ପୁରତରେ ଶ୍ରୀକୃଷ୍ଣଙ୍କ ଶୋଭା ବର୍ଣ୍ଣନା ପାଇଁ କବିଙ୍କୁ ୩୨ଟି ପଦର ଆଶ୍ରୟ ନେବାକୁ ପଡ଼ିଅଛି । ପୁଣି କିଶୋର ଚନ୍ଦ୍ରମା ଶ୍ରୀକୃଷ୍ଣଙ୍କ ମୁଖରେ କିଶୋରୀ ଶ୍ରୀରାଧାଙ୍କ ରୂପବର୍ଣ୍ଣନ ପାଇଁ କବି ୩୪ ପଦ ବ୍ୟବହାର କରିଛନ୍ତି । ଆହୁରି ମଧ୍ୟ ୪୩ ଛାନ୍ଦରେ ରାଧାକୃଷ୍ଣଙ୍କୁ ଶକ୍ତିଶକ୍ତିମାନ ରୂପେ ପରିକଳ୍ପନା କରି ଉଭୟଙ୍କର ସମ୍ବନ୍ଧ ଓ ସ୍ୱରୂପ ବର୍ଣ୍ଣନାରେ ଅସୀମ ଶକ୍ତିନୁପୁଣତା ଦେଖାଇଅଛନ୍ତି । ସେହିପରି ଏହି ବର୍ଣ୍ଣନାରେ ୫୬ଟି ପଦ ମଧ୍ୟ ବ୍ୟବହୃତ ହୋଇଅଛି । ସମଗ୍ର ପୁରାଣ ସାହିତ୍ୟ ବେଦ, ବେଦାଙ୍ଗ, ଉପନିଷଦ, ମହାଭାରତ, ରାମାୟଣରେ ବର୍ଣ୍ଣିତ ବହୁ ଉପଖ୍ୟାନରୁ ନାୟକ ନାୟିକାଙ୍କୁ ନିର୍ବାଚନ କରି ସେମାନଙ୍କର ମଧୁର ସମ୍ବନ୍ଧାଦି ରାଧାକୃଷ୍ଣଙ୍କ ଉପରେ ଆରୋପଣ ପୂର୍ବକ ଆଦର୍ଶ ପୁରୁଷ ଓ ଆଦର୍ଶ ନାରୀର ସ୍ୱରୂପ ଓ ଧର୍ମାଦି ଚିତ୍ରଣ କରିଅଛନ୍ତି । କବି ରାଗାନୁଗା ଭକ୍ତିର ପରାକାଷ୍ଠା ଦର୍ଶାଇ ଭକ୍ତମାନଙ୍କୁ ଶ୍ରବଣ ଡେରି କାବ୍ୟରେ ପ୍ରଦର୍ଶିତ ବିଶ୍ୱବିମୋହନ ବିଶ୍ୱପ୍ରହ୍ଲାଦନ ଭକ୍ତିରସ ପାନକରିବାକୁ ଆହ୍ୱାନ କରିଅଛନ୍ତି ।

 

ପୂର୍ବରୁ କୁହାଯାଇଛି ଯେ କେତେକ ସମାଲୋଚକଙ୍କ ମତରେ ବିଦଗ୍‌ଧ ଚିନ୍ତାମଣି ରୂପ ଗୋସ୍ୱାମୀଙ୍କର ସଂସ୍କୃତ ନାଟକ ବିଦଗ୍‌ଧ ମାଧବ ଛାୟାରେ ରଚିତ । କିନ୍ତୁ ଏହା ଠିକ୍ ନୁହେଁ । ସେ ଯେ ଉକ୍ତ ନାଟକଦ୍ୱାରା ବିଶେଷଭାବେ ପ୍ରଭାବିତ ସେଥିରେ ଆଉ ସନ୍ଦେହ ନାହିଁ । ‘ବିଦଗ୍‌ଧ ମାଧବ’ରେ ବଂଶୀର ଚାତୁରୀ ଓ କାର୍ଯ୍ୟକାରିଣୀ ଶକ୍ତି, ନାମଶ୍ରବଣର ମାହାତ୍ମ୍ୟ ଅଧିକ ପ୍ରାଧାନ୍ୟ ସ୍ୱୀକୃତ । କବି ନିଜେ ପରମ ବୈଷ୍ଣବ ଓ ରାଧାମାଧବ ଯୁଗଳ ବିଗ୍ରହର ପରମୋପାସକ-

 

‘‘ରାଧିକା ରୂପିଣୀ କୃଷ୍ଣଃ ଶ୍ରୀରାଧା କୃଷ୍ଣରୂପିଣୀ ।

ରାସ ଯୋଗାନୁସାରେଣ ରାଧାକୃଷ୍ଣଂ ଭଜାମ୍ୟହମ୍ ।।’’

 

ଏହା ଉଭୟ କିବଙ୍କ ଲକ୍ଷ୍ୟ ।

ଗୀତଗୋବିନ୍ଦକାର ଜୟଦେବ, ରସକଲ୍ଳୋଳକାର ଦୀନକୃଷ୍ଣ ଓ ବିଦଗ୍‌ଧ କବି ଅଭିମନ୍ୟୁ ପ୍ରଭୃତି ହେଉଛନ୍ତି ରସିକ ଭକ୍ତ । ସେମାନଙ୍କ କାବ୍ୟରେ ସ୍ଥଳବିଶେଷରେ ଯେଉଁ ଆଦିରସର ପରିବେଷଣ କରାଯାଇଛି, ତାହା ଭକ୍ତ ଭଗବାନଙ୍କର ମହାମିଳନର ରସ । ଭଗବାନ ଲୀଳାବିଧୃତ କଳେବର; ଭଗବାନ ବିଷ୍ଣୁ ହିଁ ଆଦି ରସର ଦେବତା । ଲୀଳା ପାଇଁ ତାଙ୍କର ଅବତାର । ରାଧାକୃଷ୍ଣଙ୍କର ମହାଭାବମୟୀ ମୂର୍ତ୍ତି ଚନ୍ଦ୍ରାବଳୀ ଓ ଗୋପୀବୃନ୍ଦ ସମସ୍ତଙ୍କର ସେହି ମହାରସମୟଙ୍କର ରସ ସୃଷ୍ଟି ପାଇଁ ଆବିର୍ଭାବ । ବ୍ରଜଭୂମିରେ ମଧୁର ରସର ପ୍ରଚାର ଲାଗି ଶ୍ରୀକୃଷ୍ଣଙ୍କ ନବ ନଟବର ବିଗ୍ରହ । ରାଧା ପ୍ରଥମେ କୃଷ୍ଣଙ୍କୁ ଦର୍ଶନ କରିଅଛନ୍ତି । କୃଷ୍ଣଙ୍କ ଦର୍ଶନ ପର୍ଯ୍ୟନ୍ତ ଶିଶୁ ରାଧାଙ୍କର ଚକ୍ଷୁ ମୁଦ୍ରିତ । ସତେ ଅବା ଭକ୍ତ ଭଗବାନଙ୍କ ବ୍ୟତୀତ ଅନ୍ୟ କାହାକୁ ସେ ଲୋଡ଼ା ନାହିଁ । ଭଗବାନଙ୍କ ସହିତ ମିଳନପାଇଁ ଯେ ସାହାଯ୍ୟ କରେ ସେ ହେଉଛି ତାର ସଖା, ସୋଦର ଓ ବନ୍ଧୁ । ଶିଶୁ କୃଷ୍ଣଙ୍କର ଅଧରାମୃତ କ୍ଷୀର ଉଚ୍ଛିଷ୍ଟ ସ୍ତନରୁ ପାନ କରିଛନ୍ତି ବିନୋଦିନୀ । ଏକଥା ସନ୍ଧିନୀକଳାପ ସମ୍ମତ; ତେଣୁ ସମର୍ଥିତ ।

 

‘‘ତ୍ରିରାତ୍ର ନେତ୍ର ବିମୁଦ୍ରିତ ହେବାର ଜନକ ଜନନୀ ବିରସ

ଜାଣି ପୂର୍ଣ୍ଣମାସୀ ଆସି ଯଶୋଦାଙ୍କୁ ଘେନାଇ ହେଲେ ପରବେଶ

କୃଷ୍ଣଙ୍କୁ ।

କାଖରେ ଘେନି ନନ୍ଦରାଣୀ,

ବିଲୋକନ୍ତେ ବିଲୋକିଲେ କୃଷ୍ଣମୁଖ ପ୍ରଥମେ ଶୁଭ ସୁଲକ୍ଷଣୀ ।’’

* * *

‘‘କୃଷ୍ଣ-ସର୍ବେନ୍ଦ୍ରିୟ-ଆହ୍ଲାଦିନୀ ସର୍ବେନ୍ଦ୍ରିୟ-ଆନନ୍ଦ ବରଧନ ।

କୃଷ୍ଣ-ଅଧରାମୃତ କ୍ଷୀର ପ୍ରଥମେ ଯଶୋଦା କରାଇଲେ ପାନ ।

ଏକଥା ସନ୍ଧିନୀକଳାପ-ସମ୍ମତି

ଜନକ ଜନୀନ ସେହି ଦିନୁ ଦିନୁ ଦିନୁ ଆନନ୍ଦ କଲେ ମତି ।’’

(୪ର୍ଥ ଛାନ୍ଦ)

 

ଏକ ପବିତ୍ର ପରିବେଶରେ କବି ସତେକି ପରମାତ୍ମା ଓ ଜୀବାତ୍ମାର ଯୋଗଯୋଗ ସୃଷ୍ଟି କରୁଛନ୍ତି ? ଭକ୍ତିଭାବହିଁ ଆଦ୍ୟୋପାନ୍ତ କାବ୍ୟରେ ବିଳସିତ । ଜ୍ଞାନମାର୍ଗ ଅପେକ୍ଷା ଭକ୍ତିମାର୍ଗର ଶ୍ରେଷ୍ଠତ୍ୱ କାବ୍ୟରେ ପ୍ରତିପାଦିତ, ତେଣୁ ମଙ୍ଗଳାଚରଣ ଛାନ୍ଦ ଯାହାକି ସମଗ୍ର କାବ୍ୟର ମୁଖବନ୍ଧ ସ୍ୱରୂପ, ସେଥିରେ କବି ଆଗରୁ ସତର୍କ ବାଣୀ ଶୁଣାଇ କହିଛନ୍ତି-

 

‘‘ନ୍ୟାୟଦି ଶାସ୍ତ୍ର ପୁରାଣ ବେଦାଗମ କାବ୍ୟ

ବ୍ୟାସ କଲା ଲୋକର ଏ ହୋଇବଟି ଭବ୍ୟ ? ହେ

(ପ୍ରଶ୍ନବାଚୀ)’’

 

ଯେଉଁମାନେ ନ୍ୟାୟାଦି ଷଡ଼ଦର୍ଶନ, ଧର୍ମଶାସ୍ତ୍ର, ଅଷ୍ଟାଦଶ ପରାଣ, ଚତୁର୍ବେଦ, ଆଗାମ ଓ ଷଟ୍‌କାବ୍ୟାଦି ଅନୁଶୀଳନ କରିଥିବେ ନ୍ୟାସ ଅର୍ଥାତ୍ ବିନ୍ୟାସ ହୃଦୟରେ ଧରିଥିବେ ସେମାନେ ଏ କାବ୍ୟକୁ ବିଚାର କରିପାରିବେ କି ? ବା ପାରିବେ- ବହୁ ସମାଲୋଚକ ଏପରି ଅର୍ଥ କରିଥାନ୍ତି । ମାତ୍ର ଏହା ଯଥାର୍ଥ ହୋଇଥିଲେ କବି ପରବର୍ତ୍ତୀ ପଦରେ ଏକଥା କହି ନଥାନ୍ତେ-

 

‘‘ଟାଣ ଚଣା ଚର୍ବଣ ନାରଦ କଲାପରି

ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ’’ ।

 

କାହାର ଟେକ ଓଜ ଭାଜିବ ? ଯେଉଁମାନେ ପ୍ରବୀଣ ଶାସ୍ତ୍ରର୍ଥୀ ଓ ଜ୍ଞାନୀସେହିମାନଙ୍କର ବଡ଼ିମା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ । ନ୍ୟାସ ଶବ୍ଦର ପ୍ରକୃତ ଅର୍ଥ ନ ଜାଣି ଆଲୋଚନାମାନେ ଭ୍ରମରେ ପଡ଼ି କହିଛନ୍ତି ଯେ ବିଭିନ୍ନ ଶାସ୍ତ୍ର ଆହରଣ କରିଥିଲେ ବା ଶାସ୍ତ୍ରରେ ନିଷ୍ଠ ହୋଇଥିଲେ- ସେମାନେ ଏ ଗ୍ରନ୍ଥରେ ପ୍ରବେଶ କରିପାରିବେ । ନ୍ୟାସ ଯଦିଓ ବିନ୍ୟାସ ଅର୍ଥରେ ଗୃହୀତ; ମାତ୍ର ଏ ସ୍ଥଳରେ ସେ ଅର୍ଥ ଗ୍ରହଣୀୟ ନୁହେଁ । ନ୍ୟାସ ଅର୍ଥ ତ୍ୟାଗ । ‘‘କାମ୍ୟାଣାମ୍ କର୍ମଣାମ୍ ନ୍ୟାସଂ ସନ୍ନ୍ୟାସଂ କବୟୋଃ ବିଦୁ’’- ଏଠାରେ ନ୍ୟାସ ତ୍ୟାଗ ଅର୍ଥରେ ହିଁ ଗୃହୀତ । ବହୁ ଶାସ୍ତ୍ରରେ ଜ୍ଞାନ ଅର୍ଜନ କରି ଜ୍ଞାନମାର୍ଗରେ ଗତି କଲେ ମଧ୍ୟ ଏ ଗ୍ରନ୍ଥର ମର୍ମ ହୃଦୟଙ୍ଗମ କରିପାରିବେ ନାହିଁ । ତେଣୁ କବି ପର ପଦରେ ଏହାର ସମାଧାନ ସାଧନପୂର୍ବକ କହୁଛନ୍ତି-

 

‘‘ଠକ ନୁହେଁ ଗୁରୁ କୃଷ୍ଣ ବଇଷ୍ଣବେ ଯେହୁ

ଠିକେ ଏଥି ମର୍ମ ଜାଣି ପାରିବେଟି ସେହୁ ହେ’’ ।

 

କେବଳ ଗୁରୁ କୃଷ୍ଣ ଓ ବୈଷ୍ଣବବାଦରେ ଯେଉଁମାନଙ୍କର ଆସ୍ଥା ଓ ବିଶ୍ୱାସ ରହିଛି ସେହିମାନେ ହିଁ ଏ କାବ୍ୟର ପ୍ରତିପାଦିତ ଭକ୍ତିବାଦର ସ୍ୱରୂପ ଓ ଆଦର୍ଶ ତଥା ରସତତ୍ତ୍ୱ ଉପଲବ୍‌ଧିପୂର୍ବକ ଭକ୍ତିଭାବର ଅଧିକାରୀ ହୋଇପାରିବେ । ବୈଷ୍ଣବୀୟ ସାଧନମାର୍ଗରେ ଏହାହିଁ ତ୍ରିତତ୍ତ୍ୱ । ଏହି ତତ୍ତ୍ୱକୁ ଜାଣିବାକୁ ପଡ଼ିବ । ପ୍ରତ୍ୟେକ ସାଧନ ମାର୍ଗରେ ନିଜସ୍ୱ କ୍ରମ ରହିଛି । ଏ ସାଧନମାର୍ଗରେ ସେହିପରି ଗୁରୁ, କୃଷ୍ଣ, ବଇଷ୍ଣବ ଏହି କ୍ରମ ପାଳନୀୟ । ବୈଷ୍ଣବଭକ୍ତ ଗୁରୁ ସାହାଯ୍ୟରେ କୃଷ୍ଣଙ୍କୁ ପାଇବ ନଚେତ୍ କୃଷ୍ଣପ୍ରାପ୍ତି ସମ୍ଭବପର ନୁହେଁ । ଏହାହିଁ କବିଙ୍କ ଧର୍ମମତ । ଏଠାରେ ରାଧାହିଁ ଗୁରୁ ଆସନାରେ ଆସୀନା । ପୁରାକାଳରୁ ଗୁରୁବାଦ ବା ଭକ୍ତିର ଭୂମିକା ସଂପର୍କରେ ବହୁ ମନୀଷୀ ଆଲୋକପାତ କରିଛନ୍ତି । ରସୋପଲବ୍‌ଧି ତଥା ଭକ୍ତିଭାବୋରଲବ୍‌ଧିରେ ଯେଉଁ ସାଧନକ୍ରମ ରହିଛି ସେଥିରେ ଆଦ୍ୟରେ ହିଁ ଗୁରୁଙ୍କୁ ରଖାଯାଇଛି । ଗୁରୁହିଁ ମନ୍ତ୍ରଦାତା, ଶିକ୍ଷାଦାତା । ଗୁରୁକୃପା ନ ହେଲେ ଲକ୍ଷ୍ୟ ସିଦ୍ଧ ହେବ ନାହିଁ । ଶ୍ରୀ ରୂପ ଗୋସ୍ୱାମୀ ଭକ୍ତିର ସମ୍ବନ୍ଧୀୟ । (୧) ଗୁରୁପାଦଶ୍ରୟ, (୨) ଗୁରୁ ସମୀପରୁ କୃଷ୍ଣ ଦୀକ୍ଷାଦି ଶିକ୍ଷା (୩) ବିଶ୍ୱାସର ସହିତ ଗୁରୁ ସେବା (୪) ସାଧୁମାନଙ୍କର ପ୍ରଦର୍ଶିତ ମାର୍ଗାନୁସରଣ (୫) ସଦ୍ଧର୍ମ ଜିଜ୍ଞାସା (୬) କୃଷ୍ଣଙ୍କ ଉଦ୍ଦେଶ୍ୟରେ ଭୋଗାଦି ପରିତ୍ୟାଗ (୭) ଦ୍ୱାରକାଦି ଧାମ ଓ ଗଙ୍ଗା ନିକଟରେ ବାସ (୮) ବ୍ୟବହାର ବିଷୟରେ ଯାବଦାର୍ଥାନୁବର୍ତ୍ତିତା (୯) ହରିବାସର ପ୍ରତି ସମ୍ମାନ ପ୍ରଦର୍ଶନ (୧୦) ଧାତ୍ରୀ ଅଶ୍ୱସ୍ଥାଦିର ଗୌରବ ସ୍ୱୀକାର । ଏଥିରୁ ପ୍ରତୀୟମାନ ହୁଏ ଯେ ସକଳ ଅଙ୍ଗରେ ସର୍ବାଦୌ ଗୁରୁହିଁ ସେବ୍ୟ । ଗୁରୁ ପଦାଶ୍ରୟହିଁ ଶିଷ୍ୟର କାମ୍ୟ । ମଙ୍ଗଳାଚରଣରେ ଆଉ ଏକ ପଦ ଏଠାରେ ବିଚାର୍ଯ୍ୟ । ଗୋଟିଏ ଗୋଟିଏ ପଦର ଅର୍ଥ ନ ଜାଣି ଟୀକାକାରମାନେ କି ଭ୍ରମରେ ପଡ଼ିଛନ୍ତି ତାର ଏକ ଉଦାହରଣ ଏଠାରେ ପ୍ରଦତ୍ତ । କବି କାବ୍ୟର ଗ୍ରାହକମାନଙ୍କ ସଂପର୍କରେ କହୁଛନ୍ତି-

 

‘‘ଘୃଣାରେ ଘୋଷିଲେ ନରେ ପାଇବେ ନିର୍ବାଣ

ଘୃତବତ ରସିକ ହୃଦକୁ ରବି ଜାଣ ହେ ।’’

 

ପ୍ରାଚ୍ୟ ସଂସ୍କରଣରେ ‘ଘୃଣା’ର ଅର୍ଥ କରାଯାଇଛି -ଅନାଦର= ଯେଉଁମାନେ ଅନାଦରରେ ଘୋଷିବେ ସେମାନେ ମଧ୍ୟ ମୁକ୍ତି ପାଇବେ । ମାତ୍ର ଏହା ଭ୍ରମାତ୍ମକ । ଘୃଣା ଅର୍ଥ ଏଠାରେ ଅନାଦର ନୁହେଁ- ଅନୁକମ୍ପା ବା ଦୟା । ଯେଉଁମାନେ ଅନୁକମ୍ପାର ସହିତ ଏହାକୁ ଘୋଷିବେ ସେମାନେ ନିର୍ବାଣ ଲାଭ କରିବେ । ରାମାୟଣରେ ଉକ୍ତ ଅଛି-

 

‘‘ଉଦ୍ୟତୈକ ଭୁଜ ଯଷ୍ଟିମାୟିତ

ଶ୍ରୋଣିଲମ୍ବୀ ପୁରୁଷାଂନୁ ମେଖଳା ।

ତାନ୍ ବିଲୋକ୍ୟ ବନିତା ବଧେ ଘୃଣାଂ

ପତ୍ରିଣା ସହ ମୁମୋଚ ରାଘବଃ ।।

 

ଏଠାରେ ଘୃଣା-ଅନୁକମ୍ପା ଅର୍ଥରେ ଗୃହୀତ । ଅଥବା ଅନ୍ୟତ୍ର-

 

‘‘ହା ତାତ ମାମ୍ ପରିତେଜ୍ୟ

କ୍ୱ ଗତସି ଘୃଣାକର ।’’

(ଅଧ୍ୟାତ୍ମରାମାୟଣ)

 

ରାମଙ୍କ ଶୋକ ଏଠାରେ ବର୍ଣ୍ଣିତ । ଏଠାରେ ମଧ୍ୟ ଘୃଣା-ଅନୁକମ୍ପା । ଏଥିରୁ ପ୍ରମାଣିତ ହେଉଛି ଯେ କାବ୍ୟଟି ଆଦ୍ୟରୁ ହିଁ ଭକ୍ତି ରସାତ୍ମକ । ଏ କାବ୍ୟର ଆଧାରିତ ରସ ଯଦିଓ ଶୃଙ୍ଗାର ତାହା ପୁଣି ମଧୁର-ଉଜ୍ଜଳ । ଯାହା ପ୍ରେମିକ ପ୍ରେମିକାର ଉଦ୍‌ବେଗ ତାହା ଭକ୍ତମାନଙ୍କର ଉଦ୍‌ବେଗ-। ମାନବ ଜୀବନରେ ଶୃଙ୍ଗାର କମ୍ୟ । ସମ୍ଭୋଗର ଆନନ୍ଦ ସ୍ୱାଦ । ଏହି ପରମାସ୍ୱାଦ୍ୟ ଆନନ୍ଦକୁ ରୂପକ ଭାବେ ବା ପ୍ରତୀକ ଭାବେ ଗ୍ରହଣ କରି ଭକ୍ତ ଭଗବାନଙ୍କ ରସତତ୍ତ୍ୱ କାବ୍ୟରେ ପ୍ରତିପାଦିତ । ଅବଶ୍ୟ ଅଭିମନ୍ୟୁ ରାଧାକୃଷ୍ଣଙ୍କର ମିଳନ ସଂପାଦନ କରିପାରିଲେ ଅପାର ଆନନ୍ଦ ବା ମହାସୁଖ ଲାଭ କରିପାରିବେ- ଏ କଥା ସେ କହିଛନ୍ତି, ତେଣୁ ତାଙ୍କ ଦୃଷ୍ଟିକୋଣ ଦୈତ । କିନ୍ତୁ ରାଧାକୃଷ୍ଣଙ୍କର ଭାବଶାବଲ୍ୟର କବିତା ପାଠ କଲେ ଅନେକ ସମୟରେ ଅଦୈତ ତନ୍ମୟତା ଆସିଥାଏ ଏବଂ କ୍ଷଣକପାଇଁ ତାହା ଲୋକାତୀତ ହୋଇଉଠେ । ଏହି ଭାବମୟ ସ୍ଥିତିରେ ଭକ୍ତ ପାଠକର ସତ୍ତା ହଜିଯାଏ । ସେ କେଉଁ ଏକ ଦିବ୍ୟଲୋକରେ ପହଞ୍ଚେ; ଦିବ୍ୟୋନ୍ମାଦରେ ତାର ଶରୀର ରୋମାଞ୍ଚିତ ହୋଇଉଠେ । ହୃଦୟରେ ଭାବର ଉଦ୍‌ବେଳନ ଘଟେ ।

 

ପରକୀୟା ପ୍ରୀତି ତଥା ରସତତ୍ତ୍ୱ ଦୃଷ୍ଟିରୁ କାବ୍ୟ ପ୍ରତି କେହି କେହି ନାସିକା କୁଞ୍ଚନ କରିଥାନ୍ତି । ପୂର୍ବରୁ କୁହାଯାଇଛି ଯେ ନାୟକ ଶ୍ରୀକୃଷ୍ଣ ଦକ୍ଷିଣ ନାୟକ । ଭକ୍ତି ପ୍ରଚାର କରିବାକୁ ଯାଇ ଏପରି ଅସାମାଜିକ ପ୍ରେମର ବର୍ଣ୍ଣନା କାହିଁକି ? ଏହିଠାରେ ଶାସ୍ତ୍ରବାକ୍ୟ ଆଲୋଚକକୁ ସାହାଯ୍ୟ କରିଥାଏ । ‘‘ଈଶ୍ୱରାଣାଂ ବଚଃ ସତ୍ୟଂ ତଥୈବାଚରିତମ୍‌ କ୍ୱଚିତ ।’’ ଈଶ୍ୱରଙ୍କର ବଚନ ହିଁ ସତ୍ୟ ତାଙ୍କ ଚରିତ କ୍ୱଚିତ୍ ଅନୁକରଣୀୟ । ଭବଭୂତି ଏ ରସର ପ୍ରଶଂସା କରି କହିଛନ୍ତି ‘‘ରସସ୍ତୁଃ ପରକୀୟାୟାମ୍ ’’ । ଅଭିମନ୍ୟୁ ଠିକ୍ ସେହି କଥା କହି ଏକ ଚମତ୍କାର ଓ ରମଣୀୟ ପରବେଶରେ ସଭ୍ୟମାନଙ୍କୁ ଉପଦେଶ ଦେଇ ଏ ରସର ଶ୍ରେଷ୍ଠତ୍ୱ ଓ ଚମତ୍କାରିତାକୁ ପ୍ରକାଶ କରିଛନ୍ତି ।

 

ଜଟିଳା କୁଟିଳା ପ୍ରଭୃତି ସାମାଜିକ ବାଧାବନ୍ଧନ । ଏହି ବାଧାବନ୍ଧନକୁ ଏଡ଼ିବାକୁ ହୁଏ, ଯେତେବେଳେ ବିଶ୍ୱପୁରୁଷର ମୋହନ ବେଣୁ ବାଜିଥାଏ । ତାପରେ କ୍ରମେ କ୍ରମେ ସେହି ପୁରୁଷ ସହିତ ମିଳିବାକୁ ଜୀବାତ୍ମା ଛଟପଟ ହୁଏ । ମିଳନ ବିରହ ମଧ୍ୟରେ ସାଧକ ଉକ୍ତ ଅପୂର୍ବ ରସ ଆସାଦନ କରେ । ଏହାହିଁ ବିଦଗ୍‌ଧ ତତ୍ତ୍ୱ । ଅତଏବ ପାରମାର୍ଥିକ ଦୃଷ୍ଟିରୁ ପ୍ରୀତିରୂପ ପଞ୍ଚମ ପୁରୁଷାର୍ଥକୁ ପାଇ ଏ କାବ୍ୟ ଧନ୍ୟ । ଭଗବତ୍ ରସ ହିଁ ଏକମାତ୍ର କାମ୍ୟ, ତେଣୁ କାବ୍ୟରେ ଏହାର ପରିଚାର୍ଯ୍ୟା ।

 

ଏହି ରସୋଲ୍ଲାସର ପରମୋତ୍କର୍ଷ ସାଧନ ପାଇଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଲୀଳାଶକ୍ତି ଯୋଗମାୟାଙ୍କଠାରେ ଆତ୍ମସମର୍ପଣ କରିବାକୁ ପଡ଼ିଛି । ଭାବ, ପ୍ରେମ ଓ ରସର ତ୍ରିବେଣୀ ଧାରା କାବ୍ୟରେ ପ୍ରବାହିତ । ଭାବ ପ୍ରେମରେ, ପ୍ରେମ ରସରେ ରୂପାନ୍ତରିତ ହୋଇଅଛି । ଭାବୋତ୍କର୍ଷ ଓ ରସୋତ୍କର୍ଷର ପ୍ରସ୍ଫୁଟନହିଁ ବୃନ୍ଦାବନ ଲୀଳାର ପରମ ଉଦ୍ଦେଶ୍ୟ ଚରମ ସିଦ୍ଧି । ଏହି ଉଦ୍ଦେଶ୍ୟ ଯେପରି ବିଦଗ୍‌ଧ ମାଧବ ନାଟକରେ ଚରିତାର୍ଥ ହୋଇଅଛି, ଆଲୋଚ୍ୟ କାବ୍ୟରେ ମଧ୍ୟ ସେହିପରି ସାଫଲ୍ୟମଣ୍ଡିତ ହୋଇଅଛି । ନାଟକ ବ୍ୟାପାରରେ ସାଧାରଣତଃ ପରକୀୟାସମ୍ଭୁତ ଇତର ରସ ବର୍ଜନୀୟ । କିନ୍ତୁ ଶ୍ରୀବୃନ୍ଦାବନରେ ଶ୍ରୀରାଧାଗୋବିନ୍ଦ ଓ ବ୍ରଜବଧୂମାନଙ୍କ ସମ୍ବନ୍ଧରେ ଏହା ଶାସ୍ତ୍ରସମ୍ମତ । ଯଥା-

 

‘‘ନେଷ୍ଟା ଯଦଙ୍ଗି ନିରସେ କବିଭିଃ ପରୋଢ଼ା

ତଦ୍ ଗୋକୁଳାମ୍ବୁଜଦୃଶାଂ କୁଳମନ୍ତରେଣ ।

ଆଶଂସୟା ରସ ବିଧେରିବ ତାରିଣନାଂ

କଂସାରିଣା ରସିକ-ମଣ୍ଡଳ-ଶେଖରେଣ ।’’

 

ଅର୍ଥାତ୍ କବିମାନେ ଯେ ସର୍ବଶ୍ରେଷ୍ଠ ରସ ତଥା ଆଦିରସ ଶୃଙ୍ଗାର ରସରେ ପରକୀୟାକୁ ସ୍ୱୀକାର କରନ୍ତି ନାହିଁ, ତାହା ଅବଶ୍ୟ ଗୋକୁଳବାସିନୀ ପଦ୍ମନୟନା ଗୋପାଙ୍ଗନାଗଣଙ୍କୁ ଛାଡ଼ି; କାରଣ ରସିକମଣ୍ଡଳଶିରୋମଣି କଂସାରି ଶ୍ରୀକୃଷ୍ଣ ରସ -ବୈଶିଷ୍ଟ୍ୟର ଆସ୍ୱାଦନ ପାଇଁ ସେହି ସକଳ ଗୋପଙ୍ଗନାଙ୍କୁ ଅବତାରିତ କରିଅଛନ୍ତି । ଯଥାର୍ଥରେ ଚରିତାମୃତକାର କହିଛନ୍ତି –

 

‘‘ପରକୀୟା ଭାବେ ଅତ ରସେର ଉଲ୍ଲାସ

ବ୍ରଜ ବିନା ତାହାର ଅନ୍ୟତ୍ର ନାହିଁ ବାସ ।’’

 

ଭାବବୈଶିଷ୍ଟ୍ୟ ରସବୈଶିଷ୍ଟ୍ୟର ଏହି ଚମତ୍କାରିତା ଶ୍ରୀଗୋପୀଜନବଲ୍ଲଭଙ୍କ ଶ୍ରୀବୃନ୍ଦାବନ ଲୀଳାରେ ହିଁ ବର୍ତ୍ତମାନ ।

 

ଅଭିମନ୍ୟୁ ମଧ୍ୟ ଏଇ ରସର ସମର୍ଥନ ପାଇଁ ଏକ ପରମ ରମଣୀୟ ପରିବେଶ ସୃଷ୍ଟି କରି ୪ର୍ଥ ଛାନ୍ଦରେ ରାଧା ଜନ୍ମାଦି ଉତ୍ସବ ପ୍ରସଙ୍ଗରେ ବୈଷ୍ଣବ ଜଗତରେ ପରକୀୟା ରସର ଶ୍ରେଷ୍ଠତ୍ୱ ପ୍ରତିପାଦନପୂର୍ବକ ଶ୍ରୀକୃଷ୍ଣ ସହିତ ତଥା ମିଳନୋତ୍ସବ ସଂପନ୍ନ କରିବାକୁ ଆଶା ପ୍ରକାଶ କରିଅଛନ୍ତି ।

 

‘‘କୃଷ୍ଣ ଶୋଭାପ୍ରଭା ଦେଖି ହୋଇ ଲୋଭା ସଭାରେ ରାଜନ ବିଚାରି

ସିନ୍ଧୁ ସମ୍ଭବା- ପରଭବା ବିଭାକୁ ବିଭା କରିବା ମୂଳ କରି

ମହୀଶ ମହୀଷୀ ପୁରତେ କହିଲେ ।

ପୂର୍ବସନମତ ଚନ୍ଦ୍ରଶେଣ ମାତ ତୁଲେ ଅଛି ରାଣୀ ବୋଇଲେ ।

ସେପଦେ ହାସ୍ୟାସ୍ପଦ ରାଜା କରନ୍ତେ ଶୁଣି ଦୁର୍ବାସା ପୂର୍ଣ୍ଣମାସୀ,

ଶାସ୍ତ୍ର ପ୍ରବର୍ତ୍ତାଇ ସେ ସତ୍ୟକୁ ସ୍ଥାୟୀ ନିଜ ଶ୍ରେୟ ମନେ ମନାସି,

ଗୋବିନ୍ଦ, ପ୍ରେମସର୍ଜକ ବିଧୁ ଯେଣୁ,

ପରକୀୟା ରସ ଉଲ୍ଲାସ ବିଶେଷ ହେବାର ଭିଆଇଲେ ତେଣୁ ।’’

 

ବୃଷଭାନୁ କୃଷ୍ଣଙ୍କର ଶୋଭା ପ୍ରଭା ଦେଖି ଅତ୍ୟନ୍ତ ଲୋଭାବିଷ୍ଟ ହୋଇ ତାଙ୍କ ସହିତ ରାଧାଙ୍କର ବିବାହ ସଂପନ୍ନ କରିବାକୁ ମନସ୍ଥ କରି ରାଣୀ କୀର୍ତ୍ତିଦାଙ୍କୁ କହିଲେ । ଉତ୍ତରରେ କୀର୍ତ୍ତିଦା ପ୍ରକାଶ କଲେ ଯେ, ‘‘ଏ କନ୍ୟା ବହୁପୂର୍ବରୁ ବାଗ୍‌ଦତ୍ତା ହୋଇଯାଇଛି । ଚନ୍ଦ୍ରଶେଣାଙ୍କ ମାତାଙ୍କ ସହ ସେ ସଂକଳ୍ପବଦ୍ଧା । ସ୍ୱକନ୍ୟା ରାଧା ଚନ୍ଦ୍ରଶେଣାଙ୍କୁ ହିଁ ବିବାହ କରିବେ । ଏହାଶୁଣି ରାଜା ରାଣୀଙ୍କ କଥାକୁ ହାସ୍ୟସ୍ପଦ କଲାରୁ ଦୁର୍ବାସା ଓ ପୂର୍ଣ୍ଣମାସୀ ଧର୍ମଶାସ୍ତ୍ର ଓ ଅନ୍ୟାନ୍ୟ ଶାସ୍ତ୍ର ବାକ୍ୟ ଉଦ୍ଧାର କରି ରାଣୀଙ୍କ ପୂର୍ବ ସିଦ୍ଧାନ୍ତକୁ ଏକରକମ ସମର୍ଥନ କଲେ । ମନୁ କହିଛନ୍ତି-‘‘ଦତ୍ତାମପି ହରେତ୍ କନ୍ୟାମ୍ ଶ୍ରେୟାଂଶ୍ଚିତ ବରଆବ୍ରଜେତ୍’’- କନ୍ୟା ବାଗ୍‌ଦତ୍ତା ହୋଇଥିଲେ ମଧ୍ୟ ଶ୍ରେୟବର ମିଳିଲେ ପୂର୍ବକଳ୍ପିତ ବରକୁ ନ ଦେଇ ଉକୃଷ୍ଟ ବରଙ୍କ ସହିତ କନ୍ୟାର ପାଣିଗ୍ରହଣ କାର୍ଯ୍ୟ ସଂପନ୍ନ କରାଯାଇପରେ । ପୁଣି ଚନ୍ଦ୍ରଶେଣାଙ୍କ ସହିତ ନାମମାତ୍ର ବିବାହ କାର୍ଯ୍ୟ ସଂପନ୍ନ ହେଲେ ମଧ୍ୟ ପ୍ରେମ ସର୍ଜକ ବିଧି ଯେହେତୁ ଶ୍ରୀକୃଷ୍ଣ ତାଙ୍କୁ ହିଁ ରାଧା ପ୍ରେମଦାନ କରିବେ । ଏଥିରେ ପରକୀୟା ରସର ଉଲ୍ଲାସ ବିଶେଷ ପରିମାଣରେ ଅନୁଭୂତ ହେବ । ଉଜ୍ଜଳ ନୀଳମଣିରେ ପରକୀୟା ନାୟିକାର ସ୍ୱରୂପ ସମ୍ବନ୍ଧରେ ଗ୍ରନ୍ଥକାର କହୁଛନ୍ତି -

 

ରାଗୈଶୈର୍ବାର୍ପୀତାତ୍ମାନୋ ଲୋକଯୁଗ୍ମା ନପେକ୍ଷିଣା ।

ଧର୍ମଣା ସ୍ୱୀକୃତା ଯାସ୍ତୁ ପରକୀୟା ଭବନ୍ତୀ ତାଃ ।।

 

ଯେଉଁମାନେ ବିଶେଷ ଅନୁରାଗବଶତଃ ଇହଲୋକ ଓ ପରଲୋକ, ଏହି ଲୋଦ୍ୱନ୍ଦକୁ ଉପେକ୍ଷା କରି ବିବାହ ଧର୍ମଦ୍ୱାରା ଅସ୍ୱୀକୃତ ହୋଇ ଆଉ ଏକ ପୁରୁଷ ନିକଟରେ ପ୍ରେମଦାନ କରନ୍ତି ସେମାନଙ୍କୁ ପରକୀୟ କୁହାଯାଏ । ମାତ୍ର ଆଉ ଏକ ପୁରୁଷ ଏଠାରେ ଶ୍ରୀକୃଷ୍ଣ । ଆଉ ନାରୀ ରାଧା ଗୋପାଙ୍ଗନା ।

 

ଏହି ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଳୀକାର ରସରୂପ ପ୍ରକାଶ କରିବା ଆଲୋଚ୍ୟ କାବ୍ୟ ଓ ବିଦଗ୍‌ଧ ମାଧବ ନାଟକ ଉଭୟଙ୍କର ଲକ୍ଷ୍ୟ । ଭକ୍ତିର ପରାକାଷ୍ଠା ଉଭୟ ଗ୍ରନ୍ଥରେ ପ୍ରତିପାଦିତ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେ ରସରୂପ ତାହା ଉଭୟ ଗ୍ରନ୍ଥରେ ନିରୂପିତ । ଉପନିଷଦରେ ମଧ୍ୟ ଭଗବାନ ରସରୂପରେ ପରିକଳ୍ପିତ । ‘ରସୋ ବୈ ସଃ’- ଅର୍ଥାତ୍ ସେହି ପରମ ପୁରୁଷ ହିଁ ମୂର୍ତ୍ତିମାନ ରସ ବୋଲି ରସମୟ ବ୍ରହ୍ମଙ୍କର ଇଙ୍ଗିତ ଏଠାରେ ପ୍ରଦତ୍ତ । ବ୍ରଜ ଓ ଗୋପଲୀଳାର ପରିପୋଷାକ ରୂପ ସେଇ ସ୍ୱରୂପ ବ୍ରହ୍ମ ପରିପୂର୍ଣ୍ଣ ରୂପେ ଉଭୟ ଗ୍ରନ୍ଥରେ ପ୍ରକଟିତ । ଶ୍ରୀ ବୃନ୍ଦବନରେ ରସସ୍ୱରୂପର ଯେଉଁ ରସମୟୀ ଲୀଳାର ଅଭିବ୍ୟକ୍ତି ହେଲା ତାହା ହେଲା ମାଧୁର୍ଯ୍ୟ ଲୀଳାରେ ପରିଣତ ଏବଂ ସେହି ମାଧୁର୍ଯ୍ୟ ଲୀଳା ହେଲା ତାହାର ପରିପୂର୍ଣ୍ଣତମ ପ୍ରକାଶ ଓ ଉତ୍କର୍ଷ ।

 

ରସୋଲ୍ଲାସ ପାଇଁ ଏହି ବୃନ୍ଦାବନରେ ପୁଣି ଭଗବାନ ଶ୍ରୀକୃଷ୍ଣଙ୍କର ପରମ ସ୍ୱକୀୟା ଶକ୍ତି ଶ୍ରୀରାଧିକା ଅଘଟନ ଘଟନପଟ୍ଟିୟସୀ ଯୋଗମାୟାଙ୍କ ଦ୍ୱାରା ପରକୀୟା ରୂପେ ପରକଳ୍ପିତା ହେଲେ-। ଏହା ହିଁ ପ୍ରକୃତ ତତ୍ତ୍ୱ । ପୂର୍ବରୁ କୁହାଯାଇଛି ଯେ ବିଦଗ୍‌ଧ ମାଧବ ନାଟକରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ନାମ ଶ୍ରବଣ, ବଂଶୀଧ୍ୱନି- ଜନିତ ପୂର୍ବରାଗର ଅତି ଚମତ୍କାର ବର୍ଣ୍ଣନା ସନ୍ନିବେଶିତ । ସେହିପରି ଆଲୋଚ୍ୟ କାବ୍ୟରେ ମଧ୍ୟ ନାମ ଶ୍ରବଣ, ବଂଶୀଧ୍ୱନି, ଚିତ୍ରପଟ ଦର୍ଶନଜନିତ ପୂର୍ବରାଗର ଅପୂର୍ବ ବର୍ଣ୍ଣନା ପ୍ରଦତ୍ତ । ଏହି ପୂର୍ବରାଗର ଚିତ୍ର ପ୍ରକୃତିରେ ଅଭୁତପୂର୍ବ ଓ ଅଲୌକିକ ଏବଂ ଏହି ଅଲୌକିକ ଚିତ୍ର ଉଭୟ ଗ୍ରନ୍ଥରେ ପରିଲକ୍ଷିତ । ଲଳିତା, ବିଶାଖା, ପୌର୍ଣ୍ଣମାସୀ ପ୍ରଭୃତି ନାଟକରେ ବଳିଷ୍ଠ ଭୂମିକା ଗ୍ରହଣ କଲା ପରି ବିଦଗ୍‌ଧ ଚିନ୍ତାମଣିରେ ସେମାନଙ୍କ ଭୂମିକା ମଧ୍ୟ ମୁଖ୍ୟ । ନାମ, ବଂଶୀଧ୍ୱନି ଓ ରୂପ ଯେ ଜଣଙ୍କର ଏବଂ ସେ ଜଣେ ହେଉଛନ୍ତି ଶ୍ରୀକୃଷ୍ଣ, ଏକଥା ରାଧା ହଠାତ୍ ବୁଝିପାରି ନାହାନ୍ତି । ଏ ବିଭ୍ରମ କିନ୍ତୁ ଗ୍ରନ୍ଥରେ ଉଭୟ ଗ୍ରନ୍ଥରେ ପ୍ରତିପାଦିତ । ମଧୁମଙ୍ଗଳ ଓ ସୁଦାମ ଯେପରି ଶ୍ରୀକୃଷ୍ଣଙ୍କ ପରମ ସଖା ରୂପେ ନାଟକରେ ସ୍ୱ ସ୍ୱ କର୍ତ୍ତବ୍ୟ ସଂପାଦନ କରୁଛନ୍ତି, ବିଦଗ୍‌ଧ ଚିନ୍ତାମଣିରେ ମଧ୍ୟ ଠିକ୍ ସେହିପରି ସେମାନେ ସେମାନଙ୍କର ଦାୟିତ୍ୱ ତୁଲାଇବାରେ ତ୍ରୁଟି କରିନାହାନ୍ତି । ରୂପଗୋସ୍ୱାମୀ ମୁଖ୍ୟତଃ ନାଟ୍ୟକାର ! ଅଭିମନ୍ୟୁ କବି । ତେଣୁ ନାଟ୍ୟକାର ପକ୍ଷରେ ସୀମିତ ପରିସରରେ ବହୁ ବିଷୟର ବର୍ଣ୍ଣନା ପ୍ରଦାନ କରିବା କଷ୍ଟକର ବ୍ୟାପାର । ମାତ୍ର କବି ସ୍ୱକାବ୍ୟରେ ବ୍ୟାପକ ପରିସର ପାଇ ଯାଦୃଚ୍ଛିକ ଭାବରେ ସ୍ୱ କବିକର୍ମକୁ ଉପମା ଉପମିତ କରି ପ୍ରକାଶ କରିବାକୁ ବ୍ୟାକୁଳ । ନାଟକର ଧର୍ମ, ସଂକ୍ଷିପ୍ତତା ଓ ସୂଚନାତ୍ମକତା, ମାତ୍ର କାବ୍ୟର ଧର୍ମ ବାହୁଲ୍ୟ ଓ ବ୍ୟାପ୍ତି, ବିଶେଷତଃ ମହାକାବ୍ୟ-ଗୁଡ଼ିକରେ । ବିଦଗ୍‌ଧ ମାଧବର ପ୍ରଥମ ଅଙ୍ଗରେ ବର୍ଣ୍ଣିତ କୃଷ୍ଣ ନାମ ଓ ବଂଶୀଧ୍ୱନିର ମାହାତ୍ମ୍ୟଦ୍ୱାରା ଅଭିମନ୍ୟୁ ବିଶେଷ ଭାବରେ ପ୍ରଭାବିତ । ପୂର୍ଣ୍ଣମାସୀ କହୁଛନ୍ତି-

 

‘‘ତୁଣ୍ଡେ ତାଣ୍ଡବିନୀ ରତିଂ ବିତନୁତେ ତୁଣ୍ଡାବଳୀ ଲବ୍‌ଧୟେ

କର୍ଣ୍ଣନ୍ତ୍ରୋଡ଼ କଡ଼ମ୍ବିନୀ ଘଟୟତେ କର୍ଣ୍ଣାର୍ବୁଦେଭ୍ୟଃ ସୃହାମ୍ ।

 

ବିଦଗ୍‌ଧ ଚିନ୍ତାମଣିର ନବମ ଛାନ୍ଦରେ ଠିକ୍ ଏହିପରି ଅଭିମନ୍ୟୁ, ରାଧାଙ୍କ ମୁଖରେ କୃଷ୍ଣନାମରେ ମହତ୍ତ୍ୱ ପ୍ରକଟନ କରୁଅଛନ୍ତି –

 

ବିଚିତ୍ର ସୁଖ ହୁଏ ତାହା ଶ୍ରବଣେ

ଲାଳସା ହୁଏ କୋଟି କୋଟି ଶ୍ରବଣେ ।

ଉଚ୍ଚାରଣ କରିବା ବେଳେ ମୁଖରେ

ଶେଷାନନ ହେବାକୁ ବାଂଛେ ମୁଁ ଖରେ ।

 

ସେହିପରି ବଂଶୀଧ୍ୱନିର ଅସୀମ ଶକ୍ତି ସଂପର୍କରେ ନାଟକରେ ଶ୍ରୀରାଧିକା, ସଖୀ ଲଳିତାଙ୍କ ସମ୍ମୁଖରେ କହୁଛନ୍ତି-

 

ଅଜଡ଼ଃ କମ୍ପସମ୍ପାଦି ଶସ୍ତ୍ରାଦନ୍ୟୋ ନିକୃନ୍ତନଃ ।

ତାପନୋନୁଷ୍ଣତାଧାରୀ କୋବାୟଂ ମୁରଲୀରବଃ ।

 

ଏ ତ ହିମ ନୁହେଁ, ହିମ ଭଳି ଦେହକୁ କମ୍ପିତ କରୁଅଛି । ଶାସ୍ତ୍ର ନୁହେଁ, ତଥାପି ମର୍ମଚ୍ଛେଦନ କରୁଅଛି । ତାପ ନୁହେଁ, ତଥାପି ଜ୍ୱାଳା ଉତ୍ପାଦନ କରୁଅଛି । ଅତଏବ ଏ କି ପ୍ରକାର ମୂରଲୀ ରବ ?

 

ଅଭିମନ୍ୟୁ କାବ୍ୟର ୩୯ ଛାନ୍ଦରେ ପ୍ରୀତିବର୍ଣ୍ଣନା ପ୍ରସଙ୍ଗରେ ଠିକ ଏହି କଥା ହିଁ କହିଛନ୍ତି-

 

ଅନଳ ନୁହଇ ହେଦ ଦହଇ

ଅସ୍ତ୍ର ନୁହଇ ମରମ ଭେଦଇ

ନୁହଇ ତ ଜଳ ବୁଡ଼ାଏ କୁଳ

ନୁହଇ ମାଦକ କରେ ବିହ୍ୱଳ- ଇତ୍ୟାଦି

 

ସ୍ୱ କଳ୍ପନାବଳରେ ଅଭିମନ୍ୟୁ ରୂପଗୋସ୍ୱାମୀଙ୍କ ଅପେକ୍ଷା ଅଧିକତର ସୁନ୍ଦର ଭାବରେ ପ୍ରୀତିବର୍ଣ୍ଣନାରେ ଏ ଭାବର ପରାକାଷ୍ଠା ଦର୍ଶାଇଛନ୍ତି । ତଫାତ୍‌ ଏତିକି ନାଟକରେ ମୁରଲୀରବ, କାବ୍ୟରେ-ପ୍ରୀତିର ସଂଚାର ।

 

ଅନ୍ୟ ଏକ ପ୍ରସଙ୍ଗରେ ମୂରଲୀନାଦର ଅପୂର୍ବ ଶକ୍ତି ବର୍ଣ୍ଣନା କରି ରାମମୁଖରେ ରୂପଗୋସ୍ୱାମୀ କହୁଛନ୍ତି-

 

ଆଶ୍ଚର୍ଯ୍ୟମ୍‌ ହନ୍ତ ପରସ୍ପର ବିପର୍ଯ୍ୟସ୍ତ ସ୍ୱଭାବାନମପି ଭାବାନାଂ

ଧର୍ମ ବିପର୍ଯ୍ୟୟଃ ପଶ୍ୟତ ପଶ୍ୟତ

ଜାତସ୍ତମ୍ଭତା ପୟାଂସି ସରିତାଂ କାଠିନ୍ୟମାପେଦିରେ

ଗ୍ରାବାଣୋ ଦ୍ରବ ଭାବ ସମ୍ବଳନତଃ ସାକ୍ଷାଦାମୀ ମାର୍ଦ୍ଦବମ୍‌ ।

ସ୍ଥୈର୍ଯ୍ୟଂ ବାପଥୁନା ଜହୁର୍ମୂ ହୁରଗା ଜାଡ଼୍ୟାଦ୍‌ଗତିଂ ଜଙ୍ଗମା

ବଂଶୀ ଚୁମ୍ବତି ହନ୍ତ ଯମୁନା ତଟେ କ୍ରୀଡ଼ା କୁଟୁମ୍ବେ ହରେଃ ।

 

ରାମ- କି ଆଶ୍ଚର୍ଯ୍ୟ -ଆରେ ଦେଖ ଦେଖ ଯେଉଁମାନଙ୍କର ପରସ୍ପର- ବିରୁଦ୍ଧ ସ୍ୱଭାବ ଥିଲା, ସେମାନେ ମଧ୍ୟ ପରସ୍ପରର ସହିତ ଧର୍ମ ପରିବର୍ତ୍ତନ କରୁଅଛନ୍ତି ।

 

କି ଆଶ୍ଚର୍ଯ୍ୟ-ଯମୁନା ତଟରେ କ୍ରୀଡ଼ାଶୀଳ ହରି (ଶ୍ରୀକୃଷ୍ଣ) ବଂଶୀବାଦନ କଲାରୁ ନଦୀସମୂହର ଜଳରାଶି ସ୍ତମ୍ଭିତ ହୋଇ କଠିନ୍ୟପ୍ରାପ୍ତ ହୋଇଛନ୍ତି । ପ୍ରସ୍ତରସମୂହ ଦ୍ରବଭାବ ଲାଭ କରି ସାକ୍ଷାତ୍‌ ମୃଦୁତା ଧାରଣ କଲେଣି । ସ୍ଥାବର ସକଳ ମୁହର୍ମୁହଃ କମ୍ପନ ଦ୍ୱାରା ସ୍ଥୈର୍ଯ୍ୟ ପରିତ୍ୟାଗ ଓ ଜଙ୍ଗମ ସକଳ ସ୍ଥାବର ନ୍ୟାୟ ଗତି ପରିତ୍ୟାଗ କରିଛନ୍ତି । ଅଭିମନ୍ୟୁ ବଂଶୀବିଳାସର ଅନୁରୂପ ଭାବ ପ୍ରକାଶ କରି କହୁଛନ୍ତି-

 

ଜୀବ ତେଜେ ସଜୀବ            ଜୀବ ପାଏ ଅଜୀବ

ଜଳ ଶୀଳ ବିପରୀତ ଭଜିବ

ଅଚେତନକୁ ହିତ            ଚେତା ହୁଏ ମୋହିତ

ଚରାଚର ରହିବ କେ ସ୍ତମ୍ଭ ନୋହିତ ।

 

ପ୍ରକାଶ ଥାଉ କି ଅଭିମନ୍ୟୁ କେବଳ ବଂଶୀଧ୍ୱନିର ମାହାତ୍ମ୍ୟ ପ୍ରକଟନ ପାଇଁ ଏକ ସ୍ୱତନ୍ତ୍ର ଛାନ୍ଦ ସୃଷ୍ଟି କରି ନାନା ବିଷୟର ଅବତାରଣା କରି ଅପୂର୍ବ କଳ୍ପନାବିଳାସର ପରିଚୟ ଦେଇଛନ୍ତି, ଯାହାକି ବିଦଗ୍‌ଧମାଧବରେ ଦୁର୍ଲ୍ଲଭ । ଆଉ ଏକ ପ୍ରସଙ୍ଗରେ ନାଟକରେ ବିରହିଣୀ ରାଧାଙ୍କର ଖେଦୋକ୍ତି ବିଶାଖାଙ୍କ ନିକଟରେ ଅତି କରୁଣ ଓ ମର୍ମସ୍ପର୍ଶୀ ଭାବରେ ବ୍ୟକ୍ତ ହୋଇଅଛି । ସେ କହୁଛନ୍ତି-

 

ତମାଲସ୍ୟ ସ୍କନ୍ଧେ ସଖି କଳିତଦୋର୍ବଲ୍ଲରୀରିୟଂ

ଯଥା ବୃନ୍ଦାରଣ୍ୟେ ଚରମବିଚଳା ତିଷ୍ଠତି ତନୁଃ ।

 

ଅର୍ଥାତ୍‌ ତମାଳ ବୃକ୍ଷ ସ୍କନ୍ଧରେ ମୋର ଭୁଜଲତା ଆବଦ୍ଧ କରି ଯେପରି ଚିରକାଳ ଅବିଚଳିତ ଭାବରେ ବୃନ୍ଦାବନରେ ମୋର ଏହି ଦେହ ଅବସ୍ଥାନ କରେ । ଏପରି ଭାବରେ ମୋର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କର ।

 

ବିଦଗ୍‌ଧ ଚିନ୍ତାମଣିର କୃଷ୍ଣ ବିରହିଣୀ ରାଧାଙ୍କର କାରୁଣ୍ୟ ଆହୁରି ହୃଦୟସ୍ପର୍ଶୀ ଭାବରେ ବ୍ୟକ୍ତ ହୋଇଅଛି । ରାଧା ସଖୀଙ୍କୁ କହୁଛନ୍ତି- ‘‘ଯେବେ ଏମନ୍ତ କରି ନ ପାରିବ, ତମାଳ କୋଳ କରାଇ ଥୋଇବ ଅଥବା ଅନ୍ୟତ୍ର-

 

ଦେଖି ତମାଳକୁ ବିଚାର କୋଳକୁ ସଜ ହେଉଥାଏ ବାହୁଯୁଗ ।

ଶ୍ୟାମ ସୁବାସରେ ଆଶ ମାନସରେ କଳାବତୀ ସଙ୍ଗେ ଅନୁରାଗ ।

 

ନାଟକର ତୃତୀୟ ଅଙ୍କରେ ରାଧାଙ୍କର ବିରହାନୁଚିନ୍ତା ଯେପରି ବର୍ଣ୍ଣିତ ତାର ମୁଦ୍ରାଙ୍କ ମଧ୍ୟ କାବ୍ୟରେ ପ୍ରତିଫଳିତ । ଶ୍ରୀକୃଷ୍ଣଙ୍କ ପ୍ରେମାତିଶଯ୍ୟ ଲକ୍ଷ୍ୟ କରି ଉତ୍ତରରେ ବିଶାଖା କୃଷ୍ଣ ସମକ୍ଷରେ ରାଧାଙ୍କର ପ୍ରେମ ଲକ୍ଷଣ ବର୍ଣ୍ଣନା କରୁଛନ୍ତି ।

 

ଦୂରାଦପ୍ୟନୁ ସଂଗତଃ ଶ୍ରୁତିମିତେ ତ୍ୱନ୍ନାମଧେୟାକ୍ଷରେ

ସୋନ୍ନାଦଂ ମନ୍ଦିରେକ୍ଷଣା ବିରୁଦତୀ ଧତ୍ତେ ମୂହୁଃବେପଥୁମ୍‌।

ଆଃ କିମ୍ବା କଥନୀୟମନ୍ୟଦସିତେ ଦୈବାନ୍ମବାମ୍ଭୋଧରେ

ଦୃଷ୍ଟେତଂ ପରିରବ୍‌ଧୁମୁତ୍‌ ସୁକମିତଃ ପକ୍ଷଦ୍ୱୟୀ ମିଚ୍ଛତି ।

 

ବିଶାଖା କହୁଛନ୍ତି ‘‘ହେ କୃଷ୍ଣ,ଦୂରରୁ ଯଦି ପ୍ରସଙ୍ଗାଧୀନ ତୁମର ନାମାକ୍ଷର କର୍ଣ୍ଣରେ ପ୍ରବେଶ କରିବା ମାତ୍ରେ ସେହି ମଦିରେକ୍ଷଣା ରାଧା ଉନ୍ମତ୍ତ ପ୍ରାୟ ରୋଦନ କରି କରି କମ୍ପୁଥାନ୍ତି; କି କଷ୍ଟ-ଅଧିକ କ’ଣ କହିବାର ଅଛି ? ଦୈବାତ ଯଦି କୃଷ୍ଣବର୍ଣ୍ଣ ନବ ଜଳଧରରେ ଦୃଷ୍ଟି ପତିତ ହୁଏ ତେବେ ଆଲିଙ୍ଗନ କରିବା ସକାଶେ ଉତ୍‌କଣ୍ଠିତ ଚିତ୍ତରେ ସେହିକ୍ଷଣି ଦୁଇଟି ପକ୍ଷ ପ୍ରାପ୍ତ ହେବାକୁ ସେ ଇଚ୍ଛା ପ୍ରକାଶ କରନ୍ତି ।’’ ଅନୁରୂପ ବର୍ଣ୍ଣନାର ଛାୟା କାବ୍ୟର ୫୨ ଛାନ୍ଦରେ ଦେଖିବାକୁ ମିଳେ ।

 

କାଳିଆ କୋମଳ ଦେଖିଲେ କମଳ ନୟନରେ ହୁଏ ଜରଜର

ଦେଖି ନବଘନ ତା’ର ଅପଘନ ପୁଲକ ହୁଅଇ ଥରଥର-

ଏ ଅତି ବିଚିତ୍ର କଜ୍ୱଳରେ ଚିତ୍ର ଲେଖି ଚୁମ୍ବଦିଏ ବାରବାର ।

ଅଥବା

ଦେଖି ତମାଳକୁ ବିଚାରି କୋଳକୁ ସଜ ହେଉଥାଇ ବାହୁଯୁଗ

ଶ୍ୟାମ ସୁବାସରେ ଆଶା ମାନସରେ କଳାବତୀ ସଙ୍ଗେ ଅନୁରାଗ ।

 

ବିରହୀ କୃଷ୍ଣଙ୍କର ଅବସ୍ଥା ବର୍ଣ୍ଣନାରେ ଉଭୟ କବିଙ୍କର କଳ୍ପନା ବିଳାସରେ ସାମ୍ୟ ପରିଲକ୍ଷିତ । ନାଟକର ୫ମ ଅଙ୍କରେ ଶ୍ରୀକୃଷ୍ଣଙ୍କର ରାଧାନୁଚିନ୍ତା ଅତି ମନୋଜ୍ଞ ଓ ହୃଦୟସ୍ପର୍ଶୀ ଭାବରେ ବର୍ଣ୍ଣିତ-

 

ରାଧାପୁରଃ ସ୍ଫୁରତି ପଶ୍ଚିମତଶ୍ଚରାଧା

ରାଧାଧିସବ୍ୟମିହା ଦକ୍ଷିଣମତଶ୍ଚ ରାଧା ।

ରାଧାଖଳୁ କ୍ଷିତିତଳେ ଗଗନେଚ ରାଧା

ରାଧାମୟୀ ମମ ବଭୂବ କୂତ ସ୍ତ୍ରୀ ଲୋକୀ ।

 

ଅଗ୍ରେ-ପଶ୍ଚାତେ-ସମ୍ମୁଖେ, ବାମେ-ଦକ୍ଷିଣେ, ଭୂମଣ୍ଡଳେ ଗଗନେ ତ୍ରିଲୋକ ପର୍ଯ୍ୟନ୍ତ କୃଷ୍ଣଚନ୍ଦ୍ରଙ୍କୁ କେବଳ ରାଧାମୟ ଦେଖାଯାଉଛି ।

ଅଭିମନ୍ୟୁ ସଂକ୍ଷେପରେ ୭୦ ଛାନ୍ଦର ଗୋଟିଏ ପଦରେ ଏହି ଭାବର ପ୍ରକାଶ କରିଛନ୍ତି ଏକ ଚମତ୍କାର ପରିବେଶରେ । ଜ୍ୟୋସ୍ନାବିଧୌତ ରଜନୀରେ ସେ କୃଷ୍ଣରାଧାନୁଚିନ୍ତାରେ ମଗ୍ନ । ମତି ଆଗରେ ହୃଦୟବ୍ୟଥା ପ୍ରକାଶ କରି କହୁଛନ୍ତି-

 

‘‘ସକଳଦିଶେ ତ ମୋ ବନ୍ଧୁ ଦିଶେତ ବ୍ୟକ୍ତି ଲଭିବାର କାହିଁ ଆହେ ମିତ’’

 

ଅଥବା ୫ମ ଅଙ୍କରେ ରୂପଗୋସ୍ୱାମୀ ଆଉ ଏକ ପ୍ରସଙ୍ଗରେ କୃଷ୍ଣଙ୍କ ବିରହଭାବ ପ୍ରକଟନ କରୁଛନ୍ତି-

 

ନିଷ୍ଠୁରାଭବ ମୃଦ୍ୱୀବା ପ୍ରାଣସ୍ତ୍ୱମପି ରାଧିକେ ।

ଅସ୍ତିନାନ୍ୟା ଚକୋରସ୍ୟ ଚନ୍ଦ୍ରଜ୍ୟୋସ୍ନାଂ ବିନା ଗତିଃ । ।

 

ଅର୍ଥାତ୍‌ ଚକୋରର ଚନ୍ଦ୍ରଜ୍ୟୋସ୍ନ। ଛଡ଼ା ଆଉ ଗତି ନାହିଁ । ସେହିପରି ରାଧାବିନା ମୋର ଗତି ନାହିଁ । ରାଧା ମୋର ପ୍ରାଣ । କିନ୍ତୁ ଏ ଚିନ୍ତା ଅଭିମନ୍ୟୁ କୃଷ୍ଣଙ୍କ ମୁଖରେ ପ୍ରକାଶ ନ କରି ରାଧାଙ୍କର କୃଷ୍ଣ ଚିନ୍ତାରେ ପ୍ରକଟିତ ହୋଇଅଛି । ରାଧା ସଖୀକୁ କହୁଛନ୍ତି-

 

ଚନ୍ଦ୍ର ବିନା ଚକୋରକୁ ଆନ ଗତି ନାହିଁ କି ?

ବନ ବିନା ମୀନ ଦିନ ନେବ ପୁଣି କାହିଁକି ?

ଅଥବା ଅନ୍ୟତ୍ର

ରସାଳସା ଆଶା ଧରି ରଖିଛି ମୋ ଜୀବ

ଶମ୍ପାଗୋରୀ ଅନୁକମ୍ପା ନ ପାଇଲେ ଯିବ ଦୂତି ଗୋ ।

 

ଉଭୟ ଗ୍ରନ୍ଥରେ ସୂର୍ଯ୍ୟୋପାସନା ସନ୍ନିବେଶିତ ଏବଂ ଉଭୟ ଗ୍ରନ୍ଥରେ ମିଳନକାରିଣୀ ରୂପେ ପୂର୍ଣ୍ଣମାସୀଙ୍କ ଅବତାରଣା । ନାଟକର ୨ୟ ଅଙ୍କରେ ଯେପରି ରାଧାଙ୍କୁ ରୂପଗୋସ୍ୱାମୀ କାନ୍ତିକୁଳ ଦେବୀ ରୂପରେ ଗ୍ରହଣ କରିଅଛନ୍ତି, ଠିକ୍‌ ସେହିପରି ଅଭିମନ୍ୟୁ ମଧ୍ୟ ତାଙ୍କ ସେହି ଭାବରେ ଗ୍ରହଣ କରିଛନ୍ତି-

 

ଆଜ୍ଞାତଂ ମଣିନୂପୁର ଧ୍ୱନିଭରା ଦାଲ୍ୟ ଜନାଳଂକୃତା

କାନ୍ତୀନାଂ କୁଳଦେବତା ବିଳସିତୁଂ ବୃକ୍ଷାଟବୀଂ ବିନ୍ଦତି ।

 

ଅଭିମନ୍ୟୁ କିନ୍ତୁ ରାଧାଙ୍କ ପଦଚାଳନାକୁ ଆହୁରି ସୁନ୍ଦର ଆହୁରି ମନୋଜ୍ଞ ରୂପରେ ବର୍ଣ୍ଣନା କରୁଛନ୍ତି । ଏଠାରେ କବିଙ୍କର ରସଚେତନା ତଥା ସୌନ୍ଦର୍ଯ୍ୟ ଚେତନା ଅଧିକ ଭାବରେ ପରିସ୍ଫୁଟ ।

 

‘‘ମନ୍ଦ ମନ୍ଥର ଗତି ମଠ ମଠ

ବେନି ମିତ୍ର କନ୍ଧେ କର ପଇଠ ।

କାନ୍ତି କୁଳଦେବୀ ପହଣ୍ଡି ବିଜେ

ହେଉଥିଲା ପରା ସୁନ୍ଦର ସାଜେ ସେ

ଢଳି ଢଳି ଚାଲେ ପୁଣି

ମନ୍ଦବାତେ ଝୁଲିବାର ହେମବଲ୍ଲୀ

ପାରିବା କି ଆଣି ଆଣି ଯେ ।’’

 

କି ଅପୂର୍ବ କବିତ୍ୱ କି ସୌନ୍ଦର୍ଯ୍ୟାନୁଭୂତି ! ଅନେକ ସ୍ଥଳରେ ଅଭିମନ୍ୟୁ ରୂପଗୋସ୍ୱାମୀଙ୍କୁ ରୂପବର୍ଣ୍ଣନାରେ ଅତିକ୍ରମ କରିଯାଇଛନ୍ତି । ରୂପ, ବେଶ, ପରିସ୍ଥିତି, ଚିନ୍ତା, ଅନୁଚିନ୍ତା, ପୂର୍ବରାଗ, ଅନୁରାଗ, ନବାନୁରାଗାଦି ବର୍ଣ୍ଣନାରେ ଅଭିମନ୍ୟୁ ଯେପରି କୃତିତ୍ୱ ଦେଖାଇଅଛନ୍ତି ତାହା ରୂପଗୋସ୍ୱାମୀ ଦେଖାଇପାରି ନାହାନ୍ତି । ରୂପ ଓ ପ୍ରୀତିବର୍ଣ୍ଣନାରେ ଅଭିମନ୍ୟୁ ଜଣେ ସଫଳ କଳାକାର ଓ ଜଣେ ସାର୍ଥକ ଶିଳ୍ପୀ । ଯଥାର୍ଥରେ ବିଦଗ୍‌ଧ ଚିନ୍ତାମଣି ଭାବେ, ପ୍ରେମ ଓ ରସର ଗଙ୍ଗୋତ୍ରୀ ଏବଂ ଗଙ୍ଗୋତ୍ରୀରେ ଅଗଣିତ ପାଠକ ନିତ୍ୟ ସ୍ନାନ କରି ଅମୃତ ଫଳ ଲାଭ କରୁଅଛନ୍ତି ।

 

କାବ୍ୟରେ ନାଟକୀୟତା :

ବିଦଗ୍‌ଧ ମାଧବପରି ଏ କାବ୍ୟ ନାଟକ ନୁହେଁ, ମାତ୍ର ନାଟକର ଧର୍ମ ତଥା ନାଟକୀୟତା ମଧ୍ୟ ଅସୁବିଧା ହେବନାହିଁ । ସଖା-ସଖୀ, ନାୟକ-ନାୟିକା, ସଖା-ସଖୀ, ଦୂତ-ଦୂତୀ ଏମାନଙ୍କର କଥୋପକଥନରେ କେବଳ ମନସ୍ତତ୍ତ୍ୱର ପରିଚୟ ମିଳିଥାଏ ତାହା ନୁହେଁ, ବାର୍ତ୍ତାଳାପ, ଭଙ୍ଗୀପ୍ରଦର୍ଶନ ଓ ଅଭିନୟରେ ଅସାମାନ୍ୟ ଚାତୁରୀ ମଧ୍ୟ ପରିଲକ୍ଷିତ ହୋଇଥାଏ । ଏ ସ୍ଥଳର ଏକ ବିଷୟର ଅବତାରଣା କଲେ ଅସଙ୍ଗତ ହେବନାହିଁ । କାହାରି କାହାରି ମତରେ ପ୍ରାଚୀନ ଆଳଙ୍କାରିକମାନେ କାବ୍ୟରେ ଚମତ୍କାରିତାର ଯେଉଁ ଅଭିଜ୍ଞାନ ବିଷୟ ଉଲ୍ଲେଖ କରିଅଛନ୍ତି ଆଧୁନିକ ସମାଲୋଚନା ଶାସ୍ତ୍ରରେ ତାହାହିଁ ‘‘ନାଟକୀୟତା’’ ନାମରେ ଅଭିହିତ । ଏହି ନାଟକୀୟତା କାବ୍ୟଟିକୁ କେବଳ ଚମତ୍କାର କରେ ନାହିଁ, ପରନ୍ତୁ କାବ୍ୟପାଠ ପାଇଁ ମନରେ ପର୍ଯ୍ୟାପ୍ତ ପରିମାଣରେ ଆବେଗ, ଉତ୍କଣ୍ଠା ମଧ୍ୟ ଜାଗ୍ରତ ଓ ସୃଷ୍ଟି କରିଥାଏ । କାବ୍ୟାମୋଦୀ ପାଠକ ଏଇ ନାଟକୀୟତାର ଉଚ୍ଛ୍ୱସରେ ଉଚ୍ଛ୍ୱସିତ ହୋଇ ଯେଉଁ ପୁଲକ ଅନୁଭବ କରେ ତାହାହିଁ ଯଥାର୍ଥରେ ଦିବ୍ୟାନନ୍ଦ ତଥା ବ୍ରହ୍ମାନନ୍ଦ ।

 

କାବ୍ୟ ମଧ୍ୟରେ କିନ୍ତୁ ଏହି ଦିବ୍ୟାନନ୍ଦର ଲହରୀ ଛୁଟାଇବା ପାଇଁ ହେଲେ କବିର ପାଣ୍ଡିତ୍ୟ କେବଳ ନୁହେଁ, ଦରକାର ମଧ୍ୟ କବିର ସହୃଦୟତା, ଆବେଗ-ପ୍ରବଣତା ଓ ବିଦଗ୍‌ଧତା । କବି ଅଭିମନ୍ୟୁ ଯଥାର୍ଥରେ ଥିଲେ ଜଣେ ରସିକ, ଭକ୍ତ ଓ ବିଦଗ୍‌ଧ କବି । ସେଥିପାଇଁ ଆଲୋଚ୍ୟ କାବ୍ୟର ଦ୍ୱାଦଶ, ତ୍ରୟୋଦଶ ଛାନ୍ଦରେ କବି ନାଟକୀୟତାର ଅପୂର୍ବ ସଂଯୋଜନା କରି କାବ୍ୟାମୋଦୀମାନଙ୍କ ମନରେ ସୃଷ୍ଟି କରିପାରିଛନ୍ତି ଆବେଗ ଉତ୍କଣ୍ଠାର ଅନାହତ ମୂର୍ଚ୍ଛନା ।

 

ଦ୍ୱାଦଶ ଛାନ୍ଦରେ କବି ଅଭିମନ୍ୟୁ ବିରହ-ବିଧୁର କୃଷ୍ଣଙ୍କର ଯେଉଁ ଆତୁର ଆବାଗର ଚିତ୍ର ଉପସ୍ଥାପିତ କରିଅଛନ୍ତି ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ତାର ପଟାନ୍ତର ନାହିଁ । କୃଷ୍ଣ ତାଙ୍କର ସଖାମାନଙ୍କ ସମ୍ମୁଖରେ ରାଧା-ବିରହଜ୍ୱାଳା ପ୍ରକାଶ କରିଛନ୍ତି ଅକପଟ ଭାବରେ । ଏହା ପ୍ରକାଶ କଲାବେଳେ ସେ ଏପରି ବିହ୍ୱଳିତ ଓ ଉଚ୍ଛ୍ୱସିତ ହୋଇ ପଡ଼ିଛନ୍ତି ଯେ କଥା କହୁଁକହୁଁ ତାଙ୍କର ଚେତନା ବିଲୁପ୍ତ ହୋଇଛି । ସେ ଜ୍ଞାନ ହରାଇଛନ୍ତି ଓ ତାଙ୍କ ଚକ୍ଷୁରୁ ଛୁଟିଛି ଅଶ୍ରୁର ଶ୍ରାବଣୀ । ସଖାମାନେ କୃଷ୍ଣଙ୍କର ଆକୁଳ ପ୍ରାଣର ବିକଳ ବେଦନା ଦେଖି ତାଙ୍କୁ ନାନାଭାବରେ ସାନ୍ତ୍ୱନା ପ୍ରଦାନ କରିଅଛନ୍ତି । ଏପରିକି ସେମାନେ କୃଷ୍ଣଙ୍କ ମନରେ ଆସ୍ଥା ଓ ବିଶ୍ୱାସ ଜନ୍ମାଇ ତାଙ୍କୁ ଶାନ୍ତ କରିବା ପାଇଁ ଉପାୟ ବତାଇଅଛନ୍ତି ।

 

‘‘ନୁହସି ଆରତି ଖୋଜିବା କରତୀ ପେଷିବା ପୀରତି ଲଗାଇବା

ସେ ନବନାଗରୀ ସୁରସନାଗରୀ ସୁପ୍ରେମ ସାଗରୀ ମନାଇବା

ଅସାଧ୍ୟ ଦୂତୀରେ ହେଲେ ଏକ୍ଷିତିରେ ଖୋଜେ ଝଟତିରେ ଉପାୟକୁ

ମୋହନ କରିବା ତା ମନ ହରିବା ଲଭି ନ ପାରିବା ଯେବେ ତାକୁ ।’’

 

ସଖାମାନଙ୍କର ଏ ସକଳ ପ୍ରବୋଧନା ସତ୍ତ୍ୱେ କୃଷ୍ଣ ତଥାପି ରାଧା ବିରହ ଜ୍ୱାଳାରେ ଉନ୍‌ମନା ହୋଇ ଉଠିଛନ୍ତି । ନିଜ ମନୋଭାବ ପ୍ରକାଶ କରି ସେ କହିଛନ୍ତି-

 

‘‘ତା ନାମ ଛାପରେ ଛାଇ ସ୍ୱରୂପରେ ବସିବି ତାପରେ ମୁଁ ନିଷ୍ଠାରେ ।’’ ସଖାମାନେ କୃଷ୍ଣଙ୍କୁ ନିଜ ଆଡ଼କୁ ଆଉଜାଇ ଆଣି ପରମ ବାତ୍ସଲ୍ୟରେ ଅଶ୍ରୁ ଗଦ୍‌ଗଦ୍‌ କଣ୍ଠରେ ଶୁଣାଇଛନ୍ତି ସାନ୍ତ୍ୱନାର ବାଣୀ । କୃଷ୍ଣଙ୍କର ବିରହବେଦନା ଯେପରି ସବୁ ସଖାଙ୍କର ମନୋବେଦନାରେ ପରିଣତ ହୋଇଅଛି । ସମୁଦାୟ ପରିବେଶଟି ହୋଇଉଠିଛି ଅତ୍ୟନ୍ତ ଦୁଃଖଦାୟକ ଓ ଅଶ୍ରୁଳ । ସାନ୍ତ୍ୱନାର ଭାଷାର ବୃନ୍ଦାବନରେ ଯେପରି ଲାଗିଯାଇଛି ପ୍ରଳୟ ଦାବାଗ୍ନି ।

 

ଠିକ୍‌ ଏହି ସମୟରେ ଅତ୍ୟନ୍ତ ନାଟକୀୟ ଭାବରେ ସେଠାରେ ଆସି ଉପସ୍ଥିତ ହୋଇଛନ୍ତି ଦୂତୀ କାମସେନୀ । ଗୋବିନ୍ଦଙ୍କ ବିଧୁର ତଥା ବିରସ ବଦନ ଦେଖି ସେ ଅନୁଭବ କରିପାରିଛି ତାଙ୍କ ବିରହ ବେଦନାର ତୀବ୍ରତା । କୃଷ୍ଣଙ୍କ ପ୍ରତି ସେ ମଧ୍ୟ ହୋଇଉଠିଛି ଗଭୀର ଭାବେ ସମ୍ୱେଦନଶୀଳ । ନିଜର କୃତିତ୍ୱ ଓ ଶକ୍ତି ନୈପୁଣ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି-

 

‘‘କଲେ ମୁହିଁ ଚିତ୍ତ ନୃନାରୀ କିଞ୍ଚିତ ଦଣ୍ଡକେ ଶଚୀ ତ ଭଳିଯିବ ।

ଜଳରେ ଲୁଚାଇ ଅଗ୍ନିକି ବଞ୍ଚାଇ ମୋହୋରେ ସଞ୍ଚାଇବାର ହେବ ।’’

 

ତା’ପରେ ସେ ପଚାରୁଛି କେଉଁ ରାଧାଙ୍କୁ ଚାହାନ୍ତି ନଟ-ନାଗର କୃଷ୍ଣ । ରାଧା ତ ଦୁଇଜଣ-। ଜଣେ ବୃଷଭାନୁ ଜେମା ଓ ଅନ୍ୟ ଜଣେ ଗୋବର୍ଦ୍ଧନ ମଲ୍ଲଙ୍କର ପତ୍ନୀ ଚନ୍ଦ୍ରାବଳୀ । ଏହାଶୁଣି କୃଷ୍ଣଙ୍କ ମାନସିକ ଦ୍ୱନ୍ଦ ଆହୁରି ବଢ଼ିଯାଇଛି । ତାଙ୍କର ସେତେବେଳେ ଆଉ ଅନ୍ୟ କଥା ଚିନ୍ତା କଲା ଭଳି ମାନସିକ ଅବସ୍ଥା ନଥିଲା । ସେ ନିଜକୁ ଦୂତୀ ନିକଟରେ ସମ୍ପୂର୍ଣ୍ଣ ସମର୍ପି ଦେଇ ବିରହ ଜ୍ୱାଳାରୁ ତାଙ୍କୁ ମୁକ୍ତ କରିବାକୁ ଦୟିନୀ କରିଛନ୍ତି । ଏହା ପରେ ଦୂତୀ ତରତର ହୋଇ କାର୍ଯ୍ୟାଦ୍ଧାର ପାଇଁ ସେଠାରୁ ପ୍ରସ୍ଥାନ କରିଛି ।

 

କାବ୍ୟର ତ୍ରୟୋଦଶ ଛାନ୍ଦଟି ଯଥାର୍ଥରେ ଚନ୍ଦ୍ରାବଳୀ ଦର୍ଶନାନୁପ୍ରାସ । କୃଷ୍ଣ ଅବଶ ଚିତ୍ତରେ ରାଧାନୁଚିନ୍ତନରେ ଆଚ୍ଛନ୍ନ ଥାଇ ଦୂତୀକୁ ଅପେକ୍ଷା କରି ଥିଲାବେଳେ ସେଠାରେ ଉପସ୍ଥିତ ହୋଇଛନ୍ତି ଭଗବତୀ ପୂର୍ଣ୍ଣମାସୀ । କୃଷ୍ଣଙ୍କ ମନର ଆଶା-ଆଶଙ୍କାର ଲୁଚକାଳି ଖେଳ । ମେଘ ମେଦୂରିତ ଆକାଶପରି ମନ ତାଙ୍କ ଭାରାକ୍ରାନ୍ତ । ପ୍ରାପ୍ତି-ଅପ୍ରାପ୍ତି, ଆବେଗ-ଉଚ୍ଛ୍ୱସରେ ଉଚ୍ଛ୍ୱସିତ । ପୂର୍ଣ୍ଣମାସୀ ଶ୍ରୀକୃଷ୍ଣଙ୍କ ମନୋବେଦନାର କାରଣ ପଚାରନ୍ତେ ଚତୁର କୃଷ୍ଣ ଛଳନା ସହ ନାଟକୀୟ ଭାବରେ ଉତ୍ତର ଦେଇଛନ୍ତି-

 

‘‘ଗୋକୁଳଯାକର ଗୋକୁଳ ବ୍ୟାଧିବନ୍ତ ହେବାରେ

ବିରସ ବହୁତ ହରଷ ନାହିଁ ସେହି ଚିନ୍ତାରେ ।’’

 

ଏକଥା ଶୁଣି ପୂର୍ଣ୍ଣମାସୀ କହିଛନ୍ତି‘‘ କିଛି ଚିନ୍ତା ନାହିଁ’’ । ଗୋବର୍ଦ୍ଧନ ମଲ୍ଲଙ୍କ ନିକଟରେ ଗୋ-ଶାସ୍ତ୍ରରାଶି ସଞ୍ଚିତ ହୋଇଅଛି ।’’

 

‘‘ଶୁଣିଲେ ଏମନ୍ତ ଭଣିଲେ ପୁଣି ଶ୍ରୀ ପୂର୍ଣ୍ଣମାସୀ

ନକର ଭାବନା ନିକର ଅଛି ଗୋ-ଶାସ୍ତ୍ରରାଶି

ଗୋ-ବର୍ଦ୍ଧନକୁ ଗୋବର୍ଦ୍ଧନ ମଲ୍ଲ ବିଦ୍ୟା ପାଇଛି

ଭାଇ ସେ ତୁମର ଯାଇ ସେଠାକୁ ମାଗ ହେ କିଛି

ଆଶ ତହିଁଥିଲେ ଆସ ତ ମୋହ ସଙ୍ଗତ ଆଜ

ଦଇବ କଲାଣି ପାଇବ ତୁମେ ଇଚ୍ଛିଲା କାର୍ଯ୍ୟ ।

Unknown

 

ଏ କ୍ଷେତ୍ରରେ କୃଷ୍ଣ ପୂର୍ଣ୍ଣମାସୀଙ୍କ ସହାୟତା ଅପରିହାର୍ଯ୍ୟ ମଣି କାଳ ବିଳମ୍ୱ ନକରି ତଥା ବୃଥା ଅନୁଶୋଚନା ନ କରି ସୁବଳ ଓ ପୂର୍ଣ୍ଣମାସୀଙ୍କ ସହ ମଲ୍ଲନବରରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ଗୋବର୍ଦ୍ଧନ ମଲ୍ଲ ତାଙ୍କର ଯଥୋଚିତ ଆଦର ଅଭ୍ୟର୍ଥନା କରିବାକୁ ଭୁଲିନାହାନ୍ତି ।

 

‘‘ରସିଛି ଭାଇ ତ ଆସିଛି ଗୋରୁ ବିଦ୍ୟା ନେବାକୁ

କହିଲେ ମଲ୍ଲ ଯେ ପହିଲେ ବିଦ୍ୟା ଦେବି କୃଷ୍ଣଙ୍କୁ ।’’

 

ତତ୍ପରେ ଗୋବର୍ଦ୍ଧନ ମଲ୍ଲ ପତ୍ନୀକୁ ଆଦେଶ ଦେଇଛନ୍ତି କୃଷ୍ଣଙ୍କୁ ଯଥାବିଧି ଆଦର ସମ୍ବର୍ଦ୍ଧନା କରିବାକୁ, କାରଣ ସେ ତାଙ୍କର କନିଷ୍ଠ ଭ୍ରାତା ସଦୃଶ । ଚନ୍ଦ୍ରାବଳୀ ତତ୍‌କ୍ଷଣାତ୍‌ ସୁବେଶ ହୋଇ କୃଷ୍ଣଙ୍କର ବନ୍ଦାପନା କରିଛନ୍ତି । ଉଭୟ ଊଭୟଙ୍କୁ ଦର୍ଶନ କରି ପରସ୍ପର ପ୍ରତି ପ୍ରଚଣ୍ଡ ଆସକ୍ତି ଅନୁଭବ କରିଛନ୍ତି । ସେମାନଙ୍କ ଅଙ୍ଗେ ଅଙ୍ଗେ ଘାରିଛି ଅନଙ୍ଗର ଜ୍ୱାଳା ।

 

‘‘ଉଭୟ ମନେ ସ୍ୱର ଭୟ କେତେବେଳୁଁ ପାଇଲେ

ବିକାର ହାସରୁ ସ୍ୱୀକାର ମଣି ମନ ବୋଧିଲେ ।’’

 

ଏହାପରେ କୃଷ୍ଣ ସଖାଙ୍କ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ଚନ୍ଦ୍ରାବଳୀ ଦର୍ଶନ ପରେ ତାଙ୍କ ପ୍ରୀତି ପଥ ଯେପରି ଅନ୍ୟ ଏକ ମୋଡ଼ ନେଇଛି । ରାଧାକୃଷ୍ଣଙ୍କର ଏହି ପ୍ରଣୟ ଜିଜ୍ଞାସାରେ ଚନ୍ଦ୍ରାବଳୀ ଯେପରି ନାଟକୀୟ ଭାବରେ ଦେଖା ଦେଇଅଛନ୍ତି, ତାହା ସମୁଦାୟ ବିଷୟଟିକୁ ଅତ୍ୟନ୍ତ ଆବେଗ ଉତ୍କଣ୍ଠାମୟ କରିଦେଇଛି । ଶ୍ରୀରାଧା ଆଉ ଚନ୍ଦ୍ରାବଳୀ ଯେପରି ଗୋଟିଏ ନଦୀର ଦୁଇଟି ଧରା । ଗତି ପଥରେ କୁଳୁକୁଳୁ ଛନ୍ଦର ଫୁଆର ଛୁଟାଇ କୃଷ୍ଣରୂପୀ ସମୁଦ୍ରରେ ମିଳିତ ହେବାପାଇଁ ସେମାନଙ୍କ ମନର ଶାଶ୍ୱତ ଆବେଗ କାବ୍ୟରେ ନିଃସନ୍ଦେହରେ ସୃଷ୍ଟି କରିଛି ଏକ ନାଟକୀୟ ଦ୍ୱନ୍ଦ । କିନ୍ତୁ ପ୍ରୀତିପାର୍ବଣରେ ଏହାହିଁ ତ ଚିରନ୍ତନ ରୀତି । ଏହି ଉଭୟ ଚରିତ୍ରଙ୍କର ଏକମୁଖୀନତା କୃଷ୍ଣପ୍ରାପ୍ତି ମଧ୍ୟରେ କବି ଅଭିମନ୍ୟୂ ଯେଉଁ ବିଦଗ୍‌ଧତା ପ୍ରକାଶ କରିଛନ୍ତି- ଯେଉଁ ଚାତୁର୍ଯ୍ୟର ପ୍ରସ୍ଫୁଟନ କରିଛନ୍ତି ତାହାହିଁ କାବ୍ୟର ସମୁଦାୟ ବିଷୟ ବସ୍ତୁରେ ସୃଷ୍ଟି କରିଛି ଚମତ୍କାର ନାଟକୀୟ ଆବେଗ ଓ ଉତ୍କଣ୍ଠା । ପ୍ରାଚୀନ କାବ୍ୟ ସାହିତ୍ୟରେ ଏହି ବିରଳ ବିଭାବଟି ବିଦଗ୍‌ଧ ଚିନ୍ତାମଣି କାବ୍ୟକୁ ଯେ ରସୋତ୍ତୀର୍ଣ୍ଣ କରିଛି କେବଳ ତାହା ନୁହେଁ, ଏହାକୁ ମଧ୍ୟ କରିଛି କାଳୋତ୍ତୀର୍ଣ୍ଣ ।

 

ଧର୍ମ ଓ ଦର୍ଶନ :

ଧର୍ମ ଓ ଦର୍ଶନ ପରିବେଷଣରେ କବି ଗୌଡ଼ୀୟ ତଥା ଚୈତନ୍ୟ ମତବାଦ ଦ୍ୱାରା ପ୍ରଭାବିତ ଓ ଅନୁପ୍ରାଣୀତ ହୋଇଥିଲେ ମଧ୍ୟ କାବ୍ୟରେ କୁତ୍ରାପି ତା’ର ସଂଙ୍କେତ ଦେଇନାହାନ୍ତି । ବରଂ ତାଙ୍କ ଗୁରୁ ସାଧୁଦାସଙ୍କ ଶାସ୍ତ୍ରରେ ତତ୍ତ୍ୱାଦିର ଅନୁସନ୍ଧାନ କରିବାକୁ ପାଠକମାନଙ୍କୁ ନିର୍ଦ୍ଦେଶ ଦେଇଅଛନ୍ତି । ମାତ୍ର ଏପରି ଏକ ବିଶାଳ ମହାକାବ୍ୟ ସୃଷ୍ଟି ପାଇଁ ସମସାମୟିକ ଓ ତତ୍‌ପୂର୍ବବର୍ତ୍ତୀ ଓଡ଼ିଶାର ଧର୍ମଧାରାର ସୁଦୀର୍ଘ ପରମ୍ପରା ଯେ ଅନୁକୂଳ ପରିସ୍ଥିତି ଯୋଗାଇଥିଲା ଏଥିରେ ଆଉ ସନ୍ଦେହ ନାହିଁ ।

 

ବାସ୍ତବିକ ଷୋଡ଼ଶ ଶତକର ଆଦ୍ୟ ଭାଗରେ ଓଡ଼ିଶାର ଯେଉଁ ନବ୍ୟ ବୈଷ୍ଣବ ଧର୍ମ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ଏବଂ ଉକ୍ତ ଧର୍ମ ଆନ୍ଦୋଳନ ଫଳରେ ଓଡ଼ିଶାର ନୀଳାଚଳ କ୍ଷେତ୍ରରେ ଯେ ତାର ପ୍ରଥମ ଜୀବ ଅଙ୍କୁରିତ ହୋଇ ପଲ୍ଲବିତ ଓ ପୁଷ୍ପିତ ହେଲା ତାହା ଖୁବ କମ୍‌ ଲୋକେ ଜାଣନ୍ତି । କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଯେ ତାର ଅତୁଟ ପ୍ରଭାବ ବିସ୍ତାର ଲାଭ କରିଥିଲା ତାର ସୂତ୍ର ଏ ପର୍ଯ୍ୟନ୍ତ ସମାଲୋଚକମାନେ ଧରି ନାହାନ୍ତି । ଧରିଥିଲେ ମଧ୍ୟ ପ୍ରକୃଷ୍ଟ ଭାବରେ ଭାରତବର୍ଷରେ ଏହାର ପରିପ୍ରଚାରରେ ବିଶିଷ୍ଟ ଭୂମିକା ଗ୍ରହଣ କରି ନାହାନ୍ତି-। ଆଶ୍ଚର୍ଯ୍ୟର କଥା ଯେ ଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମତତ୍ତ୍ୱ ଓ ଦର୍ଶନ ବ୍ୟାଖ୍ୟାନର ଅନ୍ତରାଳରେ ଓଡ଼ିଶାର ପଣ୍ଡିତ ତଥା ଯୋଗଜନ୍ମା ପୁରୁଷ ଜଗନ୍ନାଥ ଦାସ ଓ ରସିକପ୍ରବର ରାୟ ରାମାନନ୍ଦଙ୍କ ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ଇତିହାସ ପୃଷ୍ଠାରେ ଉଜ୍ଜ୍ୱଳ ଭାବରେ ଅଙ୍କିତ ହୋଇନାହିଁ । ଏ ଦୁଇ ମହାତ୍ମା ଓଡ଼ିଶାରେ ଜନ୍ମଗ୍ରହଣ ନ କରିଥିଲେ ଏବଂ ଚୈତନ୍ୟଙ୍କ ସହ ଏମାନଙ୍କ ମୈତ୍ରୀ ତଥା ବନ୍ଧୁତ୍ୱ ସୃଷ୍ଟି ନ ହୋଇଥିଲେ ନବ୍ୟ ବୈଷ୍ଣବଧର୍ମ ଆନ୍ଦୋଳନ ଓନିଶାରୁ ଜନ୍ମଗ୍ରହଣ କରି ନ ଥାନ୍ତା । ସେତେବେଳେ ଦୁଇଟି ପ୍ରଧାନ ବୈଷ୍ଣବଧର୍ମର ଧାରା ଯଥାକ୍ରମେ ବୃନ୍ଦାବନ ଓ ନବଦ୍ୱୀପରେ ପ୍ରାଧାନ୍ୟଲାଭ କରିଥିଲେ ସୁଦ୍ଧୁ ନୀଳାଚଳ ଥିଲା ତା’ର ପ୍ରାଣକେନ୍ଦ୍ର । ଚୈତନ୍ୟଙ୍କ ଶେଷ ଜୀବନ ପୁରୀରେ ଅତିବାହିତ ହୋଇଥିଲା । ତାଙ୍କର ଶିଷ୍ୟ ଓଡ଼ିଶାର ପଞ୍ଚସଖାମାନଙ୍କ ମଧ୍ୟରୁ ସ୍ୱାମୀ ଜଗନ୍ନାଥ ଦାସ, ଭକ୍ତ ରାୟ ରାମାନନ୍ଦ- ଏ ସମସ୍ତଙ୍କ ଉଦ୍ୟମରେ ବିଶେଷ କରି ଚୈତନ୍ୟ, ରାମାନନ୍ଦ ଓ ଜଗନ୍ନାଥ ଏହି ପ୍ରତିଭାତ୍ରୟୀଙ୍କ ମିଳନ ଫଳରେ ନୂତନ ବୈଷ୍ଣବ ଧର୍ମ ସୃଷ୍ଟି ହେଲା । ଜଗନ୍ନାଥ ଦାସଙ୍କ ଭକ୍ତିବାଦ, ରାୟ ରାମାନନ୍ଦଙ୍କ ରସବାଦ ଏହି ଉଭାୟ ବାଦ ମିଶି ଜନ୍ମ ନେଲା ଚୈତନ୍ୟଙ୍କ ପ୍ରେମଭକ୍ତି ବାଦ, ଯାହା ଗୌଡ଼ୀୟ ବୈଷ୍ଣବ ଧର୍ମ ନାମରେ ପରବର୍ତ୍ତି କାଳରେ ନାମିତ ହେଲା ଦୁଃଖର କଥା, ଓଡ଼ିଶାର ଏହି ଦୁଇଜଣ ଅସାଧାରଣ ପଣ୍ଡିତ ଓ ଭକ୍ତଙ୍କ ଅବଦାନ ପଣ୍ଡିତ ମହଲରେ ବିଶେଷ ଭାବରେ ପ୍ରଚାରିତ ହୋଇପାରିଲା ନାହିଁ । ଯେଉଁ ମତ ନୀଳାଚଳରୁହିଁ ତତ୍ତ୍ୱତଃ ଆରମ୍ଭ ହେଲା ତାହା ‘‘ଶ୍ରୀଚୈତନ୍ୟ ମହାପ୍ରଭୁର୍ମ ତମ୍ପଦଂ’’ ବୋଲି ବୃନ୍ଦାବନରେ ଓ ନବଦ୍ୱୀପରେ ଘୋଷିତ ହେଲା । ଏପରିକି ଏକ ବାତାବରଣ ସୃଷ୍ଟି କରାଗଲା, ଯାହାଫଳରେ ରାୟ ରାମାନନ୍ଦ ଓ ଜଗନ୍ନାଥ ଦାସ ରହିଗଲେ ଅନ୍ତରାଳରେ । ମାତ୍ର ଓଡ଼ିଶାରେ ପଞ୍ଚସଖା ଓ ତତ୍‌ ପରବର୍ତ୍ତୀ ଭକ୍ତ-ସମାଜ ତଥା କବିବୃନ୍ଦ ଏହି ଧର୍ମଦର୍ଶନକୁ ପରିପ୍ରଚାର କରି ବିଶାଳ ଓ ବିରାଟ କାବ୍ୟ ସୃଷ୍ଟିକରି ଦେଇଗଲେ । ଚୈତନ୍ୟଙ୍କ ସହ ଗୋଦାବରୀ ତୀରରେ ରାୟ ରାମାନନ୍ଦଙ୍କ କଥୋପକଥନ ହୋଇ ନ ଥିଲେ ପ୍ରେମତତ୍ତ୍ୱ, ରସତତ୍ତ୍ୱ ଓ ଭକ୍ତିତତ୍ତ୍ୱର ନୂତନ ବ୍ୟାଖ୍ୟା କଦାପି ଚୈତନ୍ୟ କରିପାରି ନ ଥାନ୍ତେ । ବଙ୍ଗର ଐତିହାସିକମାନେ ଏହାକୁ କିଞ୍ଚିତ ସ୍ୱୀକାର କରିଥିଲେ ସୁଦ୍ଧା ରାୟ ରାମାନନ୍ଦଙ୍କ ବଳିଷ୍ଠ ଭୂମିକା ଉପରେ ଏ ପର୍ଯ୍ୟନ୍ତ ଆଲୋକପାତ କରିନାହାନ୍ତି । ସେଥିପାଇଁ ଧର୍ମାନ୍ଦୋଳନ ଇତିହାସରେ ଏମାନଙ୍କର ଆସନ ମ୍ଳାନ; ଉଜ୍ଜ୍ୱଳ ନୁହେଁ । ଏମାନଙ୍କ ପରେ ଭକ୍ତ ରସିକାନନ୍ଦ, ଶ୍ୟାମାନନ୍ଦ ଏହି ମତବାଦକୁ ଓଡ଼ିଶା ଓ ଓଡ଼ିଶା ବାହାରେ ଯଥେଷ୍ଟ ପ୍ରଚାରକଲେ । ବଳଦେବ ବିଦ୍ୟାଭୁଷଣ ଅଚିନ୍ତ୍ୟ ଭେଦାଭେଦ ଦର୍ଶନକୁ ପ୍ରତିଷ୍ଠା କରିବା ପାଇଁ ‘ଗୋବିନ୍ଦଭାଷ୍ୟ’ ଲେଖିଲେ । ରସତତ୍ତ୍ୱ ଦେଲେ ରାୟ ରାମାନନ୍ଦ ଓ ସେ ଦର୍ଶନକୁ ସାବ୍ୟସ୍ତ କଲେ ବଳଦେବ ଏବଂ ଧର୍ମକୁ ପ୍ରଚାର କଲେ ରସିକାନନ୍ଦ- ଏହାର ସଂପୂର୍ଣ୍ଣ ଇତିହାସ ଏବେ ବି ଲେଖା ହୋଇନାହିଁ । ସେ ଯାହା ହେଉ, ଓଡ଼ିଶାର ଭାଗବତର ଭାଷ୍ୟକାର ଶ୍ରୀଧର ସ୍ୱାମୀ, ରାୟ ରମାନନ୍ଦ, ଜଗନ୍ନାଥ ଦାସ, କବି ଡିଣ୍ଡିମ, ଜୀବ ଦେବାଚାର୍ଯ୍ୟ ପ୍ରଭୃତିଙ୍କ ଅସୀମ ଦାନ ଫଳରେ ଓଡ଼ିଶାର ବୈଷ୍ଣବ ଧର୍ମର ପ୍ରତିଷ୍ଠା, ପ୍ରଚାର ଓ ପ୍ରସାର ସମ୍ଭବ ହୋଇଥିଲା ଏବଂ ଏକ ବଳିଷ୍ଠ ଧର୍ମପରମ୍ପରା ମଧ୍ୟ ସୃଷ୍ଟି ହୋଇଥିଲା । ଯାହା ଫଳରେ ଷୋଡ଼ଶଠାରୁ ଊନବିଂଶ ଶତକ ପର୍ଯ୍ୟନ୍ତ ଓଡ଼ିଶାରେ ବୈଷ୍ଣବ ଧର୍ମ ସମ୍ବଳିତ କାବ୍ୟ କବିତା ବହୁ ସଂଖ୍ୟାରେ ପ୍ରଣିତ ହୋଇଅଛି ଯାହାକି ଉତ୍ତର ଭାରତର ବୃନ୍ଦାବନ ବା ବଙ୍ଗର ନବଦ୍ୱୀପାଦି ଅଞ୍ଚଳରେ ଏପରିକି ସମଗ୍ର ବଙ୍ଗରେ ସୃଷ୍ଟି ହୋଇନାହିଁ ।

 

କାବ୍ୟରେ ବର୍ଣ୍ଣିତ ଧାମତତ୍ତ୍ୱ

ଭାଗବତ ପୁରାଣ ଓ ତାପିନୀ ଗ୍ରନ୍ଥାଦିଗରେ ଭଗବଦ୍ଧାମର ସ୍ୱରୂପ ଓ ଶକ୍ତି ବର୍ଣ୍ଣିତ ହୋଇଅଛି । ଶ୍ରୀକୃଷ୍ଣଙ୍କ ଚତୁଷ୍ପାଦ ବିଭୂତିରୁ ତିନିପାଦ ବିଭୂତି ଚିତ୍‌ଜଗତରେ ଆଉ ଏକ ପାଦ ବିଭୂତି ଜଡ଼ ଜଗତରେ ନ୍ୟସ୍ତ । ଏକ ପାଦ ବିଭୂତିରେ ଚତୁର୍ଦ୍ଦଶ ଭୁବନାତ୍ମକ ମାୟିକ ବିଶ୍ୱ । ମାୟିକ ବିଶ୍ୱ ଓ ଚିତ୍‌ଜଗତ ମଧ୍ୟରେ ବିରଜା ନଦୀ ଅବସ୍ଥିତ । ବିରଜା ନଦୀ ତୀରରେ ଚିତ୍‌ଜଗତ । ଉକ୍ତ ଜଗତର ବେଷ୍ଟନ ପ୍ରାଚୀର ହିଁ ବ୍ରଜଧାମ । ତାହା ଜ୍ୟୋତିର୍ମୟ । ଏହାକୁ ଭେଦ କରିପାରିଲେ ପରବ୍ୟୋମ ବୈକୁଣ୍ଠର ଦର୍ଶନ ସମ୍ଭବପର ହୁଏ । ବୈକୁଷ୍ଠ ହେଉଛି ଐଶ୍ୱର୍ଯ୍ୟପ୍ରଧାନ ଧାମବିଶେଷ । ନାରାୟଣ ସେଠାରେ ରାଜାରାଜେଶ୍ୱର ଅନନ୍ତ ଚିତ୍‌ ବିଭୂତିଦ୍ୱାରା ପରିସେବିତ । ବୈକୁଣ୍ଠରେ ଭଗବାନଙ୍କର ସ୍ୱକୀୟ ରସରୂପା ଶ୍ରୀ,ଭୂ, ନୀଳଶକ୍ତିଗଣ ସ୍ୱକୀୟା ସ୍ତ୍ରୀ ରୂପରେ ତାଙ୍କୁ ସେବା କରୁଅଛନ୍ତି । ବୈକୁଣ୍ଠର ଉର୍ଦ୍ଧ୍ୱଦେଶରେ ଗୋଲକ ଅବସ୍ଥିତ । ଗୋଲକରେ ବ୍ରଜବନିତାଗଣ ସ୍ୱରସରେ ଶ୍ରୀକୃଷ୍ଣ ସେବାପରାୟଣ । ସୁତରାଂ ଏ ଧାମ ସର୍ବାପେକ୍ଷା ଶ୍ରେଷ୍ଠ ଏବଂ କୃଷ୍ଣ କୃପା ବ୍ୟତୀତ କେହି ଏହି ଗୋଲକ ଦର୍ଶନ କରି ପାରିବେ ନାହିଁ । ଗୋଲକ, ବୃନ୍ଦାବନ ଓ ଶ୍ୱେତଦ୍ୱୀପ ପରବ୍ୟୋମର ଅନ୍ତଃପୁର । ଗୋଲକରେ ଶ୍ରୀକୃଷ୍ଣଙ୍କ ସ୍ୱକୀୟ ଲୀଳା ଓ ବୃନ୍ଦାବନରେ ପରକୀୟା ଲୀଳା । ଶ୍ୱେତଦ୍ୱୀପରେ ସେହି ଲୀଳାର ପରିଶିଷ୍ଟ । ପୁଣି ଗୋଲକ, ବୃନ୍ଦାବନ ଓ ଶ୍ୱେତଦ୍ୱୀପରେ ତତ୍ତ୍ୱଭେଦ ନାହିଁ । କିନ୍ତୁ ଗୋଲକ ହେଉଛି ପ୍ରକୃତିର ଅତୀତ ପରମଧାମ ବିଶେଷ । ସେଠାରେ ଯେଉଁ ବୈଶିଷ୍ଟ୍ୟ ରହିଛି ତାହା ନିତ୍ୟ ସତ୍ୟ ସ୍ୱରୂପ । ଅନନ୍ତ ଚିତ୍‌ବିଳାସ ବ୍ରହ୍ମ ଯେ କି ଚିନ୍ମୟ ଜ୍ୟୋତି ସ୍ୱରୂପ ତାହାହିଁ ସେଠାରେ ଚିରନ୍ତନ ପ୍ରଭା ରୂପରେ ବର୍ତ୍ତମାନ । ଗୋଲକରେ କୃଷ୍ଣ ଅନାଦି ଜନ୍ମରହିତ । ବ୍ରଜାଙ୍ଗନା ବ୍ୟତୀତ ଗୋଲକରେ ଆଉ କାହାରି ସ୍ଥାନ ନାହିଁ । ଏହାହିଁ ସଂକ୍ଷେପରେ ଶାସ୍ତ୍ରୋକ୍ତ ଧର୍ମତତ୍ତ୍ୱ । ମାତ୍ର ଅଭିମନ୍ୟୁ ଏ ତତ୍ତ୍ୱର ଅବଧାରଣ ପାଇଁ ଏକ ସ୍ୱତନ୍ତ୍ର ଛାନ୍ଦ କେବଳ ସୃଷ୍ଟି କରିନାହାନ୍ତି । ପରନ୍ତୁ ଏହାକୁ ବିସ୍ତାରିତ ଓ ପଲ୍ଲବିତ କରିଛନ୍ତି ଓ ଗୋକୁଳ ବା ଗୋଲକ ଧାମର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଅଛନ୍ତି । ତାଙ୍କ ମତରେ-

 

‘‘ଗୋକୁଳାଖ୍ୟ ଶ୍ୱେତଦ୍ୱୀପ             ବୃନ୍ଦାବନ ତ୍ରୀଧାରୂପ

କ୍ରୀଡ଼ାନୀତି ଅନୁରୂପେ ହୁଅଇ ଭାବ

ବୃନ୍ଦାବନ ପ୍ରେମକାମ            ଉଦୟ ସମ୍ପୂର୍ଣ୍ଣଧାମ

ଗୋକୁଳ ପ୍ରଚାର କାମ ମାନୁଷୀଭାବ ।

*       *       *

ସହଜେ ବ୍ରଜମଣ୍ଡଳ             ଚଉରାଶି ନ୍ତ୍ରୋଶସ୍ଥଳ

ଚଉରାଶି ଆବରଣ ତହିଁ ପ୍ରମାଣ ।

ଈଶ୍ୱର ଐଶ୍ୱର୍ଯ୍ୟ ଲୀଳା             ବ୍ୟକ୍ତାବ୍ୟକ୍ତ ଅଂଶକଳା

ବେଦଶେଷ ନ ଜାଣନ୍ତି ସେ ନୀତିପୁଣ

ତହିଁ ମଧ୍ୟେ ଷୋଡ଼ଶ କୋଶ

ନିତ୍ୟ ଗୋଲକ ନାମରେ ଧାମ ପ୍ରକାଶ ।

ପରିଖା ବିରଜା ନଦୀ             କାରଣାର୍ଣ୍ଣବ ଆଚ୍ଛାଦି

ପରଂବ୍ୟୋମ ଘେନି ତିନକ୍ରମେ ଆବୃତ ।

*      *      *

ଗୋକୁଳାଖ୍ୟ ମହତ ପଦ

ତ୍ରିଧାମ ନାମ ସେ ବ୍ୟକ୍ତାବ୍ୟକ୍ତ ଅଭେଦ ।

 

ଅଥବା-

ସର୍ବ ନମସ୍କୃତ୍ୟ ଗୋଲକ ଈଶ୍ୱର ଇଚ୍ଛାରେ

ଅଧ ଊର୍ଦ୍ଧ୍ୱ ବ୍ୟାପକ –

 

ଏତିକିରେ ମଧ୍ୟ କବି ସନ୍ତୁଷ୍ଟ ହୋଇନାହାନ୍ତି । ବିଭିନ୍ନ ଧାମର ସ୍ଥିତି, ଦ୍ୱାର, ରକ୍ଷକ, ଆୟତନ, ସୀମା, ମଣିମଣ୍ଡପ, ବେଦୀ, ବ୍ୟାପ୍ତି, ପରିଖା ପ୍ରଭୃତିର ବର୍ଣ୍ଣନପୂର୍ବକ ସ୍ୱୀୟ ବହୁଶାସ୍ତ୍ରଦର୍ଶିତାର ପରିଚୟ ଦେଇଅଛନ୍ତି ।

 

ଲୀଳା :

ବ୍ୟକ୍ତ, ଅବ୍ୟକ୍ତ ତଥା ପ୍ରକଟ ଅପ୍ରକଟ ଲୀଳା ଭାବରେ ଏହା ଦ୍ୱିବିଧ । ଅଭିମନ୍ୟୁ ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିବା ପାଇଁ ରାଧା ହରିଙ୍କୁ ପ୍ରାର୍ଥନା କରିଅଛନ୍ତି । ବ୍ୟକ୍ତଲୀଳା ହିଁ କବିର କାମ୍ୟ ଓ ବାଞ୍ଛନୀୟ । ଭଗବାନ ଲୀଳାବିଧୃତ କଳେବର । ସେ ସଦା ଲୀଳାପ୍ରିୟ ଓ ସତତ ଲୀଳା ସମ୍ପାଦନରେ ଇଚ୍ଛୁକ । ଜନସାଧାରଣ ତଥା ଭକ୍ତମାନଙ୍କ ସକାଶେ ସେ ଲୀଳା କରନ୍ତି । ଯଥାର୍ଥରେ ବେଦାନ୍ତ ଦର୍ଶନରେ ଉକ୍ତ ଅଛି –‘‘ଲୋକବଭୃ ଲୀଳା କୈବଲ୍ୟମ୍‌’’ ଲୋକମାନଙ୍କ ପାଇଁ ଲୀଳାର ଆବଶ୍ୟକତା । ତେଣୁ କବି ଅଭିମନ୍ୟୁ ଏ ଉକ୍ତିର ସୁଯୋଗ ନେଇ ଅବ୍ୟକ୍ତ ରୂପରେ ଏକ ବ୍ୟକ୍ତିକ ଭାବରେ ଥିବା ରାଧାହରିଙ୍କୁ ରାଧା ଆଉ ହରି ଏହି ଦ୍ୱୈତରୂପରେ ପୃଥକ୍‌ଭାବରେ ଧରାଧାମରେ ଅବତୀର୍ଣ୍ଣ ହୋଇ ବ୍ୟକ୍ତଲୀଳା ସମ୍ପାଦନ କରିବାକୁ ପ୍ରାର୍ଥନା କରିଅଛନ୍ତି । କୃଷ୍ଣୋପନିଷଦ୍‌ରେ, ଗୋପାଳ ପୂର୍ବତାପିନୀ ଓ ଗର୍ଗସଂହିତା ଗ୍ରନ୍ଥାଦିରେ କୃଷ୍ଣଙ୍କ ବିବିଧ ଲୀଳାର ବ୍ୟାପକ ବର୍ଣ୍ଣନା ଲିପିବଦ୍ଧ ହୋଇଅଛି । ଜୀବ ଗୋସ୍ୱାମୀ ସ୍ୱୀୟ ଶ୍ରୀକୃଷ୍ଣ ସନ୍ଦର୍ଭରେ କହିଛନ୍ତି-

 

‘‘ଅପ୍ରକଟ ଲୀଳା-ପ୍ରାପଞ୍ଚିକ ଲୋକୈସ୍ତଦ୍‌ ବସ୍ତୁଭିଶ୍ଚା ମିଶ୍ରା,

କାଳବଦାଦି ମଧ୍ୟାବସାନ- ପରିଚ୍ଛେଦ ରହିତ ସ୍ୱପ୍ରବାହା ।

ପ୍ରକଟରୂପା ତୁ ଶ୍ରୀବିଗ୍ରହବତ୍‌ କାଳାଦିତ୍ତିର ପରିଚ୍ଛେଦୌବ ସତୀ

ଭଗବଦିଚ୍ଛାତ୍ମକ- ସ୍ୱରୂପ ଶକ୍ତୈବ ଲବ୍‌ଧାରମ୍ଭ ସମାପନା ପ୍ରାପଞ୍ଚିକା

ପ୍ରାପଞ୍ଚିକ- ଲୋକବସ୍ତୁ-ସମ୍ବଳିତା ତଦୀୟ ଜନ୍ମାଦି ଲକ୍ଷଣା ।’’

 

ଅର୍ଥାତ୍‌ ପ୍ରାପଞ୍ଚକ ତଥା ସାଂସାରିକ ଲୋକ ସଙ୍ଗରେ ଏବଂ ପ୍ରାପଞ୍ଚକ ବା ସାଂସାରିକ ବସ୍ତୁ ସଙ୍ଗରେ ଅପ୍ରକଟ ଲୀଳାର ଯୋଗ ନାହିଁ । ଯେପରି କାଳର ଆଦି,ମଧ୍ୟ ଓ ଅନ୍ତ ନାହିଁ ଅପ୍ରକଟ ଲୀଳାର ସେହିପରି ଆଦି, ମଧ୍ୟ ଅନ୍ତାଦି ନାହିଁ । ବ୍ୟକ୍ତ ବା ପ୍ରକଟ ଲୀଳାରେ ଲୀଳାର ଶେଷ ଅଛି । ଆଦି ଅନ୍ତ ଅଛି ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମାଦି ଲୀଳା ମଧ୍ୟ ରହିଛି ।

 

ଶ୍ରୀକୃଷ୍ଣଙ୍କ ବାଲ୍ୟ, ପୌଗଣ୍ଡ ଏବଂ କୈଶୋର ଲୀଳା ହେଉଛି ବ୍ୟକ୍ତଲୀଳା । ତେଣୁ ଏହି ବ୍ୟକ୍ତିଲୀଳାର ପରିପ୍ରକାଶ ତଥା ପ୍ରସ୍ଫୁଟନ ପାଇଁ ଅଭିମନ୍ୟୁ ସ୍ୱ କାବ୍ୟରେ କେବଳ ମାତ୍ର ଗୋଟିଏ ଛାନ୍ଦରେ କୈଶୋର ଲୀଳାର ବ୍ୟାପକ ଓ ମଧୁର ଚିତ୍ର ସନ୍ନିବେଶିତ କରି ମାଧୁର୍ଯ୍ୟ ରସର ପରକାଷ୍ଠା ଦର୍ଶାଇଅଛନ୍ତି । କୈଶୋରଲୀଳା ପ୍ରକଟନହିଁ କବ୍ୟର ମୁଖ୍ୟ ଭୂମିକା ଏବଂ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଶ୍ରୀକୃଷ୍ଣଙ୍କ ଅନ୍ତରଙ୍ଗ ସଖା ଓ ରାଧିକାଙ୍କ ଅନ୍ତରଙ୍ଗା ସଖୀ ସମାଜ-

 

ସଖୀ :

ରାଧାକୃଷ୍ଣଙ୍କର କାନ୍ତାରସାସ୍ୱାଦିନୀ ଲୀଳାରେ ସେବା କରିବାର ଅଧିକାର କେବଳ ସଖୀରୂପା ବ୍ରଜ ଗୋପୀଗଣଙ୍କର ରହିଛି । ଯଥାର୍ଥରେ ଗୋବିନ୍ଦ ଲୀଳା-ମୃତରେ ଉକ୍ତ ଅଛି- ‘‘ରାଧା ହେଉଛନ୍ତି କୃଷ୍ଣପ୍ରେମକଳ୍ପଲତା ଆଉ ତାଙ୍କ କାୟ-ବ୍ୟୁହରୂପା ସଖୀମାନେ ସେହି କଳ୍ପଲତିକାର ଶାଖା ପ୍ରଶାଖା ଓ ପତ୍ରପୁଷ୍ପ ସଦୃଶା ।’’ ଶ୍ରୀରାଧା ଗୋବିନ୍ଦଙ୍କ ପ୍ରେମଲୀଳା ବିସ୍ତାରକାରିଣୀ ସଖୀମାନେ ସାଧାରଣତଃ ସଙ୍ଗମବିମୁଖିନୀ । ରାଧାକୃଷ୍ଣଙ୍କର ମିଳନ ସଂପାଦନ କରିବା ହିଁ ସେମାନଙ୍କର ମୁଖ୍ୟ କର୍ତ୍ତବ୍ୟ । ସେଥିପାଇଁ ସେମାନଙ୍କୁ କୁହାଯାଇଛି ‘‘କୃଷ୍ଣ ସୁଖୈକ ତାତ୍ପର୍ଯ୍ୟମୟୀ-।’’ କୃଷ୍ଣ ସେବା ପ୍ରକାରଭେଦରେ ସେମାନେ ଦୁଇଟି ଶ୍ରେଣୀରେ ବିଭକ୍ତ-ସଖୀ ଓ ମଞ୍ଜରୀ । ଯେଉଁମାନଙ୍କର ସେବା ଶ୍ରୀରାଧିକାଙ୍କ ନ୍ୟାୟ ସ୍ୱାତନ୍ତ୍ର୍ୟମୟୀ ସେମାନଙ୍କୁ ସଖୀ ଆଉ ଯେଉଁମାନଙ୍କର ସେବା ଆନୁଗତ୍ୟମୟୀ, ସେମାନଙ୍କୁ ମଞ୍ଜରୀ ବା କିଙ୍କରୀ ଭାବରେ ନାମିତ କରାଯାଇଛି । ଲଳିତା, ବିଶାଖା, ସଖୀ ଭାବରେ ପରିଗଣିତା ହେଲେ ରୂପମଞ୍ଜରୀ, ଅନଙ୍ଗମଞ୍ଜରୀ ପ୍ରଭୃତି ମଞ୍ଜରୀ ନାମରେ ଖ୍ୟାତା । ସଖୀ ଓ ମଞ୍ଜରୀଙ୍କ ବ୍ୟତୀତ ଯୁଥେଶ୍ୱରୀ ନାମରେ ଆଉ କେତେକ ସଖୀ ଅଛନ୍ତି, ଯେଉଁମାନଙ୍କ ଭୂମିକା ଆଲୋଚ୍ୟ କାବ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଯୁଥେଶ୍ୱରୀ ନିତ୍ୟ ନାୟିକା । ନାୟିକାତ୍ୱ ସଖୀତ୍ୱ ଏହି ଉଭୟ ଧର୍ମରେ ଏମାନେ ଗୌରବାନ୍ୱିତା । ପ୍ରକାଶ ଥାଉକି ଅଭିମନ୍ୟୁ ସ୍ୱ-କାବ୍ୟରେ ଯୁଥେଶ୍ୱରୀଙ୍କ ଅବତାରଣା କରିଛନ୍ତି । କୃଷ୍ଣଲୀଳାର ପରିପୁଷ୍ଟି ପାଇଁ ଏମାନଙ୍କ ସୃଷ୍ଟିର ପରିକଳ୍ପନା । ଲଳିତା ହେଉଛନ୍ତି ସର୍ବଯୁଥେଶ୍ୱରୀମାନଙ୍କ ମଧ୍ୟରେ ଶ୍ରେଷ୍ଠା । ରାଧାକୃଷ୍ଣଙ୍କର ଲୀଳା ପୁଷ୍ଟିକରଣରେ ବିଶାଖା, ଲଳିତା ବିଶେଷ ଭାବରେ ପଟୁତ୍ୱ ଅର୍ଜନ କରିଅଛନ୍ତି । ତେଣୁ ଲଳିତା, ବିଶାଖା, ପଦ୍ମା ଓ ଶୈବ୍ୟା ଏମାନେ ପ୍ରଧାନା ଗୋପୀ ଭାବରେ ଓ ପ୍ରଧାନ ସଖୀ ଭାବରେ ଚିତ୍ରିତ । ସଖୀମାନେ ପଞ୍ଚବିଧ ସାଧାରଣ ଭାବରେ କୁସୁମିକା, ବିନ୍ଦ୍ୟା, ଧନିଷ୍ଠା ପ୍ରଭୃତି ସଖୀ । କସ୍ତୁରୀ, ମଣିମଞ୍ଜରୀ ପ୍ରଭୃତି ନିତ୍ୟ ସଖୀ । ଶଶିମୁଖୀ, ବାସନ୍ତୀ, ତଲ୍ଲାସିକା ପ୍ରଭୃତି ପ୍ରାଣସଖୀ । କୁରଙ୍ଗାକ୍ଷୀ, ସୁମଧ୍ୟା, ମଦନାଳସା, କମଳା, ମାଧୁରୀ, ମୁଞ୍ଚକେଶୀ, କନ୍ଦର୍ପସୁନ୍ଦରୀ, ମାଧବୀ, ମାଳତୀ, କାମଲତା, ଶଶିକଳା ପ୍ରଭୃତି ପ୍ରିୟସଖୀ । ଆଉ ଲଳିତା, ବିଶାଖା, ଚିତ୍ରା, ଚମ୍ପକଲତା, ତୁଙ୍ଗବିଦ୍ୟା, ଇନ୍ଧୁଲେଖା, ରଙ୍ଗଦେବୀ, ସୁଦେବୀ ଏମାନେ ହେଉଛନ୍ତି ପରମ ଶ୍ରେଷ୍ଠ ସଖୀ ଏବଂ ସେହି ପରମ ଶ୍ରେଷ୍ଠ ସଖୀଙ୍କ ସାହାଯ୍ୟରେ ଅଭିମନ୍ୟୁ ସ୍ୱ କାବ୍ୟରେ ରାଧାକୃଷ୍ଣଙ୍କର ମିଳନଲୀଳା ସଂଘଟିତ ଓ ସଂପ୍ରସାରିତ କରିଛନ୍ତି । କାବ୍ୟର ୬୦ ଛାନ୍ଦରେ ଏହି ସଖୀମାନଙ୍କୁ ଆବାହନ କରୁଛନ୍ତି । ସେମାନଙ୍କ ଜୟଗାନ ତଥା ଗୁଣଗାନପୂର୍ବକ ବୃନ୍ଦାଦେବୀ, ଲଳିତା, ବିଶାଖା, ରଙ୍ଗଦେବୀ, ଚିତ୍ରା, ଚମ୍ପକଲତା, ସୁଦେବୀ, ଧନିଷ୍ଠା, ତୁଙ୍ଗବିଦ୍ୟା, ସିଦ୍ଧାଦେବୀ, ଶ୍ରୀରୂପମଞ୍ଜରୀ, ରସ ମଞ୍ଜରୀ, ଅନଙ୍ଗମଞ୍ଜରୀ, ଗୁଣମଞ୍ଜରୀ, କସ୍ତୁରୀ, ତୁଳସୀ, ପ୍ରେମସାଗରୀ ପ୍ରଭୃତି ସଖୀଙ୍କଠାରୁ କରୁଣା ଭିକ୍ଷା କରୁଛନ୍ତି । ରାଧାଙ୍କ କୈଙ୍କର୍ଯ୍ୟଲାଭ ପାଇଁ ବିଶେଷ ବ୍ୟାକୁଳତା ମଧ୍ୟ ପ୍ରକାଶ କରୁଛନ୍ତି । କୃଷ୍ଣପ୍ରାପ୍ତି ରୂପ ମନୋବାଞ୍ଛା ପୂରଣ କରିବା ପାଇଁ ସଖୀମାନଙ୍କଠାରେ ଅଭିମନ୍ୟୁ ଅନୁନୟ ବିନୟ କରୁଛନ୍ତି ।

 

ସେହିପରି ୯୩ ଓ ୯୪ ଛାନ୍ଦରେ ମୁଗ୍‌ଧା ଲକ୍ଷଣ, ପଞ୍ଚଦଶ ବିଭିନ୍ନ ମୁଖ୍ୟ ମାନର ଲକ୍ଷଣ, ଧର୍ମାଦି ବର୍ଣ୍ଣନା ବିଶେଷ କରି ୯୪ ଛାନ୍ଦରେ ଦୂତ ଓ ଦୂତୀର ଚିହ୍ନ ଓ ଲକ୍ଷଣ, ବିଭିନ୍ନ ଦୂତୀ, ଚେଟି ଓ ବିଟାଦିର ବର୍ଣ୍ଣନାଦ୍ୱାରା ଛାନ୍ଦଟି ସତେ କି ଅଳଙ୍କାର ସାହିତ୍ୟର ଅପୂର୍ବ ଭାଷ୍ୟରେ ପରିଣତ ହୋଇଅଛି । ସ୍ୱାମୀ କାର୍ଯ୍ୟ ସଂପାଦନରେ ଲିପ୍ତ ଦୂତୀ, ପ୍ରେମ କାର୍ଯ୍ୟ ସଂପାଦନରେ ଲିପ୍ତ ଚେଟି, ସ୍ୱୟଂ କାର୍ଯ୍ୟ ସଂପାଦନରେ ବିଟ, ପ୍ରୀତିକାର୍ଯ୍ୟ ସଂପାଦନରେ ସ୍ୱୟଂ ଦୂତୀ ଓ ଆପ୍ତଦୂତୀମାନଙ୍କର ବର୍ଣ୍ଣନାରେ ଏ ଛାନ୍ଦ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ ଏବଂ ଅଳଙ୍କାର ସାହିତ୍ୟରେ ଅଭିମନ୍ୟୁଙ୍କ ଅସାଧାରଣ ଜ୍ଞାନର ମଧ୍ୟ ପରିଚୟ ଦେଉଅଛି ।

 

ଭଗବତ୍‌ତତ୍ତ୍ୱ :

କାବ୍ୟର ଆରମ୍ଭରେ ରାଧାକୃଷ୍ଣ ପରିବର୍ତ୍ତେ ଅପ୍ରାକୃତ ପ୍ରେମମୂର୍ତ୍ତି ରାଧା ହରିଙ୍କୁ କେବଳ ଆବାହନ କରିନାହାନ୍ତି ପରନ୍ତୁ, ଅବତରଣପୂର୍ବକ ବ୍ୟକ୍ତଲୀଳା ସଂପାଦନ କରିବାକୁ ପ୍ରାର୍ଥନା କରିଛନ୍ତି । କାରଣ ହରି ହିଁ ଭଗବାନ, ଷଡ଼େଶ୍ୱର୍ଯ୍ୟ-ଶାଳୀ । ବ୍ରହ୍ମା, ଶିବ ଇନ୍ଦ୍ରାଦି ଦେବତାଙ୍କ ଦ୍ୱାରା ସେବିତ ଶ୍ରୀହରି ହିଁ ପରମତତ୍ତ୍ୱ ବିଶେଷ । ବୈଷ୍ଣବ ସଂପ୍ରଦାୟଙ୍କ ମତରେ ଶକ୍ତିଶୂନ୍ୟ ନିର୍ବିଶେଷ ଯେ ବ୍ରହ୍ମ, ସେ ହରିଙ୍କର ଅଙ୍ଗକାନ୍ତି ମାତ୍ର । ଜଗତକର୍ତ୍ତା ଜଗତ ପ୍ରବିଷ୍ଟ ଯେ ପରମାତ୍ମା, ସେ ମଧ୍ୟ ହରିଙ୍କର ଅଂଶ ମାତ୍ର । ସେହି ହରି ପୁଣି ନବନୀରଦକାନ୍ତି ଚିତ୍‌ସ୍ୱରୂପ ଶ୍ରୀରାଧାବଲ୍ଲଭ । ସେଥିପାଇଁ କାବ୍ୟର ମଙ୍ଗଳାଚରଣରେ ଅଭିମନ୍ୟୁ ହରିଙ୍କୁ ହିଁ ଆହ୍ୱାନ କରିଛନ୍ତି ଲୀଳା କରିବା ସକାଶେ । ଯଥାର୍ଥରେ ଦଶମୂଳ କାରିକାର ଦ୍ୱିତୀୟ କାରିକାରେ ବର୍ଣ୍ଣିତ ଅଛି –

 

‘‘ହରିସ୍ତ୍ୱେକଂ ତତ୍ତ୍ୱଂ ବିଧି-ଶିବ-ସୁରେଶ ପ୍ରଣମିତଃ

ଯଜେ ବେଦଂ ବ୍ରହ୍ମଂ ପ୍ରକୃତି-ରହିତଂ-ତଦ୍ଭାନୁମହଃ

ପରାତ୍ମା, ତସ୍ୟାଂଶୋ ଜଗଦନୁଗତୋ ବିଶ୍ୱଜନକଃ

ସବୈ ରାଧାକାନ୍ତୋ ନବଜଳଦକାନ୍ତିଶ୍ଚିଦୁଦୟଃ ।’’

 

ପ୍ରେମ ଓ କାମ :

ଅଭିମନ୍ୟୁ ପ୍ରୀତି ବର୍ଣ୍ଣନାରେ କହୁଛନ୍ତି – ‘‘ଅପ୍ରାକୃତ ପ୍ରେମ ତା ନାମ କାମ ।’’ କବିଙ୍କ ଏହି ଉକ୍ତି ପାଠକ ପାଠିକାଙ୍କ ମନରେ ସନ୍ଦେହ ତଥା ବିସ୍ମୟ ସୃଷ୍ଟି କରୁଅଛି । ତେଣୁ ଏହାର ଗଭୀରାର୍ଥ ପ୍ରତି ସଚେତନ ହେବା ବିଧେୟ । ସାଧାରଣ ଭାବରେ ଏ ଉକ୍ତିର ଅର୍ଥ ହେଉଛି ଯିଏ ଅପ୍ରାକୃତ ପ୍ରେମ ତାହା ହିଁ କାମ ନାମରେ ଖ୍ୟାତ ଅଥବା ଯିଏ କାମ ସେହି ଅପ୍ରାକୃତ ପ୍ରେମ- ଏପରି ଅର୍ଥ କେହି କେହି କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ଏହାର ତାତ୍ତ୍ୱିକ ଅର୍ଥ ରହିଛି । ତାହା ହେଉଛି- କାମ ହିଁ ପ୍ରେମର ଭିତ୍ତିଭୂମି ଯେପରି ପଦ୍ମ ଓ ପଙ୍କ । ପଙ୍କରୁ ପଦ୍ମ ଜାତ ହେଲେ ମଧ୍ୟ ପଦ୍ମ ପଙ୍କ ନୁହେଁ । ତାଠାରୁ ପୃଥକ୍‌ବସ୍ତୁ । ସେହିପରି ପ୍ରେମ କାମର ସମ୍ବନ୍ଧ । କାମଭୂମିରୁ ପ୍ରେମବେଦୀରେ ପହଞ୍ଚିବାକୁ ପଡ଼ିବ । ପ୍ରେମବେଦୀରେ ଭିତ୍ତିଭୂମିହିଁ କାମ । କ୍ରମେ କ୍ରମେ କାମରୁ ପ୍ରେମଆଡ଼କୁ ଗତି କରିବାକୁ ପଡ଼ିବ । ତାପିନୀ ଗ୍ରନ୍ଥାଦିରେ ପ୍ରେମ କହିଲେ ସାଧାରଣତଃ ସମ୍ବନ୍ଧରୂପା ରାଗମୟୀ ଭକ୍ତି ସହିତ ଐକ୍ୟ ସଂପାଦନକୁ ହିଁ ବୁଝାଇଥାଏ । ସମ୍ବନ୍ଧରୂପା ଭକ୍ତିରେ କାମ ଅର୍ଥାତ୍‌ ସମ୍ଭୋଗେଚ୍ଛା ନାହିଁ । ଏ ଉକ୍ତି କେଳିସୁଖସମ୍ବଳୀ ନୁହେଁ । ଅଥଚ ତାହା ପ୍ରେମ ନାମରେ ଖ୍ୟାତ । ପ୍ରେମ ସାମାନ୍ୟରେ ସମ୍ଭୋଗେଚ୍ଛା ରୂପରେ ଆଉ ଗୋଟିଏ ପ୍ରବୃତ୍ତି ମିଶ୍ରିତ ହେଲେ ତାହା କାମରୂପା ଭକ୍ତି ରୂପରେ ଅଭିହିତ ହୁଏ । ଶୃଙ୍ଗାର ବ୍ୟତୀତ ଅନ୍ୟାନ୍ୟ ରସରେ କାମରୂପା ଭକ୍ତି ନାହିଁ । ପୁଣି ବ୍ରଜ ଦେବୀଙ୍କ ବ୍ୟତୀତ ଆଉ କାହାରି ଅନୁରୂପ ଭକ୍ତି ମଧ୍ୟ ନାହିଁ । ନିଖିଳ ଜଗତରେ ଇନ୍ଦ୍ରିୟ ପ୍ରୀତିରୂପ ଯେ କାମ ସେ କାମ ଆଲୋଚ୍ୟ କାମଠାରୁ ପୃଥକ୍‌ । ସେ କାମ ଏହି ନିର୍ଦ୍ଦୋଷ କାମର ହିଁ ବିକୃତି । ଯେପରି କୃଷ୍ଣଙ୍କ ପ୍ରତି ନିଯୁକ୍ତ ହୋଇ ମଧ୍ୟ କୁବ୍‌ଜାର ଭାବ ‘‘ପ୍ରତ୍ୟକ୍ଷ କାମ’’ ଏପରି ଆଖ୍ୟା ଲାଭ କରିନାହିଁ । ଇନ୍ଦ୍ରିୟତର୍ପଣାଙ୍ଗରେ କାମ ଯେପରି ଅକିଞ୍ଚିତ୍‌ କର ସେହିପରି ଅପ୍ରକୃଷ୍ଟ । ପ୍ରେମାଙ୍ଗର କାମ ସେହିପରି ଆନନ୍ଦପୂର୍ଣ୍ଣ ଓ ଉତ୍କୃଷ୍ଟ । ପ୍ରକାଶଥାଉ କି ଅଭିମନ୍ୟୁ ପ୍ରୀତି ବର୍ଣ୍ଣନାରେ ପ୍ରେମାଙ୍ଗର କାମକୁ ଅପ୍ରାକୃତ ପ୍ରେମ ବୋଲି ଅଭିହିତ କରିଅଛନ୍ତି ।

 

ନାମ ଓ ନାମୀ :

ବିଦଗ୍‌ଧ ଚିନ୍ତାମଣିରେ ଏ ତତ୍ତ୍ୱ ଚମତ୍କାର ଭାବରେ ପରିବେଷିତ ହୋଇଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ପୂର୍ବ ପରିଚ୍ଛେଦରେ ମଧ୍ୟ ସୂଚିତ ହୋଇଅଛି । ନାମନାମୀ ପରସ୍ପର ଅଭେଦତତ୍ତ୍ୱ । ଏହି ଅଭେଦତତ୍ତ୍ୱର ମର୍ମ ଜାଣି ନ ପାରି ରାଧା ଶଙ୍କାରେ ପଡ଼ିଛନ୍ତି । ନାମ ସର୍ବଦା ପରିପୂର୍ଣ୍ଣ ତତ୍ତ୍ୱ । ହରି ନାମରେ ଜଡ଼ ସମ୍ପର୍କ ନାହିଁ; ତାହା ନିତ୍ୟ ମୁକ୍ତ । କାରଣ ତାହା ମାୟା ଗୁଣରେ ଅନାବଦ୍ଧ । ନାମ ସ୍ୱୟଂ କୃଷ୍ଣ । ତେଣୁ ଚୈତନ୍ୟ ରସର ବିଗ୍ରହସ୍ୱରୂପ । ସକଳପ୍ରକାର ଚିନ୍ମୟଗୁଣ ନାମରେ ହିଁ ସ୍ଥିତ । କୃଷ୍ଣ ହିଁ ରସ ସ୍ୱରୂପ । ସେ ଅନନ୍ତ, ସର୍ବଜ୍ଞ ଓ ସର୍ବଶକ୍ତିମାନ୍ । ସେ ଏକରସ ଓ ବହୁରସ ମଧ୍ୟ । ଏକରସରେ ସେ ସକଳ ଆତ୍ମସାତ୍‌ କରିବାଦ୍ୱାରା ସ୍ୱୟଂ ଆତ୍ମାରାମ । ସେ ଅବସ୍ଥାରେ ସେଥିରେ ପୃଥକ୍‌ ରସ ଭାବରେ ଆଉ କିଛି ରହେ ନାହିଁ । ପୁଣି ସେ ଯୁଗପତ୍‌ ବହୁ ରସ । ସୁତରାଂ ଆତ୍ମଗତ ରସ ବ୍ୟତୀତ ସେ ଅବସ୍ଥାରେ ପରଗତ ରସ ଓ ଆତ୍ମପରଯୋଗଗତ ପରମ ତଥା ବିଚିତ୍ର ରସର ଉତ୍ପନ୍ନ ହୁଏ । ସେହି ଦୁଇ ରସର ଅନୁଭବରେ ତାଙ୍କର ଲୀଳା ସୁଖ ଅନୁଭୂତ ହୁଏ । ପରଗତ ରସ ହିଁ ଚରମ ବିସ୍ତୃତି ଲାଭ କରି ପରକୀୟ ରସରେ ପରିଣତ ହୁଏ । ଏହାହିଁ ଆଲୋଚ୍ୟ କାବ୍ୟର ସାରମର୍ମ ।

ଭକ୍ତି ଓ ପ୍ରେମଭକ୍ତି :-

ସାଧ୍ୟ ସାଧନତତ୍ତ୍ୱ ଆଲୋଚନା କଲାବେଳେ ପଣ୍ଡିତମାନେ ଶ୍ରୀକୃଷ୍ଣଙ୍କୁହିଁ ଏହି ତତ୍ତ୍ୱର ଆଧାର ବୋଲି ଗ୍ରହଣ କରିଥାନ୍ତି । କେହି କେହି ପୁଣି ସାଧ୍ୟତତ୍ତ୍ୱକୁ ଦୁଇ ରୂପରେ ଦେଖିବାକୁ ଇଚ୍ଛୁକ; ମାତ୍ର ତାହା ଠିକ୍‌ ନୁହେଁ । ସାଧ୍ୟତତ୍ତ୍ୱ ଏକ ସିନା ଦୁଇ ନୁହେଁ, ପ୍ରକୃତି ଓ ଅଧିକାର ଭେଦରେ ସାଧ୍ୟବସ୍ତୁ ପୁଣି ତିନି ପ୍ରକାର –ଭୁକ୍ତି, ମୁକ୍ତି ଓ ଭକ୍ତି । କର୍ମପର୍ବର ଶେଷ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହେଇଛି ଭୁକ୍ତି, ଜ୍ଞାନପର୍ବର ମୁକ୍ତି । ଆଉ ଭକ୍ତିପର୍ବର ଚରମ ଲକ୍ଷ୍ୟ ହେଉଛି ପ୍ରେମଭକ୍ତି । ଭକ୍ତସମାଜରେ ଭକ୍ତି ହିଁ ଚରମ ଓ ପରମ କାମ୍ୟ । ଏହି ଭକ୍ତି ପୁଣି ଶେଷ ପର୍ଯ୍ୟାୟରେ ପ୍ରେମଭକ୍ତି ନାମରେ ନାମିତ ହୁଏ । ଅଭିମନ୍ୟୁ କାବ୍ୟର ବହୁସ୍ଥଳରେ ଏହି ପ୍ରେମଭକ୍ତିର ପରାକାଷ୍ଠା ଦର୍ଶାଇଅଛନ୍ତି । ସେଥିପାଇଁ ପ୍ରମେୟ ତତ୍ତ୍ୱରେ କବି ଅଭିମନ୍ୟୁ ବେଦ ଓ ତଦନୁଗତ ଶ୍ରୀମଦ୍‌ଭାଗବତାଦି ସ୍ମୃତିଶାସ୍ତ୍ର ତଥା ତଦନୁଗତ ପ୍ରତ୍ୟକ୍ଷାଦି ପ୍ରମାଣକୁହିଁ ଶ୍ରେଷ୍ଠ ରୂପେ ଗ୍ରହଣ କରିଛନ୍ତି- ଏହି ପ୍ରମାଣଦ୍ୱାରା ସ୍ୱୟଂ ହରି ଯେ ପରମତତ୍ତ୍ୱ ଏବଂ ସେ ଯେ ସର୍ବଶକ୍ତିସମ୍ପନ୍ନ ଓ ଅଖିଳ ରସାମୃତ ସିନ୍ଧୁ, ଏହା ହିଁ ସମର୍ଥିତ । ଚିଦଚିତ୍‌ ସମସ୍ତ ବିଶ୍ୱ ହିଁ ଶ୍ରୀକୃଷ୍ଣଙ୍କର ଅଚିନ୍ତ୍ୟ ଭେଦାଭେଦ ପ୍ରକାଶ । ଭକ୍ତି ହିଁ ଏକମାତ୍ର ସାଧନ ଏବଂ କୃଷ୍ଣପ୍ରୀତି ହିଁ ଏକମାତ୍ର ସାଧ୍ୟବସ୍ତୁ । ଏହା ହିଁ ପରମତତ୍ତ୍ୱ ଏବଂ ବିଦଗ୍‌ଧ ଚିନ୍ତାମଣି ଏହି ପରମ ତତ୍ତ୍ୱର ଚରମ ଭାଷ୍ୟ ବିଶେଷ୍ୟ ।

 

କାବ୍ୟରେ ସମାଜ ଚିତ୍ର :

ଯେ କୌଣସି କାବ୍ୟ ପାଠ କଲେ ନ୍ୟୂନାଧିକ ସମକାଳୀନ ସମାଜଚିତ୍ର ଉକ୍ତ କାବ୍ୟରେ ପ୍ରତିଫଳିତ ହୋଇଥାଏ । ସେହିପରି ବିଦଗ୍‌ଧ ଚିନ୍ତାମଣିରେ ମଧ୍ୟ ସାମାନ୍ୟ ଭାବରେ ଓଡ଼ିଶାର ସାମାଜିକ ଜୀବନର ଚିତ୍ର ଯେ ନାହିଁ ଏପରି ନୁହେଁ । ପ୍ରାଚୀନ ଓ ମଧ୍ୟଯୁଗୀୟ କବିମାନେ ସେପରି ଭାବରେ ସମାଜସଚେତନ ନ ଥିଲେ । କାବ୍ୟରେ ରସ ସୌନ୍ଦର୍ଯ୍ୟ ଚେତନାକୁ ପରିସ୍ଫୁଟ କରିବା ସେମାନଙ୍କର ଥିଲା ଅନ୍ୟତମ ଉଦ୍ଦେଶ୍ୟ । ତେଣୁ ସେମାନଙ୍କ ସୃଷ୍ଟିରେ ସମାଜ ପରିବର୍ତ୍ତେ ଧର୍ମ ଦର୍ଶନ ମୁଖ୍ୟ ସ୍ଥାନ ଅଧିକାର କରିଛି । ସର୍ବଶ୍ରେଣୀର ନରନାରୀମାନଙ୍କର ଜୀବନ ଚିତ୍ର ଖୋଜିବାକୁ ଗଲେ ପାଠକ ନିରାଶ ହୁଏ । ସେ ଯାହାହେଉ ଆଲୋଚ୍ୟ କାବ୍ୟ ବିଦଗ୍‌ଧ ଚିନ୍ତାମଣିରେ କିପରି କେଉଁଠି ସମାଜ ଜୀବନର ଚିତ୍ର ଚିଚିତ୍ର ହୋଇଛି ତାହା ହିଁ ଆମର ବିଚାର୍ଯ୍ୟ । କାବ୍ୟର ୬୩ ଛାନ୍ଦରେ ଶ୍ରୀକିଶୋରୀଙ୍କ ପାକକର୍ମାଦି ପ୍ରସଙ୍ଗରେ ତତ୍କାଳୀନ ଓଡ଼ିଶାର ରନ୍ଧନ ପ୍ରଣାଳୀର ଉଲ୍ଳେଖ କରିବାକୁ ବିସ୍ମୃତ ହୋଇନାହାନ୍ତି । ଗଉରୀ ଶଉରୀ ଓ ନଳରୀତିରେ ରନ୍ଧନ ପ୍ରଣାଳୀ ସେତେବେଳେ ଓଡ଼ିଆ ପରିବାରରେ ଏକରକମ ନିତ୍ୟ ଅନୁସୃତ ହେଉଥିଲା । ଏହି ରୀତିରେ ଶ୍ରୀମତି କିଶୋରୀ ସ୍ୱୟଂ ପାକକର୍ମ ସମାପନ କରିଥିଲେ । ମହାନ୍‌ ସଂସ୍କୃତିର ଦାୟାଦ ଏ ଜାତି ଜୀବନକୁ ଉପଭୋଗ କରିବାର ଅଭିଳାଷ ବରାବର ପୋଷଣ କରି ଆସିଛି । ପର୍ବପର୍ବାଣୀରେ ନାନାବିଧ ପୁଷ୍ଟିକର ପିଷ୍ଟକାଦି ଭକ୍ଷଣ କରି ସେ ଅପାର ଆନନ୍ଦ ଉପଭୋଗକୁ ଚରିତାର୍ଥ କରିଅଛି । ବିଶ୍ୱବିଶ୍ରୂତ ଜଗନ୍ନାଥ ମନ୍ଦିରରେ ନିତ୍ୟ ପ୍ରସ୍ତୁତ ୫୬ ପ୍ରକାର ଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ । ସେଥିମଧ୍ୟରୁ କେତୋଟି ଆମ ଓଡ଼ିଶାର ଅତି ଲୋକପ୍ରିୟ ରୁଚିକର ସୁମିଷ୍ଟ ପିଷ୍ଟକ । ଅଭିମନ୍ୟୁ କିଶୋରୀ ରାଧା ଓ ଅନ୍ୟାନ୍ୟ ଗୋପୀମାନେ କିପରି ସ୍ୱ ସ୍ୱ ଗୃହରେ ଷଡରସପୂର୍ଣ୍ଣ ନାନାପ୍ରକାର ପିଷ୍ଟ ଓ ବ୍ୟଞ୍ଜନାଦି ପ୍ରସ୍ତୁତ କରୁଥିଲେ ତା’ର ଏକ ତାଲିକା ପ୍ରଦାନ କରିଅଛନ୍ତି । ସଜନୀମାନଙ୍କ ସଙ୍ଗରେ ମିଳିମିଶି ସ୍ୱୟଂ ରାଧା ପାକଶାଳରେ ଷଡରସରେ ସଉରୀ ନଳ ଓ ଗଉରୀ ରୀତିରେ ଯେଉଁ ଶାକର, ଛେନା, ଦଧିପଣା, ପ୍ରପାନ ପ୍ରଭୃତି ପ୍ରସ୍ତୁତ କରିଥିଲେ ଏବଂ ବିଭିନ୍ନ ଗୋପୀମାନେ ଯେଉଁ ବ୍ୟଞ୍ଜନାଦି ଯଥା- ସୁକ୍ଷୀରନାଡି, ଫେଣି, ଚନ୍ଦ୍ରକାନ୍ତ, ପିଷ୍ଟକ, ଲଡ଼ୁକା, କ୍ଷିରୀଣି, ଝିଲି, ତିଳଲଡ଼ୁ, ଉଖୁଡ଼ା, ଦଧିବରା, ଦଧିମନ୍ଥା ଲବଣୀ, ଆଚାର, ହଂସକେଳି, ବଟକ ପ୍ରଭୃତିର ଏକ ବିବରଣୀ ପ୍ରଦାନପୂର୍ବକ ସ୍ୱୟଂ ଶ୍ରୀକୃଷ୍ଣ କିପରି ଏ ସବୁ ଭୋଜନ କରି ତୃପ୍ତି ଅନୁଭବ କରୁଥିଲେ ଏବଂ ଭୋଜନ ଅନ୍ତେ ଶଏ ପାହୁଣ୍ଡ ପର୍ଯ୍ୟନ୍ତ ବିଚରଣ କରି ଶୟନକକ୍ଷକୁ ଗମନ କରୁଥିଲେ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରକାଶ ଥାଉ କି ନୈଶଭୋଜନ ଶେଷରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଶଏ ପାହୁଣ୍ଡ ବିଚରଣ କରିବା ଉଚିତ୍ । ଏ ଆଦର୍ଶ ସେତେବେଳେ ସମାଜରେ ଅକ୍ଷୂର୍ଣ୍ଣ ଥିଲା । ଏତଦ୍ଦ୍ୱାରା ଭୁକ୍ତ ଖାଦ୍ୟ ଅନାୟାସରେ ପରିପାକ ହୋଇଯାଏ । ପୁନଶ୍ଚ ଉଚ୍ଚ ପରିବାରରେ ଖାଦ୍ୟ ଶେଷରେ ଚାରୁପକ୍ୱ, ତାମ୍ବୁଳ, ଲବଙ୍ଗ, ପୂଗ, ଏଜ, ରସାଳ ପ୍ରଭୃତି ସେବନ କରିବା ସେ କାଳର ଏକ ବିଧିବଦ୍ଧ ପ୍ରଥା ଓ ପରମ୍ପରାରେ ପର୍ଯ୍ୟବସିତ ଥିଲା । ସ୍ୱୟଂ ଶ୍ରୀକୃଷ୍ଣ ସୁଖାଦ୍ୟାନ୍ତେ ଏଗୁଡ଼ିକ ସେବନ କରୁଥିବାର ଦୃଷ୍ଟାନ୍ତ ବିରଳ ନୁହେଁ । ଲଗ୍ନ ଓ କୋଷ୍ଠି ବିଚାର ଓ ନାମକରଣ ଆମର ଏକ ସାମାଜିକ ରୀତିନୀତି ଓ ଏ ରୀତିର ଅନୁସରଣ କରି ଧନୀ କି ଦରିଦ୍ର ପରିବାରରେ ପରିଲକ୍ଷିତ । ଅଭିମନ୍ୟୁ ରାଧା ଜନ୍ମାଦି ଉତ୍ସବରେ ଜାତକ ବିଧି ସିଦ୍ଧିମନ୍ତ ଦୁର୍ବାସାଙ୍କୁ ରାଧାଙ୍କର କୋଷ୍ଠି ବିଚାରରେ ନିଯୁକ୍ତ କରିଛନ୍ତି ।

 

ପୁଣି କାବ୍ୟର ଆଉ କେତେକ ଛାନ୍ଦରେ ସେ କାଳର ପତ୍ରଲେଖନ ପ୍ରଣାଳୀର ଆଦର୍ଶ ମଧ୍ୟ ଅଭିବ୍ୟଞ୍ଜିତ । ପ୍ରତ୍ୟେକ ପତ୍ର ଲେଖିବା ଆରମ୍ଭରେ କୌଣସି ଦେବଦେବୀଙ୍କର ନାମ ସର୍ବାଗ୍ରେ ଲିପିବଦ୍ଧ ହେବା ଏକ ଚିରାଚରିତ ପ୍ରଥା ଏବଂ ଏ ପ୍ରଥା ଏବେ ବି ଉତ୍କଳର ଘରେ ଘରେ ଅନୁସୃତ ।

 

ରାଧା ଏବଂ କୃଷ୍ଣ ପରସ୍ପରକୁ ପତ୍ର ବିନିମୟ କଲାବେଳେ ‘‘ଶ୍ରୀ ଶ୍ରୀ ସଦାଶିବ ଚରଣେ ଶରଣ’’ ଏହା ଆଦ୍ୟରେ ଲେଖିଛନ୍ତି । ଶୁଭ ତଥା ମଙ୍ଗଳପ୍ରାପ୍ତି ଓ ବିଘ୍ନ ବିନାଶ ଉଦ୍ଦେଶ୍ୟରେ ଏହା ଲିଖିତ ହୋଇଥାଏ । ପତ୍ର ଲେଖିବାରେ ଯେଉଁ ଭାଷା ପ୍ରୟୋଗ କରାଯାଏ ଅଥବା ଯେଉଁ ଉପାଦାନ ବ୍ୟବହୃତ ହୁଏ ତା’ର ଇଙ୍ଗିତ ମଧ୍ୟ ପ୍ରଦତ୍ତ ହୋଇଅଛି । ହଳଦିଆ କାଗଜରେ ରଙ୍ଗ ବର୍ଣ୍ଣାଳୀରେ ପ୍ରେମାସ୍ପଦକୁ ପତ୍ର ଲେଖିବା ଏକ ଧର୍ମ । ଏଥିରୁ ଅନୁମତି ହୁଏ ଯେ, ସେକାଳରେ ହଳଦିଆ କାଗଜ ଓ ନାଲି ଅକ୍ଷରରେ ପତ୍ର ଲେଖା ହେଉଥିଲା । ପ୍ରେମିକପ୍ରେମିକାଙ୍କ ପ୍ରେମପତ୍ର କିପରି ଲିଖିତ ହେଉଥିଲା ତାର ଏକ ଆଦର୍ଶ ମଧ୍ୟ ଏ କାବ୍ୟରେ ସୁରକ୍ଷିତ ହୋଇଅଛି ଓ କି ଭାବରେ ଓ ଶୈଳୀରେ ପତ୍ର ଲିଖିତ ହେଉଥିଲା ତାହା ମଧ୍ୟ ଦୂତୀ ଭୂମିକାରେ ପରିଦୃଷ୍ଟ ହୁଏ । ଦୂତୀ ରାଧାଙ୍କୁ କୃଷ୍ଣଙ୍କ ପ୍ରେମପତ୍ର ପ୍ରଦାନ କରି କହୁଛନ୍ତି-

 

‘‘ସ୍ନେହ ସନ୍ଦର୍ଭ ଗର୍ଭପଦ ବିନ୍ୟାସ ଏ ପଦୁଁ ସେ ପଦ ସୁଖ

ପୀତ କାଗଜରେ ରଙ୍ଗବର୍ଣ୍ଣାବଳୀ ଏ କେଡ଼େ ସେନେହ ଦେଖ ।।’’

 

ବର୍ଣ୍ଣବିନ୍ୟାସରେ ହଳଦି ଓ ରଙ୍ଗ ଉଭୟେ ପବିତ୍ରତା ଓ ପ୍ରୀତିର ସୂଚକ । ପ୍ରତ୍ୟେକ ପରିବାରରେ ଗୋଚାରଣ ଓ ଗୋପାଳନ ଏକ ପବିତ୍ର କର୍ମରୂପେ ପରିଗଣିତ ହେଉଥିଲା । ଗୋରକ୍ଷଣ ଓ ଗୋସେବା ଗୃହସ୍ଥର ପରମଧର୍ମରୂପେ ବିବେଚିତ । ଏ ଧର୍ମକାର୍ଯ୍ୟରେ ଯେ ଆୟୁ, ଶ୍ରୀ, ଯଶ ବର୍ଦ୍ଧିତ ହୁଏ ତାହା କାବ୍ୟରେ ସୂଚିତ । ବିପଣୀ- ବର୍ଣ୍ଣନାରେ ଆମ ସମାଜର କେତେକ ସ୍ତରର ସ୍ତ୍ରୀଲୋକମାନେ ମଧ୍ୟ ବାଣିଜ୍ୟଦ୍ୱାରା ଜୀବିକା ନିର୍ବାହ କରୁଥିଲେ, ତାହାର ସଂକେତ କବି ପ୍ରଦାନ କରିଅଛନ୍ତି । ଏପରି ବିଚାର କଲେ ଆଲୋଚ୍ୟ କାବ୍ୟରେ ଆମର ସମାଜ ଏବଂ ସାମାଜିକ ଜୀବନର ଚିତ୍ର ସଂକ୍ଷିପ୍ତ ଭାବରେ ଅଙ୍କିତ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

କଳ୍ପନା ଚିତ୍ରାତ୍ମକତା ଓ ସାଙ୍ଗୀତିକତା :

ଆଧୁନିକ ଯୁଗର ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ସୌନ୍ଦର୍ଯ୍ୟର ବିଚାରମୂଳକ ଅଧ୍ୟୟନ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଛି । ଜ୍ଞାନବିଜ୍ଞାନର ବିକାଶ ସହ ସମତାଳିକା ଭାବରେ ସାହିତ୍ୟ ଓ କଳାର ବିଶ୍ଳେଷଣ ଅଧିକ ମନନଧର୍ମୀ ଓ ସୂକ୍ଷ୍ମତତ୍ତ୍ୱନୁଧ୍ୟାୟୀ ହୋଇଛି । ଏଥିଲାଗି ମନସ୍ତତ୍ତ୍ୱବିଜ୍ଞାନ, ସମାଜବିଜ୍ଞାନ ଆଦି ସହଯୋଗୀ ବିଦ୍ୟାସମୂହର ସହାୟତାକୁ ମହତ୍ତ୍ୱ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ କଳା ବିଚାରର ସୂକ୍ଷ୍ମାତିସୂକ୍ଷ୍ମ ପନ୍ଥା ନିର୍ଦ୍ଧାରଣର ପ୍ରଚେଷ୍ଟା ଅବ୍ୟାହତ ରହିଥିବା ଉପଲବ୍‌ଧି ହୁଏ । ଏ ସବୁ ପ୍ରକ୍ରିୟାର ପରିଣତିସ୍ୱରୂପ ପାଶ୍ଚାତ୍ୟ ସାହିତ୍ୟାଚାର୍ଯ୍ୟଗଣ ସାହିତ୍ୟର ଉତ୍କୃଷ୍ଟ ସମୀକ୍ଷା ଓ ଯଥାର୍ଥ ମୂଲ୍ୟାୟନ ନିମନ୍ତେ ସୃଷ୍ଟି ନିହିତ ‘ସୌନ୍ଦର୍ଯ୍ୟ’ ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି । କଳାତ୍ମକ କୃତିର ଗୁଣାତ୍ମକତା ପାଇଁ କଳାକାରର ସୌନ୍ଦର୍ଯ୍ୟ ଚେତନାକୁ ମୁଖ୍ୟ ଭୂମିକା ପ୍ରଦାନ କରିଥାନ୍ତି । ସ୍ରଷ୍ଟା ଓ ପାଠକ ମଧ୍ୟରେ ସାମ୍ୟ ନିରୂପଣ କରି ସୌନ୍ଦର୍ଯ୍ୟାନୁଭୂତିକୁ ହିଁ କଳାର ବିଶେଷତ୍ୱ ବୋଲି ମନେ କରିନ୍ତି । ସାଂପ୍ରତିକ ଯୁଗରେ ସାହିତ୍ୟ ସମୀଷାର ଉକ୍ତ ସିଦ୍ଧାନ୍ତ ମଧ୍ୟ ବହୁଳ ସମର୍ଥିତ ଓ ବ୍ୟାପକ ଭାବେ ଗୃହୀତ ହେଉଅଛି ।

 

ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ କାବ୍ୟକୃତି ମଧ୍ୟରେ ଅନନ୍ୟସାଧାରଣ କାବ୍ୟ- ‘ବିଦଗ୍‌ଧ ଚିନ୍ତାମଣି’ର ଅନୁଶୀଳନ ସୌନ୍ଦର୍ଯ୍ୟ ବିଚାର ଦୃଷ୍ଟିରୁ ମଧ୍ୟ କରାଯିବ ବିଧେୟ । ଅନ୍ୟଥା ଆଧୁନିକ ସୀମକ୍ଷାତତ୍ତ୍ୱର ମାନଦଣ୍ଡକୁ ଉପେକ୍ଷା କରାଗଲା ବୋଲି ଆକ୍ଷିପ୍ତ ହେବାର ସମ୍ଭାବନା ରହିଛି । ଅପର ପକ୍ଷରେ, ଅଧୁନାତନ ଯୁଗର କଳାତ୍ମକ ପ୍ରଭୃତି ସହ ମଧ୍ୟଯୁଗୀୟ ପ୍ରବୃତ୍ତିର ପାର୍ଥକ୍ୟ ଓ ଅନ୍ତରୀଣ ଉପାଦାନଗତ ସ୍ୱାତନ୍ତ୍ର୍ୟର ସ୍ପଷ୍ଟ ସ୍ୱାକ୍ଷର ପ୍ରଦର୍ଶନ ହୋଇପାରିବ । ସାଂପ୍ରତିକ ସୂକ୍ଷ୍ମକଳାବୋଧର ଚରିତାର୍ଥତା ପାଇଁ ତାହା କାହିଁକି ଓ କିପରି ଅସମର୍ଥ ସେ ସମ୍ପର୍କରେ ଆଲୋକପାତ କଲେ ଅସମୀଚୀନ ହେବ ନାହିଁ ।

 

ଆଧୁନିକ ସୌନ୍ଦର୍ଯ୍ୟଶାସ୍ତ୍ରୀଗଣ ‘ସୌନ୍ଦର୍ଯ୍ୟ’କୁ ଲଳିତ କଳା ମଧ୍ୟରେ ସୀମିତ କରିଛନ୍ତି । ସାହିତ୍ୟ ମଧ୍ୟରେ ସାହିତ୍ୟୋତ୍ତର ଚାରୁକଳାଗୁଡ଼ିକର ତାତ୍ତ୍ୱିକ ସମନ୍ୱୟ ସଂଘଟିତ ହୋଇଥିବାରୁ ସମଗ୍ର କଳା ବିଚାରକ୍ରମେ ସାହିତ୍ୟ ବିଚାରର ତତ୍ତ୍ୱାଶ୍ରୟୀ । ସେହି ତତ୍ତ୍ୱଗୁଡ଼ିକର ସଫଳ ରୂପାୟନ କ୍ରମେ କାବ୍ୟନିହିତ ସୌନ୍ଦର୍ଯ୍ୟର ସ୍ୱରୂପ ଓ ଉତ୍କର୍ଷରେ ସୀମାବଦ୍ଧ । ବର୍ତ୍ତମାନ ବିଦଗ୍‌ଧ ଚିନ୍ତାମଣିର ସଫଳତା ସେହି ସୌନ୍ଦର୍ଯ୍ୟ ତାତ୍ତ୍ୱିକ ମାନଦଣ୍ଡରେ ଆକଳନ କରାଯାଇପାରିବ ।

 

ସାହିତ୍ୟ ଅନ୍ତର୍ଗତ ସୌନ୍ଦର୍ଯ୍ୟ ଚେତନାର ସ୍ୱରୂପ ନିର୍ଦ୍ଧାରଣ ପାଇଁ ଏଯାବତ୍‌ ବିଶିଷ୍ଟ ତାତ୍ତ୍ୱିକ ଉପାଦନରୂପେ କଳ୍ପନା ଭାବବସ୍ତୁର ଚିତ୍ରାମତ୍କତାକୁ ହିଁ ସ୍ୱୀକାର କରାଯାଇଛି । ସୌନ୍ଦର୍ଯ୍ୟାନୁଭୂତି ମୁଖ୍ୟତଃ ଅଭିବ୍ୟକ୍ତିଭିତ୍ତିକ ହୋଇଥିବାରୁ ବିଦଗ୍‌ଧ ଚିନ୍ତାମଣି କାବ୍ୟ ମଧ୍ୟରେ କବିଙ୍କର ବୈଚିତ୍ର୍ୟ ବିମଣ୍ଡିତ ଅପୂର୍ବ ନିପୁଣତାର ଅନ୍ୱେଷଣକ୍ରମେ ତଦନ୍ତର୍ଗତ ସୌନ୍ଦର୍ଯ୍ୟଚେତନା ସମ୍ୱନ୍ଧରେ ଯଥାର୍ଥ ଆଲୋକପାତ ଏଯାବତ୍‌ ହୋଇନାହିଁ ।

 

କଳ୍ପନା :-

ଅଭିମନ୍ୟୁଙ୍କ ଅନବଦ୍ୟ ‘‘ସୃଷ୍ଟି-କଳ୍ପନାର’’ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ଅତୁଳନୀୟ । କଳ୍ପନାର ମୁଖ୍ୟ ପ୍ରବୃତି-ଅଭିନବ ରୂପ ରଚନା ଓ ନୂତନ ସଂଯୋଜନା ପଦ୍ଧତି-କବିକୃତିକୁ କାଳୋତ୍ତୀର୍ଣ୍ଣ ମହତ୍ତ୍ୱ ପ୍ରଦାନ କରିଛି । କାବ୍ୟ ମଧ୍ୟ ପ୍ରଯୁକ୍ତ କଳ୍ପନାର ବୈବିଧ୍ୟ ମଧ୍ୟ ସୃଷ୍ଟିକୁ ବୈଚିତ୍ର୍ୟମୟ ଓ ରସୋତ୍ତୀର୍ଣ୍ଣ କରି ଗଢ଼ି ତୋଳିଛି । ଉକ୍ତ ଅଭିମତର ସତ୍ୟତା କାବ୍ୟର ପ୍ରାୟୋଗିକ ଆଲୋଚନା କ୍ରମେ ନିର୍ଦ୍ଧରଣ କରାଯାଇପାରେ ।

 

ସୌନ୍ଦର୍ଯ୍ୟ ଶାସ୍ତ୍ରନୁମୋଦିତ କଳ୍ପନାକୁ ମୁଖ୍ୟତଃ ଦ୍ୱିବିଧ ପ୍ରକାରରେ ବିଭାଜନ କରାଯାଏ-ପୁନର୍ନିମାୟକ କଳ୍ପନା ଓ ରଚନାତ୍ମକ କଳ୍ପନା । ପୁନର୍ନିମାୟକ କଳ୍ପନା ବିଗତ ଘଟଣା ଅଥବା ପ୍ରାପ୍ତ ଅନୁଭୂତି ସମୂହକୁ ସ୍ମୃତି ମଧ୍ୟରେ ଉଦ୍‌ବୃଦ୍ଧ କରି ଅନ୍ତଃ ମାନସିକ ଭାବନାଦ୍ୱାରା ପ୍ରତିରୂପ ପ୍ରଦାନ କରେ ଏବଂ ତାହାର କଳାତ୍ମକ ପରିପ୍ରକାଶ ଘଟାଏ । ଉକ୍ତ କଳ୍ପନା ଅତିମାତ୍ରାରେ ସ୍ମୃତିନିର୍ଭରଶୀଳ ।

 

ଅଭିମନ୍ୟୁଙ୍କ କାବ୍ୟ-‘ବିଦଗ୍‌ଧ ଚିନ୍ତାମଣି’ ମଧ୍ୟରେ ସ୍ମୃତି ନିର୍ଭରଶୀଳ କଳ୍ପନାବିନିଯୋଗର ବ୍ୟାପକତା ବେଶ୍ ପରିଲକ୍ଷିତ ହୁଏ । ଏବଂବିଧ କଳ୍ପନାର ବିଶେଷତ୍ୱ ହେଉଛି ଏହା ମଧ୍ୟରେ ଆଲମ୍ବନ ଅପ୍ରତ୍ୟକ୍ଷ ବା ଦର୍ଶନେନ୍ଦ୍ରିୟର ଅଗୋଚରରେ ରହିଯାଏ; କିନ୍ତୁ ତାର ମାନସିକ ପ୍ରତ୍ୟକ୍ଷ ଘଟିଥାଏ । କାବ୍ୟ ବା ସାହିତ୍ୟରେ ବିଭାବର ସ୍ଥୂଳ ବା ପ୍ରତ୍ୟକ୍ଷ ଉପସ୍ଥିତି ଅନିବାର୍ଯ୍ୟ ନୁହେଁ । ତେଣୁ ମାନସିକ ପ୍ରତ୍ୟକ୍ଷ ଦ୍ୱାରା ଉଭୟ ସ୍ରଷ୍ଟା ଓ ସହୃଦୟ ପ୍ରାଣରେ ବସ୍ତୁ ବା ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ବା ପ୍ରତୀତି ଘଟିଥାଏ । ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟ ରାଧାକୃଷ୍ଣଙ୍କ ଅଲୌକିକ ପ୍ରେମ ସମ୍ବଳିତ ଆଲେଖ୍ୟ ରୂପ ବିବେଚିତ, ମାତ୍ର ରାଧାକୃଷ୍ଣଙ୍କର ନାମ ଅନ୍ତରାଳରେ ସାଧାରଣ ପ୍ରେମିକ ପ୍ରେମିକାଙ୍କର ପ୍ରେମ ଚିତ୍ର ଏହା ମଧ୍ୟରେ ପ୍ରଦତ୍ତ । ଏହା ମଧ୍ୟସ୍ଥ ଚନ୍ଦ୍ରାବଳୀ ସମ୍ଭୋଗ ବର୍ଣ୍ଣନା ବ୍ୟକ୍ତି ଅନୁଭୂତିର ସ୍ପଷ୍ଟ ଆଲୋଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏ ପ୍ରସଙ୍ଗରେ ପୁନର୍ନିର୍ମାୟକ କଳ୍ପନାର ଅନ୍ୟ ଏକ ଉପବିଭାଗ- ‘ସ୍ମୃତ୍ୟାଭାସ କଳ୍ପନା’ ସମ୍ପର୍କରେ ଆଲୋକପାତ କରାଯିବ ଆବଶ୍ୟକ । ପୁନର୍ନିର୍ମାୟକ କଳ୍ପନାର ଉକ୍ତ ବିଭାଗଦ୍ୱୟ ମଧ୍ୟରେ ପ୍ରଭୃତି ପାର୍ଥକ୍ୟ ବିଦ୍ୟମାନ । ଉକ୍ତ କଳ୍ପନାର ଆଧାରୀଭୂତ ଅନୁଭୂତି (ସ୍ମୃତି) ଅନ୍ୟଦ୍ୱାରା ଉପଲବ୍‌ଧ ହୋଇଥାଏ । ଇତିବୃତ୍ତ ଅଥବା ପୂର୍ବବର୍ତ୍ତୀମାନଙ୍କର କଥନିକା ବା ଆପ୍ତବାକ୍ୟ ଉପରେ ନିର୍ଭର କରି ଏହା ସଂଯୋଜିତ ହୋଇଥାଏ । ଉକ୍ତ କାବ୍ୟ ପୌରାଣିକ ବିଷୟଭିତ୍ତିକ ହୋଇଥିବା ଯୋଗୁ ଦୃଷ୍ଟାନ୍ତର ଅବତାରଣା ହାସ୍ୟାସ୍ପଦ ମାତ୍ର । ସର୍ବତ୍ର କାବ୍ୟର ପ୍ରତିପଦରେ ଉକ୍ତ କଳ୍ପନାବିଳାସର ଅଭିବ୍ୟକ୍ତି ଲକ୍ଷ୍ୟ କରାଯାଇପାରେ ।

 

ଆଲୋଚ୍ୟ କାବ୍ୟର ବିରହ ବର୍ଣ୍ଣନା ସମୟରେ ମୁଖ୍ୟତଃ ସ୍ମୃତିନିର୍ଭର କଳ୍ପନାର ପ୍ରାଚୁର୍ଯ୍ୟ ପରିଲକ୍ଷିତ । ନାୟକ ନାୟିକାଙ୍କର ବିରହଜନିତ ମାନସିକ ଅସ୍ଥିରତା ବାରମ୍ବାର ପୂର୍ବସ୍ମୃତି ଉଦ୍ରେକ କରେ । ଅନ୍ତର୍ଦହନ ଓ ପରସ୍ପରର ଆକର୍ଷଣକୁ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ସ୍ରଷ୍ଟା ଏହି ଅବସରର ସୁଯୋଗ ନିଏ । ସୁତରାଂ ବିରହକାଳୀନ ନାୟକ ନାୟିକାଙ୍କ ସ୍ମୃତି ପ୍ରତି ସ୍ୱାଭାବିକ ମୋହ କାବ୍ୟ ମଧ୍ୟରେ ରୂପାୟିତ ହୋଇ ସୃଷ୍ଟିକୁ ଆବେଗମୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସର୍ବକାଳୀନ ଆବେଦନରେ ସିକ୍ତ କରିଦିଏ । ଯାହାର ଅନିବାର୍ଯ୍ୟ ଫଳସ୍ୱରୂପ କଳାତ୍ମକ ସୃଷ୍ଟି ସାର୍ଥକତା ଲାଭକରେ ଓ ସ୍ରଷ୍ଟା ଅମର ହୁଏ । ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟ ବିଚାର ପ୍ରସଙ୍ଗରେ ରାଧାକୃଷ୍ଣଙ୍କର ତଥା ଅନ୍ୟାନ୍ୟ ଗୋପୀମାନଙ୍କର ବିରହ ଦଶାର ମନୋଜ୍ଞ ଚିତ୍ରପ୍ରଦାନରେ କବିଙ୍କ ଅସମାନ୍ୟ ସଫଳତା ସମ୍ପର୍କରେ ଉଦ୍ଧୃତି ପ୍ରଦାନ ଅନାବଶ୍ୟକ କାରଣ କାବ୍ୟର କେତେକ ଛନ୍ଦ ସ୍ୱତନ୍ତ୍ର ରୂପେ ଇଦୃଶ ବର୍ଣ୍ଣନାରେ ମଞ୍ଜୁଳରୂପ ପରିଗ୍ରହ କରିଛି ।

 

ବର୍ତ୍ତମାନ ‘କଳ୍ପନା’ରେ ଦ୍ୱିତୀୟ ବିଭାଗ ‘ରଚନାତ୍ମକ କଳ୍ପନା’ ବ୍ୟବହାରିକ ଦୃଷ୍ଟିରୁ ବିଦଗ୍‌ଧ ଚିନ୍ତାମଣି କାବ୍ୟରେ କିପରି ଆତ୍ମପ୍ରକାଶ କରିଛି- ସେ ସମ୍ପର୍କରେ ଆଲୋଚନା ଆବଶ୍ୟକ । ଉକ୍ତ କଳ୍ପନାର ମୁଖ୍ୟ ଉଦ୍ଦେଶ୍ୟ ହେଲା -ପୂର୍ବାନୁଭୂତ ବିଷୟକୁ ନବୀନ ରୂପ ପ୍ରଦାନ କରିବା । ଏହା ଅପେକ୍ଷାକୃତ ଅଧିକ କଳା ବରେଣ୍ୟ ରୂପେ ବିବେଚିତ । ବିଶ୍ଳେଷଣାତ୍ମକ ସୁଗମତା ପାଇଁ ଏହାର ଦୁଇଟି ଉପବିଭାଗ କରାଯିବା ପ୍ରାସଙ୍ଗିକ ମନେ ହୁଏ ସୌନ୍ଦର୍ଯ୍ୟବିଧାୟକ ରଚନାତ୍ମକ କଳ୍ପନା (Aesthetic Creative Imagination) ଓ ବ୍ୟବହାରିକ ରଚନାତ୍ମକ କଳ୍ପନା (Practical Creative Imagination) ବ୍ୟବହାରିକ ରଚନାତ୍ମକ କଳ୍ପନାର ପ୍ରଯୁକ୍ତି-ଦୈନନ୍ଦିନ ଆଚାର ବ୍ୟବହାର ଓ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପାଇଁ ହେଉଥିବାରୁ କଳା ସମୀକ୍ଷା ମୁହୂର୍ତ୍ତରେ ରଚନାତ୍ମକ କଳ୍ପନାର ସୌନ୍ଦର୍ଯ୍ୟ ବିଧାୟକ ଅଂଶଟିର ସହାୟତା ଗ୍ରହଣ କରାଯାଏ ଏବଂବିଧ କଳ୍ପନାର ଆବଶ୍ୟକ ବ୍ୟବହାର କିମ୍ବା ବର୍ଜନୂର୍ବକ ସହୃଦୟ ପାଠକ ଚିତ୍ତବୃତ୍ତି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଚିତ୍ରକଳ୍ପ ବା ଉପମାଦିର ସୃଷ୍ଟି ସମ୍ଭବ ହୁଏ ଓ ସୃଷ୍ଟି କ୍ରମଶଃ ସଫଳାତାର ସୋପାନ ଅତିକ୍ରମ କରେ । ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟରେ କବିଙ୍କର ବିଶିଷ୍ଟ ଉପମା ବିଧାନ ଉକ୍ତ କଳ୍ପନାଶକ୍ତିର ଉଜ୍ଜଳ ନିଦର୍ଶନ ମାତ୍ର ।

 

ରଚନାତ୍ମକ କଳ୍ପନାର ଯେଉଁ ବିଭାଗ ଉକ୍ତ ବାକ୍ୟରେ ଅପୂର୍ବ ମହିମାର ଉଦ୍ଭାସିତ ତାହା ଅନୁମାନାଶ୍ରିତ କଳ୍ପନା । କବିଚେତନାସ୍ଥ କୌଣସି ଭାବ ବସ୍ତୁ ଯେତେବେଳେ ଇନ୍ଦ୍ରିୟାନୁଭୂତି ପ୍ରଦାନରେ ସମର୍ଥନ ହୁଏ, ସେହି ବିଷୟ ବା ବସ୍ତୁ ପ୍ରଭାବଶାଳୀ ରୂପ ଅଙ୍କନ ପାଇଁ ସ୍ରଷ୍ଟାକୁ ଅନୁମାନ ଉପରେ ନିଭର କରିବାକୁ ପଡ଼େ । ଅନୁମାନ ପ୍ରଜ୍ଞାଯୁକ୍ତ ଓ ଔଚିତ୍ୟସମ୍ପନ୍ନ ହେଲେ ସୃଷ୍ଟିବିଶେଷ ସଫଳତା ଲାଭ କରେ । ‘ବିଦଗ୍‌ଧ ଚିନ୍ତାମଣି’ ହିଁ ଏବଂବିଧ ସଫଳତାର ଚରମ ନିଦର୍ଶନ । କାବ୍ୟାନ୍ତର୍ଗତ ଛାନ୍ଦ ଯଥା- ଊନଚତ୍ୱାରିଂଶ ଓ ଦ୍ୱିଚତ୍ୱାରିଂଶ ଛାନ୍ଦ ଏହାର ସାର୍ଥକ ପ୍ରତିଭୁ । ଏତଦ୍‌ଭିନ୍ନ ଅନ୍ୟାନ୍ୟ ବହୁ ଛାନ୍ଦ କବିଙ୍କ ଅନୁମାନଶ୍ରିତ କଳ୍ପନାର ମୁଦ୍ରାଙ୍କ ବହନ କରି ତାଙ୍କ ସୌନ୍ଦର୍ଯ୍ୟ ଚେତନାର ଅଭ୍ରାନ୍ତ ପ୍ରମାଣ ପ୍ରଦାନ କରେ ।

 

ଚିତ୍ରାତ୍ମକତା:

ସାହିତ୍ୟର ସୌନ୍ଦର୍ଯ୍ୟାନୁଭୂତି ନିମନ୍ତେ ଭାବର ଚିତ୍ରାତ୍ମକ ରୂପ ଅନ୍ୟତମ ତତ୍ତ୍ୱ ଭାବେ ସ୍ୱୀକୃତି । ସ୍ରଷ୍ଟା ବା କଳାକାରର ଭାବାନୁଭୂତି ଶାଦ୍ଦିକ ବିନ୍ୟାସ ଦ୍ୱାରା ଏପରି ଏକ ଚିତ୍ରରୂପ ଗ୍ରହଣ କରିଥାଏ ଯଦ୍ଦ୍ୱାରା ପାଠକ ଚିତ୍ତରେ ଅନୁରୂପ ଏକ ଭାବ ଅଙ୍କିତ ହେବା ସଙ୍ଗେ ସଙ୍ଗେ ଆବେଦନ ସୃଷ୍ଟି କରେ । ସୁତରାଂ ଚିତ୍ରରୂପ ହିଁ କଳାକାର ସହଜାନୁଭୂତିର ଅଭିବ୍ୟକ୍ତଗତ ସଫଳତା ପ୍ରମାଣିକ କରେ ଓ କଳାକାର ଅନ୍ତରାନୁଭୂତିର ସୌନ୍ଦର୍ଯ୍ୟ ଚେତନାକୁ ପରିପ୍ରକାଶ କରେ ।

 

ବିଦଗ୍‌ଧ କବି ଅଭିମନ୍ୟୁଙ୍କ ସଫଳତମ କୃତି ‘ବିଦଗ୍‌ଧ ଚିନ୍ତାମଣି’ ମଧ୍ୟରେ କବି ଚିତ୍ତର ତୀବ୍ର-ଅନୁଭୂତି ଇନ୍ଦ୍ରିୟଗ୍ରାହ୍ୟ ରୂପ ପରିଗ୍ରହ କରି ଚିତ୍ରାତ୍ମକତା ପ୍ରାପ୍ତ ହୋଇଛି । ଏହାର ଅମ୍ଳାନ ସ୍ୱାକ୍ଷର କାବ୍ୟର ବହୁ ସ୍ଥଳରେ ପରିସ୍ଫୁଟ । ତେବେ ପ୍ରସଙ୍ଗ କ୍ରମେ ସାମାନ୍ୟ ଉଦାହାରଣ ଅପରିହାର୍ଯ୍ୟ ମନେହୁଏ ।

 

ପ୍ରଥମ ଛାନ୍ଦରୁ ଆରମ୍ଭ କରି କବିଙ୍କର ଏବଂବିଧ ପ୍ରୟାସ ଅର୍ଥାତ ଭାବବସ୍ତୁ ଯଥାର୍ଥ ଅବବୋଧ ନିମନ୍ତେ ଚିତ୍ରରୂପ ପ୍ରଦାନ ପ୍ରବୃତ୍ତି ପରିଦୁଷ୍ଟ । ୧ମ ଛାନ୍ଦରେ - ଉତପ୍ଳୁତ ତନ୍ତୁବାୟ ସୂତ୍ର (୫ମ ପଦ); ଐରାବତଗତ (୧୨ଶ ପଦ); ଉଆଁସ ଅନ୍ଧାର, ଉଇଁଲା ରବି (୨୧ଶ ପଦ); ଟାଣ ଚଣା ଚର୍ବଣ ନାରଦ (୨୭ଶ ପଦ); ଶୂନୀପୁଚ୍ଛ (୪୨ଶ ପଦ); ୩ୟ ଛାନ୍ଦରେ- ଇନ୍ଦ୍ରନୀଳମଣି ଝଳି ଦର୍ପଣ (୨ୟ ପଦ); ମତ୍ତବୃଷଗତି ଗଜଗତିମତି (୧୦ମ ପଦ); ୬ଷ୍ଠ ଛାନ୍ଦରେ- ଆଣି କଣ୍ଡୁର ନ ବୋଳ ଆପଣା ଗାତ୍ରରେ (୨୨ଶ ପଦ); ୧୦ମ ଛାନ୍ଦରେ- ସଜସରୋଜ ବଦନ (୨୮ଶ ପଦ); ୧୧ଶ ଛାନ୍ଦରେ-ଦରପଣମୁହୀଁ (୨୨ଶ ପଦ); ୧୨ଶ ଛାନ୍ଦରେ -କୃଷ୍ଣ ଚାମର କେଶୀ (୧୨ଶ ପଦ) ଇତ୍ୟାଦି କବିଙ୍କ ଭାବାଭିବ୍ୟକ୍ତିପାଇଁ ଯଥାର୍ଥ ସହାୟକ ହୋଇଥିବା ଅନୁଭୂତି ହୁଏ । ପାଠକ ମନରେ ସ୍ରଷ୍ଟା ଅନୁରୂପ ଇନ୍ଦ୍ରିୟାନୁଭୂତ ଓ ଜ୍ଞାନାନୁଭୂତି ଜନ୍ମାଇ ସୌନ୍ଦର୍ଯ୍ୟାନୁଭୂତି ନିମନ୍ତେ ଉପଯୁକ୍ତ ପରିବେଶ ସୃଷ୍ଟିରେ ଏହା ସକ୍ଷମ ହୋଇଛି ।

 

କାବ୍ୟ ବା ସାହିତ୍ୟର ନିର୍ବିକଳ୍ପ ଆନନ୍ଦ ବା ସୌନ୍ଦର୍ଯ୍ୟାପଲବ୍‌ଧି ନିମନ୍ତେ ଯେଉଁ କାବ୍ୟିକ ଉପାଦାନ ତାର ସାର୍ଥକ ଓ ସଫଳ ଅଭିବ୍ୟକ୍ତି ମାଧ୍ୟମରେ କବି ଅଭିମନ୍ୟୁ ତଦୀୟ ସୃଷ୍ଟିକୁ ଚିରନ୍ତନ ଆବେଦନଯୁକ୍ତ କରି ପାରିଛନ୍ତି । ଏହାପୂର୍ବରୁ କୁହାଯାଇଛି- କାବ୍ୟସୁଧା ଆସ୍ୱାଦନ ପାଇଁ ଉପଯୁକ୍ତ ମାର୍ଗ ଅବଲମ୍ବନପୂର୍ବକ ଉଭୟ ଇନ୍ଦ୍ରିୟବୋଧ ଓ ମାନସିକ ଭାବନା ସୃଷ୍ଟିକରି ପାଠକ ମନରେ ଅନିର୍ବଚନୀୟ ଆନନ୍ଦ ସଞ୍ଚାରରେ କବି ସଫଳ ହୋଇଛନ୍ତି ଓ ପରବର୍ତ୍ତୀ କାବ୍ୟ ସ୍ରଷ୍ଟାଙ୍କ ପାଇଁ ଦିଗଦଶକର ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି । ତେଣୁ ସୌନ୍ଦର୍ଯ୍ୟଚେତନାଯୁକ୍ତ ବିଦଗ୍‌ଧ ଚିନ୍ତାମଣି ଯେପରି ଅଭୂତପୂର୍ବ ସୌନ୍ଦର୍ଯ୍ୟବୋଧ ବିକାଶରେ ପଥପ୍ରଦର୍ଶକ ହୋଇପାରିଛି ସେହିପରି ମଧ୍ୟ ହୋଇଛି ରସବୋଧର ଅପୂର୍ବ ନିର୍ଝରିଣୀ । ଅନେକ ସମୟରେ କବିଙ୍କ ବର୍ଣ୍ଣନା ପ୍ରସଙ୍ଗରେ ଫେନ୍‌ସି (Fancy) ବା ଅତିକଳ୍ପନା ବା ଅଦ୍ଭୁତକଳ୍ପନାର ସମାବେଶ ଦେଖିବାକୁ ମିଳେ । କଳ୍ପନାର କପୋଳକଳ୍ପିତ ବା ସଂପୂର୍ଣ୍ଣ ଅନୁମାନଭିତ୍ତିକ କଳାତ୍ମକ ପରିପ୍ରକାଶକୁ ଅତିକଳ୍ପନା (Fancy) ନାମରେ ନାମିତ କରାଯାଇଅଛି । କବି ନିଜର ଭାବାନୁଭୂତିକୁ ଶାଦ୍ଦିକ ସଂଯୋଜନା ମାଧ୍ୟମରେ ପାଠକର ଭାବଲୋକକୁ ପ୍ରବେଶ କରିବା ପାଇଁ ସଦା ସଚେଷ୍ଟ । ଏଥିଲାଗି ଇନ୍ଦ୍ରିୟ ସଂବେଦନା ପ୍ରକୃତ ମାଧ୍ୟମ ରୂପେ ସ୍ୱୀକୃତ । ସୁତରାଂ କବି କଳାତ୍ମକ ପ୍ରୟୋଜନା ମଧ୍ୟ ଦେଇ ପାଠକର ଇନ୍ଦ୍ରିୟଗ୍ରାହୀ ପ୍ରତିରୂପକୁ ରୂପକଳ୍ପ ବା ଚିତ୍ରକଳ୍ପ ରୂପରେ ନାମିତ କରାଯାଇଛି । ଦର୍ଶନେନ୍ଦ୍ରିୟକୁ ପଞ୍ଚନେନ୍ଦ୍ରିୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରାଯାଇଥିବାରୁ ମୁଖ୍ୟତଃ ‘ଚିତ୍ରକଳ୍ପ’ ନାମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଏ । ମାତ୍ର ତାହା ଭାବକଳ୍ପ ଭାବେ ଗୃହୀତ ହୋଇପାରେ । ‘‘ଟାଣ ଚଣା ଚର୍ବଣ ନାରଦ କଲା ପରି’’ ମଧ୍ୟରେ ସ୍ୱାଦେନ୍ଦ୍ରିୟର କ୍ରିୟା ଓ ଅନୁଭୂତି ସୃଷ୍ଟିକରି ସେଥିପ୍ରତି ସହୃଦୟର ଆବେଦନକୁ ଆକର୍ଷତ କରାଯାଇଛି ଓ ତଦ୍ଦ୍ୱାରା ‘‘ଟେକ ଓଜ କିପରି ଭାଙ୍ଗିଯିବ’’ ତାର ଏକ ଇନ୍ଦ୍ରିୟଗ୍ରାହ୍ୟ ରୂପ ମଧ୍ୟ ପ୍ରଦତ୍ତ ହୋଇଅଛି ।

 

ସାଙ୍ଗୀତିକତା

ବିଦଗ୍‌ଧ ଚିନ୍ତାମଣି କେବଳ ଭକ୍ତିକାବ୍ୟ, ରସସମ୍ୱଳୀ ବା ରସମୟ କାବ୍ୟ ନୁହେଁ, ଏକାଧାରରେ ଭକ୍ତି ଓ ସଂଗୀତମୟ କାବ୍ୟବିଶେଷ । ସମଗ୍ର ଗ୍ରନ୍ଥ ପାଠ କଲା ପରେ ଯେପରି ମନେହୁଏ ଏ ତ କାବ୍ୟନୁହେଁ ସଂଗୀତ ଶାସ୍ତ୍ରବିଶେଷ । ପ୍ରାଚୀନ ଓ ମଧ୍ୟଯୁଗୀୟ କବିମାନେ ଛାନ୍ଦସାହିତ୍ୟ ସୃଷ୍ଟି କରିଯାଇଅଛନ୍ତି । ତେଣୁ ସେମାନଙ୍କ ସୃଷ୍ଟିରେ ବିଭିନ୍ନ ରାଗରାଗିଣୀ, ତାଳବୃତ୍ତାଦିର ଏପରି ମଧୁର ସମାହାର ପରିଦୃଷ୍ଟ । ଆଲୋଚ୍ୟ କାବ୍ୟରେ ୯୬ଟି ରାଗର ପରିଚୟ ମିଳେ ଏହା ପୂର୍ବରୁ ଉଲ୍ଲେଖ କରାଯାଇଛି । ସେଥିରୁ ପ୍ରାୟ୩୦ଟି ରାଗ ଦୁଇ ଦୁଇବାର ବ୍ୟବହୃତ । ବିଭିନ୍ନ ଭାବର ପ୍ରକାଶପାଇଁ ବିଭିନ୍ନ ରୋଗର ପରିକଳ୍ପନା ପରିଲକ୍ଷିତ । ମାତ୍ର ଆଶ୍ଚର୍ଯ୍ୟର କଥା ଏହି ଯେ ସଂସ୍କୃତ ସଂଗୀତ ଶାସ୍ତ୍ରରେ ଯେଉଁ ଯେଉଁ ରାଗର ପ୍ରଚଳନ ଅଛି, ଓଡ଼ିଶାର କବିମାନେ ସେହି ସେହି ରାଗକୁ ସ୍ୱ ସ୍ୱ କାବ୍ୟରେ ସନ୍ନିବେଶିତ କରି ତାକୁ ଅବିକଳ ନରଖି ଯୁଗ୍ମରାଗ ଅର୍ଥାତ୍‌ ଦୁଇ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ସଂସ୍କୃତ ସଂଗୀତ ଶାସ୍ତ୍ରରେ ବ୍ୟବହୃତ ଗୋଟିଏ ରାଗ ସହିତ ଆଉ ଗୋଟିଏ ରାଗ ଯୋଗ କରି ନାମ ଦେଇଛନ୍ତି । କେଦାର କାମୋଦୀ, କେଦାର ଗୌଡ଼ା, କଲ୍ୟାଣ ଆହାରୀ ଇତ୍ୟାଦି । ପ୍ରକାଶ ଥାଉ କି ସଂସ୍କୃତରେ କେବଳ କଲ୍ୟାଣ ବା କେବଳ କଲ୍ୟାଣ ଆହାରୀ ଅଛି । ବୋଧହୁଏ ବିଭିନ୍ନ ଭାବ ଓ ଚିନ୍ତାର ଦ୍ୱୈତ ପ୍ରକାଶ ପାଇଁ ଏହିପରି ଦ୍ୱୈତ ରାଗର ସୂଚନା ସମ୍ଭବପର ହୋଇଅଛି । ରାଗଗୁଡ଼ିକ କେବଳ ସୁଗେୟ ନୁହେଁ, ଅନ୍ତର୍ନିହିତ ଭାବର ସୁସଂଯତ ପ୍ରକାଶ ପାଇଁ ଅତ୍ୟନ୍ତ ଉପଯୋଗୀ । ଯେପରି ଯୁଦ୍ଧ ବର୍ଣ୍ଣନା, ଏପରିକି ବର୍ଷାୠତୁ ବର୍ଣ୍ଣନା ପାଇଁ ଓଡ଼ିଆ କବିମାନେ ପାହାଡ଼ିଆ କେଦାର ରାଗର ଆଶ୍ରୟ ନେଇଛନ୍ତି, ସେହିପରି ଦୁଃଖ, ଖେଦୋକ୍ତି, ବିରହୋକ୍ତି, ପ୍ରକାଶ ପାଇଁ ଆହାରୀ ବା କଲ୍ୟାଣ ଆହାରୀ, କାମୋଦୀ ବା ଶୋକ କାମୋଦୀ, ଲଳିତ କାମୋଦୀ, କୁମ୍ଭ କାମୋଦୀ ବା ଦେଶାକ୍ଷ, ବା ଚିନ୍ତା ଦେଶାକ୍ଷରାଗ ଗୁଡ଼ିକର ବ୍ୟବହାର ଦେଖିବାକୁ ମିଳେ । ଯଦିପାତ ବା ଜିହ୍ନାର ବିରାମ ସ୍ଥଳ ପ୍ରତି କବି ବିଶେଷ ସାବଧାନତା ଅବଲମ୍ବନ କରିବାକୁ ଭୁଲିନାହାନ୍ତି । ପୁଣି କାଳର ପରିମାପକ ବିଭିନ୍ନ ତାଳର (ତାଳଃ କାଳକ୍ରିୟା ମାନମ୍) ମଧ୍ୟ ସୁଷମାବେଶ ପରିଦୃଷ୍ଟ । ରାଗ, ରୀତି ଓ ଧାରା ଏବଂ ଢଙ୍ଗ ବା ଦିଶା ପାଇଁ ବିଭିନ୍ନ ବୃତ୍ତର ବ୍ୟବହାର ଦେଖିବାକୁ ମିଳେ । ପୁନଶ୍ଚ ସଂଗୀତର ନମୁନା ବା ରାଗର ଆଦର୍ଶ ବା ଆଶ୍ରୟ ପାଇଁ ବିଭିନ୍ନ ବାଣୀର ଉପଯୋଗୀ କବିଙ୍କ ସଂଗୀତଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟର ପରିଚୟ ଦେଉଅଛି । ଏକ ସମୟରେ ବା ଯୁଗପତ୍‌ନାୟକ ନାୟିକାର ମାନସିକ ଅବସ୍ଥା ଓ ହୃଦୟ ଭାବରେ ଉଦ୍‌ବେଳନର ପ୍ରସ୍ଫୁଟନ ପାଇଁ ଯୁଗ୍ମରାଗର ପ୍ରଚଳନରେ କବିମାନଙ୍କ ସ୍ୱାତ୍ୱନ୍ତ୍ର୍ୟ ପରିଲକ୍ଷିତ ହୁଏ । ଏ କ୍ଷେତ୍ରରେ କବି ଅଭିମନ୍ୟୁ ପରମ୍ପରାଶ୍ରୟୀ । ଭଞ୍ଜ, ଦୀନକୃଷ୍ଣ ଓ ଭକ୍ତଦାସ ପ୍ରଭୃତି ଯୁଗପତ୍ ଦ୍ୱୈତ ଭାବରେ ଉଦ୍ରେକ ପାଇଁ ଯେପରି ଯୁଗ୍ମ ରାଗର ସୁଚନା ଦେଇଛନ୍ତି, ଅଭିମନ୍ୟୁ ମଧ୍ୟ ଠିକ୍ ସେହି ପନ୍ଥା ଅନୁସରଣ କରିଛନ୍ତି । ତେବେ ଆଲୋଚ୍ୟ କାବ୍ୟରେ କେତେକ ନୂତନ ରାଗରେ ସେ ପରିଚୟ ଦେଇଛନ୍ତି । ତେବେ ଆଲୋଚ୍ୟ କାବ୍ୟରେ କେତେକ ନୂତନ ରାଗର ସେ ପରିଚୟ ଦେଇଛନ୍ତି ଯଥା- ରଣବିଜେ, ସାରଙ୍ଗ, ସିନ୍ଧୁଡ଼ା, ପୂର୍ବୀ, ଢିପା, ଶଉଣୀ ପ୍ରଭୃତି । କେବଳ ଶୃଙ୍ଗାର ରସର ପରିପୋଷକ ଭାବେ ଗୋଟିଏ ରାଗ ଓ ଶୃଙ୍ଗାରାଶ୍ରିତ କରୁଣ ପାଇଁ ଯୁଗ୍ମ ରାଗର ପ୍ରଚଳନ କାବ୍ୟରେ ଦେଖିବାକୁ ମିଳିଥାଏ ଯଥା- କଲ୍ୟାଣ ଆହାରୀ, କଳହଂସ କାମୋଦୀ । ସାଧାରଣ ପାଠକ ଏହି ବିଭିନ୍ନ ସୁଗେୟ ରାଗ ରାଗିଣୀ ସାହାଯ୍ୟରେ କାବ୍ୟର ଅନ୍ତନିର୍ହିତ ଭାବେ ହୃଦୟଙ୍ଗମ କରି ନ ପାରିଲେ ମଧ୍ୟ ତାଳ-ଲୟାଦି ଆଶ୍ରୟରେ କେବଳ ଗାନ କରି ଅପାର ଆନନ୍ଦ ଲାଭ କରିଥାଏ ।

 

ଅଳଂକାରିକତା, ପାଣ୍ଡିତ୍ୟ ଓ କାବ୍ୟର ଦୋଷଗୁଣ ବିଚାର :

ସମଗ୍ର କାବ୍ୟର ୨୭, ୩୦, ୪୬ ଓ ୪୭ ଛାନ୍ଦଗୁଡ଼ିକରେ ବିଶେଷ ଭାବରେ ପାଣ୍ଡିତ୍ୟ, ଆଳଙ୍କାରିକତା ସହ ବର୍ଣ୍ଣନାଭଙ୍ଗୀରେ କବିଙ୍କର ଅପୂର୍ବ ଶକ୍ତି ପ୍ରକଟିତ ହୋଇଅଛି । କେତୋଟି ଉଦ୍ଧୃତି ସାହାଯ୍ୟରେ ବର୍ତ୍ତମାନ ତାହା ବିଚାର କରାଯାଉ । ଗୋଟିଏ ଗୋଟିଏ ପଦରେ ଏକାବେଳକେ ଏକାଧିକ ଅଳଙ୍କାରର ସମାବେଶ କବିଙ୍କ ସୃଷ୍ଟିକୁ କେବଳ ରମଣୀୟ କରିଅଛି ତାହା ନୁହେଁ, ତାହାକୁ ପରମ ସ୍ୱାଦ୍ୟ ଓ ଉପଭୋଗ୍ୟ ମଧ୍ୟ କରିଅଛି । ତ୍ରିଂଶ ଛାନ୍ଦରୁ ଏକ ଦୃଷ୍ଟାନ୍ତ-

 

‘‘ବିଚାରିକି ପଦ୍ମଯୋନି ସୁଧା ଅନୁରାଗ ଘେନି

ବିଶ୍ୱ ତୁଳନାରେ ତୁଳି କଳନା କରେ ।

ଉଶ୍ୱାସ ଭାଗ ଉଠିଲା, ଗରୁଆ ତଳକୁ ଗଲା

ଉଚ୍ଚ ନୀଚ ନୀଚ ଉଚ୍ଚ ଜଣା ବିଧିରେ ।

ସୁଧା ଅନୁରାଗ ସଙ୍ଗତେ

ସରିକରି ବୋଲି ପାରିବ କେ କେମନ୍ତେ ।’’

 

ପଦ୍ମଯୋନି ବ୍ରହ୍ମା ଅର୍ଥାତ୍ ସୃଷ୍ଟିକର୍ତ୍ତା ବିଚାର କରି ସୁଧା ଅମୃତ (ଧବଳ ଚନ୍ଦ୍ର ସ୍ଥାନୀୟ) ଓ ଅନୁରାଗ ପ୍ରେମ (ରକ୍ତବର୍ଣ୍ଣ ସୂର୍ଯ୍ୟ ସ୍ଥାନୀୟ) ଘେନି ବିଶ୍ୱରୂପୀ ତୁଳନା-ତୋଳନ ଦଣ୍ଡରେ (ତରାଜୁରେ) ତୁଳନା କରେ କି ? ଏଠାରେ ଉତ୍‌ପ୍ରେକ୍ଷାଳଙ୍କାର । ଚନ୍ଦ୍ରକୁ ସୁଧା ଓ ସୂର୍ଯ୍ୟଙ୍କୁ ଅନୁରାଗ ବୋଲି ଗ୍ରହଣ କରିବାରୁ ଅତିଶୟୋକ୍ତି ଅଳଙ୍କାର ଏବଂ ବିଶ୍ୱରେ ତୋଳନଦଣ୍ଡତ୍ୱ ଆରୋପ କରିବାରୁ ରୂପକାଳଙ୍କାର । ତଦ୍ଦ୍ୱାରା ଉଶ୍ୱାସଭାଗ ଉପରକୁ ଉଠିଲେ ଓ ସୂର୍ଯ୍ୟ କ୍ରମେ କ୍ରମେ ତଳକୁ ଖସିଲେ (ଦଣ୍ଡୀ ତରାଜୁରେ ଯେ ଉଚ୍ଚ ସେ ନୀଚ ଓ ଯେ ନୀଚ ସେ ଉଚ୍ଚ ହୋଇଯାଏ, ଏହା ଭଲ ଭାବରେ ଜଣାପଡ଼ି ଯାଉଅଛି । ଅନୁରାଗ ସହିତ ସୁଧାକୁ କିଏବା ସରି କରିପାରିବ ? ସୁଧାଠାରୁ ଅନୁରାଗର ଆଧିକ୍ୟ ପ୍ରତିପାଦିତ ହେବାରୁ ଏଠାରେ ବ୍ୟତିରେକ ଅଳଙ୍କାର ହେଲା ଏବଂ ଗୋଟିଏ ପଦରେ ଏତେଗୁଡ଼ିଏ ଅଳଙ୍କାର ଅଙ୍ଗାଙ୍ଗୀ ଭାବରେ ଥିବାରୁ ଏହା ଅଙ୍ଗାଙ୍ଗୀ ଭାବତ୍ମକ ‘‘ସଙ୍କର’’ ନାମକ ଅଳଙ୍କାର ମଧ୍ୟ ସୂଚିତ ହେଲା । ତେଣୁ ଏହା ଚମତ୍କାରିତ୍ୱ ପ୍ରାପ୍ତ ହୋଇଛି ।

 

ଉଶ୍ୱାସଭାଗରେ ତୁଳା ଦଣ୍ଡରେ ଉପରକୁ ଉଠିବା ଓ ଗୁରୁଭାଗ ତଳକୁ ଯିବାର ବର୍ଣ୍ଣନାର ସାମ୍ୟ ସଂସ୍କୃତ କାବ୍ୟରେ ଦେଖିବାକୁ ମିଳେ ଯଥା –

 

ସ୍ତୋକେନୋନ୍ନତି ମାୟାତି – ସ୍ତୋକେନାୟତ୍ୟଧୋଗତିମ୍

ଅହୋ ସୁସଦୃଶୀ ବୃତ୍ତିସ୍ତୁଳାକୋଟେଃ ଖଳସ୍ୟଚ । (ନୈଷଧ)

 

ଅର୍ଥାତ୍ ଅଳ୍ପକେ ଉପରକୁ ଉଠିଯାଏ ଓ ଅଳ୍ପକେ ତଳକୁ ଚାଲିଯାଏ । ଖଳ ବ୍ୟକ୍ତି ମଧ୍ୟ ସେହିପରି ଅଳ୍ପମାତ୍ର ଉତ୍କର୍ଷରେ ଗର୍ବରେ ଉତ୍‌ଫୁଲ୍ଲ ହୋଇଯାଏ ଓ ଈଷତ୍ ଅପକର୍ଷରେ ମଧ୍ୟ ହଠାତ୍ ବିଷର୍ଣ୍ଣ ହୋଇଯାଏ । ଓହୋ ତୁଳାଦଣ୍ଡ ଓ ଖଳର କି ସାଦୃଶ୍ୟ ! ପୁନଶ୍ଚ-

 

ପାରସ୍ପରିକ ଅନୁରାଗର ତୁଳନା ପାଇଁ ମଧ୍ୟ ନୈଷଧକାର କୁଳାଦଣ୍ଡର ଆଶ୍ରୟ ନେଇଛନ୍ତି-

 

‘‘କଂସୀକୃତାସ୍ୟାତ୍ ଖଳୁ ମଣ୍ଡଳୀନୋଃ

ସଂଯୁକ୍ତ ରଶ୍ମି ପ୍ରକାରା ସ୍ମରଣେ ।

ତୁଳାଚ ନାରାଚ ଲତା ନିଜୈବ

ମିଥୋନୁରାଗସ୍ୟ ସମୀକୃତୋବାମ୍‌।। (ନୈଷଧ)

 

କନ୍ଦର୍ପ ତୁମ ଦୁହିଁଙ୍କର (ନଳଦମୟନ୍ତୀ) ଅନୁରାଗକୁ ତୁଳିବା ପାଇଁ ଚନ୍ଦ୍ରମଣ୍ଡଳକୁ ବା ବିଶ୍ୱକୁ ଲୌହପାତ୍ର କରି ତାର କିରଣକୁ ରଜ୍ଜୁ ଏବଂ ନିଜର ଶରକୁ ତୋଳନଦଣ୍ଡ କରିଅଛି । ନୈଷଧଙ୍କ ଏ ବର୍ଣ୍ଣନାରେ କୌଣସି ଦୋଷ ନାହିଁ । ମାତ୍ର ଅଭିମନ୍ୟୁଙ୍କ ଭାଷାଗତ ସାମାନ୍ୟ ଦୋଷ ପରିଲକ୍ଷିତ ହୁଏ । ବିଶ୍ୱ ତୁଳାଦଣ୍ଡେ ତୁଳା କଳ୍ପନା କରେ ବୋଲି ନ କହି ‘‘ତୁଳନାରେ ତୁଳି’’ କହିବାଦ୍ୱାରା ଅବାଚକତ୍ୱ ଦୋଷ ସୂଚିତ ହେଉଅଛି ।

ଅଥବା ଅନ୍ୟତ୍ର-

 

‘‘ଶିବଙ୍କୁ ବୋଇଲେ ଭୀମ            ଅଛନ୍ତି ନାହାନ୍ତି ଭ୍ରମ

ଭୀମ ଗଙ୍ଗାକୁ ଲୋଡ଼ିଲେ ଜଟା ଫିଟାଇ

କୁସୁମବତୀ ବ୍ରତତୀ            ଅଦୃଷ୍ଟ ରଜାର ରୀତି

ମୋତିହାରବନ୍ତା ମତି ଚିନ୍ତାକୁ ପାଇ

ଭ୍ରମରେ ଭ୍ରମରେ ଭ୍ରମନ୍ତି । ମଧୁପପରାୟେ କୁମୁଦିନୀ ଲୋଡ଼ନ୍ତି ।’’

 

ଜ୍ୟୋସ୍ନାବିଧୌତ ରଜନୀରେ ସମଗ୍ର ବିଶ୍ୱ ଧବଳମୟ । ଏପରି ଭ୍ରମ ସୃଷ୍ଟି ହେଲା ଯେ ଦେବତାଙ୍କ ଏକରକମ ଚହଳ ପଡ଼ିଗଲା । ଫଳରେ ଭୀମ ଶିବ ଅର୍ଥାତ୍‌ ପାର୍ବତୀଙ୍କ ପାଇଁ ଅଛନ୍ତି ବା ନାହାନ୍ତି ବୋଲି ଭ୍ରମରେ ପଡ଼ିଗଲେ (ଯେଣୁ ଚନ୍ଦ୍ର କିରଣରେ ଧବଳାଙ୍ଗୀ ଗଙ୍ଗା ମିଶିଯିବାରୁ ) କୁସୁମବତୀ ବ୍ରତତୀ ଅର୍ଥାତ୍‌ ପୁଷ୍ପଶାଳିନୀ ଲତାର (ପକ୍ଷାନ୍ତରେ ପୁଷ୍ପବତୀ- ରଜୋବତୀ ନାରୀ) ଅଦୃଷ୍ଟ ରଜାର ରୀତି ହେଲା । ଅଦୃଷ୍ଟ ରଜାର ରୀତିପୁଷ୍ପଶାଳିନୀ ନ ହୋଇଥିବା ଲତାତୁଲ୍ୟ (ପକ୍ଷାନ୍ତରେ ରଜୋଦର୍ଶନ ବା ରଜସ୍ୱଳା ନ ହୋଇଥିବା ନାରୀତୁଲ୍ୟ ହୋଇଗଲେ) । ଅର୍ଥାତ୍‌ ଚନ୍ଦ୍ରକିରଣରେ ଧଳାଫୁଲ ମିଶିଯାଇ ଆଉ ଦିଶିଲା ନାହିଁ । ଏଠାରେ ଶବ୍ଦ ଶକ୍ତିବଳରୁ କୁସୁମବତୀ କିପରି ଅଦୃଷ୍ଟ ରଜା ହେଲା, ଏହି ପ୍ରକାର ବିରୋଧ ପ୍ରତୀତ ହେବାରୁ ଶ୍ଳେଷମୂଳକ ବିରୋଧାଭାଷ ଅଳଙ୍କାର ହେଲା । ମୋତିହାରବନ୍ତୀମୁକ୍ତାମାଳାଧାରିଣୀର ମତି –ମନ ଚିନ୍ତାକୁ ପାଇଲା । ଅର୍ଥାତ୍‌ ଚନ୍ଦ୍ରକିରଣରେ ମୁକ୍ତାମାଳା ମିଶିଯାଇ ଆଉ ଦିଶିଲା ନାହିଁ । ଭ୍ରମରମାନେ ଭ୍ରମରେ ଭ୍ରାନ୍ତିରେ ବୁଲୁଛନ୍ତି । ମଧୁପ ପରାଏ ଅର୍ଥାତ୍‌ ମଦ୍ୟପପ୍ରାୟ କୁମୁଦିନୀ କଇଁଫୁଲର ଲତାକୁ ପକ୍ଷାନ୍ତରେ କୁମୁଦିନୀ (କୁତ୍ସିତ ନାୟିକା)କୁ ଖୋଜିଲେ । ଏଠାରେ ଶ୍ଳେଷନୁପ୍ରାଣିତ ଉପମା ଅଳଙ୍କାର ଆଉ ଭ୍ରମରେ ଭ୍ରମରେ ଯମକାଳଙ୍କାର ପୁଣି ସମଗ୍ର ପଦରେ ଭ୍ରାନ୍ତିମାନ ଅଳଙ୍କାରର ସୁସମାବେଶ କେଡ଼େ ଚତ୍ମାକାରୀ ହୋଇଅଛି । ପୂର୍ବୋକ୍ତ ଅଳଙ୍କାରମାନଙ୍କ ଅଙ୍ଗାଙ୍ଗୀଭାବାତ୍ମକ ସଙ୍କର ଅଳଙ୍କାର ଏ ପଦରେ ମଧ୍ୟ ସୂଚିତ । କିନ୍ତୁ ସୂକ୍ଷ୍ମତିସୂକ୍ଷ୍ମ ବିଚାରଦ୍ୱାରା ଏଠାରେ ‘‘ସାମାନ୍ୟ’’ ନାମକ ଅଳଙ୍କାର ମଧ୍ୟ ହୋଇପାରେ । ସଂସ୍କୃତ ସୁଭାଷିତରେ ଏହିପରି ସାମାନ୍ୟଳଙ୍କାର ଥିବାର ନିଦର୍ଶନ ମିଳେ ଓ ଏ ଶ୍ଳୋକଦ୍ୱାରା କବି ପ୍ରଭାବିତ-

 

‘‘ମହାରାଜ! ଶ୍ରୀମାନ୍ ଜଗତ ଯଶସା ତେଧବଳିତେ

ପୟଃ ପାରାବାରଂ ପରମ ପୁରୁଷୋୟଂ ମୃଗୟତେ ।

କପର୍ଦୀ କୈଳାସଂ କୁଳିସରେ ପାଣିଃ କରିବରଂ

କଳାନାଥଂ ରାହୁଃ କମଳଭବନୋହଂ ସମଧୁନା ।’’

 

ଅର୍ଥାତ୍- କବି ରାଜାଙ୍କୁ କହୁଛନ୍ତି – ହେ ଶ୍ରୀମାନ୍ ମହାରାଜା, ତୁମ ଯଶଦ୍ୱାରା ଜଗତ୍ ଧବଳିତ ହୋଇଯିବାରୁ ଏହି ପରମ ପୁରୁଷ ବିଷ୍ଣୁ କ୍ଷୀରସାଗରକୁ (ନିଜର ଶୟନ ସ୍ଥାନ) ଖୋଜୁଛନ୍ତି-। କାରଣ ଯଶର ଧାବଲ୍ୟରେ କ୍ଷୀରସାଗର ମିଶିଯାଇ ଜଣାପଡ଼ୁନାହିଁ । ଶିବ କୈଳାସକୁ (ଧଳାକୁ) ଇନ୍ଦ୍ର କରିବର ଐରାବତ ହସ୍ତୀକୁ (ଧଳା) ରାହୁ କଳାନାଥ ଚନ୍ଦ୍ରଙ୍କୁ ଓ କମଳଭାବ ବ୍ରହ୍ମା ବର୍ତ୍ତମାନ ହଂସକୁ (ଧଳା) ଖୋଜୁଛନ୍ତି । ଅଥବା ତ୍ରିଂଶ ଛାନ୍ଦରେ ୩ୟ ପଦ ଦେଖନ୍ତୁ-

 

‘‘ତାତସିଦ୍ଧିକି ବଳିବ                  ବିଚାରିକି କାମଦେବ

ମାଣିକ୍ୟ ହୀରା ରଥାଙ୍ଗ ପେଷି ଦେଇଛି

ବିଯୋଗୀ ସୁଖ ଦୁଃଖଦ            ସଂଯୋଗୀ ସୁଖ ଦୁଃଖଦ

ପରସ୍ପରେ ବିରୋଧାଭାସକୁ କରୁଛି

ତମ ନାଶନେ ତ ପ୍ରୟାଗ

ତମେ ପଶେ, ତମୁଁ ଆସେ ଏ କି ସଂଯୋଗ ?’’

 

କାମଦେବଙ୍କ ପିତା ଅର୍ଥାତ୍ ସ୍ୱୟଂ ବିଷ୍ଣୁଙ୍କର ଚନ୍ତ୍ରାୟୁଧତ୍ୱ ସିଦ୍ଧିକୁ ବଳିବ- ଅତିକ୍ରମ କରିଯିବ ବୋଲି – ମାଣିକ୍ୟ ଓ ହୀରାର ରଥାଙ୍କ (ଚକ୍ର) ସୂର୍ଯ୍ୟ ଓ ଚନ୍ଦ୍ରସ୍ଥାନୀୟ ପେଷି ଦେଇଛି କି ? ଉତ୍‌ପ୍ରେକ୍ଷାଳଙ୍କାର । ସେ ଦୁହେଁ ବିଯୋଗୀ ପକ୍ଷରେ ସୁଖଦୁଃଖପ୍ରଦ ହୁଅନ୍ତି; ଅର୍ଥାତ୍ ସୂର୍ଯ୍ୟ ବିଯୋଗୀର ସୁଖଦ ଏବଂ ଚନ୍ଦ୍ର ବିଯୋଗୀ ଦୁଃଖଦ, ପୁଣି ସଂଯୋଗୀ ପକ୍ଷରେ ମଧ୍ୟ ଏ ଦୁହେଁ ସୁଖଦୁଃଖଦ ଅଟନ୍ତି । ଅର୍ଥାତ୍ ବିଯୋଗୀ ସୁଖ ଦୁଃଖଦ ଓ ସଂଯୋଗୀ ସୁଖ ଦୁଃଖଦ- ଏହାଦ୍ୱାରା ବିରୋଧାଭାସ ଅଳଙ୍କାର ପ୍ରତୀତ ହେଉଅଛି ।

 

ବିଷ୍ଣୁଙ୍କର ଚକ୍ର ତମ-ରାହୁ ନାଶ କରେ, ସୂର୍ଯ୍ୟ ଚନ୍ଦ୍ରଦ୍ୱୟ ତମ-ଅନ୍ଧାକାର ନାଶରେ ପ୍ରୟୋଗ । କିନ୍ତୁ ଏ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ରରୂପ ଚକ୍ରଦ୍ୱୟର ଏପରି ବିଲକ୍ଷଣ ଯେ ଜଣେ (ସୂର୍ଯ୍ୟ) ତମରେ ପଶୁଛି ଅର୍ଥାତ୍ ବୁଡ଼ିଯାଉଛି ଓ ଆଉ ଜଣେ (ଚନ୍ଦ୍ର) ତମୁଁ ଅନ୍ଧାକାରରୁ ଆସୁଛି ବା ନିର୍ଗତ ହେଉଛି- ଏହା କି ଆଶ୍ଚର୍ଯ୍ୟଜନକ ସଂଯୋଗ ବା ସ୍ଥିତି ? ଏଠାରେ ତମ ପଦର ଶ୍ଳେଷର ରାହୁ ଓ ଅନ୍ଧାକାରର ଅଭେଦ ଅଧ୍ୟବସିତ ହେବାରୁ ଅତିଶୟୋକ୍ତି ଓ ପୂର୍ବୋକ୍ତ ବିରୋଧାଭାଷ ସହିତ ସଂସୃଷ୍ଟି ନାମକ ଅଳଙ୍କାର ମଧ୍ୟ ବ୍ୟଞ୍ଜିତ । ପିତାଙ୍କ ସହିତ ପ୍ରତିସ୍ପର୍ଦ୍ଧା କରି କାମଦେବ କ’ଣ କରିଛି ଏ ସମ୍ୱନ୍ଧରେ ନୈଷଧର ସପ୍ତମ ସର୍ଗରେ ଗୋଟିଏ ଶ୍କୋକର ସାମ୍ୟ ପରିଲକ୍ଷିତ । ଯଥା –

 

ଚନ୍ତ୍ରେଣ ବିଶ୍ୱଂ ଯୁଧିମତ୍ସ୍ୟକେତୁଂ ପିତୁର୍ଜିତଂ ବୀକ୍ଷ୍ୟ ସୁଦର୍ଶନେନ ।

ଜଗଜ୍ଜିଗୀଷତ୍ୟମୁନା ନିତମ୍ୱ ମୟେନ କିଂ ଦୁର୍ଲଭଦର୍ଶନେନ ।।

(ନୈଷଧ ୭ମ ସର୍ଗ)

 

ଅର୍ଥାତ୍ ପିତାଙ୍କର ସୁଦର୍ଶନ ଚକ୍ରଦ୍ୱାରା ଯୁଦ୍ଧରେ ସମଗ୍ର ବିଶ୍ୱ ବିଜିତ ହୋଇଛି ବୋଲି ଦେଖି ଏହି ଦମୟନ୍ତୀ ନିତମ୍ୱରୂପକ ଦୁର୍ଲଭଦର୍ଶନ (ଯାହାକୁ ଦେଖିବା ଅତି ଦୁର୍ଲଭ) ଚକ୍ରଦ୍ୱାରା ଜଗତକୁ ଜିଣିବାକୁ ଇଚ୍ଛା କରୁଛି । ଅଥବା ୨୨ ପଦ ଦେଖନ୍ତୁ-

 

‘‘ଲାବଣ୍ୟ ରତ୍ନଭଣ୍ଡାର ଲୁଠନେ ନେତ୍ର ଚଉର

ତରତରେ କାହିଁ କେତେବେଳେ ମିଳଇ

ମନହୋର ତାହା ସଙ୍ଗୀ ଆଚରିଲା ସେହି ଭଙ୍ଗୀ

ଚଞ୍ଚଳାକାନ୍ତି ମଜ୍ଜନେ ଥୟ ନୁହଇ

ଏହି ଘେନି କଲି କଳ୍ପନା,

ଅସ୍ତବ୍ୟସ୍ତ କରି କଲେ ଶୋଭା ଭାବନା ।’’

 

ଲାବଣ୍ୟରୂପକ ରତ୍ନଭଣ୍ଡାର । ନେତ୍ରରୂପକ ଚୋର ଏବଂ ମନରୂପକ ଚୋରର ସାଥୀଏହାଦ୍ୱାରା ସାଙ୍ଗରୂପକ ଅଳଙ୍କାର । ଚଞ୍ଚଳା ଅର୍ଥାତ୍‌ ବିଦ୍ୟୁତ୍‌ରୂପିଣୀ ଭାବରେ ରାଧାକୁ ଗ୍ରହଣ କରିବାରେ ଅତିଶୟୋକ୍ତି । ସେହି ଚଞ୍ଚଳାର କାନ୍ତିରେ ଉକ୍ତ ଚୋର ଦୁହେଁ ମଜ୍ଜି ଯାଆନ୍ତେ; କିନ୍ତୁ ତରତରରେ କାହିଁ କେତେବେଳେ ମିଳିବାଦ୍ୱାରା ସ୍ଥିର ହୋଇପାରୁ ନାହାନ୍ତି । ଆଲୋଚ୍ୟ ଅଂଶରେ ନୈଷଧର ଅଷ୍ଟମ ସର୍ଗର ଏକ ଶ୍ଳୋକରେ ସାମ୍ୟ ବିଚାର୍ଯ୍ୟ । ନଳଙ୍କର ନେତ୍ର ଦମୟନ୍ତୀଙ୍କର ବିଭିନ୍ନ ଅଙ୍ଗକୁ ବାରବାର ଗତି କରିବାର ସାମ୍ୟ ରହିଛି ।

 

‘‘ହିତୈକମସ୍ୟାପଘନଂ ଦିଶନ୍ତୀ ତଂ ଦୃଷ୍ଟିରଙ୍ଗାନ୍ତର ଭକ୍ତି ସୀମାମ୍‌।

ଚିରଂ ଚକୋତ୍ତୋଭୟ ଲାଭଲୋଭାତ୍ ସ୍ୱଭାବଲୋଳା ଗତମାଗତଂ ଚ ।।

(ନୈଷମ)

 

ତ୍ରିଂଶ ଛାନ୍ଦରୁ ଆଉ ଗୋଟିଏ ମାତ୍ର ଉଦାହରଣ ନେଇ ଆମେ ବର୍ତ୍ତମାନ ଅନ୍ୟଛାନ୍ଦର ଆଲୋଚନା କରିବା । ୩୯ ପଦ ଦେଖନ୍ତୁ –

 

‘‘ଅଳସାନ୍ତେ ନେତ୍ରପଦରେ            କୃଷାଶୋଭବ୍‌ଧି ଅମୃତେ

ବଡ଼ଶୀ ବୁଡ଼ାଇ ମନ-ମୀନ କି ଧରେ ।

ଟାଣିନେଇ ଝଟକରି            କୁଶ କଳସିରେ ଭରି

ପାଳନା କଲାକି ହାସାମୃତ ଦାନରେ ।

ସ୍ନେହଲାଜ ସଂଭ୍ରମ ମିଶା

ସମ୍ଭାବନା କଲାପରି ଉଠିଲା ଯୋଷା ।’’

 

ଶ୍ରୀରାଧା ଆଳସ୍ୟ ଭାଙ୍ଗିଲାପରେ ନେତ୍ରପକାନ୍ତେ = ମନ କୃଷ୍ଣ ଶୋଭା ରୂପେ ସାଗରରେ ଅମୃତେ = ଅମୃତପ୍ରାୟେ ଜଳରେ ବଡ଼ଶୀ = ବନିଶୀ ବୁଡ଼ାଇ ମାଛ ଧରୁଛ କି ? ଅର୍ଥାତ୍‌ ରାଧାଙ୍କର ନେତ୍ର ରୂପେ ମାଛକୁ ମନ ଧରି ରଖିଲା । ଅର୍ଥାତ୍‌ ଶ୍ରୀରାଧାଙ୍କ ନେତ୍ର ଲାଖିଗଲା । ନେତ୍ରକୁ ମୀନ ରୂପେ କଳ୍ପନା କରିବାର ଅତିଶୟୋକ୍ତି ଓ ଉତ୍‌ପ୍ରେକ୍ଷା । ସେହି ମୀନକୁ ବନଶୀ ପକାଇ ଝଟକରି ଟାଣିନେଲା ଓ କୁଚରୂପକ କଳସୀରେ ଭରିଦେଲା । (ଅର୍ଥାତ୍‌ ସେହି ନେତ୍ରରୂପେ ମୀନ କୁଚକଳସୀ ଉପରେ ପଡ଼ିଲା । ତାହାକୁ ହାସରୂପେ ଅମୃତ ଜଳଦାନ କରି (ମାଠିଆରେ ମାଛକୁ ପାଳିଲା) –ଏଠାରେ ତେଣୁ ରୂପକାନୁପ୍ରାଣିତ ଉତ୍‌ପ୍ରେକ୍ଷା । ମାତ୍ର ଏ ସ୍ଥଳରେ କାବ୍ୟର ଦୋଷ ସୂଚିତ ହୋଇଅଛି । ଏ କ୍ଷେତ୍ରରେ ରାଧାଙ୍କର ନେତ୍ର ଆଶକ୍ତ ଭାବରେ ନିଜ କୁଚକଳସୀ ଉପରେ ପଡ଼ିବା ଅସଙ୍ଗତ । ତେଣୁ କୃଷ୍ଣ ନେତ୍ର ଏପରି ଅର୍ଥ କରାଯିବା ସଙ୍ଗତ । କିନ୍ତୁ କବିଙ୍କ ଉକ୍ତିରୁ ତାହା ବ୍ୟକ୍ତ ହେଉନାହିଁ । ତେଣୁ ଅମତ ଯୋଗ ନାମକ ଦୋଷ ଏଠାରେ ପରିଲକ୍ଷିତ । ମାତ୍ର ବିଭିନ୍ନ ଅଳଙ୍କାର ସହ ଅପୂର୍ବ ବର୍ଣ୍ଣନା – ଭଙ୍ଗୀଦ୍ୱାରା କାବ୍ୟର ଶ୍ରୀ ଶତଗୁଣିତ ହୋଇଅଛି ।

 

ସେହିପରି ୨୭ ଛାନ୍ଦରେ ଶ୍ରୀକୃଷ୍ଣଙ୍କ ଛାମୁରେ ଦୂତୀ କିଶୋରୀଙ୍କ ଶୋଭାବର୍ଣ୍ଣନା ପ୍ରତି ଦୃଷ୍ଟିପାତ କରନ୍ତୁ ।

 

‘‘ବିଭୁଷିତର ଭୁଷିତ ବିଚାର । ବିଶେଷ ଅଳଙ୍କାର ଅଳଙ୍କାର

ବିଚିତ୍ର ଲାବଣ୍ୟ ଜନମ ସ୍ଥଳ । ବାଞ୍ଚାନିଧି ଭାବେ ଲତିକା ମୂଳ ସେ

ବିଶ୍ୱକର୍ମା ଗୁରୁ ଧନୀ ଯେ

ବର ଉପମା ମାନ – ଦାନକାରିଣୀ ଭଙ୍ଗୀଗୁଣ କୃତର୍ଥିନୀ ଯେ ।’’

 

ଶ୍ରୀରାଧାଙ୍କୁ ବିଭୁଷଣର ଭୁଷଣ ସ୍ୱରୂପ ବୋଲି ମନେ କରିବାରୁ ଏଠାରେ ରୂପକ ଅଳଙ୍କାର ପୁଣି ବିଶେଷ ଅଳଙ୍କାର, ଅଳଙ୍କାର କରିବାର ପୁନଶ୍ଚ ରୂପକ । ସେ ବିଚିତ୍ର ଲାବଣ୍ୟ- ସୌନ୍ଦର୍ଯ୍ୟ ବିଶେଷ ଜନ୍ମସ୍ଥାନ । ବାଞ୍ଛାନିଧି- ବାଞ୍ଛା-ପୂରଣକାରିଣୀ । ଭାବପ୍ରେମଭାବରୂପ ଲତିକାର ମୂଳ ସ୍ୱରୂପା (ରୂପକ) । ଧନୀ ରାଧା ବିଶ୍ୱକର୍ମା ବ୍ରହ୍ମାଦିଙ୍କର ଗୁରୁ ଶିକ୍ଷୟତ୍ରୀ ଅର୍ଥାତ୍‌ ବିଧାତା ଶ୍ରୀରାଧାଙ୍କ ରୂପଦର୍ଶନ କରି ସୌନ୍ଦର୍ଯ୍ୟ ବିଶିଷ୍ଟ ନାୟିକା ରଚନା କରିବାର କୌଶଳ ଶିଖିଛନ୍ତି । ଅସମ୍ୱନ୍ଧ ସମ୍ୱନ୍ଧରୂପା ଅତିଶୟୋକ୍ତି- ସେ ପୁଣି ଚନ୍ଦ୍ର ପଦ୍ମାଦି ଶ୍ରେଷ୍ଠ ଉପମାମାନଙ୍କର ମାନଦାନକାରିଣୀ- ସମ୍ମାନଦାତ୍ରୀ । ଶ୍ଳେଷ ବଳରେ ଶ୍ରେଷ୍ଠ ଉପମାନଙ୍କର ମାନଗର୍ବର ଦାନକାରିଣୀ – ଏ ଅର୍ଥ ମଧ୍ୟ ପ୍ରତୀତ । ତେଣୁ ଶ୍ଳେଷଳଙ୍କାର- ସେ ନିଜର ଭଙ୍ଗୀ ଓ ଗୁଣମାନଙ୍କର କୃତାର୍ଥିନୀ- କୃତକୃତ୍ୟ ସଂପାଦନକାରିଣୀ ଅର୍ଥାତ୍‌ ଭଙ୍ଗୀ ଓ ଗୁଣମାନ ରାଧିକାଙ୍କଠାରେ ଆଶ୍ରିତ ହୋଇ କୃତକୃତ୍ୟ ହୋଇ ଯାଉଛନ୍ତି । ଏ ପଦରେ କାଳିଦାସଙ୍କ ‘‘ବିନ୍ତ୍ରମୋବଂଶୀ’’ର ପ୍ରଭାବ ପରିଲକ୍ଷିତ । ପୁରୁରବା ସଖୀଆଗରେ କହୁଛନ୍ତି-

 

‘‘ଆଭରଣସ୍ୟାଭରଣଂ ପ୍ରସାଧନ ବିଧେଃ ପ୍ରସାଧନ ବିଶେଷଃ

ଉପମାନସ୍ୟାପି ସଖେ ପ୍ରତ୍ୟୁପମାନତସ୍ୟାବପୁଃ ।’’

ନୈଷଧ ୭ମ ସର୍ଗରେ ମଧ୍ୟ ଉପରୋକ୍ତ ଶ୍ଳୋକର ସାମ୍ୟ ବିଚାର୍ଯ୍ୟ

‘‘ଭବ୍ୟାନି ହାନିରଗୁସେ ତଦଙ୍ଗାତ୍ = ଯଥାଯଥାନର୍ଭିତଥାତଥାତୈଃ ।

ତସ୍ୟାଧିକସ୍ୟୋପମୟା ପ୍ରମାଣଦାତା ପ୍ରତିଷ୍ଠାଂ ଖଳୁ ତେଭ୍ୟଏବ ।।’’

 

୪୬ଛାନ୍ଦରେ ଅନ୍ୟ ଏକ ପଦରେ କିପରି ମଧୁର ଅଳଙ୍କାରର ସମାହାର ତାହା ଦେଖନ୍ତୁ । ୪୬ରେ କୃଷ୍ଣ ମୁଖରେ ରାଧାଙ୍କ ରୂପ ବର୍ଣ୍ଣନା ପୁଣି ୪୭ରେ ରାଧାଙ୍କ ମୁଖରେ କୃଷ୍ଣଙ୍କ ରୂପ ବର୍ଣ୍ଣନା ପରମରମଣୀୟତାକୁ ପ୍ରାପ୍ତ ହୋଇଅଛି । ବିଭିନ୍ନ ଅଳଙ୍କାରରେ ପଦଗୁଡ଼ିକ ରୁଦ୍ଧିମନ୍ତ । ରାଧାଙ୍କ ଚାଲିବାର ଗତି ଏଠାରେ ବର୍ଣ୍ଣନୀୟ ବିଷୟ ।

 

‘‘ଗର୍ଭାଳସୀ ହଂସୀ ପ୍ରମତ୍ତକରୀ । ମଦମରଦନ ଗତିଚାତୁରୀ

ଚଳକିଶଳୟ ସ୍ଥଳକମଳ । ବିଞ୍ଚିଦେଲା ପରା ଚରଣତଳ ସେ

ସେ କାଳରେ ଶୋଭା ଦିଶେ ଯେ

ପଦତଳେ ଇନ୍ଦ୍ରପଦ ଜ୍ୱର ହେଲାପରାୟେ ମନକୁ ଆସେ ଯେ ।’’

 

ଶ୍ରୀରାଧାଙ୍କ ଗତିର ଚାତୁର୍ଯ୍ୟ- ଗର୍ଭାଳସା ହଂସୀ ଓ ମଦମତ୍ତଗତର ମଦ- ମରଦନ ଅର୍ଥାତ୍ ଗର୍ବଚୁର୍ଣ୍ଣିତା ସଂପାଦକ ଅଟେ । ପୁଣି ସେହି ପାଦତଳେ ଇନ୍ଦ୍ରପଦ ଲୁଟି ଯାଉଛି କି ? ଉପମା ଓ ଉତ୍‌ପ୍ରେକ୍ଷାରେ ଏ ପଦଟି ଅତ୍ୟନ୍ତ ମନୋହରୀ । କୁମାରସମ୍ବବର ପାର୍ବତୀଙ୍କ ରୂପ ବର୍ଣ୍ଣନାର ସାମ୍ୟ ଏଠାରେ ପରିଲକ୍ଷିତ । କାଳିଦାସ କହୁଛନ୍ତି-

 

‘‘ଅଭିନ୍ନତାଙ୍ଗୁଷ୍ଠନଖ ପ୍ରଭାଭିର୍ନିକ୍ଷେପଣାଦ୍ରାଗମିନୋଦ୍‌ଗିରନ୍ତୋ ।

ଆଜହ୍ରୁତୁ ସ୍ତବରେଣୈ ପୃଥିବ୍ୟାଂ- ସ୍ଥଳାରବିନ୍ଦଶ୍ରିୟମବ୍ୟବସ୍ଥାମ୍‌।।’’

(କୁମାରସମ୍ଭବମ୍‌)

 

ଅଥବା ଅନ୍ୟତ୍ର-

‘‘କାନ୍ତିପ୍ରତିବିମ୍ବି ମହୀମଣ୍ଡଳ । ପ୍ରତୀକ ଜାଗୁଡ଼ ଜନମ ସ୍ଥଳ ।

ଗଉର ଦିଶିଲା କାନନଯାକ । ହେବେ ସର୍ଜନ କଲା ବିଶ୍ୱାସୃକ ସେ

ଏମନ୍ତ ପ୍ରତୀତ ହେଲା ଯେ

ଚକ୍ରକାନ୍ତି ହରି ଆଣିଲା ଗଉରୀ ବଡ଼ାଇ ଲୋକେ ରଖିଲା ଯେ ।’’

 

ପଦଚାଳନା କଲାବେଳେ ରାଧାଙ୍କ କାନ୍ତି ମହୀମଣ୍ଡଳ = ଭୁମଣ୍ଡଳକୁ ପ୍ରତିବିମ୍ୱିତ କରୁଥାଏ-। ସେତେବେଳେ ପ୍ରତୀତ ହେଉଥାଏ ଯେ ଏହି ଭୂମି ଜାଗୁଡ଼ = କୁଙ୍କୁମ-ଏଠାରେ ବର୍ଣ୍ଣସାମ୍ୟ ଆଣିବା ପାଇଁ ଜାଫ୍ରାନ୍‌ କେଶରର ଜନ୍ମସ୍ଥଳ ଅଟେ ବୋଲି କହିବାରୁ ଉତ୍‌ପ୍ରେକ୍ଷା ଅଳଙ୍କାର-ତଦ୍ଦ୍ୱାରା ଉପବନଯାକ ଗୌରହଳଦିଆ ବର୍ଣ୍ଣ ଦିଶିଲା । (ଏଠାରେ କାନନ ନିଜ ବର୍ଣ୍ଣ ଛାଡ଼ି ଗୌରବର୍ଣ୍ଣ ଧାରଣ କରିବାରୁ ତଦ୍‌ଗୁଣ ନାମକ ଅଳଙ୍କାର ହେଲା । ) ତେଣୁ ଏଭଳି ପ୍ରତୀତ ହେଲା ଯେ ବିଶ୍ୱସୃକ୍‌ ବ୍ରହ୍ମା ସ୍ୱର୍ଣ୍ଣମୟ ସୃଷ୍ଟି କଲେ କି ? ଉତ୍‌ପ୍ରେକ୍ଷାଳଙ୍କାର ଗଉରୀ-ଗୌରହଳଦିଆ ବର୍ଣ୍ଣ-ବିଶିଷ୍ଟ ରାଧା ଚନ୍ଦ୍ରର କାନ୍ତିକୁ ହରି ଆଣିଲା ଓ ଦୁନିଆରେ ଚନ୍ଦ୍ରଠାରୁ ନିଜର ବଡ଼ାଇ-ବଡ଼ପଣ ରଖିପାରିଲା-। ଚନ୍ଦ୍ରକାନ୍ତିକୁ ହରି ନ ଆଣି-ଚନ୍ଦ୍ରର କାନ୍ତି ସଦୃଶ କାନ୍ତିମତ୍ତା ହୋଇଛନ୍ତି-ଏଭଳି ପ୍ରତୀତ ହେବାରୁ ନିଦର୍ଶନା ଅଳଙ୍କାର ହେଲା ଓ ଚନ୍ଦ୍ରର କାନ୍ତିହୀନତା ଓ ମୁଖର କାନ୍ତିମତ୍ତା ପ୍ରତୀତ ହେବାରୁ ବ୍ୟତିରେକ ଅଳଙ୍କାର ହେଲା ଏଠାରେ କୁମାରସମ୍ଭବରେ ପାର୍ବତୀଙ୍କ ରୂପ ବର୍ଣ୍ଣନାର ଆଦର୍ଶ ଲକ୍ଷଣୀୟ-କାଳିଦାସ କହୁଛନ୍ତି-

 

‘‘ଚନ୍ଦ୍ରଂଗତା ପଦ୍ମଗୁଣାନ୍‌ ନ ଭୁକ୍ତେଂ-ପଦ୍ମାଶ୍ରିତାଚାନ୍ଦ୍ରମସୀ ମଭିଖ୍ୟାମ୍‌ ।

ଉମାକୁଖଂ ତୁ ପ୍ରତିପଦ୍ୟଲୋଳା ଦ୍ୱିସଂଶ୍ରୟାଂ ପ୍ରୀତିମବାପଲକ୍ଷ୍ମୀ ।’’

 

ଚଞ୍ଚଳା ଲକ୍ଷ୍ମୀ (ଶୋଭା) ଚନ୍ଦ୍ରଗତା ହେଲାବେଳେ ପଦ୍ମଗୁଣକୁ ଭୋଗକରି ପାରନ୍ତି ନାହିଁ । ପଦ୍ମକୁ ଆଶ୍ରୟ କରିଥିବାବେଳେ ଚନ୍ଦ୍ରର ଶୋଭା ଉପଭୋଗ କରିପାରନ୍ତି ନାହିଁ । କିନ୍ତୁ ପାର୍ବତୀ ଏକାଧାରରେ ଚନ୍ଦ୍ର ଓ ପଦ୍ମର କାନ୍ତି ହରି ଆଣିଛନ୍ତି । ଏଠାରେ ମଧ୍ୟ ଠିକ୍‌ ସେହିପରି ଶୋଭାଲକ୍ଷ୍ମୀ ରାଧାଙ୍କର ବଦନ ଆଶ୍ରୟ ପୂର୍ବକ ଏକାଧାରରେ ଚନ୍ଦ୍ରଙ୍କ କାନ୍ତି ହରି ଆଣିଛି-୪୭ ଛାନ୍ଦରୁ ଏକ ଉଦାହରଣ ସାହାଯ୍ୟରେ କବିଙ୍କ ଅଳଙ୍କାର ପ୍ରୟୋଗର ଦକ୍ଷତା ଓ ଚମତ୍କାରିତା ପ୍ରକଟନ କରାଯିବ-। ଶ୍ରୀକିଶୋରୀଜୀଉ-ଶ୍ରୀରାଧାଙ୍କର-ବନଦର୍ଶନ ଓ ଶ୍ରୀକୃଷ୍ଣଙ୍କ ସୌନ୍ଦର୍ଯ୍ୟ-ସଖୀପୁରତରେ କଥନ-ବୟାନ-

 

‘‘କେତେକାଳ କଳ୍ପି କଳ୍ପି ବିଧି ସିଦ୍ଧିକଲା ବିଚିତ୍ର ପ୍ରତିମା

ମୋହନ ମନ୍ତ୍ରରେ ଜୀବନ୍ୟାସ କରି ଭୂଷିତ କଲା ଭଙ୍ଗୀମା ଗୋ ଭାବ ।

କଲା ଲଳିତମାଧୁର୍ଯ୍ୟାର୍ଣ୍ଣବ ଗୋ

ହେଲା ଗୁଣନିଧିରଖାଠାବ ଗୋ-ମାର ଦେବାର୍ଚ୍ଚନ ଦେବ ହେବ ଗୋ ।’’

 

ବିଧି-ବିଧାତା କେତେକାଳ ପର୍ଯ୍ୟନ୍ତ କଳ୍ପି କଳ୍ପି ଅର୍ଥାତ୍‌ କଳ୍ପନା କରି କରି (ଶ୍ରୀକୃଷ୍ଣଙ୍କ ରୂପ) ବିଚିତ୍ର ପ୍ରତିମା-ଆଶ୍ଚର୍ଯ୍ୟମୟ ପ୍ରତିମୂର୍ତ୍ତି ନିର୍ମାଣ ରୂପସିଦ୍ଧି ଲାଭକଲା-ବିଚିତ୍ର ପ୍ରତିମାରୂପ ସିଦ୍ଧିରେ ରୂପକ-ଅଳଙ୍କାର-ସେହି ମୂର୍ତ୍ତିରେ ମୋହନମନ୍ତ୍ରରେ ଜୀବନ୍ୟାସ କରି-ଜୀବାତ୍ମାର ସନ୍ମିବେଶକରି ସେଥିରେ ଭଙ୍ଗିମା-ଠାଣିକୁ ଭୁଷିତ କଲା-ଅଳଂକୃତ କଲା ଅର୍ଥାତ୍‌ ଅଳଙ୍କାର ଦ୍ୱାରା ଶରୀର ଶୋଭା ପାଇଲା । ବିଧାତା ତାଙ୍କୁ ଲଳିତମାଧୁର୍ଯ୍ୟାର୍ଣ୍ଣବ କଲା-ଏହି ବିବକ୍ଷାବଶତଃ-ଅସମ୍ବନ୍ଧେ ସମ୍ବନ୍ଧରୂପା ଅତିଶୟୋକ୍ତି ପୁଣି ସେହି ଶ୍ରୀକୃଷ୍ଣ ମାରଦେବର ବା କାମ-ଦେବର ଅର୍ଜନ ଦେବ-ପୂଜନୀୟ ଦେବତା ହେବ । ମାରଠାରୁ ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟ ଅଧିକ ପ୍ରତୀତ ହେବାରୁ ବ୍ୟତିରେକ ଅଳଙ୍କାର ଧ୍ୱନି ହେଲା-ସେହିପରି ।

 

‘‘ଉତ୍କଳଦେଶ ବସନ            ପିନ୍ଧାନୀବି କି ଶୋଭନ

ମାର ସରଘରର ତୈଲଙ୍ଗୀ କୁଂଚିକି

ପୁରୁଷ ହେଲେ ଆୟତ୍ତ            ଜୟବାଦ୍ୟ ବାଜିବତ

କିଙ୍କିଣୀ କିଣି ସ୍ଥକିତ ଏଣୁ ହେଲା କି ?

ରିପୁ ଜୟକାଳେ ଜୟ ବୋଲି ବୋବଳେ ।’’

 

ଉତ୍କଳ ଦେଶର ବସ୍ତ୍ରପିନ୍ଧା ପରି ବସ୍ତ୍ରପିନ୍ଧାରେ ନୀବୀ-ବସନଗ୍ରନ୍ଥି-କି ଶୋଭା ପାଉଛି । (କୃଷ୍ଣଙ୍କ ମୁଖରେ ନିଦ୍ରିତା ରାଧାଙ୍କର ଶୋଭା ବର୍ଣ୍ଣନା) କାମଦେବର ସରଘରର ସୁରକ୍ଷା ପାଇଁ ଏ ତେଲେଙ୍ଗୀ ଚାବିକି ? (ଉଦ୍‌ପ୍ରେକ୍ଷା) । ନାୟକ ଆୟତ୍ତ ହେଲେ ଜୟବାଦ୍ୟ ବାଜିବ ତ ? ଏଣୁ କଟି କଙ୍କିଣୀର କିଣିକିଣି ଶବ୍ଦ ବନ୍ଦ ହୋଇଯାଇଛି କି ? (ଉଦ୍‌ପ୍ରେକ୍ଷା) ରାଧାଙ୍କର ବଳା ନୂପୁର ପ୍ରଭୃତି ଭାବିଲେ ଯେ ସୁରତରେ କନ୍ଦର୍ପରୂପଶତ୍ରୁକୁ ଜୟକଲାବେଳେ ସେମାନେ ଆପେ ଆପେ ‘ଜୟ’ ବୋଲିବେ ଅର୍ଥାତ୍‌ ବାଜି ଉଠିବେ । ଏଠାରେ ଚତ୍ମକାର ଭାବରେ ଧ୍ୱନି ଅଳଙ୍କାର ସନ୍ନିବେଶିତ । ଏହା ରସଧ୍ୱନି ବିଶେଷ । ଏ ଛତ୍ରରେ ଅଚେତନ ଜଡ଼ ବସ୍ତୁରେ ଚେତନତ୍ୱର ଉପଲବ୍‌ଧି ଓ ଆରୋପ ପରିଲକ୍ଷିତ ।

 

ଅଳଙ୍କାର ଶାସ୍ତ୍ରାନୁଯାୟୀ କାବ୍ୟର ଦୋଷଗୁଣ ବିଚାର :

ସମୀକ୍ଷାପଦର ତାତ୍ପର୍ଯ୍ୟ ହେଉଛି ଗୁଣଦୋଷ ବିବେଚନ । ତେଣୁ ପ୍ରକୃତ କାବ୍ୟ ଓ କବିଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ଗୁଣ ଦୋଷ ବିବେଚନା ଶାସ୍ତ୍ରପ୍ରସିଦ୍ଧ ବୋଲି ପଣ୍ଡିତମାନଙ୍କର ମତ । ଅଳଙ୍କାର ଶାସ୍ତ୍ରରେ ଯେଉଁ ଦୋଷ ବିଚାର ବିମର୍ଷ ରହିଛି ତଦନୁରୂପ ଦୋଷଦୃଷ୍ଟି ରଖି ତାହାକୁ ପୂର୍ଣ୍ଣମାତ୍ରାରେ ବର୍ଜନ ବିଶ୍ୱ-ମହାକବି କାଳିଦାସ, ଭାରବୀ, ଶ୍ରୀହର୍ଷ, ମାଘ ପ୍ରଭୃତି ମଧ୍ୟ ଯଦ୍ୟପି କହିପାରି ନାହାନ୍ତି ତଥାପି ବ୍ୟାକରଣ ଦୋଷ, ଅନନ୍ୱୟ ଦୋଷ ବା ଭାଷାଦୋଷ ଅସମର୍ଥତ୍ୱ ଦୋଷ ପ୍ରଭୃତି ଦୋଷକୁ ଯଥାସମ୍ଭବ ସେମାନେ ବର୍ଜନ କରିଅଛନ୍ତି । ମାତ୍ର ଆମ ଉତ୍କଳୀୟ କବିମାନେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇନାହାନ୍ତି ବୋଲି ପ୍ରତୀୟମାନ ହୁଏ । କବି ଅଭିମନ୍ୟୁଙ୍କର ସୁଲକ୍ଷଣା, ରସବତୀ ଓ ପ୍ରେମକଳା, ପ୍ରେମଚିନ୍ତାମଣି ଏହି କୃତିମାନଙ୍କଠାରୁ ଆଲୋଚ୍ୟ କାବ୍ୟ ବିଦଗ୍‌ଧ ଚିନ୍ତାମଣିର ରଚନା ପୌଢ଼ତମ ବୋଲି ପୂର୍ବରୁ କୁହାଯାଇଛି । ଏହା ତାଙ୍କର ସର୍ବାନ୍ତିମ ଶ୍ରେଷ୍ଠ କୃତି । ଏଥିରେ ମଧ୍ୟ ଅଭବନ୍ମତ ଯୋଗତ୍ୱ ନାମକ ଅଳଙ୍କାରଶାସ୍ତ୍ରାକ୍ତ ଦୋଷ ଅର୍ଥାତ୍‌ ପଦାର୍ଥମାନଙ୍କର ପଦାର୍ଥମାନଙ୍କ ସହିତ ଏବଂ ବାକ୍ୟାର୍ଥ ସହିତ ଏବଂ ବାକ୍ୟାର୍ଥମାନଙ୍କ ବାକ୍ୟାର୍ଥ ସହିତ ସମ୍ବନ୍ଧ ବା ଅନ୍ୱୟ ହୋଇ ନ ପାରିବା ଦୋଷ କାବ୍ୟର ବହୁ ସ୍ଥଳରେ ପରିଲକ୍ଷିତ । ଯଥା ତ୍ରିଂଶ ଛାନ୍ଦର ୧୦ ପଦରେ-

 

‘‘ହରି କି ହରି ବିଚାର            କରବିକ୍ଷେପନେ ଡରି

ବାହୁ କଂପିତ ଘୋଡ଼ାଇ ଦେଲେ ଉରଜ ।’’

 

ଏଠାରେ ବ୍ୟାକରଣ ଦୃଷ୍ଟିରେ କର ବିକ୍ଷେପଣେ ନ କହି ବିକ୍ଷେପନେ ଲେଖିବା, ବାହୁ କଂପିତ ପରେ ‘‘କରି’’ ବୋଲିବା, ‘‘କଂପାଇ’’ ବୋଲି ନ କହିବା ଫଳରେ ନ୍ୟୂନପଦତ୍ୱ ଦୋଷ ଓ ଅନନ୍ୱୟ ଦୋଷ ସୁସ୍ପଷ୍ଟ । ପ୍ରାଚୀ ଟୀକାରୁ ପଦେ ପଦେ ଏହା ଦେଖି ଜାଣି ହେବ ଯେ ପ୍ରାୟ ବହୁ ସ୍ଥଳରେ ଅଗାଧତା ଅର୍ଥରେ ଅଗାଧ, ଅତଳସ୍ପର୍ଶିତା ଅର୍ଥରେ ଅଥଳ ପ୍ରଭୃତିର ଭାବପ୍ରଧାନ ନିର୍ଦ୍ଦେଶ-। ସେହିପରି ୩୦ ଛାନ୍ଦର ୨୦ ପଦରେ ‘‘କେ ତା ହେଲେ ଆଶ୍ରିତ ।’’ ଏଠାରେ ‘‘ତା ଆଶ୍ରିତ ହେଲେ’’ ନ କହିବାରୁ ଅନନ୍ୱୟ ବା ଅଭବନ୍ମତ ଯୋଗତ୍ୱ ଦୋଷ ରହୁଛି । ପୁଣି ୧୪ ପଦରେ-

 

‘‘ପରସ୍ପରେ ରୂପଧ୍ୟାନ ତନ୍ମୟ ଭାବରେ ମଗ୍ନ

କେତେବେଳାନ୍ତରେ ନିଦ୍ରା ହେବାର ଜାଣି ।’’

 

ଏ ଛତ୍ରରେ ପରସ୍ପର ରୂପଧ୍ୟାନର ଓ ତନ୍ମୟଭାବର ମଜ୍ଜନର କେତେବେଳେ ପରେ ଏପରି ଅର୍ଥ ବିବକ୍ଷିତ ହେଲେ ମଧ୍ୟ ଲେଖା ଅନୁସାରେ ପଦାର୍ଥମାନଙ୍କର ଅନ୍ୱୟ ସମ୍ଭବ ହୋଇପାରୁନାହିଁ । ପରସ୍ପର ପରିବର୍ତ୍ତେ ପରସ୍ପରେ ପ୍ରୟୋଗ ମଧ୍ୟ ବିଚାର୍ଯ୍ୟ । ସେହିପରି ‘‘ଶଶୀକି ପରିଧି ବିଧି ଶୟନ’’ ପୁଣି ଏଠାରେ ‘‘କଲେ’’ ପଦର ଅଧ୍ୟାହାର ନ କଲେ ଶୟନ ପଦର ଆକାଂକ୍ଷା ଅପୂର୍ଣ୍ଣ ରହି ଯାଉଛି । ଅବଶ୍ୟ ସେ କାଳର ଓଡ଼ିଆ ଭାଷା ଏବର ଭାଷା ଭଳି ସେପରି ମାର୍ଜିତ ବା ପରିଷ୍କୃତ ନ ଥିଲା । ଯାହାଫଳରେ ତାଙ୍କ କାବ୍ୟ ଏପରି ଦୋଷଗର୍ଭିତ ହୋଇ ଯାଇଛି । ଯେଉଁ ବ୍ୟକ୍ତି ସଂସ୍କୃତ ବ୍ୟାକରଣ ଓ ଅଳଙ୍କାର ଶାସ୍ତ୍ର ସହିତ ଘନିଷ୍ଠ ଭାବେ ସୁପରିଚିତ, ସେ କଦାପି ଏପରି କହିବା ସମ୍ଭବ ନୁହେଁ । ଦୋଷଦର୍ଶନ ଆମର କାମ୍ୟ ନୁହେଁ, କେବଳ ଦିଗ୍‌ଦର୍ଶନପାଇଁ କେତୋଟିର ନଜିର୍‌ ଦିଆଗଲା ; କିନ୍ତୁ କବି ଯେ ଜଣେ ଲୋକୋତ୍ତର ଓ ପ୍ରଦୀପ୍ତ ପ୍ରତିଭାର ଅଧିକାରୀ ଥିଲେ ଏହା ଯେ କୌଣସି ସମୀକ୍ଷକ ମୁକ୍ତ କଣ୍ଠରେ ସ୍ୱୀକାର କରିବେ । ସଂସ୍କୃତ ବ୍ୟାକରଣ ଶାସ୍ତ୍ରର ଅନୁଶୀଳନରୁ କବି ବେଳେ ବେଳେ ସଂସ୍କୃତ ଭାଷୋଚିତ ଯେଉଁ ଦୀର୍ଘ ସମାସସବୁ ଦେଖାଇଛନ୍ତି ତାହା ପ୍ରସଙ୍ଗ ପାଇଁ ସମୁଚିତ ହେଉ ବା ନ ହେଉ ତାଙ୍କ ଅପୂର୍ବ ନୈପୁଣ୍ୟର ପ୍ରମାପକ ।

 

ପ୍ରତିଭା :

ପୂର୍ବୋକ୍ତ ୪ ଛାନ୍ଦର ଆଲୋଚନା କଲେ ଜଣାଯାଏ ଯେ ଏଥିରେ ପ୍ରାୟ ପୂର୍ବରାଗ ବିପ୍ରଲମ୍ବର ଚିତ୍ରଣ ପ୍ରାଧାନ୍ୟ ଲାଭ କରିଛି । ଏ ମଧ୍ୟରେ ଦୂତୀ ମୁଖରେ ରାଧାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା-ଶ୍ରୀକୃଷ୍ଣଙ୍କ ମୁଖରେ ଶ୍ରୀରାଧାଙ୍କର ଓ ଶ୍ରୀରାଧାଙ୍କ ମୁଖରେ ଶ୍ରୀକୃଷ୍ଣଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା-ସେ ଦୁହିଁଙ୍କର ସମୁଜ୍ଜ୍ୱଳ ପ୍ରେମର ଜାଜ୍ଜ୍ୱଲ୍ୟମାନ ନିଦର୍ଶନ । ନାୟକ ନାୟିକାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ସଂସ୍କୃତ ମହାକାବ୍ୟମାନଙ୍କରେ ଭରପୁର । କିନ୍ତୁ ନାୟକ ମୁଖରେ ନାୟିକାର ଓ ନାୟିକା ମୁଖରେ ନାୟକର ସୌନ୍ଦର୍ଯ୍ୟ ବର୍ଣ୍ଣନା-ସେମାନଙ୍କ ହୃଦ୍‌ଗତ ରତିଭାବର ଯେଭଳି ସମ୍ୟକ-ପରିଚାୟକ-ଅନ୍ୟ ମୁଖରେ ବା କବି ମୁଖରେ ତାହା ସେଭଳି ସ୍ପଷ୍ଟ ପରିଚାୟକ ନୁହେଁ-ଏହା ଆଳଙ୍କାରିକମାନଙ୍କର ସିଦ୍ଧାନ୍ତ । ତଦନୁସାରେ ଯଦ୍ୟପି କାଳିଦାସ ପ୍ରଣୀତ ରଘୁବଂଶ, କୁମାରସମ୍ଭବ, ଭାରବୀପ୍ରଣୀତ କିରାତାର୍ଜ୍ଜୁନୀୟ ଓ ମାଘ ପ୍ରଣୀତ ଶିଶୁପାଳବଧ ପ୍ରଭୃତି କାବ୍ୟଠାରୁ ଯଥେଷ୍ଟ ପରିପୁଷ୍ଟ ଭାବେ ଶ୍ରୀହର୍ଷଙ୍କ-ନୈଷଧରେ ଏପରି ବର୍ଣ୍ଣନା ବିଳସିତ, ତଥାପି ଆଲୋଚ୍ୟ କାବ୍ୟରେ ଏ ପ୍ରସଙ୍ଗର ବର୍ଣ୍ଣନା ଅଧିକ ଉତ୍କର୍ଷମୟ । ନୈଷଧରେ ଯଦିଓ ନାୟକ ନଳଙ୍କ ମୁଖରେ ନାୟିକା ଦମୟନ୍ତୀଙ୍କ କେଶାଦି ପାଦ୍ୟନ୍ତ ବର୍ଣ୍ଣନା ସପ୍ତମ ସର୍ଗରେ, ପୁଣି ନାୟିକା ଦମୟନ୍ତୀଙ୍କ ମୁଖରେ ନାୟକ ନଳଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ଅଷ୍ଟମ ସର୍ଗରେ ପରିଦୃଷ୍ଟ ହୁଏ, ତଥାପି ଦମୟନ୍ତୀଙ୍କ ମୁଖରେ ନଳଙ୍କର ଯେଉଁ ରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା ତାହା ସେତେ ମନସ୍ତାତ୍ତ୍ୱିକତା ଓ ସ୍ୱାଭାବିକତାକୁ ଆଶ୍ରୟ କରିନାହିଁ । ତଦପେକ୍ଷା ଅଭିମନ୍ୟୁଙ୍କର ଶ୍ରୀରାଧାଙ୍କ ମୁଖରେ ଦୂତୀ ସମକ୍ଷରେ ଶ୍ରୀକୃଷ୍ଣଙ୍କର ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା ସନ୍ନିବେଶିତ ହୋଇଛି, ତାହା ଯଥେଷ୍ଟ ମନସ୍ତାତ୍ତ୍ୱିକ ଓ ସ୍ୱାଭାବିକତାନୁପ୍ରାଣିତ । ତେଣୁ ସହୃଦୟ ହୃଦୟାନୁମୋଦିତ ହୋଇପାରିଛି । ଏହା ଯେ କୌଣସି ନିରପେକ୍ଷ ସମୀକ୍ଷକ ଅକୁଣ୍ଠତ ଚିତ୍ତରେ ସ୍ୱୀକାର କରିବ । ନୈଷଧ କାବ୍ୟରେ କୌଣସି ସ୍ଥଳରେ ନଳଦମୟନ୍ତୀଙ୍କର ଯେଉଁ କେଶାଦି ପାଦାନ୍ତ ସୌନ୍ଦର୍ଯ୍ୟ ବର୍ଣ୍ଣନା ଓ ରୂପବର୍ଣ୍ଣନା ରହିଛି ତାହା ଯଥେଷ୍ଟ ମନଃସଂବାଦୀ ଏବଂ ଚମତ୍କାରୀ ହେଲେ ହେଁ କବି ଅଭିମନ୍ୟୁଙ୍କପରି ତାହା ପରସ୍ପରାଭିଳାଷବ୍ୟଞ୍ଜକ ନୁହେଁ । ପୁଣି କବିଙ୍କ ଅଳଙ୍କାର ପ୍ରୟୋଗ ଦକ୍ଷତା ସଂସ୍କୃତ କବିମାନଙ୍କ ଅପେକ୍ଷା ଅଧିକତର ଭାବରେ କାବ୍ୟରେ ମଧ୍ୟ ପରିସ୍ଫୁଟ । ଏ ଅଳଙ୍କାର ପ୍ରୟୋଗ କାବ୍ୟରେ ଏକ ସ୍ପୃହଣୀୟ ଓ ପରିପୋଷକ ଅଙ୍ଗରୂପେ ସହୃଦୟ ଶ୍ରୋତ ତଥା ପାଠକ ପ୍ରାଣରେ ଉଦ୍‌ବେଳନ ସୃଷ୍ଟି କରିଥାଏ । ପୂର୍ବରୁ କୁହାଯାଇଛି ଯେ ତାଙ୍କ ସୃଷ୍ଟି କର୍ମରେ ବହୁବିଧ ଅଳଙ୍କାର-ଅର୍ଥାଳଙ୍କାର ଓ ଯମକ ଅନୁପ୍ରାସ ଶବ୍ଦାଳଙ୍କାରର ସମୁଚିତ ପ୍ରୟୋଗ ଦୃଷ୍ଟିଗୋଚର ହୁଏ । ତନ୍‌ମଧ୍ୟରୁ ଉପମା, ବିଶେଷ କରି ଉତ୍‌ପ୍ରେକ୍ଷା, ବ୍ୟତିରେକ, ଅତିଶୟୋକ୍ତି, ଅପହ୍ଳୁତି, ଅନନ୍ୱୟ, ସନ୍ଦେହ, ସଂକର ପ୍ରଭୃତି ଅଳଙ୍କାର ପ୍ରୟୋଗ ବିଶେଷଭାବେ ଉଲ୍ଲେଖଯୋଗ୍ୟ-। ଧ୍ୱନିକାରଙ୍କ ମତରେ ଅଳଙ୍କାର ସେତେବେଳେ ଯାଇ ଅଳଙ୍କାର ପଦବାଚ୍ୟ ହେବ ଯେତେବେଳେ ସେହି ଅଳଙ୍କାର ରସ ବା ଧ୍ୱନିର ଅଙ୍ଗରୂପେ ତାର ଉପକାରକ ତଥା ପରିପୋଷକ ହେବ । ଅନ୍ୟଥା ଯଦି ସେହି ଅଳଙ୍କାର ରସ ବା ଧ୍ୱନିର ପରିପୁଷ୍ଟି ବା ଉପକାର ସାଧନ ନ କରି ନିଜର ସାମ୍ରାଜ୍ୟ ବିସ୍ତାର କରେ, ସେତେବେଳେ ତାହା ‘‘ଚିତ୍ର’ ପଦରେ ବ୍ୟପଦେଶ୍ୟ । (ଚିତ୍ର-ରେଖାବଦ୍ଧ କବିତା) (କବିତା-ଶବ୍ଦଦ୍ୱାରା ଚିତ୍ରିତ କବିକର୍ମ) ତଦନୁସାରେ କବିଙ୍କ ବ୍ୟବହୃତ ଅଳଙ୍କାରଗୁଡ଼ିକ କେବଳ ତାଙ୍କ କବିତା କାମିନୀର ଶବ୍ଦାର୍ଥରୂପେ ଶରୀରମାତ୍ରକୁ ଶୋଭିତ କରିଛି ତାହା ନୁହେଁ, ପ୍ରକୃତ ରସାଦିର ସମ୍ୟକ ପରିପୋଷକ ମଧ୍ୟ ହୋଇପାରିଛି ।

 

ସଂସ୍କୃତ କାବ୍ୟମାନଙ୍କରେ ଏହି ସିଦ୍ଧାନ୍ତାନୁସାରେ ଯେତେବେଳେ ଅଳଙ୍କାର, ରସ ବା ଧ୍ୱନିର ପରିପୋଷକ ରୂପେ ନ ଆସିଛି, ସେତେବେଳେ ତାହା ବିରଳଭାବକୁ ପ୍ରାପ୍ତ ହୋଇଛି ଏବଂ ଯେଉଁଠାରେ ଯଥା ମାଘ କାବ୍ୟ ପ୍ରଭୃତିରେ ଅଳଂକାର ଅବିରଳ ସେତେବେଳେ ତାହା ରସ ବା ଧ୍ୱନିର ପରିପୋଷକ ରୂପେ ପ୍ରକଟିତ । ମାତ୍ର ଅଭିମନ୍ୟୁଙ୍କ ଅଳଙ୍କାର ତୁଳନାରେ ତାହା ପୂର୍ଣ୍ଣ ମାତ୍ରାରେ ସଫଳ ନୁହେଁ । ଅଭିମନ୍ୟୁଙ୍କ ପ୍ରାୟ ପ୍ରତ୍ୟେକ ଛାନ୍ଦରେ ପ୍ରତ୍ୟେକ ପଦରେ ଏକାଧିକ ଅଳଙ୍କାରଗୁଡ଼ିକର ଯେଭଳି ଅଙ୍ଗାଙ୍ଗୀ ଭାବାତ୍ମକ ସଙ୍କର ଓ ସଂସୃଷ୍ଟି ସୃଷ୍ଟି ହୋଇଛି ଏବଂ ତାହା ପ୍ରକୃତ ରସ ବା ଧ୍ୱନିର ପରିପୁଷ୍ଟି ସାଧନ କରୁଛି ତାହା ଭାବିଲେ ଆପେ ଆପେ ନିରପେକ୍ଷ ପାଠକ ତଥା ସମୀକ୍ଷକର ହୃଦୟରୁ ସ୍ୱତଃ ଏହାହିଁ ବାହାରି ପଡ଼େ ଧନ୍ୟ କବି ଅଭିମନ୍ୟୁ, ତୁମେ ପ୍ରକୃତ ଉତ୍କଳ ସରସ୍ୱତୀଙ୍କର ବରପୁତ୍ର । କେଉଁ ଅଳଙ୍କାର କେଉଁଠାରେ କିପରି ଭାବରେ ରସ ପୋଷକ ହୋଇଛି ତାହା ଭାବିଲେ ପାଠକ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ସଂସ୍କୃତ କାବ୍ୟାଦିରେ ଏହା ମଧ୍ୟ ଦୁର୍ଲ୍ଲଭ ।

 

ଅଳଙ୍କାର ପରି ରସର ପରିପୁଷ୍ଟି ମଧ୍ୟ କାବ୍ୟରେ ଅନେକତ୍ର ପରିଲକ୍ଷିତ । ରସ କାବ୍ୟର ଆତ୍ମ ସ୍ଥାନୀୟ । ଏହା ସର୍ବଦା ସ୍ୱୀକୃତ । ତେଣୁ କାବ୍ୟ ପୁରୁଷ ବା କବିତା କାମିନୀର ଶବ୍ଦାର୍ଥ ରୂପ ଶରୀର ମାତ୍ର କିପରି ଅଳଙ୍କାରଦ୍ୱାରା ସୁସଜ୍ଜିତ ବା ସୁଶୋଭିତ ତଦପେକ୍ଷା ଆତ୍ମସ୍ଥାନୀୟ ରସର କିଦୃଶ ଉତ୍କର୍ଷ ସମ୍ଭବ ହୋଇଛି-ତାହାହିଁ କାବ୍ୟ ପାରଖୀ ପରୀକ୍ଷା କରିଥାଏ । ଅଳଙ୍କାର ସାହିତ୍ୟ ଦୃଷ୍ଟିରେ ବିଚାର କଲେ ଏହାହିଁ ଜଣାଯାଏ ଯେ ଏହି ମହାକାବ୍ୟର ମୁଖ୍ୟ ବା ଅଙ୍ଗୀରସ-ଆଦି ଶୃଙ୍ଗାର । ବିଶେଷତଃ ପୂର୍ବୋକ୍ତ ଚାରୋଟି ଛାନ୍ଦରେ ଏହା ଯେପରି ବର୍ଣ୍ଣିତ ଓ ପ୍ରଦର୍ଶିତ ହୋଇଛି ସେଥିରୁ ଅନ୍ତତଃ ଏହି ସିଦ୍ଧାନ୍ତରେ ସମୀକ୍ଷକ ଉପନୀତ ହୁଏ ଯେ ସମ୍ଭୋଗାଙ୍ଗ ବିପ୍ରଲମ୍ଭର ସମ୍ୟକ ପରିପାକ କାବ୍ୟରସିକ ସହୃଦୟ ବ୍ୟକ୍ତି ଏ କାବ୍ୟରୁ ଅନୁଭବ କରେ । ନୈଷଧ ମହାକାବ୍ୟରେ ଏ ପ୍ରକାର ପୂର୍ବରାଗ ବିପ୍ରଲମ୍ଭର ବର୍ଣ୍ଣନାରେ ନାୟକ ନାୟିକା ନଳ ଦମୟନ୍ତ୍ରୀଙ୍କର ଯେଉଁ ପ୍ରକାର ଅବସ୍ଥା ପ୍ରଦିପାଦିତ ହୋଇଛି ତା’ ତୁଳନାରେ ସାମନ୍ତଙ୍କ ଅଭିଳାଷାତ୍ମକ ପୂର୍ବରାଗ ବିପ୍ରଲମ୍ଭର ପରିପାକ ବହୁଗୁଣରେ ଉନ୍ନତ । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଏହାର ମୁଖ୍ୟରସ ମଧୁର; ଏହା ପୂର୍ବେ ସୂଚିତ । କିନ୍ତୁ ଶାସ୍ତ୍ରକାରମାନେ ମଧ୍ୟ ଶୃଙ୍ଗାର ଓ ମଧୁର ଭିତରେ ସେପରି ପାର୍ଥକ୍ୟ ଦେଖି ନାହାନ୍ତି-। ତେଣୁ କୁହାଯାଇଛି ‘‘ଶୃଙ୍ଗାର ଏବ ମଧୁର ପରପ୍ରହ୍ଲାଦନୋ ରସଃ ।’’

 

ଗୁଣ ଓ ରୀତି :

ଅଳଙ୍କାର ଶାସ୍ତ୍ରରେ ରୀତିକୁ କାବ୍ୟ ପୁରୁଷ ବା କବିତା କାମିନୀର ଅବୟବ ସଂସ୍ଥାନ ସ୍ଥାନୀୟ ବୋଲି ପ୍ରତିପାଦନ କରାଯାଇଛି । ସେହି ରୀତିଗୁଡ଼ିକ ଶବ୍ଦର ଧର୍ମ ହୋଇ ମଧ୍ୟ ଆତ୍ମଭୂତ ରସର ଉପକାରିଣୀ ହୋଇଥାନ୍ତି । କିନ୍ତୁ ସାକ୍ଷାତ୍‌ ନୁହେଁ ପରମ୍ପରାରେ ନିଜ (ରୀତି) ଆଶ୍ରିତ ଶବ୍ଦମାନଙ୍କ ଜରିଆରେ ବା ମାଧ୍ୟମରେ । ଏମାନଙ୍କୁ ଚାରିଭାଗରେ ବିଭକ୍ତ କରାଯାଇଛି ଯଥା-ବୈଦର୍ତ୍ତୀ, ଗୌଡ଼ୀ, ପାଞ୍ଚାଳୀ ଓ ଲାଟୀ । ଏଥି ମଧ୍ୟରୁ ଲାଟି ବିଶେଷ ଅନ୍ତର ନ ଥିବାରୁ ତାହା ପାଞ୍ଚାଳୀ ରୀତିର ଅନ୍ତର୍ଭୁକ୍ତ ବୋଲି ଆଚାର୍ଯ୍ୟମାନେ ଯଥା-କାବ୍ୟ ପ୍ରକାଶକାର ମମ୍ମଟ ପ୍ରଭୃତି ଲାଟୀ ଭିନ୍ନ ଆଉ ତିନୋଟି ରୀତିହିଁ ସ୍ୱୀକାର କରନ୍ତି । ଏହି ରୀତିଗୁଡ଼ିକ କାବ୍ୟର ଆତ୍ମଭୂତ ରସର ଉତ୍କର୍ଷ ପ୍ରୟୋଜନ ଧର୍ମଭୂତ ଗୁଣଗୁଡ଼ିକ ଯେଉଁ ଯେଉଁ ରସରେ ଯେ ଯେ ନିୟତ ସେହି ସେହି ଗୁଣଗୁଡ଼ିକ ପାଇଁ ଅନୁକୂଳ ହୋଇ ନ ପାରିଲେ କବିତା କାମିନୀର ଅବୟବ ସଂସ୍ଥାନରେ ତ୍ରୁଟି ଆସେ । ଆଲୋଚ୍ୟ କାବ୍ୟ ବିଦଗ୍‌ଧ ଚିନ୍ତାମଣିରେ ଏହି ତିନୋଟି ରୀତିର ବ୍ୟବହାର ଓ ଅନୁସରଣ ଦେଖିବାକୁ ମିଳେ । ବଶୀଭାଗ ବୈଦର୍ତ୍ତୀଗୌଡ଼ୀ ପ୍ରଧାନ ନୁହେଁ । ତେଣୁ ସୁକୁମାର ବର୍ଣ୍ଣରେ ସୁକୁମାର ଶୈଳୀରେ ତାଙ୍କର ବର୍ଣ୍ଣନା ବିଭବ ଅତ୍ୟନ୍ତ ଉଚ୍ଚକୋଟୀର ଓ ରସଧର୍ମୀ । ଏହି ପ୍ରସଙ୍ଗରେ ଗୁଣ ବିଷୟରେ ମଧ୍ୟ ଆଲୋକପାତ ଆବଶ୍ୟକ । ପ୍ରାଚୀନ ଆଳଙ୍କାରିକ ତଥା ଆଚାର୍ଯ୍ୟମାନେ କହିଛନ୍ତି ‘‘କାବ୍ୟସ୍ୟହି ଶବ୍ଦାର୍ଥୋ ଶରୀରମ୍‌ ଗୁଣାଃ ଶୌର୍ଯ୍ୟଦିବତ୍‌ ଦୋଷାଃ କାଣତ୍ୱ ଖଞ୍ଜତ୍ୱାଦିବତ୍‌ ଅଳଙ୍କାରାଃ କଟକ କୁଣ୍ଡଳାଦିବତ୍‌ ରୀତୟଃ ଅବୟବ ସଂସ୍ଥାନ ବିଶେଷବତ୍‌ । ରସାଦିଶ୍ଚ ଆତ୍ମାଇତି ।’’ ଏଣୁ ଗୁଣଗୁଡ଼ିକ ବିଭିନ୍ନରସର ନିୟତ ଧର୍ମ ଅଟନ୍ତି । ଅର୍ଥାତ୍‌ ନିର୍ଦ୍ଦିଷ୍ଟ ରସରେ ନିୟତଭାବେ ନିର୍ଦ୍ଦିଷ୍ଟ ଗୁଣ ଥାଏ । ଯେଉଁ ଗୁଣ ଥାଏ-ତାହାରି ଅନୁରୂପ ଭାବରେ ଶବ୍ଦ ବା ପଦ ସଂଘଟନା (ରୀତି) ସନ୍ନିବେଶିତ ହେବା ଉଚିତ୍‌ ।

 

ତଦନୁସାରେ ମାଧୁର୍ଯ୍ୟ, ଓଜଃ ଓ ପ୍ରସାଦ ଏହି ତିନୋଟି ମାତ୍ର ଗୁଣ । ବହୁ ପ୍ରାଚୀନ ମତମତାନ୍ତର ନିରାକରଣପୂର୍ବକ କାବ୍ୟପ୍ରକାଶ, ସାହିତ୍ୟଦର୍ପଣ ଓ ଧ୍ୱନ୍ୟାଲୋକ ଏବଂ ପଣ୍ଡିତରାଜ ଜଗନ୍ନାଥ ପ୍ରଣୀତ ରସଗଙ୍ଗାଧରରେ ସ୍ୱୀକାର କରାଯାଇଛି । ତନ୍‌ମଧ୍ୟରୁ ଶୃଙ୍ଗାର, କରୁଣ ଓ ଶାନ୍ତରେ ମୁଖ୍ୟତଃ ମାଧୁର୍ଯ୍ୟ ଗୁଣ ଥାଏ ଓ ତା’ସହିତ ‘ପ୍ରସାଦ’ ସର୍ବରସ ସାଧାରଣ ବୋଲି ତାହା ମଧ୍ୟ ବିଦ୍ୟମାନ । ଓଜଃ ନାମକ ଗୁଣଟି ବୀର, ବୀଭତ୍ସ ଓ ରୌଦ୍ରରସରେ ମୁଖ୍ୟତଃ ଏବଂ ପୂର୍ବୋକ୍ତ ପ୍ରସାଦ ଗୁଣ ମଧ୍ୟ ନିହିତ । ବୀଭତ୍ସରେ ଲେଶତଃ ମାଧୁର୍ଯ୍ୟ ଗୁଣ ମଧ୍ୟ ଅନୁବିଦ୍ଧ ଥାଏ । ଏହା ବ୍ୟତୀତ ହାସ୍ୟ, ଭୟାନକ, ଓ ଅଭୁତ ରସରେ ମାଧୁର୍ଯ୍ୟ ଗୁଣ ମଧ୍ୟ ଅନୁବିଦ୍ଧ ଥାଏ । ଏହାବ୍ୟତୀତ ହାସ୍ୟ, ଭୟାନକ, ଓ ଅଭୁତ ରସରେ ମାଧୁର୍ଯ୍ୟ, ଓଜଃ ଉଭୟ ଗୁଣର ସ୍ଥିତି ପରିଦୃଷ୍ଟ । ତହିଁରେ ପୁଣି ହାସ୍ୟ ପ୍ରଭୃତି ଯଦି ଶୃଙ୍ଗାର ରସର ଅଙ୍ଗଭୂତ ବିଭାଦିରୁ ଉତ୍ପନ୍ନ ହୁଅନ୍ତି-ତେବେ ସେଠାରେ ମାଧୁର୍ଯ୍ୟହିଁ ପ୍ରଦାନ ଓ ଓଜଃ ଅପ୍ରଧାନ ଭାବରେ ରହିଥାନ୍ତି ।

 

ଯଦି ବୀର ପ୍ରଭୃତି ରସର ଅଙ୍ଗଭୂତ ବିଭାବାଦିରୁ ଉତ୍ପନ୍ନ ହୁଅନ୍ତି ତେବେ ତାହା ଓଜପ୍ରଧାନ ଓ ମାଧୁର୍ଯ୍ୟ ଅପ୍ରଧାନ ଭାବରେ ପ୍ରତିଭାତ ହୁଅନ୍ତି । କେତେକଙ୍କ ମତରେ ହାସ୍ୟରସରେ ସର୍ବଦା ମାଧୁର୍ଯ୍ୟ ପ୍ରକୃଷ୍ଟ ଓ ଓଜଃ ଅତ୍ୟଳ୍ପ ଏବଂ ଭୟାନକ ଓ ଅଭୁତ ରସରେ ଓଜଃ ପ୍ରଧାନ ମାତ୍ର ମାଧୁର୍ଯ୍ୟ ସ୍ୱଳ୍ପମାତ୍ର । ଏହାହିଁ ସଂକ୍ଷେପରେ ବସ୍ତୁ ସ୍ଥିତି । ସେଇଥିପାଇଁ କବିଙ୍କ ପ୍ରତିପାଦିତ ଅଭିଳାଷରୂପ ପୂର୍ବରାଗ ବିପ୍ରଲମ୍ଭରେ ମାଧୁର୍ଯ୍ୟଗୁଣ ଯେଣୁ ନିୟତ ତେଣୁ ସେଥିରେ ବିପ୍ରତିପତ୍ତି କରିବାର ଆବଶ୍ୟକତା ନାହିଁ ।

 

ସୁତରାଂ ମାଧୁର୍ଯ୍ୟଗୁଣର ଅନୁରୂପ ବୈଦର୍ଭୀରୀତି ଏହି ଗ୍ରନ୍ଥର ୨୭, ୩୦, ୪୬, ୪୭ ଓ ଅନ୍ୟାନ୍ୟ ଛାନ୍ଦମାନଙ୍କରେ ବ୍ୟାପକ ଭାବେ ଅନୁସୃତ । ତଥାପି ବେଳେବେଳେ ଗୌଡ଼ୀରୀତିର ପ୍ରୟୋଗଦ୍ୱାରା କବିଙ୍କ ସ୍ଖଳନ ମଧ୍ୟ ଦୃଷ୍ଟିପଥାରୂଢ଼ ହେଉଅଛି । ଯେଣୁ ଗୌଡ଼ୀରୀତି ଓଜଃ ଗୁଣପାଇଁ ଅନୁରୂପ ଓ ପୋଷକ ଏବଂ ଦୀର୍ଘ ସମାସ ପ୍ରଭୃତି ମଧ୍ୟ ସେହି ଓଜଗୁଣର ବ୍ୟଞ୍ଜକ, ତେଣୁ କବି ଅଭିମନ୍ୟୁ କାବ୍ୟରେ ଯେଉଁ ଯେଉଁ ଛାନ୍ଦମାନଙ୍କରେ ସେଭଳି ଦୀର୍ଘ ସମାସାଦି ଶବ୍ଦାଡ଼ମ୍ବରର ଆଶ୍ରୟ ନେଇଛନ୍ତି ସେ ସ୍ଥଳମାନଙ୍କରେ ଗୌଡ଼ୀରୀତି କାବ୍ୟର ପ୍ରତିକୂଳ ଭାବରେ ପ୍ରତିଭାତ । କିନ୍ତୁ କବିଙ୍କ ଉପରେ ପଡ଼ିଥିବା ଭଞ୍ଜୀୟ ପ୍ରଭାବକୁ ଏଡ଼ି ନ ପାରି ନିଜର କବିତ୍ୱ ଶକ୍ତି ମାତ୍ରର ପରିଚୟ ଦେବାପାଇଁ ଉଦ୍‌ବିଘ୍ନ ହୋଇ ସେଭଳି ସ୍ଖଳନକୁ ଅଙ୍ଗୀକାର କରି ନେଇଛନ୍ତି, ଯଥା-ତ୍ରିଂଶ ଛାନ୍ଦର ୧୭ପଦରେ ‘‘ଗୁରୁ କବି ଗଣେଶ ବାଣୀ’’ । ଗୁରୁ କବି ଗଣେଶ ବାଣୀର କାରଣୀ ଇତ୍ୟାଦି । କିନ୍ତୁ ଏଭଳି ବିଚ୍ୟୁତି ଭଞ୍ଜାଦିଙ୍କ ତୁଳନାରେ ସାମନ୍ତଙ୍କଠାରେ ଅପେକ୍ଷାକୃତ ଯଥେଷ୍ଟ କମ୍‌ ।

 

ନାୟକ ନାୟିକା :

କାବ୍ୟରେ ନାୟକ ନାୟିକା ଗୋଟିଏ ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ । ତେଣୁ କାବ୍ୟର ନାୟକ ନାୟିକା ବିଷୟରେ ଯଦିଓ ପୂର୍ବ ପରିଚ୍ଛେଦରେ ଲିପିବଦ୍ଧ ତଥାପି ଅଳଙ୍କାର ଦୃଷ୍ଟିରୁ ଯତ୍‌କିଞ୍ଚିତ୍‌ ଦିଗ୍‌ଦର୍ଶନ ଏଠାରେ ପ୍ରଦତ୍ତ ହେଉଅଛି । ନାୟକ ଓ ନାୟିକାର ସାମାନ୍ୟ ଲକ୍ଷଣ ସାହିତ୍ୟଦର୍ପଣର ତୃତୀୟ ପରିଚ୍ଛେଦରେ ଦ୍ରଷ୍ଟବ୍ୟ । ନାୟକ ଓ ନାୟିକାର ସାମାନ୍ୟ ଲକ୍ଷଣ ସାହିତ୍ୟଦର୍ପଣର ତୃତୀୟ ପରିଚ୍ଛେଦରେ ଦ୍ରଷ୍ଟବ୍ୟ । ନାୟକ ଲକ୍ଷଣରେ କୁହାଯାଉଛି-

 

ତ୍ୟାଗୀ କୃତୀ କୁଳୀନଃ ସୁଶ୍ରୀକୋ ରୂପଯୌବନୋତ୍ସାହୀ

ଦକ୍ଷୋଽନୁରକ୍ତ ଲୋକସ୍ତେଜୋ ବୈଦରାଧ୍ୟ ଶୀଳବାନ ନେତା ।।

 

ଅର୍ଥାତ୍‌ ତ୍ୟାଗୀ-ଦାନଶୀଳ, କୃତୀ-କର୍ମକୁଶଳ, କୁଳୀନ-ସତ୍‌-କୁଳୋତ୍ପନ୍ନ, ସୁଶ୍ରୀକ-ବୁଦ୍ଧିମାନ (ସୁନ୍ଦର ରୂପବାନ ନୁହେଁ କାରଣ ଅଗ୍ରୀମ ବିଶେଷଣରେ ତାତ୍ପର୍ଯ୍ୟ ଗ୍ରହଣୀୟ)- ରୂପଯୌବନୋତ୍ସାହୀ-ସୌନ୍ଦର୍ଯ୍ୟ, ଯୌବନ ଓ ଉତ୍ସାହସଂପନ୍ନ । ଦକ୍ଷ-ନିରଳସ, ଅନୁରକ୍ତ ଲୋକ-ଲୋକେ ଯାହାପ୍ରତି ଅନୁରକ୍ତ ଅର୍ଥାତ୍‌ ଲୋକପ୍ରିୟ ଏବଂ ତେଜ-ବିଦଗ୍‌ଧତା ଓ ସୌଶୀଲ୍ୟବାନକୁ ନାୟକ କୁହାଯାଏ । ଏହି ଅଳଙ୍କାର ଲକ୍ଷଣାନୁସାରେ ଶ୍ରୀକୃଷ୍ଣ ସର୍ବଲକ୍ଷଣସଂପନ୍ନ ଅଟନ୍ତି ଏବଂ ଆଲୋଚ୍ୟ କାବ୍ୟରେ ସେହି କୃଷ୍ଣ ହିଁ ମୁଖ୍ୟ ନାୟକ । ପୁନଶ୍ଚ ଅଳଙ୍କାର ଶାସ୍ତ୍ରରେ ନାୟକ ସାମାନ୍ୟର ଚାରିଗୋଟି ଭେଦ ନିରୂପତି ହୋଇଅଛି, ଯଥା-ଧୀରୋଦାତ୍ତ, ଧୀରୋଦ୍ଧତ, ଧୀର ପ୍ରଶାନ୍ତ ଓ ଧୀରଲଳିତ । ତନ୍ମଧ୍ୟରୁ ଧୀରୋଦାତ୍ତ ନାୟକ ବୀରରସପ୍ରଧାନ । ଧୀରୋଦ୍ଧତ ରୌଦ୍ରରସ ପ୍ରଧାନ । ଧୀର ପ୍ରଶାନ୍ତ ଶାନ୍ତରସ ପ୍ରଧାନ ଓ ଧୀରଲଳିତ ଶୃଙ୍ଗାରରସପ୍ରଧାନ ନାୟକ । ସଂସ୍କୃତ ସାହିତ୍ୟ ପରମ୍ପରାରେ ଶ୍ରୀକୃଷ୍ଣଙ୍କୁ ଦିବ୍ୟାଦିବ୍ୟ (ମତାନ୍ତରେ ଦିବ୍ୟ) ନାୟକ ଓ ଧୀରୋଦାତ୍ତଶ୍ରେଣୀୟ ବୋଲି ନିର୍ଣ୍ଣୀତ କରାଯାଇଅଛି । କିନ୍ତୁ ପ୍ରସ୍ତୁତ କାବ୍ୟରେ ଶ୍ରୀକୃଷ୍ଣହିଁ ସଂପୂର୍ଣ୍ଣରୂପେ ଧୀରଲଳିତ ନାୟକ ରୂପେ ସହୃଦୟ ସମକ୍ଷରେ ଅବତୀର୍ଣ୍ଣ ହୁଅନ୍ତି । ଧୀର ଲଳିତର ଲକ୍ଷଣ ଏହିରୂପେ ଶାସ୍ତ୍ରରେ ଲିପିବଦ୍ଧ ‘‘ନିଶ୍ଚିନ୍ତୋ ମୁଦୁରନିଶଂ କଳାପରୋ ଧୀର ଲଳିତ ସ୍ୟାତ୍‌ ।’’ ଅର୍ଥାତ୍‌ ନିଶ୍ଚିନ୍ତ କୋମଳ ସ୍ୱଭାବବିଶିଷ୍ଟ ସର୍ବଦା ନୃତ୍ୟାଦି କଳାପରାୟଣକୁ ଧୀରଲଳିତ କୁହାଯାଏ । ସେ ଦୃଷ୍ଟିରୁ ଅନ୍ୟତ୍ର ଭଗବାନ୍‌ ଶ୍ରୀକୃଷ୍ଣ ଧୀରୋଦାତ୍ତରୂପେ ପ୍ରଥିତ ହୋଇଥିଲେ ହେଁ-ଏଠାରେ କବିଙ୍କ ନିପୁଣ ଲେଖନୀ ତାଙ୍କୁ ଧୀର ଲଳିତ ନାୟକ ରୂପେ ଉପସ୍ଥାପିତ କରିଛି । ନୈଷଧକାବ୍ୟ ଶୃଙ୍ଗାରରସ ପ୍ରଧାନ ହୋଇଥିଲେ ହେଁ ସେଥିରେ ନାୟକ ନଳକୁ ଧୀରୋଦାତ୍ତ ରୂପେ ଗ୍ରହଣ କରାଯାଇଛି ଓ ପ୍ରଥମ ସର୍ଗରେ-ହଂସ ଧାରଣ ପ୍ରସଙ୍ଗ ପ୍ରଭୃତିରେ ତାଙ୍କ ଧୀରୋଦାତ୍ତତ୍ୱରେ ବାଧା ଉପସ୍ଥିତ ହେବା ଦେଖି ଶ୍ରୀହର୍ଷ ସେ ସ୍ଥଳରେ କାବ୍ୟିକ ଛଟାରେ ଗୋଟାଏ ସମାଧାନ ମାତ୍ର ଦେବାକୁ ଭୁଲିନାହାନ୍ତି । ତାଙ୍କ ମତରେ-ଯେହେତୁ ବିଧାତାଙ୍କର ଇଚ୍ଛା ଅଲଙ୍ଘ୍ୟ, ତେଣୁ ତତ୍କାଳିକ ସ୍ୱଭାବ ପରିବର୍ତ୍ତନବଶତଃ ନଳଙ୍କଠାରେ ଧୀରୋଦାତ୍ତତ୍ୱର ବିଚ୍ୟୁତି ସିନା ଘଟିଛି; କିନ୍ତୁ ସେ ବସ୍ତୁତଃ ଯଥାର୍ଥତଃ ଧୀରୋଦାତ୍ତ ହିଁ ଅଟନ୍ତି । କିନ୍ତୁ ଆମର ଆଲୋଚ୍ୟ କାବ୍ୟରେ ଧୀର ଲଳିତ ରୂପରେ ହିଁ ଶ୍ରୀକୃଷ୍ଣଙ୍କୁ ଚିତ୍ରିତ କରାଯାଇଛି । ତେଣୁ ନୈଷଧ ପରି ସମାଧାନର ଆଶ୍ରୟ ନେବାର ଆବଶ୍ୟକତା କବିଙ୍କ ପକ୍ଷରେ ପଡ଼ିନାହିଁ । ଏହାହିଁ ଏ କାବ୍ୟର ବିଶେଷତ୍ୱ ।

 

ଶ୍ରୀରାଧା ଏ କାବ୍ୟର ମୁଖ୍ୟ ନାୟିକା ଏ କଥା ପୂର୍ବେ ସୂଚିତ । ନାୟିକା ସାମାନ୍ୟ ଲକ୍ଷଣରେ କୁହାଯାଇଛି-

 

‘‘ଅଥ ନାୟିକା ତ୍ରିବିଧା-ସ୍ୱାଽନ୍ୟା ସାଧାରଣୀ ସ୍ତ୍ରୀତି

ନାୟକ ସାମାନ୍ୟ ଗୁଣୈର୍ଭବତି ଯଥା ସମ୍ଭବୈଯୁକ୍ତା ।’’

 

ଅର୍ଥାତ୍‌ ନାୟକ ଯେଉଁ ଯେଉଁ ଲକ୍ଷଣସଂପନ୍ନ ବୋଲି କୁହାଯାଇଛି ଯଥାସମ୍ଭବ ସେହି ସେହି ଗୁଣ ବା ଲକ୍ଷଣସମ୍ପନ୍ନା ହୋଇଥିବା ସ୍ତ୍ରୀଙ୍କୁ ନାୟିକା କୁହାଯାଏ ଏବଂ ସେହି ନାୟିକା ସ୍ୱକୀୟା, ପରକୀୟା ଓ ସାମାନ୍ୟ ଏହି ତିନିଭାଗରେ ବିଭକ୍ତା । ତେଣୁ ଶ୍ରୀରାଧା ଏ କାବ୍ୟରେ ନାୟିକା ଏବଂ ପରକୀୟା ନାୟିକା । ପରକୀୟା ନାୟିକା ପିତ୍ରାଦ୍ୟଧୀନା, ଅବିବାହିତା, କନ୍ୟା ବା ଯୁବତୀ ଓ ଅନ୍ୟକୁ ବିବାହ କରିଥିବା ଯୁବତୀ । ରାଧା ଅନ୍ୟକୁ ବିବାହ କରିଥିବା ଯୁବତୀ ଅଟନ୍ତି । ତେଣୁ ସେ ପରକୀୟା ନାୟିକା ରୂପେ ଗଣନୀୟା । ଅଳଙ୍କାର ଶାସ୍ତ୍ରରେ ଅନ୍ୟ ସହିତ ବିବାହ କରିଥିବା ନାୟିକା ସହିତ ପ୍ରେମର ବର୍ଣ୍ଣନା ଅନୌଚିତ୍ୟ ଦୋଷଗ୍ରସ୍ତ ବୋଲି କୁହାଯାଇଥିଲେ ମଧ୍ୟ ପ୍ରେମପରୀକ୍ଷାରେ ପରକୀୟା ପ୍ରେମ ସର୍ବୋତ୍କୃଷ୍ଟ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । କବି ଯେଣୁ ପ୍ରେମ ବା ପ୍ରୀତି ବର୍ଣ୍ଣନା ପାଇଁ ଲାଳାୟିତ ତେଣୁ ସେ ସର୍ବୋକୃଷ୍ଟ ପରକୀୟା ପ୍ରୀତିକୁ ଏ କାବ୍ୟରେ ନିଜର ପାଥେୟ କରିଛନ୍ତି । ପୂର୍ବୋକ୍ତ ଅନୌଚିତ୍ୟ ଦୋଷର ପରିହାର କବି ଏହିଭାବରେ ବିବକ୍ଷିତ କରନ୍ତି ଯେ ଯେହେତୁ ରାଧାକୃଷ୍ଣଙ୍କ ପ୍ରେମ ଅପ୍ରାକୃତ ଅର୍ଥାତ୍‌ ଅଲୌକିକ-ତେଣୁ ଲୌକିକ ପ୍ରେମରେ ହିଁ ଔଚିତ୍ୟାନୌଚିତ୍ୟର ବିଚାର କରାଗଲେ ମଧ୍ୟ ଅଲୌକିକ ବା ଅପ୍ରାକୃତ ପ୍ରେମପାଇଁ ସେ ବିଚାର ଅନୁଚିତ ଏବଂ ସେହି ଅପ୍ରାକୃତ ପ୍ରେମରେ ପ୍ରେମର ପରାକାଷ୍ଠା ଦେଖାଇବା ପାଇଁ ପରକୀୟ ପ୍ରୀତି ଆଦୌ ଅନୌଚିତ୍ୟ ଦୋଷଗ୍ରସ୍ତ ରୂପେ ସହୃଦୟ ଶ୍ରୋତାମାନଙ୍କ ମନକୁ ଲେଶ ମାତ୍ର ସ୍ପର୍ଶ କରିବ ନାହିଁ । ଏ ବିବକ୍ଷା କବିଙ୍କର ଗ୍ରନ୍ଥାରମ୍ଭ ମଙ୍ଗଳାଚରଣରୁ ହିଁ ସୂଚିତ ବୈଷ୍ଣବ ଧର୍ମଶାସ୍ତ୍ର, ରସଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର ଦୃଷ୍ଟିରୁ ରାଧା କିପରି ପରକୀୟା ନାୟିକା ତାର ଆଲୋଚନା ଏ ଗ୍ରନ୍ଥରେ ଅନ୍ୟତ୍ର କରାଯାଇଛି । ନୈଷଧ କାବ୍ୟରେ କିନ୍ତୁ ଦମୟନ୍ତୀ ପ୍ରଥମେ ପରକୀୟା ଓ ପରେ ସ୍ୱକୀୟା ହୋଇଯାଇଛନ୍ତି ଓ ସେହି ପରକୀୟା ଦମୟନ୍ତୀଙ୍କ ପ୍ରତି ନଳଙ୍କର ପ୍ରେମ ଓ ପରକୀୟା ଦମୟନ୍ତୀଙ୍କର ମଧ୍ୟ ନଳଙ୍କ ପ୍ରତି ପ୍ରେମ ବର୍ଣ୍ଣିତ ହୋଇଛି । ତଥାପି ସେତେବେଳେ ଯେଣୁ ଦମୟନ୍ତୀ ଅବିବାହିତା ଓ କନ୍ୟା ଅବସ୍ଥାରେ ଥିଲେ, ତେଣୁ ନୈଷଧର ପରକୀୟା ପ୍ରେମଠାରୁ ଅନ୍ୟ ସହିତ ବିବାହିତା ପରକୀୟା ରାଧାଙ୍କର ପ୍ରେମର ଯେଉଁ ପରାକାଷ୍ଠା ସମ୍ଭବ ହୋଇପାରିଛି ନୈଷଧରେ ତାହା କାହୁଁ ମିଳିବ ?

 

ଆକ୍ଷେପ ସମାଧାନ :

ଏହି ପରକୀୟା ପ୍ରେମରେ ପରାକାଷ୍ଠା ଦେଖାଇବା ପାଇଁ ସେ ଶୃଙ୍ଗାର ରସର ଯେଉଁ ଟିକିନିଖି ବର୍ଣ୍ଣନା କରିଛନ୍ତି, ତାହା ହୁଏତ ଆଧୁନିକ ଶିକ୍ଷିତମାନଙ୍କ ପାଇଁ ରୁଚିକର ନ ହୋଇପାରେ-। ସେମାନଙ୍କର ମନ୍ତବ୍ୟ ଓ ବକ୍ତବ୍ୟ ଏହି ଯେ-‘‘ଅତିମାତ୍ରାରେ ଶୃଙ୍ଗାର ବର୍ଣ୍ଣନା ପ୍ରକୃତିସ୍ଥ ବ୍ୟକ୍ତିକୁ ପରାଙ୍‌ମୁଖ କରିଦେଉଛି ।’’ ସେମାନେ ବିଶୁଦ୍ଧ ବୁଦ୍ଧିବାଦୀ ଭାବରେ ଏ କଥା କହୁଛନ୍ତି ସିନା ସେହିମାନେ ହିଁ ଶୃଙ୍ଗାର ବର୍ଣ୍ଣନାରେ ତନ୍ମୟ ହୋଇ ବୁଦ୍ଧିବାଦକୁ କ୍ଷଣକାଳପାଇଁ ବର୍ଜନ କରି ହୃଦୟବାଦୀ ଭାବରେ ନିଜ ହୃଦୟକୁ ନିରୀକ୍ଷଣ କଲେ ଏଥିପ୍ରତି କଦାପି ପରାଙ୍‌ମୁଖ ହେବେ ନାହିଁ-

 

ଅନ୍ୟମାନେ ଆଉ ଏକପ୍ରକାର ଆପେକ୍ଷ ଆଣନ୍ତି । ରାଧା ଓ କୃଷ୍ଣ ଯେଣୁ ଜଗତର ପିତା ମାତା-ତେଣୁ ତାଙ୍କ ଅବଲମ୍ବନରେ ଯେଉଁ ଶୃଙ୍ଗାର ଚିତ୍ରିତ ହେବ ତାହା ମର୍ଯ୍ୟାଦିତ ହେବା ବାଞ୍ଛନୀୟ-। ଅନ୍ୟଥା ଅନୌଚିତ୍ୟ ଦୋଷଦୁଷ୍ଟ ହୋଇଯିବ । ରସଗଙ୍ଗାଧରକାର ପଣ୍ଡିତରାଜ ଜଗନ୍ନାଥ ମଧ୍ୟ ଏହି ବିଚାରର ପକ୍ଷପାତୀ । ଅତଏବ ସେ ରସଗଙ୍ଗାଧରରେ ଜୟଦେବଙ୍କ କର୍ତ୍ତୃକ ବର୍ଣ୍ଣିତ ରାଧାକୃଷ୍ଣଙ୍କୁ ଆଶ୍ରିତ ଶୃଙ୍ଗାରର ସୂକ୍ଷ୍ମାତିସୂକ୍ଷ୍ମ ଅତିମାତ୍ର ଚିତ୍ରଣର ନିନ୍ଦା କରି କହିଛନ୍ତି-

 

‘‘ଜୟ ଦେବାଦିଭିସ୍ତୁ-ଗୀତଗୋବିନ୍ଦା ପ୍ରବନ୍ଧେଷୁ

ସକଳ ସହୃଦୟ ସମ୍ମତୋଽୟଂ ସମୟଃ ମଦୋନ୍ମତ୍ତ ମାତଙ୍ଗ ନୈରିବଭିନ୍ନଃ’’ ।

 

ଅର୍ଥାତ୍‌ ଜୟଦେବ ପ୍ରଭୃତି, ଗୀତଗୋବିନ୍ଦ ପ୍ରଭୃତି ଗ୍ରନ୍ଥରେ ଏହି ସିଦ୍ଧାନ୍ତକୁ ମଦମତ୍ତ ଗଜପରି ଭାଙ୍ଗିଦେଇଛନ୍ତି, ଯେଉଁ ସିଦ୍ଧାନ୍ତ କି ସକଳ ସହୃଦୟମାନଙ୍କ ଦ୍ୱାରା ଅନୁମୋଦିତ । କିନ୍ତୁ ପଣ୍ଡିତରାଜଙ୍କ ସିଦ୍ଧାନ୍ତକୁ ମଧ୍ୟ ପରବର୍ତ୍ତୀ ପରିନିଷ୍ଠିତ ଆଳଙ୍କାରିକମାନେ ପସନ୍ଦ କରିନାହାନ୍ତି । କାରଣ ଗୀତଗୋବିନ୍ଦକାର ଜୟଦେବ ଓ ବିଦଗ୍‌ଧ ଚିନ୍ତାମଣିକାର ଅଭିମନ୍ୟୁ ଉଭୟେ ବୈଷ୍ଣବ ଓ ମାଧୁର୍ଯ୍ୟରସର ଉପାସକ । ପୁଣି ସେମାନେ କେବଳ ବୈଷ୍ଣବ ନୁହନ୍ତି, ପରମ ବୈଷ୍ଣବ ଓ ଉଭୟେ କବିଭାବାପନ୍ନ ତଥା ମହାକବି । ଅଳଙ୍କାର ଶାସ୍ତ୍ରରେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭତ୍ସ ଓ ଶାନ୍ତ ଏହି ନଅଗୋଟି ମାତ୍ର ରସ ସ୍ୱୀକୃତ ହୋଇଥିଲେ ହେଁ ବୈଷ୍ଣବ ଗ୍ରନ୍ଥମାନଙ୍କରେ ଦାସ୍ୟ, ବାତ୍ସଲ୍ୟ, ସଖ୍ୟ, ଶୃଙ୍ଗାର ଭକ୍ତି ଇତ୍ୟାଦି ଦ୍ୱାଦଶ ରସର ପରିକଳ୍ପନା କରାଯାଇଛି । ‘‘ରସରୂପ ପରମାତ୍ମା’’ ଏହି ଶ୍ରୁତିବାକ୍ୟରୁ ପରମାତ୍ମା ଯେହେତୁ ରସ ସ୍ୱରୂପ (ରସୋ ବୈ ସଃ) ତେଣୁ ତାଙ୍କୁ ବିଭିନ୍ନ ଭକ୍ତ ନିଜନିଜର ଭାବ ଭେଦରେ ସେହି ସେହି ଭିନ୍ନ ଭନ୍ନ ରସରୂପରେ ହିଁ ଦେଖିଥାନ୍ତି । ସେହି ଦୃଷ୍ଟିରେ ଅର୍ଜ୍ଜୁନଙ୍କଠାରେ ସଖ୍ୟରସର, ବିଦୂରଠାରେ ଦାସ୍ୟରସର, ଯଶୋଦାଙ୍କଠାରେ ବାତ୍ସଲ୍ୟରସର ଭାବନା କରି ଜୟଦେବ ଓ ଅଭିମନ୍ୟୁଙ୍କଠାରେ ଶୃଙ୍ଗାରରସର ଭାବନା ପରିଲକ୍ଷିତ ହୁଏ । ତେଣୁ ଶୃଙ୍ଗାର ରସ ରୂପରେ ଭାବିତ ଓ ନିରୂପିତ ଭଗବାନ ଶ୍ରୀକୃଷ୍ଣଙ୍କ ଅବଲମ୍ବନରେ ଯେଉଁ ଶୃଙ୍ଗାର ବର୍ଣ୍ଣିତ ହେବ ତାହା ପରାକାଷ୍ଠା ପ୍ରାପ୍ତ ଶୃଙ୍ଗାର ହେବା ବିଧେୟ । ଅଙ୍ଗପ୍ରତ୍ୟଙ୍ଗ ଦ୍ୱାରା ଯଦି ତାହା ପରାକାଷ୍ଠାକୁ ପ୍ରାପ୍ତ ନ ହୁଏ, ତେବେ ପରମାତ୍ମାଙ୍କର ବିଶ୍ୱରେ ପରାକାଷ୍ଠା କିପରି ସମ୍ଭବ ହେବ ? ତେଣୁ ଭକ୍ତକବି ଜୟଦେବ ଓ ଭକ୍ତକବି ଅଭିମନ୍ୟୁ ଉଭୟ କବିଭାବାପନ୍ନ ହୋଇ ଭଗବାନଙ୍କୁ ଶୃଙ୍ଗାର ରସ ସ୍ୱରୂପ ବୋଲି ଭାବି ତାଙ୍କୁ ହିଁ ଅବଲମ୍ବନ କରିଥିବା ଶୃଙ୍ଗାରର ସୂକ୍ଷ୍ମାତିସୂକ୍ଷ୍ମ ସାଙ୍ଗୋପାଙ୍ଗ ବିଶ୍ଳେଷଣ କରିବାକୁ ବାଧ୍ୟ ହୋଇଛନ୍ତି ।

 

ଏହି ସିଦ୍ଧାନ୍ତ ସ୍ମୃତିକୋଷରେ ରଖି ଯେଉଁ ସହୃଦୟ ଗୀତଗୋବିନ୍ଦ ଓ ବିଦଗ୍‌ଧ ଚିନ୍ତାମଣି ପାଠ କରିବେ ବା ଶ୍ରବଣ କରିବେ-ତାଙ୍କର ଆଦୌ ଅଶ୍ଳୀଳତା ପ୍ରତି ଦୃଷ୍ଟି ଯିବନାହିଁ ଓ ସେଥିରେ ଅନୌଚିତ୍ୟର ଆଶଙ୍କା ମଧ୍ୟ ଲେଶମାତ୍ର ଆସି ପାରିବ ନାହିଁ । ଏଣୁ ଯାହାକି କେତେକ ଆଧୁନିକ ତଥାକଥିତ ଶିକ୍ଷିତ ଏ ପ୍ରସଙ୍ଗରେ କବିଙ୍କୁ ଓ ତାଙ୍କ କାବ୍ୟକୁ ଲୌକିକ ସ୍ତରୀୟ ଭାବି ଆଧୁନିକ ଭାଷାରେ ମତ ଦିଅନ୍ତି ଯେ ଏହି ପ୍ରୀତିବର୍ଣ୍ଣନା କଲାବେଳେ କବିଙ୍କ ଉପରେ କାମଶାସ୍ତ୍ରରେ ପ୍ରଭାବ ପଡ଼ିଯାଇଛି-ତେଣିକି ଏହା ତାଙ୍କର ଅପକର୍ଷର କାରଣ ହେଉ ବା ଉତ୍କର୍ଷର କାରଣ ହେଉ-ସେଥିପ୍ରତି ସେମାନେ ଭ୍ରୂକ୍ଷେପ କରନ୍ତି ନାହିଁ । ବରଂ ନାସିକା କୁଞ୍ଚନ କରନ୍ତି । ଏହା ସେମାନଙ୍କର ଭ୍ରାନ୍ତଧାରଣା ମାତ୍ର । କାମଶାସ୍ତ୍ରର ପ୍ରଭାବ କବି ଅଭିମନ୍ୟୁଙ୍କ ଉପରେ ବିଶେଷଭାବରେ ପଡ଼ିଥିଲେ ସେ କାମଶାସ୍ତ୍ର ପ୍ରତିପାଦତ ପଦ୍ମାସନ, ନାଗବନ୍ଧ, ଲତାବେଷ୍ଟିତକ ଇତ୍ୟାଦି ଚତୁଃଷଷ୍ଠିବନ୍ଧର ଚିତ୍ରଣ କରିଥାନ୍ତେ । କିନ୍ତୁ କବି ଶ୍ରୀକୃଷ୍ଣ ଓ ରାଧାଙ୍କୁ କାମୁକ କାମୁକୀ ରୂପେ ଚିତ୍ରିତ ନ କରି ପ୍ରେମିକ ଓ ପ୍ରେମିକା ରୂପରେ ମଧ୍ୟ ଚିତ୍ରିତ ନ କରି ମୂର୍ତ୍ତିମତୀ ଅପ୍ରାକୃତ ପ୍ରୀତି (ପ୍ରେମ) ଓ ମୂର୍ତ୍ତିମାନ ଅପ୍ରାକୃତ ପ୍ରେମରସ ରୂପରେ ସେମାନଙ୍କୁ ନ୍ୟସ୍ତ କରିଛନ୍ତି । ଏହି ଭାବନାର ଅନୁକୂଳଭାବେ କାମଶାସ୍ତ୍ରୋକ୍ତବନ୍ଧାଦିର ଯଦି ବର୍ଣ୍ଣନା କରାଯାଏ ତେବେ ତାହା ମଧ୍ୟ ଅପକର୍ଷର ବା ଅନୌଚିତ୍ୟର ପ୍ରୟୋଜକ ହେବ ନାହିଁ ।

 

ବୈଶିଷ୍ଟ୍ୟ ଓ ବିମର୍ଷ :

କବି ମାତ୍ରେ ସ୍ୱକାବ୍ୟରେ ସ୍ୱକୀୟ ବୈଶିଷ୍ଟ୍ୟ ପ୍ରତିପାଦନ କରିଥାନ୍ତି । କାହାର କାବ୍ୟରେ କି ପ୍ରକାର ବୈଶିଷ୍ଟ୍ୟ ରହିଛି ଏ ବିଷୟରେ ସଂସ୍କୃତ ବିଦ୍ୱତ୍‌ ପରଂପରାରେ ତିନି ଚାରିଜଣ ପ୍ରଖ୍ୟାତ କବିଙ୍କର ବୈଶିଷ୍ଟ୍ୟ ପ୍ରଦର୍ଶନ କରାଯାଇଥିବା ଏକ ସୂକ୍ତି ବହୁକାଳରୁ ଅଦ୍ୟାବଧି ପ୍ରଚଳିତ ଅଛି, ଯଥା-

 

ଉପମା କାଳିଦାସସ୍ୟ ଭାରବେରର୍ଥଗୌରବମ୍‌

ଦଣ୍ଡିନଃ ପଦଲାଳିତ୍ୟଂ ମାଘେ ସନ୍ତି ତ୍ରୟୋଗୁଣାଃ ।

ଅର୍ଥାତ୍‌ କାଳିଦାସଙ୍କର ଉପମା, ଭାରବୀଙ୍କର ଅର୍ଥଗୌରବ, ଦଣ୍ଡୀଙ୍କର ପଦଲାଳିତ୍ୟ ଓ ମାଘଙ୍କଠାରେ ଉପମା, ଅର୍ଥଗୌରବ ଓ ପଦଲାଳିତ୍ୟ ଏହି ତିନୋଟି ଗୁଣ ବର୍ତ୍ତମାନ । ଅର୍ଥାତ୍‌ ସେମାନଙ୍କ କାବ୍ୟ ଏହି ଏହି ବୈଶିଷ୍ଟ୍ୟରେ ଗୌରବାନ୍ୱିତ । ସଂସ୍କୃତରେ ପ୍ରଚଳିତ ଏହି ସୂକ୍ତି ଅନୁକରଣରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଏହା କହିଛନ୍ତି ଯେ-

 

‘‘ଉପମା ଭଞ୍ଜବୀରସ୍ୟ ତସ୍ୟୈବଚାର୍ଥଗୌରବମ୍‌

କଲ୍ଲୋଳେ ପଦଲାଳିତ୍ୟଂ-ସନ୍ତି ଚିନ୍ତା ମଣୌ ତ୍ରୟଃ ।’’

 

ଅର୍ଥାତ୍‌ ଭଞ୍ଜଙ୍କ କବିତାରେ ଉପମା ଏବଂ ସେଥିରେ ହିଁ ଅର୍ଥଗୌରବ, ରସକଲ୍ଲୋଳରେ ପଦଲାଳିତ୍ୟ ଏବଂ ବିଦଗ୍‌ଧ ଚିନ୍ତାମଣିରେ ପୂର୍ବୋକ୍ତ ତିନିଗୁଣ ଯଥା-ଉପମା, ଅର୍ଥଗୌରବ ଓ ପଦଲାଳିତ୍ୟ ରହିଛି । ରଥ ମହାଶୟ ସଂସ୍କୃତ ଆଦର୍ଶରେ ଶ୍ଳୋକ କଲେ ସୁଦ୍ଧା ସମତା ରକ୍ଷା କରିନାହାନ୍ତି । ସେଠାରେ କବିଙ୍କ ନାମ ଥିବା ସ୍ଥଳେ ତାଙ୍କ ସୂକ୍ତିରେ କେଉଁଠି କବି ଓ ଆଉ କେଉଁଠି କାବ୍ୟର ନାମ ରହିଛି । ପୁନଶ୍ଚ ରଥ ମହାଶୟଙ୍କର ଏ ସମୀକ୍ଷାକୁ ଅଂଶତଃ ସମର୍ଥନ କରି ସୁଦ୍ଧା ପୂର୍ଣ୍ଣତଃ ସମର୍ଥନ କରିପାରୁନାହୁଁ । ଯେଣୁ ଭଞ୍ଜଙ୍କର ଉପମାମୂଳକ ବୈଶିଷ୍ଠ୍ୟ ମାନିବାକୁ ଆମେ ଅନିଚ୍ଛୁକ । କାରଣ ଯେଉଁଠାରେ ଶବ୍ଦ ଗରୁତ୍ୱ ଅଛି ସେଠାରେ ଅର୍ଥଗୌରବ ରହିବ କିପରି ? ଅର୍ଥର ଗୁରୁତ୍ୱ ବା ଅର୍ଥଗୌରବ ହେଲେ ଆଉ ଶବ୍ଦ ଗୁରୁତ୍ୱ ସେଠାରେ କିପରି ହେବ ? କାରଣ ଏକ ଅଂଶରେ ଲଘୁତ୍ୱ ଓ ଅନ୍ୟ ଏକ ଅଂଶରେ ଗୁରୁତ୍ୱ ସମ୍ଭବ କିପରି ? ଗୋଟିଏ ବସ୍ତୁରେ ଯୁଗପତ୍‌ ଗୌରବ ଓ ଲାଘବ ମନସ୍ତତ୍ତ୍ୱ ବିରୋଧୀ । ମୁରାରୀ ପ୍ରଭୃତି କବିଙ୍କ କବିତାରେ ଯେଉଁଠି ଶବ୍ଦ ଓ ଅର୍ଥ ଉଭୟର ପ୍ରାଧାନ୍ୟ ସ୍ୱୀକାର କରାଯାଏ ସେଠାରେ ମଧ୍ୟ ଶବ୍ଦ ଓ ଅର୍ଥର ସମପ୍ରାଧାନ୍ୟ ଗ୍ରହଣୀୟ । ସେହି ଦୁଷ୍ଟିରେ ବିଚାର କଲେ ଭଞ୍ଜଙ୍କ କବିତାରେ ବ୍ୟାପକଭାବେ ଶ୍ଳୋଷାଦି ଓ ଦୁଷ୍କର ଯମକାଦି ଏକାକ୍ଷରାରମ୍ଭ ଅନୁପ୍ରାସ ପ୍ରଭୃତି ଭରି ରହିଛି । ତେଣୁ ଶବ୍ଦ ଗୁରୁତ୍ୱ ହିଁ ଭଞ୍ଜୀୟ କବିତାରେ ସୁଲଭ । ଏହା ହିଁ ତା’ର ଚରମ ବୈଶିଷ୍ଠ୍ୟ । କିନ୍ତୁ ଏହା ବୋଲି ତାଙ୍କ କବତାରେ ଅର୍ଥ ଗୌରବ ଆଦୌ ନାହିଁ ଏହା ଆମର ପ୍ରତିପାଦ୍ୟ ନୁହେଁ । ସ୍ଥଳବିଶେଷରେ ତାଙ୍କର ମଧ୍ୟ ଅର୍ଥ ଗୌରବ ଅଛି । କିନ୍ତୁ ଏହା ତାଙ୍କର କବିତାର ବୈଶିଷ୍ଟ୍ୟ କଦାପି ନୁହେଁ । ଅର୍ଥ ଗୌରବ କହିଲେ ବୁଝିବାକୁ ପଡ଼ିବ ଯେ ଯେଉଁଠି ଶବ୍ଦର ବାଚ୍ୟାର୍ଥ ବା ଅକ୍ଷରାର୍ଥ ବୁଝିବାରେ କିଛିମାତ୍ର ବାଧା ନ ଥାଏ କିନ୍ତୁ ଅକ୍ଷରାର୍ଥ ମାତ୍ର ବୁଝିଲେ ମଧ୍ୟ ବକ୍ତା ବା କବିର ବିବକ୍ଷିତ ଅର୍ଥ ବୁଝିହୁଏ ନାହିଁ ଏବଂ ବୁଢ଼ୀଆଣିଠାରୁ ସୂତ୍ରମାନଙ୍କର ଶାଖା ପ୍ରଶାଖା ବାହାରିବାପରି-ପଦରୁ ପ୍ରତିପାଦିତ ଅର୍ଥରୁ ପୂର୍ବୋକ୍ତ ଲୁତାତନ୍ତୁ ନ୍ୟାୟରେ ଅର୍ଥାନ୍ତର-ତହିଁରୁ ପୁଣି ଅର୍ଥାନ୍ତର ବା ଅଭିପ୍ରାୟ ବିଶେଷ, ଏହିପରି ଅନେକ ଅର୍ଥ ବାହାରେ । ସେଠାରେ ସ୍ୱଳ୍ପ ଶବ୍ଦରେ ବହୁ ଅର୍ଥ ଗର୍ଭିତ ହୋଇଥାନ୍ତି । ସେହିଭଳି ସ୍ଥାନରେ ହିଁ ଅର୍ଥଗୌରବ ସ୍ୱୀକାର କରାଯାଏ । ସେ ଦୃଷ୍ଟିରୁ ସଂସ୍କୃତ କବିମାନଙ୍କ ମଧ୍ୟରେ ଯେପରି ଭାରବିଙ୍କ ସ୍ଥାନ ଅର୍ଥଗୌରବ ପାଇଁ ସବିଶେଷ ଉଲ୍ଲେଖଯୋଗ୍ୟ, ଓଡ଼ିଆ କବିମାନଙ୍କ ମଧ୍ୟରେ ସେହିପରି ଅର୍ଥଗୌରବ ପାଇଁ କବିସୂର୍ଯ୍ୟ କଳଦେବଙ୍କ ନାମ ସବିଶେଷ ଆସିବେ ଅଭିମନ୍ୟୁ । କାରଣ କବିସୂର୍ଯ୍ୟଙ୍କ ଲେଖାରେ ଅଳ୍ପ ଶବ୍ଦରୁ ଲୂତାତନ୍ତୁ ନ୍ୟାୟରେ ଅନେକାଭିପ୍ରାୟ ଗର୍ଭିତ ଅର୍ଥଗୌରବ ପଦେ ପଦେ ପ୍ରକାଶିତ । ଏହା ଯେ କୌଣସି ବିଜ୍ଞ ସମାଲୋଚକ ସ୍ୱୀକାର କରିବେ । ଏଣୁ ରଥ ମହାଶୟଙ୍କ ଉକ୍ତିକୁ ହି ପରିବର୍ତ୍ତିତ ରୂପ ଦେଇ ଆମେ ସ୍ୱୀକାର କରିପାରୁ ଯେ-

 

‘‘ଉପମୋପେନ୍ଦ୍ର ଭଞ୍ଜସ୍ୟ ସୂର୍ଯ୍ୟସ୍ୟ ଅର୍ଥଗୌରବମ୍‌ ।

କୃଷ୍ଣସ୍ୟ ପଦଲାଳିତ୍ୟଂ ସାମନ୍ତେ ତୁ ତ୍ରୟୋରୁଣାଃ ।’’

 

ଅର୍ଥାତ୍‌ ଉପେନ୍ଦ୍ର ଭଞ୍ଜଙ୍କର ଉପମା କବିସୂର୍ଯ୍ୟଙ୍କର ଅର୍ଥଗୌରବ, କୃଷ୍ଣ ଅର୍ଥାତ୍‌ ଦୀନକୃଷ୍ଣଙ୍କର ପଦଲାଳିତ୍ୟ ଓ ସାମନ୍ତସିଂହାରଙ୍କ କାବ୍ୟରେ ପୂର୍ବୋକ୍ତ ତିନୋଟିଗୁଣ ବିଦ୍ୟମାନ ।

 

ପୂର୍ବୋରୁ ବିଭିନ୍ନ ଉଦ୍ଧୃତି ମାଧ୍ୟମରେ କବିଙ୍କ ଉପମାଗୌରବ ପ୍ରଦର୍ଶିତ ହୋଇଅଛି । ତାଙ୍କର ପଦଲାଳିତ୍ୟ ଓ ଅର୍ଥଗୌରବ ୪୭ ଛାନ୍ଦ ୩୧ ପଦ, ୩୦ ଛାନ୍ଦର ୫ମ ପଦ ଓ ୧୧ଶ ପଦ, ୨୭ ଛାନ୍ଦର ୯ମ ପଦ ପ୍ରଭୃତି ଅନୁସନ୍ଧେୟ । ଏସବୁ ପଦମାନଙ୍କର ତାତ୍ପର୍ଯ୍ୟ ପ୍ରତି ଅନୁଧ୍ୟାନ କଲେ ଓ ପଦବିନ୍ୟାସର ଚମିତ୍କାରିତାକୁ ବିଚାର କଲେ ଅର୍ଥଗୌରବ ଓ ପଦଲାଳିତ୍ୟର ଅଭାବ ଅଛି ବୋଲି କିଏ କହିପାରିବ ? କବି କେବଳ ପୁରୁଷ ନାରୀର ଅଙ୍ଗ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ କ୍ଷାନ୍ତ ହୋଇନାହାନ୍ତି ପରନ୍ତୁ ବନପ୍ରଦେଶ ଓ କୁଞ୍ଜାଟବୀର ବର୍ଣ୍ଣନାରେ ତାଙ୍କର ସୌନ୍ଦର୍ଯ୍ୟବୋଧ କିପରି ପ୍ରକଟିତ, ପଦର ଉଦାହରଣରେ ତାହା ସ୍ପଷ୍ଟ ହୋଇଯିବ । ୪୭ ଛାନ୍ତର ୨୯ ପଦରେ ରାଧାଙ୍କ ମୁଖରେ କୃଷ୍ଣ ରୂପର ଓ ବନପ୍ରଦେଶର ଶୋଭା କିପରି ବୈଚିତ୍ର୍ୟବିମଣ୍ଡିତ ହୋଇଛି ତାହା ଲକ୍ଷଣୀୟ-

 

‘‘ନୀଳେନ୍ଦ୍ରମଣି କିରଣମଣି କିସଳୟ ସନ୍ଧିଭେଦ କରି

ବନଭୁବି ପଶୁପକ୍ଷୀ ଘନ ପ୍ରତିବିମ୍ବିଲା ପରି ମାଧୁରୀ ।

ଗୋ ଘେନ-

ପ୍ରେମାମୃତ ସିଞ୍ଚେ ଘନ ଘନ ଗୋ-

ବ୍ୟାପିଲା କି କାଳିନ୍ଦୀବର୍ଦ୍ଧନ ଗୋ ରଙ୍ଗ ଲାବଣ୍ୟ

ଭଙ୍ଗୀ ଶୋଭନ ଗୋ- ।’’

 

ପୂର୍ବପଦରେ କବି ଚମତ୍କାର ଭାବରେ ଶ୍ରୀକୃଷ୍ଣଙ୍କ ଦେହର ଜ୍ୟୋତିକୁ ସର୍ବକଳାକାର ଅର୍ଥାତ୍‌ ସବୁକଳାରଙ୍ଗର କଏଦୀ ଘର ବୋଲି କହି ଏ ପଦରେ ସେ ବର୍ଣ୍ଣର ଜ୍ୟୋତିକୁ ନୀଳେନ୍ଦ୍ରିମଣିର କିରଣ ସ୍ୱରୂପ ତର୍କଣା କରିଛନ୍ତି । ଯେପରି ସୂର୍ଯ୍ୟଙ୍କ କିରଣ ବନପ୍ରଦେଶରେ ବୃକ୍ଷଲତାର କଅଁଳିଆପତ୍ର ଭେଦ କରି ଅନ୍ୟତ୍ର ପ୍ରତିଫଳିତ ହୋଇଥାଏ ଠିକ୍‌ ସେହିପରି କୃଷ୍ଣଙ୍କ ଦେହର ଜ୍ୟୋତି କୁଞ୍ଜର କଅଁଳିଆ ପତ୍ର ଭେଦ କରି ଅର୍ଥାତ୍‌ କଅଁଳିଆ ପତ୍ର ସନ୍ଧିରେ ବା ଫାଙ୍କ ଦେଇ ଆସୁଅଛି । ରାଧା କହୁଛନ୍ତି ଯେ, ବଣଭୂମି ଓ ପଶୁପକ୍ଷୀରେ ମେଘର ଛାଇ ପ୍ରତିବିମ୍ବିତ ହେଲାପରି ଏ ସ୍ଥଳରେ ତାଙ୍କ ଅଙ୍ଗ ଜ୍ୟୋତି ସର୍ବତ୍ର ପ୍ରତିଫଳିତ ହେଉଅଛି । ପ୍ରତିଫଳନ ଛଳରେ ପ୍ରେମ ଓ ଅମୃତ ସିଞ୍ଚନ କରୁଅଛି । ଅର୍ଥାତ୍‌ ତାହା ଦର୍ଶନ କଲେ ମନରେ ଯୁଗପତ୍‌ ପ୍ରେମ ଓ ଚମତ୍କାରଭାବ ତଥା ଅମୃତତ୍ୱ ଲାଭଭଳି ମନେ ହେଉଅଛି । ଚତୁର୍ଦ୍ଦିଗରେ ଜ୍ୟୋତି ସତେ କି ଉଛୁଳି ପଡ଼ୁଛି । ଯମୁନାନଦୀରେ ବନ୍ୟା ଆସିଛି ଏବଂ ସୁନ୍ଦର ଲାବଣ୍ୟ ସେଥିରୁ ପ୍ରତିଭାତ ହେଉଅଛି । ଏ ସମ୍ଭାବନା, ଏ ତର୍କଣା ଅଭିମନ୍ୟୁଙ୍କ ଭଳି ବିଶ୍ୱବନ୍ଦ୍ୟ କବିମାନେ ହିଁ କରିପାରନ୍ତି ।

 

***

 

Unknown

ପଞ୍ଚମ ଅଧ୍ୟାୟ

 

କାବ୍ୟଯୁଗର ସ୍ୱର୍ଣ୍ଣ ତ୍ରିଭୁଜ :

ଓଡ଼ିଆ ସାହିତ୍ୟର ଉତ୍ତର-ମଧ୍ୟ କାଳ ଅର୍ଥାତ୍‌ କାବ୍ୟ ଯୁଗରେ ଆମେ ଯେଉଁ ମହତ୍‌ ପ୍ରତିଭାତ୍ରୟୀଙ୍କର ସାକ୍ଷାତକାର ପାଇଥାଉଁ ଏବଂ ଯେଉଁମାନେ ଅନବଦ୍ୟ ସୃଷ୍ଟି ସମ୍ଭାର ଏ ଜାତିର ରସ ଓ ସୌନ୍ଦର୍ଯ୍ୟପିପାସାକୁ ଚିରକାଳ ଚରିତାର୍ଥ କରି ଆସିଅଛି, ସେମାନେ ହେଲେ କବି ଦୀନକୃଷ୍ଣ, ଉପେନ୍ଦ୍ରଭଞ୍ଜ ଓ ଅଭିମନ୍ୟୁ । ଉପେନ୍ଦ୍ର ଥିଲେ ରାଜକୁମାର ଓ ସେଇ ହେତୁରୁ ସେ ଏପରି କାବ୍ୟିକ ବାତାବରଣ ତଥା ପରିବେଶ ମଧ୍ୟରେ ବଢ଼ିଥିଲେ ଯାହା ତାଙ୍କର ପାଣ୍ଡିତ୍ୟର ପ୍ରକର୍ଷ ପାଇଁ ଥିଲା ଏକ ଶକ୍ତିଶାଳୀ ପୃଷ୍ଠଭୂମି ବା ଭିତ୍ତିଭୂମି । ଅଭିମନ୍ୟୁ ରାଜକୁମାର ନ ଥିଲେ ସତ, ମାତ୍ର ସେ ଥିଲେ ବାଲିଆର ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାରଙ୍କର ଏକୋଇର ବଳା ବିଶିକେଶନ । ସେ ମଧ୍ୟ ଉପେନ୍ଦ୍ର ତୁଲ୍ୟ ଉପଯୁକ୍ତ ପରିବେଶ ମଧ୍ୟରେ ଶିକ୍ଷିତ ଓ ଦୀକ୍ଷିତ ହୋଇଥିଲେ । ତାଙ୍କ ଶିକ୍ଷା, ତଥା ଦୀକ୍ଷାଗୁରୁ ସେ ଯୁଗରେ ବିଶିଷ୍ଟ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର ପ୍ରେରଣା ତଥା ଅକୃତ୍ରିମବନ୍ଧୁ ଟଙ୍କଧର ନାୟକଙ୍କର ଉତ୍ସାହ, ତାଙ୍କର କବିଜୀବନକୁ ଯେ ନାନା ଭାବରେ ପଲ୍ଲବିତ ଓ ପୁଷ୍ପିତ କରିଥିଲା ତାହା ଏ ପୂର୍ବରୁ ଯଥାସ୍ଥାନରେ ଆଲୋଚିତ ହୋଇଅଛି । କିନ୍ତୁ ଏହି ମହତ୍‌ ପ୍ରତିଭାତ୍ରୟୀଙ୍କ ମଧ୍ୟରେ କବି ଦୀନକୃଷ୍ଣ ଥିଲେ ଯଥାର୍ଥରେ ଦୀନ ଓ ଦରିଦ୍ର । ଦୁର୍ବିସହ ଦୁଃଖମୟ ଜୀବନ ଭିତର ସୁଦ୍ଧା କୁଷ୍ଠବ୍ୟାଧି-ଗ୍ରସ୍ତ ଏହି କବି ତାଙ୍କର କାବ୍ୟ ସୃଷ୍ଟି ମଧ୍ୟରେ, ରସର ଯେଉଁ ଅପୂର୍ବ କଲ୍ଲୋଳ ସୃଷ୍ଟି କରିଯାଇଅଛନ୍ତି, ପରିସ୍ଥିତି ଓ ପରିବେଶର ବୈପରୀତ୍ୟରେ ଏପରି ସାର୍ଥକ ସୁନ୍ଦର ପ୍ରକାଶର ଦୃଷ୍ଟାନ୍ତ କେବଳ ଓଡ଼ିଆ ସାହିତ୍ୟ ନୁହେଁ, ସମଗ୍ର ଭାରତୀୟ ସାହିତ୍ୟରେ ମଧ୍ୟ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯନ୍ତ୍ରଣା ଯଦି ହୁଏ କବିତାର ଜନ୍ମଭୂମି, ଦୀନକୃଷ୍ଣ ତା’ ହେଲେ ହେବ ତାର ସଫଳତମ ଉଚ୍ଚାରଣ ।

 

ଏହି ତିନିଜଣ କବିଙ୍କ ମଧ୍ୟରେ ଦୀନକୃଷ୍ଣ ଥିଲେ ଉପେନ୍ଦ୍ରଙ୍କ ପ୍ରାୟ ସମସାମୟିକ ଓ ଅଭିମନ୍ୟୁ ଥିଲେ ସର୍ବକନିଷ୍ଠ । ସର୍ବକନିଷ୍ଠ ହୋଇ ମଧ୍ୟ ଅଭିମନ୍ୟୁ ସ୍ଥଳବିଶେଷରେ କାବ୍ୟସୃଷ୍ଟିରେ ଯେଉଁ ଯାଦୁକରୀ ଶିଳ୍ପସୌନ୍ଦର୍ଯ୍ୟର ପରିଚୟ ଦେଇଛନ୍ତି ତାର ତୁଳନା ନାହିଁ । ‘‘ଉପେନ୍ଦ୍ର ପଦ ଅଭିମନ୍ୟୁ, ଉପେକ୍ଷା ଯେ ନୋହିବ ତ ଦିନୁ ଦିନୁ’’- ଏ ପଦକୁ ଆଶ୍ରୟ କର କେତେକ ସମାଲୋଚକ ଏଠାରେ ଅଭିମନ୍ୟୁ ଉପେନ୍ଦ୍ର ଅର୍ଥାତ୍‌ ଉପେନ୍ଦ୍ରଭଞ୍ଜଙ୍କୁ ତାଙ୍କର ଗୁରୁ ଭାବରେ ଗ୍ରହଣ କରିଛନ୍ତି ବୋଲି ଯେଉଁ ମତପ୍ରକାଶ କରନ୍ତି ତାହା ଠିକ୍‌ ନୁହେଁ । ଅଭିମନ୍ୟୁ ‘ଉ’ ଅନୁପ୍ରାସରେ ଛାନ୍ଦଟି ଲେଖିଥିବାରୁ ଏବଂ ଶେଷରେ କବିମାନେ ସ୍ୱ ଇଷ୍ଟ ଦେବତାକୁ ସ୍ମରଣ କଲାପରି ସେ ଉପେନ୍ଦ୍ର ତଥା ବିଷ୍ଣୁଙ୍କୁ ତାଙ୍କର ଭକ୍ତିପ୍ରାଣତା ତଥା ଭକ୍ତିଭାବ ପ୍ରଦର୍ଶନ କରିଅଛନ୍ତି । ଉପେନ୍ଦ୍ର ଶବ୍ଦର ଅର୍ଥ ଏଠାରେ ବିଷ୍ଣୁ । ଉପେନ୍ଦ୍ର ଭଞ୍ଜ ନୁହନ୍ତି । ମାତ୍ର ଅନ୍ୟାନ୍ୟ କବିଙ୍କ ସଦୃଶ ସେ ଯେ ଉପେନ୍ଦ୍ରଙ୍କ କାବ୍ୟାବଳୀ ପାଠ କରି ତଦ୍ଦ୍ୱାରା ପ୍ରଭାବିତ ହୋଇ ନାହାନ୍ତି ଏ କଥା ମଧ୍ୟ ଅସ୍ୱୀକାର କରିହେବ ନାହିଁ ।

 

ଗୋଟିଏ ଯୁଗରେ ଏହି ତିନି ଜଣ କବି ଲେଖନୀ ଚାଳନା କରିଥିଲେ ମଧ୍ୟ ସେମାନଙ୍କ ସାହିତ୍ୟାଦର୍ଶ ମଧ୍ୟରେ ଆମେ ପ୍ରତ୍ୟେକଙ୍କର ଏକ ମୌଳିକ କବିମନର ପରିଚୟ ପାଉଁ ଉପେନ୍ଦ୍ରଙ୍କ ସାହିତ୍ୟିକ ବା କାବ୍ୟିକ ଆଦର୍ଶ ଥିଲା ସଂସ୍କୃତ ସାହିତ୍ୟର ସମକକ୍ଷ ଓଡ଼ିଆ କାବ୍ୟଚୟର ଛାଞ୍ଚ ନିର୍ମାଣ କରିବା । ତେଣୁ ତାଙ୍କ କାବ୍ୟର ଆଦର୍ଶ ଥିଲା ଏହିପରି-

 

‘‘ମୂର୍ତ୍ତିମନ୍ତ କରି ମୃଦୁଗୀତ ବିଚାରଇ

ଏଣୁ କରି ଅଳଙ୍କାର ଥିବ ଯୁକ୍ତ ହୋଇ

ପଦ ସରଳ ଧ୍ୱନିରେ ମାନସ ମୋହିବ

ଅର୍ଥାଜନ ପ୍ରବରକୁ ଆନନ୍ଦ କରିବ ।’’

 

ବସ୍ତୁତଃ ଉପେନ୍ଦ୍ର ସାହିତ୍ୟ ଥିଲା କେବଳ ‘ଅର୍ଥୀଜନ’ମାନଙ୍କର ଚିତ୍ତ ବିନୋଦନ ପାଇଁ ଉଦ୍ଦିଷ୍ଟ । କୋଟିବ୍ରହ୍ମାଣ୍ଡସୁନ୍ଦରୀର ଦ୍ୱାଦଶ ଛାନ୍ଦରେ ସେ ଆହୁରି କହିଛନ୍ତି-

 

‘‘ଯେ କବି ଅର୍ଥୀ ପଣ୍ଡିତ ସୁହୃଦ ।

ରସିକ ନୋହି ଘେନି ମୋ’ ଛାନ୍ଦ ।

ବ୍ୟସ୍ତ ଅଳକାଂର

ମଣ୍ଡନ ବିଧି ନିର୍ଦ୍ଦୋଷ ବିଚାର ।’’

 

ସେ କାଳରେ ଉନ୍ମାଦି କବିମାନେ କିପରି ସଂସ୍କୃତ ପଣ୍ଡିତମାନଙ୍କର ସହିତ କାବ୍ୟ-କବିତା ରଚନାରେ ସମକକ୍ଷ ହେବା କେବଳ ନୁହେଁ ସେମାନଙ୍କୁ ଅତିକ୍ରମ କରିବାର ଭୁରି ଭୁରି ଦୃଷ୍ଟାନ୍ତ ଭଞ୍ଜ ସାହିତ୍ୟରେ ଦେଖାଯାଏ । ଉଦାହରଣ ସ୍ୱରୂପ ଏକ ସଂସ୍କୃତାଭିମାନୀ ପଣ୍ଡିତଙ୍କର ଗୋଟିଏ ଅଳଙ୍କାରପୂର୍ଣ୍ଣ ଶ୍ଳୋକ ଏଠାରେ ଉଦ୍ଧାର କଲେ ଅନ୍ୟାୟ ହେବ ନାହିଁ । ଅନ୍ତର୍ଲିପି ଅଳଙ୍କାରେ ରଚିତ ଶ୍ଳୋକ ଦେଖନ୍ତୁ-

 

ଯନ୍ମାମ ଚତୁରକ୍ଷରେଣ ବନଜୋ ବର୍ଣ୍ଣେିସ୍ରିଭିର୍ଭୁଷଣଂ

ବର୍ଣ୍ଣକେନ-ମହିଦ୍ୱୟେନ ବିହଗୋ ଦ୍ୱୌ ମଧ୍ୟ ଗୌ ପ୍ରାଣଦୌ ।

ବ୍ୟସ୍ତେ ଗୋଜ ଅମର୍ତ୍ତ୍ୟ ଚାରୁ କୁସୁମଂ ପ୍ରାନ୍ତେଜିଗନ୍ମିଳନଂ

ଯୋଦାନତି ସ ପଣ୍ଡିତଃ କ୍ଷିତିତଳେ ତସ୍ୟାପ୍ୟହଂ କିଙ୍କରଃ ।’’

 

ଗୋଟିଏ ଜଳଜାତ ପୁଷ୍ପ (ଏଠାରେ ପଦ୍ମ)ର ନାମ କର ଯାହାକି ଚତୁରାକ୍ଷର ହୋଇଥିବ । ଗୋଟିଏ ଅକ୍ଷର ‘କୁ’ ବର୍ଣ୍ଣରେ ପୃଥିବୀ ବୁଝାଉଥିବ । ତିନି ବର୍ଣ୍ଣରେ ଭୁଷଣ ବୁଝାଉଥିବ । ଦୁଇଟି ବର୍ଣ୍ଣରେ ବିହଗ ବା ପକ୍ଷୀ ବୁଝାଉଥିବ । ପୁଷ୍ପ ନାମର ୨ଟି ଅକ୍ଷର ମଧ୍ୟ ବର୍ଣ୍ଣଟିରେ ପ୍ରାଣ ବୁଝାଉଥିବ । ପୁଣି ତାକୁ ଏପଟ ସେପଟ କରିଦେଲେ ଗୋତ୍ର ଲବଙ୍ଗାଦି ବୁଝାଉଥିବ । ଏହିପରି ଚତୁବର୍ଣ୍ଣବିଶିଷ୍ଟ ପଦଟି ହେବ ‘‘କୁବଳୟ’’ । ଏହାକୁ ଯେ କହିପାରିବ ପଣ୍ଡିତ ମହାଶୟ ତାଙ୍କର କୈଂକର୍ଯ୍ୟ ଲାଭ କରିବେ । ଉପେନ୍ଦ୍ରଭଞ୍ଜ ଲାବଣ୍ୟବତୀରେ ଏହି ବିଷୟଟିକୁ ନେଇ ଆହୁରି ଚମତ୍କାର ଭାବରେ ଓ ପରିବେଶରେ ପ୍ରକାଶ କରିଅଛନ୍ତି । ମନ୍ତ୍ରୀ କନ୍ୟା ଓ ଲାବଣ୍ୟବତୀ କଥୋପକଥନକୁ ପୁଷ୍କରିଣୀରେ ସ୍ନାନ କରୁଥିବାବେଳେ ଭଞ୍ଜ ସେହି ପଦଟିକୁ ଅନ୍ତର୍ଲିପି ଅଳଙ୍କାରରେ ବସାଇଛନ୍ତି-

 

ମନ୍ତ୍ରୀ ଯା ପୁଚ୍ଛିଲା ଜେମାକୁ ଚାରିବର୍ଣ୍ଣେ ଏସନ ।

ଏକାକ୍ଷରେ ଖ୍ୟାତ ଧରଣୀ କରଭୁଷା ତ୍ରିବର୍ଣ୍ଣ ।।

ବୟସ ନାମ ଖ୍ୟାତ ମୁନି ଯାହାକରେ ସେ ହେବ ।

ପ୍ରାକର୍ମ ଦ୍ୱିବର୍ଣ୍ଣ ବିଲୋପେ ରାମ କୁମର ଥିବ ।।

 

ବ୍ୟସ୍ତେ ବସନ୍ତାଦି ଫୁଲେକ ପୁଣି ତଟର ନାମ ।

ସମସ୍ତ ପଢ଼ିଲେ ହୋଇବ ଜଲେ ଥିଲା କୁସୁମ ।।

 

ଚତୁରୀ ତୁରିତେ ଜାଣିଲା ହସି କହିଲା ତହିଁ ।

କଂସ କରିବର ପରାୟେ ମୋତେ ପରତେ ହୋଇ ।।

 

ଏହାର ଅର୍ଥ କୁବଳୟ । ମାତ୍ର ଏଠାରେ କବି ଉପେନ୍ଦ୍ର ଭଞ୍ଜ ବଳୟ ପଦଟିକୁ ବ୍ୟସ୍ତ କରିଦେଲେ, ବସନ୍ତ ଫୁଲ ବକୁଳ ଓ ତଟ ଇତ୍ୟାଦିର ପରିକଳ୍ପନା କଲେ । ଏତଦ୍‌ଦ୍ୱାରା ଭଞ୍ଜେ ପଣ୍ଡିତଙ୍କ ଅପେକ୍ଷା କଳ୍ପନା ବିଳାସିତାରେ ଅଧିକ କୃତିତ୍ୱ ଦେଖାଇଲେ ନାହିଁକି ?

 

ଆଉ ଏକ ବହିର୍ଲିପି ଅଳଙ୍କାରର ଉଦାହରଣ ସଂସ୍କୃତ ଓ ଓଡ଼ିଆ କବିତାରୁ ନିଆଯାଉ । ଜନୈକ ପଣ୍ଡିତ ଏକ ଆଶୀର୍ବାଦାତ୍ମକ ଶ୍ଳୋକ ଉକ୍ତ ଅଳଙ୍କାରରେ ଲିପିବଦ୍ଧ କରିଛନ୍ତି-

 

କଃ ପାନ୍ଥାନୁପକୁର୍ବତେଽଧ୍ୱନିପୁନଃ ତିଷ୍ଠନ୍ତି କେ ପାଦପେ

କେ ପଦଭ୍ୟାଂ ନିହନ୍ତ୍ୟା ବ୍ରଜନ୍ତି ଗଗନେ କୁନ୍ତ୍ରାର୍ଯମାଶୋଭତେ ।

କାସାରସ୍ତୁ କୟା ଚକାସ୍ତି ନଳିନୀଂ ପ୍ରାପ୍ନୋତି କିଂ ଋର୍କତୋ

ଯାବର୍ଣ୍ଣଦ୍ୱୟ ମଧ୍ୟବର୍ଣ୍ଣି ଘଟିତା ସା ଦବତା ପାତୁବଃ ।।

ପଥରେ କିଏ ପଥିକମାନଙ୍କର ଉପକାର କରେ = ପାଦପ

ପାଦପମାନଙ୍କରେ କିଏ ବସବାସ କରନ୍ତି = ପକ୍ଷିଣଃ

ପାଦଦ୍ୱାରା ଆଘାତ ପାଇ କିଏ ଗଗନକୁ ଉଠିଯାଆନ୍ତି = ରେଣବଃ

ଅର୍ଯ୍ୟମା ଯେ ସୂର୍ଯ୍ୟ ସେ କେଉଁଠାରେ ଶୋଭା ପାଆନ୍ତି = ଆକାଶ

କାସାର ଅର୍ଥାତ୍‌ ପୁଷ୍କରିଣୀମାନଙ୍କରେ କିଏ ଶୋଭାପାନ୍ତି = ନଳିନୀ

ପଦ୍ମ ସୂର୍ଯ୍ୟଙ୍କଠାରୁ କ’ଣ ପାଇଥାଏ = ପ୍ରକାଶ

ମଧ୍ୟ ବର୍ଣ୍ଣର ସମାହାରରେ ହେଲା = ଦକ୍ଷିଣ କାଳିକା

 

ଭଞ୍ଜ ଏହାଠାରୁ ଆହୁରି ଦକ୍ଷତାର ସହିତ ବହିର୍ଲିପି ଅଳଙ୍କାର ସୃଷ୍ଟି କରିଛନ୍ତି । ଏକ ପ୍ରେମପତ୍ରର ଉଦାହରଣ ଏଠାରେ ଦିଆଯାଇପାରେ । ଭଞ୍ଜଙ୍କ ବୈଦେହୀଶ ବିଳାସରେ ରାମଚନ୍ଦ୍ର ସୀତାଙ୍କୁ ଯେଉଁ ପ୍ରେମପତ୍ର ଲେଖିଛନ୍ତି ସେ ପତ୍ରଟି ଏ ଆଲୋଚ୍ୟ ଅଳଙ୍କାରରେ ରଚିତ ହୋଇଅଛି ଏବଂ ତାହା ପାଠକ ପକ୍ଷରେ ଅତ୍ୟନ୍ତ ଉପଭୋଗ୍ୟ ହୋଇଅଛି । ରାମଚନ୍ଦ୍ର ଲେଖିଲେ-

 

‘‘ବହିଲିପି କହି ବେନି ବେନି ବର୍ଣ୍ଣ ଲେଖି

ବାମନାଶି ଦକ୍ଷିଣ ବର୍ଣ୍ଣକୁ ଭଜ ସଖୀ ।’’

ବନ୍ଦ୍ୟକେ ଜଗତେ କେହୁ ତିଳକର ସ୍ଥାନ = ଶିବ, ଭାଲ

ବସି ରାଜା କି କରେ ବେଶ୍ୟାର କି ରଞ୍ଜନ = ସଭା, ରୂପ

ବ୍ୟୋମକେଶ ମୋହିନୀ କେ ଶିଶୁ କେ ପାଳଇ= ଚଣ୍ଡି, ମାତା

ବଡ଼ ଖେଳରେ କେ ଘେନ ଘନ କି ମୁଞ୍ଚଇ = ପଶା, ନୀର

ବିରଚେ କେହୁ ପ୍ରବନ୍ଧ ଋଷି କି କରନ୍ତି = କବି, ତପଃ

ବହେ ଉତ୍ତୁଙ୍ଗ ଶୃଙ୍ଗକେ ବିପ୍ରେ କି ହୁଅନ୍ତି = ଗିରି, ବ୍ରତ

ବିଷ୍ଣୁ ଆୟୁଧକେ ଚକ୍ର ବିନା କେ ଅଗ୍ୟମ୍ୟ = ଗଦା, ବନ

ବ୍ରହ୍ମା କି ପାଳନ୍ତି କେହୁ ରଚନ୍ତି ସଂଗ୍ରାମ = ଲୋକ, ବୀର

 

ବୁଝି ମୈଥିଳୀ ଭାଷିତ ଗୁରୁ କରି ନାହିଁ

ବୋଲେ ରାଘବ ଅଗୁରୁ ବିଦ୍ୟାସିନା ସେହି ।

 

ଏଥିରୁ ରାମଙ୍କର ଯେଉଁ ଉଦ୍ଦେଶ୍ୟ ପ୍ରକଟିତ ତାହା ଅଭିବ୍ୟଞ୍ଜିତ ।

 

‘‘ବଲ୍ଲଭା ପଣ୍ଡିତାସାର ବିପରୀତ ଦାନ କର ।’’

 

ଶବ୍ଦାଳଙ୍କାର ସହିତ ପ୍ରଚ୍ଛନ୍ନ ରସିକତା ଏଥିରେ ପ୍ରସ୍ଫୁଟିତ । ଏତଦ୍‌ବ୍ୟତୀତ ଭଞ୍ଜଙ୍କର ସୃଷ୍ଟିରେ ଯେଉଁ ଉପମା ଓ ଲକ୍ଷଣା ବୈଚିତ୍ର୍ୟ ରହିଛି ତାହା ଅନ୍ୟତ୍ର ଦୁଲ୍ଲର୍ଭ । ସୁଭଦ୍ରା ପରିଣୟରେ ଭଞ୍ଜ କହୁଛନ୍ତି -

 

‘‘ସମାପତ ହେଲା ଦିବସ ସେକାଳେ ସବିତା ମଣ୍ଡିଲେ ଚରମ-

ସିନ୍ଧୁ ନବନୀତ ଉଦିତ ହେବାରେ ପୂର୍ବଦିଶିଲା ମନୋରମ

ଶୁଣ ସେକାଳ । ସୁଲକ୍ଷଣା ଉପକରମ

ସୁରେଶ ନୀରେଶ ବେନି ରାଜାଙ୍କର ଶ୍ୱେତ ମାଣିକ୍ୟ ଛତ୍ରରମ୍ୟ ।

ସିଂହୀ କରିଣୀ ପ୍ରସବ ଏକାବେଳେ କଲେ କି ନଭଅଟବୀରେ

ସାରସ କୁମୁଦବନ୍ଧୁବୋଲି ଆମ୍ଭେ ଚିହ୍ନାଇ ହୁଅନ୍ତି ଛବିରେ

ସଂପ୍ରତିତ ଏ ସେକାଳେ ହୁଅଇ କବିରେ ।

ସଖାବେନି କି ଚର୍ଚ୍ଚରୀ ଖେଳୁଛନ୍ତି ମଳୟଜ ରଜ ଅବିରେ ।

ସାରିଣୀ ଯୁଗଳ ଶଙ୍ଖ ହିଙ୍ଗୁଳରେ ଶାଣିତ ହୋଇ ଶୋଭାକର

ସଂକଳିତ ହୋଇ ତାହା ରହିଅଛି କିମ୍ୱା ସୁରକାମିନୀ ବେନିକର

ସୂତ୍ର ତହିଁରେ ସହଜେ ଊର୍ଦ୍ଧ୍ୱମୁଖ କରେ

ଶୂନ୍ୟ ବିଳାସେ ଉଲ୍ଲାସ ଜାତକରେ ଦେଖିଲେ ବେନି ଶିଶୁଙ୍କର ।

 

ଚମତ୍କାର ବର୍ଣ୍ଣନା । ସୂର୍ଯ୍ୟ ଓ ଚନ୍ଦ୍ରକୁ ଇନ୍ଦ୍ର ଓ ବରୁଣଙ୍କର ଛତ୍ର, ସିଂହୀ କରିଣୀଙ୍କ ସଦ୍ୟଜାତ ଛୁଆ, ପଦ୍ମ ଓ କୁମୁଦର ବନ୍ଧୁ ସଖା ବେନିଙ୍କ ଧଳା ଓ ରଙ୍ଗ ବର୍ଣ୍ଣରେ ଚର୍ଚ୍ଚରୀଖେଳା, ଶଙ୍ଖ ହିଙ୍ଗୁଳ ବର୍ଣ୍ଣରେ ନିର୍ମିତ ସାରିଣୀ ଦୁଇ ସୁରକାମିନୀଙ୍କ ଦୁଇଟି ସାରିଣୀ-ଏହିପରି ନାନାପ୍ରକାର କଳ୍ପନାରେ ଯେଉଁ ଆଶ୍ରୟ ନେଇଛନ୍ତି ତାହା ସମଗ୍ର କାବ୍ୟ ସାହିତ୍ୟରେ ବିରଳ ।

 

ପୁନଶ୍ଚ ଗୋଟିଏ ଗୋଟିଏ ଛାନ୍ଦରେ ଗୋଟିଏ ପଦରେ ଏକାବେଳେକେ ଦୁଇଦୁଇ ରାଗର ଅବତାରଣା (କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ୨୦ ଛାନ୍ଦ) ଭଞ୍ଜଙ୍କ ବ୍ୟତୀତ ଅନ୍ୟ କେହି ଦେଖାଇପାରିନାହାନ୍ତି । କିନ୍ତୁ ଏ ସବୁ ସତ୍ତ୍ୱେ କବିତାର ଯେଉଁ ରହସ୍ୟମୟ ସୌନ୍ଦର୍ଯ୍ୟ, ଲଳିତ କୋମଳ ପଦାବଳୀ ପାଠକପ୍ରାଣକୁ ଆଚ୍ଛନ୍ନ କରେ, ହୃଦୟକୁ ଦ୍ରବୀଭୂତ କରେ, ଭଞ୍ଜଙ୍କ ସୃଷ୍ଟିରେ ତାକୁ ଖୋଜି ପାଇବା ସବୁବେଳେ ସହଜ ହୁଏ ନାହିଁ । କାନ୍ତି ପରିବର୍ତ୍ତେ ଅଳଙ୍କାରର ଭୁଷଣ ସହଜ, ରସୋତ୍ତରଣ ପରିବର୍ତ୍ତେ ଦ୍ୱ୍ୟର୍ଥବୋଧକ ଦୁର୍ବୋଧ୍ୟତା ତାଙ୍କର କାବ୍ୟମାନଙ୍କର ଲକ୍ଷଣ ଓ ପ୍ରବୃତ୍ତି ହୋଇପଡ଼ିଲା । ପ୍ରକୃତ ପକ୍ଷରେ ଅଳଙ୍କାର ଶାସ୍ତ୍ର ଅଭିଧାନ ଓ ଶବ୍ଦକୋଷ ପ୍ରଭୃତି ଆୟତ୍ତ କରି ନ ଥିଲେ ଏସବୁ କାବ୍ୟ ମଧ୍ୟରେ ପ୍ରବେଶ କରିବା ପାଠକ ପକ୍ଷରେ ଦୁଃସାଧ୍ୟ । X X ଶବ୍ଦଜ୍ଞାନର ପରିଚୟ ଦେବାକୁ ଯାଇ ଉପେନ୍ଦ୍ରଭଞ୍ଜ ସହଜ, ସୁବୋଧ୍ୟ, ଭବୋଦ୍ଦୀପକ କାବ୍ୟ କାନ୍ତିବର୍ଦ୍ଧକ ଶବ୍ଦ ପରିବର୍ତ୍ତେ ବହୁ କ୍ଳିଷ୍ଟ, ଦୁର୍ବୋଧ୍ୟ ଓ ଅଭିଧାନିକ ଶବ୍ଦ ପ୍ରୟୋଗ କରିଥିଲେ, ଯାହା ପାଠକ ବା କାବ୍ୟଗ୍ରାହକ ଓ କାବ୍ୟ ମଧ୍ୟରେ ଟାଣି ଦେଇଥିଲା ଶୁଷ୍କ ପାଣ୍ଡିତ୍ୟର ଅନ୍ଧ-ଯବନିକା । ରାଜ ଦରବାରରେ କବିତ୍ୱର ଭୋଜବାଜି ଓ ପାଣ୍ଡିତ୍ୟର ପ୍ରଦର୍ଶନ ପାଇଁ ତାଙ୍କର କାବ୍ୟ ସବୁ ଥିଲା ଉଦ୍ଦିଷ୍ଟ-। ଏହାକୁ ତେଣୁ ଦରବାରୀ କାବ୍ୟ (court epic) ନାମରେ ଚିହ୍ନିତ କରିବା ହିଁ ଯୁକ୍ତିସମ୍ମତ (୧)-। ଉପେନ୍ଦ୍ର ଯେ କେବଳ ଶବ୍ଦ ସାଗର ପାରିହୋଇଥିବା ସ୍ପର୍ଦ୍ଧା ପ୍ରଦର୍ଶନ କରିଥିଲେ ତାହା ନୁହେଁ; ବ୍ୟାକରଣ ଓ ବର୍ଣ୍ଣାଶୁଦ୍ଧିକୁ ବିସର୍ଜନ ଦେଇ ଯେଉଁ ଅବନାରସତରଙ୍ଗ ସୃଷ୍ଟି କରିଗଲେ, ତାହା ତାଙ୍କ କାବ୍ୟିକ ନିରଂକୁଶତା ବ୍ୟତୀତ ଅନ୍ୟ କିଛି ନୁହେଁ । କିନ୍ତୁ ଏକଥା ସ୍ୱୀକାର୍ଯ୍ୟ ଯେ ସେ ସବୁ କାବ୍ୟରେ ଚମତ୍କାରିତା ସୃଷ୍ଟି କରିବାକୁ ଭୁଲିନାହାନ୍ତି । ରସର ପୁଷ୍ପିତ ସ୍ଫୁରଣରେ ସେ ବହୁସ୍ଥଳରେ ଏକମାତ୍ର ଚମତ୍କାର ରସକୁ ହିଁ ଗ୍ରହଣ କରିଅଛନ୍ତି । ‘ରସେ ସାରଃ ଚମତ୍କାରଃ ସର୍ବାପ୍ୟନୁଭୁୟତେ’- ଏହି ରସାଦର୍ଶ ଥିଲା ଉପେନ୍ଦ୍ରଙ୍କ ପ୍ରଧାନ ଉପଜୀବ୍ୟ ଏବଂ ଏହି ରସ ସୃଷ୍ଟି କରିବାଦ୍ୱାରା ତାଙ୍କର କାବ୍ୟରେ କ୍ଳିଷ୍ଟତା ଥିଲେ ମଧ୍ୟ ଅପୂର୍ବ ସାଙ୍ଗୀତିକତା ଓ ଅଳଙ୍କାର ବିନ୍ୟାସ ଯୋଗୁଁ ରମଣୀୟତାକୁ ପ୍ରାପ୍ତ ହୋଇଅଛି । ଦୀନକୃଷ୍ଣଙ୍କ କାବ୍ୟାଦର୍ଶ ଥିଲା ଭିନ୍ନ ପ୍ରକାର । କବିତାକାମିନୀ କନ୍ଦର୍ପ କଳାକୁଶଳା ହୋଇଥିବ-କରୁଥିବ ଗତି ଭ୍ରୁଭଙ୍ଗ କଟାକ୍ଷ ଲୀଳା, କର୍ଣ୍ଣରେ କୁଣ୍ଡଳ ବଙ୍କା ଚାହାଣୀ, ବକ୍ରବାଣୀଯୁକ୍ତ ଉଦ୍ଧତ ନ ହୋଇ କୋମଳ ଲଜ୍ଜାବନ୍ତ ଓ ସ୍ନେହଗର୍ଭବାଣୀରେ କଥା କହୁଥିବେ- ଏହିପରି ତାଙ୍କର କାବ୍ୟାଙ୍ଗନା ନାନା ସଦ୍‌ଗୁଣରେ ବିଭୁଷିତା । ମୋଟ ଉପରେ ଆଦର୍ଶ ନାରୀର ସକଳ ଧର୍ମରେ ସେ ହୋଇଥିବେ ଗୌରବାନ୍ୱିତା । ବିଭିନ୍ନ ଆଳଙ୍କାରିକ ମତବାଦର ସମନ୍ୱୟ ସାଧନରେ କବି ଚେଷ୍ଟିତ । ମାତ୍ର ତାଙ୍କ କବିତାରେ ଯେ କ୍ଳିଷ୍ଟତା ନାହିଁ ଏପରି ନୁହେଁ । ‘କ’ ଅନୁପ୍ରାସରେ ସମସ୍ତ କାବ୍ୟ ରଚିତ ହୋଇଥିବାରୁ ସରଳ, ତରଳ, କୋମଳ ଶବ୍ଦାବଳୀ ସୃଷ୍ଟିରେ ସେ ସ୍ୱାଧୀନତା ପାଇ ନାହାନ୍ତି । ତେଣୁ ସେ କହିଛନ୍ତି ‘‘କଅ ଅକ୍ଷରେ କଲି ଯେ ଗୀତ, କେବେ ହେଁ ଏଥି ନଦେବ ଘାତ’, କବି ହେଲେ ତ ଜାଣିବ ଏଥି ଶ୍ରମ ହିଁ ଯେତେ ହେ ।’’ ଶ୍ରମସ୍ୱୀକାରପୂର୍ବକ ଶବ୍ଦ ରଚନା କରିବାକୁ ଯାଇ ଦୀନକୃଷ୍ଣ ସ୍ଥଳବିଶେଷରେ କାବ୍ୟର ସ୍ୱତଃସ୍ଫୁର୍ତ୍ତତା ନଷ୍ଟ କରିଦେଇ ଅଛନ୍ତି । କିନ୍ତୁ ଏହା ସ୍ୱୀକାର୍ଯ୍ୟ ଯେ ଦୀନକୃଷ୍ଣ ସମସ୍ତ କାବ୍ୟକୁ ଶୃଙ୍ଗାର ରସର ଅନବଦ୍ୟ ପ୍ରକାଶକ ଭାବେ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ ଦୀନକୃଷ୍ଣ ଶ୍ରୀକୃଷ୍ଣଙ୍କ ବୃନ୍ଦାବନ-ଲୀଳା-ବର୍ଣ୍ଣନାରେ ଯେଉଁ ଜାନ୍ତବ ପ୍ରେମର ଚିତ୍ର ପ୍ରଦାନ କରିଛନ୍ତି, ତାହା ମଧ୍ୟ ସବୁ ସମୟରେ ରୁଚିସମ୍ମତ ହୋଇ ନ ପାରେ । ଅଧ୍ୟାପକ ବୃନ୍ଦାବନ ଆଚାର୍ଯ୍ୟଙ୍କ ଭାଷାରେ ‘‘ଆଧ୍ୟାତ୍ମିକ ବିଷୟର ପ୍ରଲୋଭନରେ ପାଠକ କ୍ରମେ ପଶିଯାଏ ଯୌନ ବିଳାସର ଜଙ୍ଗଲରେ (୧) କିନ୍ତୁ ଦୀନକୃଷ୍ଣଙ୍କ ସାହିତ୍ୟରେ ସମାଜ ଅଛି, ସାମାଜିକ ଜୀବନ ଅଛି ଓ ଭକ୍ତ ଜୀବନର ସୁଖଦୁଃଖର ଅନବଦ୍ୟ ଚିତ୍ର ମଧ୍ୟ ରହିଛି ଯାହାକି ଅଭିମନ୍ୟୁ ବା ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟରେ ପାଇବା ଦୁଷ୍କର ।

 

(୧)

ସୁରେନ୍ଦ୍ର ମହାନ୍ତି - ଓଡ଼ିଆ ସାହିତ୍ୟର କ୍ରମବିକାଶ ପୃ-୧୭୪

(୧)

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ ପୃ-୧୫୧

 

ସମଗ୍ର ରସକଲ୍ଲୋଳ କାବ୍ୟରେ ସତେ କି କବିଙ୍କ ଦରଦୀ ହୃଦୟର ଛାୟା ପ୍ରତିଫଳିତ ହେବାର ପାଠକ ଲକ୍ଷ୍ୟ କରେ । ତେଣୁ ଗୋପାଙ୍ଗନାମାନଙ୍କର ଖେଦୋକ୍ତି ଓ ବିରହୋକ୍ତି ବର୍ଣ୍ଣନାରେ ସିଦ୍ଧହସ୍ତତା ପ୍ରଦର୍ଶନ କରିଛନ୍ତି । ନିର୍ଭୀକତା, ଅକୁତୋଭୟତା ତାଙ୍କର ଜୀବନର ଆଦର୍ଶ ଥିଲା । ରାଜାନୁଗ୍ରହରୁ କେବଳ ବଞ୍ଚିତ ହୋଇନାହାନ୍ତି ବରଂ ରାଜରୋଷରେ ପତିତ ହୋଇ ସେ ପୁରଷ୍କାର ପରିବର୍ତ୍ତେ ଅକଥନୀୟ ତିରସ୍କାର ତଥା ଅତ୍ୟାଚାର ଲାଭ କରିଛନ୍ତି । ତଥାପି ତିଳେ ମାତ୍ର ତାଙ୍କ କର୍ତ୍ତବ୍ୟରୁ ସେ ବିଚ୍ୟୁତ ହୋଇନାହାନ୍ତି । ବରଂ ଚିରକାଳ ପାଇଁ ଅତ୍ୟାଚାର, ଅନାଚାର, ସାମାଜିକ ଦୋଷ ଦୁର୍ଗୁଣ ବିରୁଦ୍ଧରେ ମସୀ ରୂପ ଆସି ଉତ୍ତୋଳନ କରିଯାଇଅଛନ୍ତି । ରସ ଓ ସୌନ୍ଦର୍ଯ୍ୟଚେତନା ତାଙ୍କ ସୃଷ୍ଟିରେ ମୁଖ୍ୟ ସ୍ଥାନ ଅଧିକାର କରିଥିଲେ ହେଁ ସେ ଥିଲେ ଜଣେ ସମାଜ ସଚେତନ ଶିଳ୍ପୀ । ପ୍ରକୃତି ଓ ମାନବ ତାଙ୍କ କାବ୍ୟରେ ସମାନ ଐଶ୍ୱର୍ଯ୍ୟର ଅଧିକାରୀ ।

 

ଉପେନ୍ଦ୍ର, ଦୀନକୃଷ୍ଣ ଓ ଅଭିମନ୍ୟୁଙ୍କ କାବ୍ୟ ପ୍ରବାହରେ ଭାବ ଓ ଭାଷାଗତ ପ୍ରଚୁର ସାମ୍ୟ ପରିଲକ୍ଷିତ ହେଲେହେଁ ଦୀନକୃଷ୍ଣଙ୍କ ମୌଳିକ କବି ମନର ବିଦ୍ରୋହ ଚେତନା ପାଠକର ଚକ୍ଷୁରେ ସହଜରେ ଧରାପଡ଼ିଯାଏ । ଅଭିମନ୍ୟୁଙ୍କର ମଧ୍ୟ ସେହି କବିମନର ବିଦ୍ରୋହବିଳାସ ଥିଲା । ତେଣୁ ତାଙ୍କର କାବ୍ୟକୁ ପଣ୍ଡିତଜନୋଚିତ ନୈର୍ବ୍ୟକ୍ତିକ ବାଣୀବିଭବରେ ନିସ୍ତରଙ୍ଗ ନ କରି ବିଦଗ୍‌ଧମାନଙ୍କ ପାଇଁ ଉଦ୍‌ବେଳିତ ତଥା ତରଙ୍ଗାୟିତ କରିଅଛନ୍ତି । ପଣ୍ଡିତ ଓ ସାଧାରଣ ଉଭୟଙ୍କ ପାଇଁ ଉପଯୁକ୍ତ ମନୋରଂଜନର ସୁଯୋଗ ସୃଷ୍ଟି କରି ସେ ଦୃପ୍ତ କଣ୍ଠରେ ଘୋଷଣା କରିଛନ୍ତି-

 

‘‘ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି

ଦେଖ ମହାଜନ ମାର୍ଗ ପରମ୍ପରା ବିଧି !’’

 

କେବଳ ଭାଷା ପ୍ରୟୋଗ କ୍ଷେତ୍ରରେ ନୁହେଁ, ରସ ପରିବେଷଣରେ ମଧ୍ୟ ଅଭିମନ୍ୟୁ ଅତ୍ୟନ୍ତ ସତର୍କ, ସଂଯତ ପଦକ୍ଷେପ ନେଇ ସକଳ ଶ୍ରେଣୀର ପାଠକମାନଙ୍କୁ ଆନନ୍ଦ ଦାନ କରିବାରେ ସଫଳ ହୋଇଅଛନ୍ତି । ସେଥିପାଇଁ ବିଦ୍‌ଗଧ ଚିନ୍ତାମଣିରେ ବିଭିନ୍ନ ପାଠକର ବ୍ୟବସ୍ଥା କରି କହୁଛନ୍ତି-

 

‘‘ଥୋକେ ସ୍ଥଳ ହେବ ଦ୍ରାକ୍ଷାଗୁଡ଼ କୃତ ପାକ

ଥୋକେ ସ୍ଥଳ ନାରିକେଳ ଖର୍ଜ୍ଜୁର ରୋଚକ ହେ ।’’

 

ଅଭିମନ୍ୟୁ ନିଜ କାବ୍ୟ ସୃଷ୍ଟି ମଧ୍ୟରେ ସଂପୂର୍ଣ୍ଣ ତନ୍ମୟ ହୋଇ ସୁଦ୍ଧା ସବୁଶ୍ରେଣୀର ପାଠକମାନଙ୍କ ମାନସିକ ଶାନ୍ତି ଓ ଆନନ୍ଦ ପାଇଁ ଯେଉଁ ସଚେତନତା ପ୍ରକାଶ କରିଅଛନ୍ତି ତାହା ଯଥାର୍ଥରେ ତାଙ୍କ ବିଦଗ୍‌ଧତାର ପରିଚୟ ଦେଇଥାଏ । ଉପେନ୍ଦ୍ରଙ୍କ କାବ୍ୟ ଥିଲା ଓଜଗୁଣଯୁକ୍ତ । ଦୀନକୃଷ୍ଣଙ୍କ କାବ୍ୟରେ ମିଳେ ପ୍ରସାଦ-ଗୁଣର ଆଧିକ୍ୟ । ମାତ୍ର ଅଭିମନ୍ୟୁଙ୍କ କାବ୍ୟରେ ଓଜଃ, ପ୍ରସାଦ ଓ ମାଧୁର୍ଯ୍ୟ ଗୁଣର ଯେଉଁ ମଞ୍ଜୁଳ ସମନ୍ୱୟ ଘଟିଅଛି, ତାହା ହିଁ ତାଙ୍କୁ ଏହି ଦୁଇ ପ୍ରତିଭାଧରଙ୍କଠାରୁ ଏକ ସ୍ୱତନ୍ତ୍ର ଆସନ ପ୍ରଦାନ କରିଅଛି । ଆଲୋଚକ BijoyChandra Majumdar ତେଣୁ ଯଥର୍ଥାରେ କହିଛନ୍ତି -

 

In the matters of rhetorical composition he excell Upendra in some points, and unlike Upendra, he has composed his poems i genuine Oriya language. (1)

 

(1) Typical selections from Oriya literature-Vol-II Page-26

 

ରାଗାନୁଗା ପ୍ରେମଭକ୍ତିର ବର୍ଣ୍ଣନାରେ ଅଭିମନ୍ୟୁଙ୍କ ପ୍ରତିଭା ଦୀନକୃଷ୍ଣଙ୍କୁ ମଧ୍ୟ ଅତିକ୍ରମ କରାଯାଇଛି । ବସ୍ତୁତଃ ଅଭିମନ୍ୟୁଙ୍କ ସୃଷ୍ଟି ସମ୍ପଦ ମଧ୍ୟରେ ଶ୍ରୀରାଧାଙ୍କର ଯେଉଁ ପରିପୂର୍ଣ୍ଣ ବିକାଶର ଚିତ୍ର ପରିଲକ୍ଷିତ, ତାହା ତାଙ୍କ ପୂର୍ବର ଦୀନକୃଷ୍ଣ ବା ଭକ୍ତଚରଣଙ୍କ ରଚନାରେ ଦୁର୍ଲଭ ।

 

ଉପେନ୍ଦ୍ରଙ୍କ ସାହିତ୍ୟ ଏକ ଶବ୍ଦର ସମୁଦ୍ର । ଯାହା ତୀରରେ ଠିଆ ହେଲେ ମନରେ ବିସ୍ମୟ ଜାଗେ ସତ ; ମାତ୍ର ସେଥିରେ ଅବଗାହନ କରିବା ପାଇଁ ମନରେ ଦୁର୍ବାର ଆକର୍ଷଣ ସୃଷ୍ଟି ହୁଏ ନାହିଁ-। ଦୀନକୃଷ୍ଣଙ୍କ ସାହିତ୍ୟ ରସର ଏକ ନିର୍ଝରିଣୀ ପରି, ଯାହା ତାର ଲଳିତ ମଧୁର ଛନ୍ଦରେ ପାଠକକୁ ମୁଗ୍‌ଧ କରିଦିଏ । ମାତ୍ର ଅଭିମନ୍ୟୁଙ୍କ ସାହିତ୍ୟ ଯେପରି ଛାୟାଘନ-ଚିରଶାନ୍ତ ଏକ ନିଃସୀମ ନୀଳ ହ୍ରଦ, ଯାହାର ତୀର ମୁଗ୍‌ଧ-ମାଦକତାଭରା ଆକର୍ଷଣରେ ପାଠକକୁ ତା ମଧ୍ୟରେ ଅବଗାହନ ପାଇଁ ଆହ୍ୱାନ ଜଣାଇଥାଏ । ଅଭିମନ୍ୟୁଙ୍କ ବିଦଗ୍‌ଧ ଚିନ୍ତାମଣି ଯଥାର୍ଥରେ ବିଦଗ୍‌ଧାମାନଙ୍କର ଚିନ୍ତାର ମଣି ସ୍ୱରୂପ । ଏଠାରେ ଅପ୍ରାକୃତ ପ୍ରେମର ଯେଉଁ ପ୍ରାକୃତିକ ରୂପ ରଚନା କରାଯାଇଅଛି, ତାହା ଅନନ୍ୟ ଓ ଅସାଧାରଣ । ବାସ୍ତବରେ ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣଙ୍କର ଏପରି ଅକୁଣ୍ଠିତ ରୂପ କେବଳ ଅଭିମନ୍ୟୁ ହିଁ ଅଙ୍କନ କରିପାରନ୍ତି । ବିଷୟବିନ୍ୟାସ, ରଚନାଶୈଳୀ, ସରଳଛନ୍ଦର ସଫଳ ପ୍ରୟୋଗ, ବିଭିନ୍ନ ଅଳଙ୍କାରସମୂହର ସୁଷମ ପ୍ରକାଶ, ରସପରିବେଷଣରେ ସତର୍କ ସଂଯତ ଦୃଷ୍ଟିଭଙ୍ଗୀ, ଭାଷା ପ୍ରୟୋଗରେ ସାର୍ବଜନୀନ ବିଳାସ, ପ୍ରେମର ସହଜ, ସୁନ୍ଦର ଅଥଚ ତାତ୍ତ୍ୱିକ ପ୍ରକାଶ ଅଭିମନ୍ୟୁଙ୍କ କାବ୍ୟ ଜଗତକୁ ଏପରି ଏକ ନୟନାଭିରାମ ରୂପରେ ଠିଆ କରାଇପାରିଛି, ଯାହା ତାହାଙ୍କୁ ଉପେନ୍ଦ୍ର ଓ ଦୀନକୃଷ୍ଣଙ୍କ ଅପେକ୍ଷା ଦେଇଛି ବିଦଗ୍‌ଧ କବିର ଗୌରବ । ଗୁଣ ଗ୍ରାହକମାନଙ୍କ ପାଇଁ ଅଭିମନ୍ୟୁ ତାଙ୍କ କାବ୍ୟ ଜଗତର ଉପବନରେ ଏପରି ସୁନ୍ଦର ଚାରା ସବୁ ଛାଡ଼ି ଯାଇଛନ୍ତି, ଯାହାର ପଲ୍ଲବିତ ଓ ପୁଷ୍ପିତ ରୂପ ପାଠକକୁ ଅନାୟାସରେ ଅଭିଭୂତ କରିଥାଏ ।

 

ଆପାତ ଦୃଷ୍ଟିରେ ଦୀନକୃଷ୍ଣ ରସର କବି, ଉପେନ୍ଦ୍ର ଶବ୍ଦ ଓ ଅଳଙ୍କାରର କବି ଏବଂ ଅଭିମନ୍ୟୁ ପ୍ରେମ ଓ ଭକ୍ତିର କବି । ମାତ୍ର ଅଭିମନ୍ୟୁଙ୍କ କାବ୍ୟରେ ଦ୍ରୂତଗୁଣର ଆଧିକ୍ୟ ପରଲକ୍ଷିତ । ଦ୍ରୁତକାବ୍ୟର ଧର୍ମରେ ତାଙ୍କର କବ୍ୟଟି ଗୌରବାନ୍ୱିତ । ଯାହା ଦ୍ରୁତି ତାହା ରସଭାବମୟ । ତାହା ବାସ୍ତବରେ ଭାବର କାବ୍ୟ । ସେଥିରେ ସ୍ୱଭାବୋକ୍ତିର ଆଧିକ୍ୟ ପରିଲକ୍ଷିତ । ତାହା ହୃଦୟର କାବ୍ୟ-। ମାତ୍ର ଉପେନ୍ଦ୍ର ହେଉଛନ୍ତି ଦୀପ୍ତି କାବ୍ୟର କବି । ତାହା ରମ୍ୟାର୍ଥକବୋଧକ କାବ୍ୟ । ବକ୍ରୋକ୍ତିର ପ୍ରାଧାନ୍ୟ ଏଠାରେ ଲକ୍ଷଣୀୟ । ବୌଦ୍ଧିକତାର ବିଳାସ ଏହାର ଧର୍ମ । ଏହା ବୁଦ୍ଧିର କାବ୍ୟ । ଉପେନ୍ଦ୍ରଙ୍କ କାବ୍ୟ ସକଳରେ ଦ୍ରୁତିଗୁଣ ଅପେକ୍ଷା ଦୀପ୍ତିଗୁଣର ଆଧିକ୍ୟ ପରିଲକ୍ଷିତ । ମାତ୍ର ଦୀନକୃଷ୍ଣଙ୍କର କାବ୍ୟରେ ଏହି ଉଭୟ କାବ୍ୟର ଧର୍ମ ସୁରକ୍ଷିତ । ସ୍ଥଳବିଶେଷରେ ବିଦଗ୍‌ଧ କବି ଅଭିମନ୍ୟୁଙ୍କ ସୃଷ୍ଟିରେ ଯେ ଦୀପ୍ତିତ୍ୱ ନାହିଁ, ତାହା ନୁହେଁ, ମାତ୍ର ତାହାର ପରିମାଣ ଅଳ୍ପ । କିନ୍ତୁ ଉପେନ୍ଦ୍ରଙ୍କ କାବ୍ୟ ମୁଖ୍ୟତ ବୁଦ୍ଧିଧର୍ମୀ ଓ ଜ୍ଞାନଦୀପ୍ତ । ଏଠାରେ ପାଠକର ବୁଦ୍ଧି କୌଶଳ ପରୀକ୍ଷିତ ହୁଏ । ଦୀପ୍ତିତ୍ୱର ଆଲୋକରେ ତା’ର ମନ ଉଦ୍ଭାସିତ ହୁଏ ।

 

ଓଡ଼ିଆ ସାହିତ୍ୟ ଜଗତରେ ଏହି ମହତ୍‌ ପ୍ରତିଭାତ୍ରୟୀଙ୍କ ଦାନ କାଳ କାଳ ଧରି ଓଡ଼ିଆ କାବ୍ୟଜଗତକୁ ଯେ ଜ୍ୟୋତିର୍ମୟ ଓ ରୁଦ୍ଧିମନ୍ତ କରି ରଖିବ ଏଥିରେ ସନ୍ଦେହ ନାହିଁ । ସୌନ୍ଦର୍ଯ୍ୟଚେତନା ଓ ରସପରିସ୍ଫୁଟନରେ କିପରି ଏହି ତିନି ବରେଣ୍ୟ ପ୍ରତିଭାର କୃତିତ୍ୱ ସୁପରିସ୍ଫୁଟ-ଉଦ୍ଧୃତି ମାଧ୍ୟମରେ ତାହା ଏଠାରେ ବିଚାର୍ଯ୍ୟ । ଦୀନକୃଷ୍ଣ, ଉପେନ୍ଦ୍ର ଓ ଅଭିମନ୍ୟୁ ତିନିଙ୍କର କାବ୍ୟ ପ୍ରଥାସିଦ୍ଧ ଓ ଅଳଙ୍କାରଧର୍ମୀ । ସେଥିରେ ଉପମା ଗୌରବ ରହିଛି । (ଏଠାରେ ଉପମାକୁ ବ୍ୟାପକ ଅର୍ଥରେ ଗ୍ରହଣ କରାଯାଇଛି । ଯଥାର୍ଥରେ ଉପମା ହେଉଛି ସବୁ ଅଳଙ୍କାରର ମୂଳ । ତେଣୁ ରୂପକ, ଉତ୍‌ପ୍ରେକ୍ଷ, ବ୍ୟତିରେକ, ପ୍ରତୀପ, ସମାସୋକ୍ତି ଓ ଅତିଶୟୋକ୍ତି ଆଦି ସକଳ ପ୍ରକାର ଅଳଙ୍କାରକୁ ଔପମ୍ୟ କୁହାଯାଇଥାଏ । ମାତ୍ର ଆଧୁନିକ ଅର୍ଥରେ ଚିତ୍ରକଳ୍ପର ସେପରି ସଦ୍ଭାବ ଏଠାରେ ନାହିଁ । ତିନିହେଁ ନାରୀ ଓ ପୁରୁଷର ରୂପବର୍ଣ୍ଣନା କରିଛନ୍ତି । ବିଶେଷତଃ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ବିଦଗ୍‌ଧ ଚିନ୍ତାମଣି ନୈଷଧ ଆଦର୍ଶରେ ପ୍ରକୃତି-ପୁରୁଷ କାବ୍ୟ । ତେଣୁ ସେଥିରେ ଉଭୟ ନାରୀ ଓ ପୁରଷର ରୂପ ବର୍ଣ୍ଣନା ସମାନ ଗୁରୁତ୍ୱ ଲାଭ କରିଛି । ଗୋଟିଏ ଗୋଟିଏ ଯୁଗର ରୁଚି ଓ ସୌନ୍ଦର୍ଯ୍ୟବୋଧ ଦ୍ୱାରା ଦୀକ୍ଷିତ ଓ ଅନୁପ୍ରାଣିତ ହୋଇଥିଲେ ହେଁ ଅନେକତ୍ର ସ୍ୱତନ୍ତ୍ର ରୁଚି ଓ ବିଚାରବୋଧ ପ୍ରଦର୍ଶନ କରିଛନ୍ତି । ସେଥିରେ ହିଁ ସେମାନଙ୍କର ବୈଶିଷ୍ଟ୍ୟ ମର୍ଯ୍ୟାଦା ପ୍ରତିଫଳିତ ହୋଇଅଛି । ଦୀନକୃଷ୍ଣଙ୍କ ପୁରୁଷ ବର୍ଣ୍ଣନାର ଏକ ଉଦାହରଣ ଦେଖନ୍ତୁ-

 

‘‘କଳାକାର ଅର୍ଦ୍ଧ କପାଳରେ ଊର୍ଦ୍ଧ୍ୱ କସ୍ତୁରୀତିଳକ ବିରାଜେ

କାମିନୀଙ୍କ କାମ କରବାଳ ସମ ଚାହିଁଲେ ମର୍ମ ଦେଶେ ବାଜେ

କପାଳ ପଟ । ତଟେ ଗୁଞ୍ଜରା ମୁଣ୍ଡମାଳି

କିବା ଅରବିନ୍ଦ ପାଶେ ଅଳିବୃନ୍ଦ ରହେ ଅଙ୍ଗକୁ ଅଙ୍ଗ ଝଳି ।’’

 

ଅଥବା-

‘‘କର୍ଣ୍ଣେ କମନୀୟ ମହାମଣିମୟ ମକରକୁଣ୍ଡଳ ଚଳନ୍ତି

କମଳ ଉଭୟ ପାଶେ ସୁଖୋଦୟ ଯୁଗଳମିତ୍ର କି ଖେଳନ୍ତି

କାବ୍ୟତାରାରୁ ତାର ମୋତିନାସେ ଲୁଳଇ

କରିବାରୁ ସଙ୍ଗ ଅଧର ସୁରଙ୍ଗ ଲୋହିତ ଅଙ୍ଗକୁ ବଳଇ ।’’

(ରସକଲ୍ଲୋଳ)

 

ଭାଷା ସରଳ, ତରଳ, କୋମଳ ଓ କାନ୍ତିମୟ । ଏହା ପାଠ କଲେ ପାଠକ ହୃଦୟରେ ରସର ଆବିର୍ଭାବ ଘଟେ । ଏଠାରେ ବର୍ଣ୍ଣନୀୟ ବିଷୟ ହେଲା କପାଳ, ମୁଖ, ଅଧର, କର୍ଣ୍ଣ ଓ ନାସା - ଭଞ୍ଜ ଏହି ଗୁଡ଼ିକର ବର୍ଣ୍ଣନା କିପରି କରିଛନ୍ତି ତାହା ବର୍ତ୍ତମାନ ଦେଖାଯାଉ-

 

‘‘କପାଳ ଭୁରୁ ନେତ୍ର ଘେନି ସେ ତନ୍ତୁବନ୍ତ କାମ ନୁହେଁ ଛଦ୍ମ

ଶମ୍ପାକ ଧନୁରେ ସଙ୍ଗଭୁଙ୍ଗଗୁଣ ବାଣ ନୀଳାବଜ କି ପଦ୍ମ

ରେ ସଖି-ଆନଠାରୁ ନ ବିନ୍ଧିଲା ଯୋଖି ।

ହୃଦ ଲାଖିଗଲା କିସ ଦେଖି । ସଖୀ ବୋଲେ ଶସ୍ତ୍ର ଅଛି ରଖି ।

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ)

 

ଅଥବା ଅନ୍ୟତ୍ର –

ବହି ପଡ଼ିଲା ପ୍ରାୟ ରଙ୍ଗ ଅଧର କି ଚିତ୍ର ମନ୍ଦାରଫୁଲ

ଗର୍ଭେ ଖଞ୍ଜିଛି କେଉଁ ଧାତା ରଦନ ବ୍ୟାଜେ କୁନ୍ଦକଢ଼ା ମାଳ

ରେ ମିତ-ସଦାସ୍ଫୁଟ ଅସ୍ଫୁଟ ଅଦ୍ଭୁଦ

ନ ପାଇଲେ ତହୁଁ ମଧୁ ସତ । ଉଡ଼ିଯିବ ପ୍ରାଣ ମଧୁବ୍ରତ ।

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ)

 

ଆଲୋଚ୍ୟ ଛତ୍ରରେ ଭାଷା କ୍ଳିଷ୍ଟନ ହେଲେହେଁ ବର୍ଣ୍ଣନାରେ ଲାଳିତ୍ୟର ଅଭାବ । ତଥାପି କଳ୍ପନା ବୈଚିତ୍ର୍ୟ ଭରି ରହିଛି । ଅଭିମନ୍ୟୁ କିନ୍ତୁ କୃଷ୍ଣରୂପ ବର୍ଣ୍ଣନାରେ କମନୀୟ ସୂକ୍ଷ୍ମ କଳ୍ପନା ବିଳାସର ପରିଚୟ ଦେଇଛନ୍ତି । ମୁଖ ଓ ନେତ୍ର ଏଠାରେ ତାଙ୍କର ଉପଜୀବ୍ୟ ଓ ବର୍ଣ୍ଣନୀୟ ବିଷୟ ।

 

‘‘ଲଳିତ ମାଧୁର୍ଯ୍ୟ ଆହ୍ଲାଦପ୍ରସନ୍ନ ସୁଧାସ୍ୱାଦୁଗୁଣ ଥିଲା

କୋଟି ପର୍ବ ଶଶି ଗର୍ବ ଖର୍ବ ଚାରୁ ଦେଖା ଦିନୁ ହେଲା ଗୋ

ଘେନ - ତହିଁ କଳଙ୍କ ଏ ଚିହ୍ନହୀନ ଗୋ

ସେ ତ କ୍ଷୟ ଏ ଅକ୍ଷୟ ସ୍ଥାନ ଗୋ

କଳାକାର ସେ ଏ କଳାପୂର୍ଣ୍ଣ ଗୋ ।’’

(ବି.ଚିନ୍ତାମଣି)

 

ଅଥବା ଅନ୍ୟତ୍ର-

‘‘ଲାଜ ବ୍ୟାଜ ଓଜ ଗାମ୍ଭୀର୍ଯ୍ୟ ଭଙ୍ଗୀମା

            ପ୍ରସନ୍ନଚ୍ଛନ୍ନ ଘୂର୍ଣ୍ଣନ

ଶ୍ରୀ ମୃଦୁ ମାଦକ ଲାଲସ ଆଳସ ପ୍ରୀତିଲୋକ

            ଲୀଳା ସ୍ଥାନ ସେ ନେତ୍ର

 

ସୁଧା ଅନୁରାଗ ବୋଳା ପାତ୍ର ସେ

ଚିତ୍ର ଶତପତ୍ର ଗୋତ୍ର ମିତ୍ର ସେ

ଲକ୍ଷ ଲକ୍ଷ ମୋକ୍ଷ କ୍ଷେତ୍ର ସେ ।’’

(ବି.ଚିନ୍ତାମଣି)

 

ଏ ସ୍ଥଳରେ ଏକାଧାରରେ ଲଳିତ ଓ କୋମଳ ପଦବିନ୍ୟାସ ଥିବାରୁ ପାଠକ ପ୍ରାଣରେ ଯୁଗପତ୍‌ ଆନନ୍ଦ, ବିସ୍ମୟ ଓ ଚମତ୍କାରିତା ସୃଷ୍ଟି କରିଥାଏ । ପାଠକେ ଏଠରେ ବିଚାର କରନ୍ତୁ ଯେ ଅଭିମନ୍ୟୁ ରୂପବର୍ଣ୍ଣନାର ପରମ୍ପରାଶ୍ରୟୀ ନୁହନ୍ତି । ନୂତନ ଦୃଷ୍ଟିଭଙ୍ଗୀର ପରିଚୟ ମଧ୍ୟ ସେ ଦେଇଛନ୍ତି । ଦୀନକୃଷ୍ଣ ସଂକ୍ଷେପରେ ବର୍ଣ୍ଣନା ଶେଷକରି ଦେଇଛନ୍ତି । ଦୃଷ୍ଟି ଶାସ୍ତ୍ରାନୁଗତ ନୁହେଁ କି ହୃଦୟ ଭୋଗ ଲାଳସାରେ ଉଦ୍ଦୀପ୍ତ ନୁହେଁ । ମଧୁର ରୂପଟିକୁ ମାତ୍ର ସ୍ପଷ୍ଟ କରିଦେଇ ସେ କ୍ଷାନ୍ତ ।

 

ଉପେନ୍ଦ୍ର ଶବ୍ଦପାଣ୍ଡିତ୍ୟ ସ ଶାସ୍ତ୍ରବ୍ୟୁତ୍ପତ୍ତି ପ୍ରଦର୍ଶନ କରିବାକୁ ଆଗ୍ରହୀ । ଫଳରେ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ସରସତାର ପରିଲକ୍ଷିତ । ଉପେନ୍ଦ୍ର ଐଶ୍ୱର୍ଯ୍ୟର କବି । କାବ୍ୟରେ ସର୍ବତ୍ର ଐଶ୍ୱର୍ଯ୍ୟର ଜୟଗାନ । ମାତ୍ର ଅଭିମନ୍ୟୁ ମାଧୁର୍ଯ୍ୟର କବି ଏବଂ ତାଙ୍କ କାବ୍ୟରେ ମାଧୁର୍ଯ୍ୟର ଜୟଯାତ୍ରା । ସୁତରାଂ ମାଧୁର୍ଯ୍ୟର ପ୍ରସ୍ଫୁଟନ ପାଇଁ ତାଙ୍କର ଆନ୍ତରିକତା ଅତ୍ୟଧିକ । ସେ ସ୍ଥୂଳ ଅବୟବ ଚର୍ଚ୍ଚା ଅପେକ୍ଷା ଅଙ୍ଗର ସୂକ୍ଷ୍ମ ସୁକୁମାର ସୌନ୍ଦର୍ଯ୍ୟ-ହାସ୍ୟ, ଲାବଣ୍ୟ, କାନ୍ତି ଓ ଦୀପ୍ତି ଆଦିର ସାକାର ଚିତ୍ରଣରେ ବିଶେଷ କୁଶଳତା ପ୍ରଦର୍ଶନ କରିଅଛନ୍ତି । ଏଠାରେ ମାଧୁର୍ଯ୍ୟ ରସାନୁସାରୀ ବର୍ଣ୍ଣର ମଧ୍ୟ ପ୍ରୟୋଗ ପରିଲକ୍ଷିତ । ନାୟିକା ରୂପବର୍ଣ୍ଣନରେ ମଧ୍ୟ ଅବିକଳ ପୁରୁଷ ବର୍ଣ୍ଣନାର ଶୈଳୀ ଅନୁସୃତ । ଅଭିମନ୍ୟୁ ପୂର୍ବ ସୂରିଙ୍କ ଦ୍ୱାରା ପ୍ରଭାବିତ, ମାତ୍ର ଅଭିଭୂତ ନୁହନ୍ତି । ସ୍ଥୂଳ ରସିକତା ଅପେକ୍ଷା ସୂକ୍ଷ୍ମ ରସବୋଧ ପରିଚୟ ସେ ଦିଅନ୍ତି ପର୍ଯ୍ୟାପ୍ତ ପରିମାଣରେ । ହାସ୍ୟ ବର୍ଣ୍ଣନାକୁ ଏଠାରେ ଉଦାହରଣରେ ନିଆଯାଇପାରେ ।

 

‘‘ଥୋଇ ପଡ଼ୁଥାଇ ଅଧରୁ ରଙ୍ଗ

ମନ୍ଦହାସ ହୋଇଥାଇ ତା ସଙ୍ଗ

ମାଣିକ୍ୟ-କୁହରୁ ଚନ୍ଦ୍ର କିରଣ

ଫୁଟି ଦିଶିଲା ପରା ସଲକ୍ଷଣ ସେ

ପ୍ରବାଳ ନାବେ କି କ୍ଷୀର ଯେ

ଅନୁରାଗ-ଆଳବାଳରେ ପୀୟୁଷ-କନ୍ଦଳୀଜାତ ପ୍ରକାର ଯେ ।’’

(ବି.ଚିନ୍ତାମଣି)

 

ଶଶୀ ଅରୁଣ କୋଳାକୋଳି କି ସେ

କିଶଳୟରେ କି ସୁଧା ବରଷେ

ହିଙ୍ଗୁଳ ଦିଆ ମଞ୍ଜୁଷ ସନ୍ଧିରେ

ହୀରାଝଟକ ଦିଶିଲା ବିଧିରେ ସେ

ଦଶନ ଚହଟ ଦିଶେ ଯେ

ଜ୍ୟୋତି ମୋତିରେ ପ୍ରତିବିମ୍ବ ରଙ୍ଗିମା ରହିଲା ପରାୟେ କି ସେ ଯେ ।

(ବି.ଚିନ୍ତାମଣି)

 

‘‘ଥୋପି ପଡ଼ିବା’’ କ୍ରିୟାଠାରୁ ଆରମ୍ଭକରି ଅନୁରାଗ ଆଳବାଳରେ ପୀୟୁଷ କନ୍ଦଳିର ସମ୍ଭାବନା ପର୍ଯ୍ୟନ୍ତ ସବୁ ପୁରୁଣା ହୋଇ ବି ନୂଆ-ହୃଦୟର ଉତ୍ତାପ ବାରିହୋଇ ପଡ଼ୁଛି । ଚିତ୍ରକଳ୍ପର ସଜୀବତା ପ୍ରାଣକୁ ସ୍ପର୍ଶ କରୁଛି । ସବୁ ସମ୍ଭାବନା ଯେପରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଙ୍କନ ମଧ୍ୟ ପ୍ରାଣବନ୍ତ । ଦୀନକୃଷ୍ଣ ବା ଉପେନ୍ଦ୍ର କେଉଁଠି ନାରୀର ସୂକ୍ଷ୍ମ ସୁକୁମାର ହାସଟିକୁ ଏପରି ସୁନ୍ଦର ଚିତ୍ତାକର୍ଷକ ଭାବରେ ଉପସ୍ଥାପନ କରିଛନ୍ତି ବୋଲି ମନେହୁଏ ନାହିଁ । ଏହିଠାରେ ହିଁ ଅଭିମନ୍ୟୁଙ୍କର ଚରମ ସଫଳତା-ଦୀନକୃଷ୍ଣଙ୍କ ନାରୀର ରୂପବର୍ଣ୍ଣନାର ଏକ ଉଦାହରଣ ଏ ସ୍ଥଳରେ ନ ଦେଲେ ଅନ୍ୟାୟ ହେବ ।

 

‘‘କନକଲତାରେ କମଳ କୋଳରେ ବିକାଶେ ନୀଳ ଇନ୍ଦିବର

କୁନ୍ଦକଳିସଙ୍ଗେ ଫୁଟିଅଛି ରଙ୍ଗେ ବନ୍ଧୁଜୀବକ ମନୋହର

କମଳା, କୋକନଦରେ ଗନ୍ଧଫଳୀ

କିକରି ବିଧାତା କରିଛି ଏ ଲତା ଚିତ୍ରକ ପଡ଼ିଅଛି ବଳି ।

(ରସକଲ୍ଲୋଳ)

 

ଏଠାରେ ଦୀନକୃଷ୍ଣ ଦାୟିକାର ଦେହ, ମୁଖ, ଆଖି, ଦନ୍ତ, ଅଧର, ଓଷ୍ଠ ପ୍ରଭୃତିର ବର୍ଣ୍ଣନା ଗୋଟିଏ ପଦରେ ସନ୍ନିବେଶିତ କରିଅଛନ୍ତି । କିନ୍ତୁ ଅଭିମନ୍ୟୁଙ୍କ ବର୍ଣ୍ଣନାରେ ପ୍ରତ୍ୟେକ ଅଙ୍ଗପାଇଁ ସ୍ୱତନ୍ତ୍ର ପଦର ବ୍ୟବହାର ପରିଲକ୍ଷିତ । ଦୀନକୃଷ୍ଣଙ୍କ ବର୍ଣ୍ଣନାରେ ରସିକତା ଅଛି-ଚାତୁର୍ଯ୍ୟୋକ୍ତି ଅଛି । ମାତ୍ର ସୂକ୍ଷ୍ମ କଳ୍ପନାବିଳାସର ଅଭାବ ପରିଦୃଷ୍ଟ । ପ୍ରକାଶ ଥାଉକି ଉପେନ୍ଦ୍ରଙ୍କ ବର୍ଣ୍ଣିତ ଅଧରର ଶୋଭାରେ ସେପରି ବୈଚିତ୍ର୍ୟ ପରିଦୃଷ୍ଟ ହୁଏ ନାହିଁ କି ସୂକ୍ଷ୍ମ କମନୀୟ କଳ୍ପନା ମଧ୍ୟ ନାହିଁ । ପାରମ୍ପରିକ ରୀତିରେ ନୈଷଧୀୟ ଛଟାଇ ତାଙ୍କର ବର୍ଣ୍ଣନା ବିଳସିତ । ତେଣୁ ସେ କହୁଛନ୍ତି -

 

‘‘ଦଶନ ଲକ୍ଷ୍ୟକୁ ପାଇ ନପାଇ

ମୁକ୍ତ ହୋଇ ସିନା ମୁକ୍ତା ବୋଲାଇ

ମଧୁର ନୋହେ ମଧୁ ଓଷ୍ଠ ପରି

ସରଘା ଉଚ୍ଛିଷ୍ଟେ ସେ ଶବ୍ଦ ଧରି ସେ

ଦେବତା ପ୍ରତିଷ୍ଠା ବିହି ଯେ

ଅରୁ ଅଧରେ ଅରୁଣ ଅଧର ଜବା ସର୍ବତଳେ ରହି ଯେ ।’’

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ)

 

ମୁକ୍ତାଦନ୍ତ ତୁଳନାକୁ ପାଇ ନ ପାଇ ହୋଇ ସୁଦ୍ଧା ମୁକ୍ତ ଯିବାରୁ ମୁକ୍ତା ବୋଲାଇଲା । ମଧୁ ଓଷ୍ଠପରି ମଧୁର ନ ହେଲେ ମଧ୍ୟ ନିଜ ନାମରେ ମଧୁର ଶବ୍ଦ ଧରିଥିବାରୁ ସରଘା (ମଧୁ ମକ୍ଷିକା) ଉଚ୍ଛିଷ୍ଟରେ ପୁଷ୍ପ ରସରେ ଦେବତାମାନଙ୍କର ପ୍ରତିଷ୍ଠା ହେଉଅଛି । ଏ ଗୁଡ଼ିକରେ କ୍ଳିଷ୍ଟ କଳ୍ପନାବିଳାସ ତଥା ପାଣ୍ଡିତ୍ୟର ପରିଚୟ ମିଳିଥାଏ ।

 

ସ୍ମିତ ହାସ୍ୟ ଓ ଅଧର ବର୍ଣ୍ଣନାରେ ତିନି କବିଙ୍କୁ ବିଚାରି ବସିଲେ ଅଭିମନ୍ୟୁଙ୍କ କଳ୍ପନାବିଳାସ, ସୌନ୍ଦର୍ଯ୍ୟାନୁଭୂତି ଓ ସେ ସବୁକୁ ପ୍ରକାଶ କରିବାର ଆଶ୍ଚର୍ଯ୍ୟ କଳାକୁଶଳତା ସହଜରେ ପାଠକ ଚେତନାର ନୂଆ ଦ୍ୱାର ଉନ୍ମୋଚନ କରିଥାଏ । ‘‘ମାଣିକ୍ୟକୁହରୁ ଚନ୍ଦ୍ର କିରଣ’’ ଓ ‘‘ପ୍ରବଳ ନାବରେ କ୍ଷୀର’’ର ଉପମା କଥା ଦୀନକୃଷ୍ଣ କି ଉପେନ୍ଦ୍ର ଭଞ୍ଜ କଳ୍ପନା କରି ପାରନ୍ତି ନାହିଁ । ବାସ୍ତବ ଉପମେୟ ପାଇଁ ଅବାସ୍ତବ ଉପମାନ ପୁଣି ଏଡ଼େ ଭାବଦ୍ୟୋତକ ହୋଇପାରେ ? ପ୍ରକାରାନ୍ତରେ କବି ହାସ ଓ ଅଧରର ଅପାର୍ଥିବତା ହିଁ ସୁଚାଇ ଅଛନ୍ତି । ତଦ୍ଦ୍ୱାରା ତାଙ୍କର ବିଶିଷ୍ଟ ରସବୋଧ ଓ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ମଧ୍ୟ ପ୍ରତିଭାତ ହୋଇଅଛି । ମଧୁର ରୂପ ଓ ସୌନ୍ଦର୍ଯର ପରିକଳ୍ପନା କ୍ଷେତ୍ରରେ ସେ ସେଥିପାଇଁ ଓଡ଼ିଆ ସାହିତ୍ୟରେ ଅନନ୍ୟ ଓ ଅସାଧାରଣ ।

 

***

 

ସହାୟକ ଗ୍ରନ୍ଥସୂଚୀ

ସଂସ୍କୃତ :

 

ମାଠର ଶ୍ରୂତି

ବୃହଦାରଣ୍ୟକ ଉପନିଷଦ

ଧ୍ୱନ୍ୟାଲୋକ

ସାହିତ୍ୟ ଦର୍ପଣ

କାବ୍ୟ ପ୍ରକାଶ

ରସ ଗଙ୍ଗାଧର

ଉଜ୍ଜ୍ୱଳ ନୀଳମଣି

ଭକ୍ତିରସାମୃତସିନ୍ଧୁ

ଶ୍ରୀକୃଷ୍ଣ ସନ୍ଦର୍ଭ

ଭକ୍ତି ସନ୍ଦର୍ଭ

ପ୍ରୀତି ସନ୍ଦର୍ଭ

ନୈଷଧ କାବ୍ୟ

କୁମାର ସମ୍ଭବ

ରଘୁବଂଶ

ଅମରକୋଷ

ତ୍ରିକାଣ୍ଡ ଶେଷ

ବିଦଗ୍‌ଧମାଧବ ନାଟକ

ଲଳିତ ମାଧବ

ଗୀତଗୋବିନ୍ଦ

ମନୁ ସଂହିତା

ବେଦାନ୍ତ ଦର୍ଶନ

କୃଷ୍ଣୋପନିଷଦ

ଭାଗବତପୁରାଣ

ଗୋପାଳ ପୂର୍ବତାପିନୀ

ଲଘୁ ଭାବଗବତାମୃତ

 

ବଙ୍ଗଳା-

ଗୌଡ଼ିୟା ବୈଷ୍ଣବ ଦର୍ଶନ-ଡ: ରାଧାଗୋବିନ୍ଦ ନାଥ

ଜୈବଧର୍ମ-ଭକ୍ତିବିନୋଦ ଠାକୁର

ଚୈତନ୍ୟ ଚରିତାମୃତ-

ସାହିତ୍ୟ ସନ୍ଦର୍ଶନ-ଶ୍ରୀଶ ଚନ୍ଦ୍ର ଦାସ

ବଙ୍ଗଳା ସାହିତ୍ୟର ସଂପୂର୍ଣ୍ଣ ଇତିବୃତ୍ତ-ଡ.ଅସିତ କୁମାର ବାନାର୍ଜୀ

 

ଇଂରାଜୀ-

Journals of the Asiatic socity Bengal

Cultural Heritage of India Vol-V

The making of literature-Scot James

Some problems of Indian Poetics-Dr. S.K.Dey

Typical Selections from Oriya Literature-B.C .Mazumdar

Historty of Orissa-W.W.Hunter

History of Oriya Literature-Dr. M.Mansingh

 

ଓଡ଼ିଆ-

ପ୍ରାଚୀନ ଉତ୍କଳ-ଜଗବନ୍ଧୁ ସିଂହ

ବିଦଗ୍‌ଧ ଚିନ୍ତାମଣି (ପ୍ରାଚୀ)

ସୃଷ୍ଟି ଓ ସମୀକ୍ଷା

ରସିକ ଭକ୍ତ ଅଭିମନ୍ୟୁ

ବିଦଗ୍‌ଧ କବି ଅଭିମନ୍ୟୁ

ଓଡ଼ିଆ ସାହିତ୍ୟର କ୍ରମବିକାଶ-ସୁରେନ୍ଦ୍ର ମହାନ୍ତି

ଭଞ୍ଜ ଭୂମିକା-ଗୌରୀକୁମାର ବ୍ରହ୍ମା

ପ୍ରେମ ଚିନ୍ତାମଣି-ଅଭିମନ୍ୟୁ

ରସକଳ-ଅଭିମନ୍ୟୁ

ସୁଲକ୍ଷଣା-ଅଭିମନ୍ୟୁ

ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ-ବି. ଆଚାର୍ଯ୍ୟ

 

***